Advertisment

କର୍ମମୟ ଜୀବନରେ ଛୁଟି ବା ଭ୍ରମଣର ଆବଶ୍ୟକତା

ବିନା ଛୁଟିରେ ବା ପାରିବାରିକ ଭ୍ରମଣରେ ନ ଯାଇ ବର୍ଷ ବର୍ଷ ଧରି ଲଗାତାର କାମ କରୁଥିବା ବ୍ୟକ୍ତିଙ୍କ ଠାରେ ଚାପ ଶରୀରର ବାର୍ଦ୍ଧକ୍ୟ ପ୍ରକ୍ରିୟା (aging process) କୁ ତ୍ୱରାନ୍ୱିତ କରେ। ତେଣୁ ସୁଖମୟ ପାରିବାରିକ ଓ ଚାପମୁକ୍ତ, ସନ୍ତୁଳିତ ଜୀବନ ପାଇଁ ଛୁଟି ବା ଭ୍ରମଣ ନିହାତି ଆବଶ୍ୟକ।

ଅଦ୍ୟତନ ହୋଇଛି
How important is vacation

How important is vacation

Advertisment

ମନେଅଛି ସ୍କୁଲ୍‌ ସମୟରେ ଆମେ କେତେ ଆଗ୍ରହରେ ଖରାଛୁଟିକୁ ଅପେକ୍ଷା କରିଥାଉ? ସାଙ୍ଗମାନଙ୍କ ସହ ଖେଳକୁଦ, ବାପା-ବୋଉଙ୍କ ସହ ଦର୍ଶନୀୟ ସ୍ଥାନ ଆଉ ମାମୁଘର ବୁଲା… ଓଃ! ସେଇ ସମୟ ମନେପଡିଗଲେ ବି ଆମ ମୁହଁରେ ଆପେଆପେ ହସ ଖେଳିଯାଏ ନା! ହେଲେ ମନେପକାଇଲେ, ଏବେ କାର୍ଯ୍ୟାଳୟରେ ଆପଣ ଯେତେବେଳେ ନିଜ ପରିବାର କି ବନ୍ଧୁମାନଙ୍କ ସହ ଭ୍ରମଣ ଉଦ୍ଦେଶ୍ୟରେ ଛୁଟିଟିଏ ପାଇଁ ନିଜ ଉପରିସ୍ଥ ଅଧିକାରୀଙ୍କୁ ଅନୁରୋଧ କରନ୍ତି, ତାହେଲେ ପ୍ରଥମେ ତ ସେ ମନା କରନ୍ତି, ଆଉ ଯଦି ବି ରାଜି ହେଲେ, କେତେ କୁଣ୍ଠିତ ମନରେ "ହଁ" କୁହନ୍ତି।

Advertisment

ଅନ୍ୟ ଦେଶ ବିଷୟରେ ତ ମୁଁ ଜାଣିନି, କିନ୍ତୁ ଆମ ଦେଶରେ ଗୋଟିଏ "ଖରାପ କାରଣ" (ଅସୁସ୍ଥତା କିମ୍ବା ଦୁର୍ଘଟଣା କିମ୍ବା ପରିବାରରେ କାହାର ମୃତ୍ୟୁ) ଥିଲେ ହିଁ ବସ୍ ମାନେ ଛୁଟି ପାଇଁ ସହଜରେ ରାଜି ହୁଅନ୍ତି। କିନ୍ତୁ ପ୍ରକୃତରେ ଆହାର, ନିଦ୍ରା, ବ୍ୟାୟାମ ପରି ଗୋଟିଏ ସନ୍ତୁଳିତ ଜୀବନ ପାଇଁ ଦୈନନ୍ଦିନ କାର୍ଯ୍ୟ ବ୍ୟସ୍ତତା ଭିତରେ ପରିବାର ସହ ଛୁଟିରେ ସମୟ ବିତାଇବା ବା ଭ୍ରମଣରେ ଯିବା ମଧ୍ୟ ନିହାତି ଦରକାର। ତେବେ ଆସନ୍ତୁ ଜାଣିବା ସବୁ କାମ ଭିତରେ ନିୟମିତ ବ୍ୟବଧାନରେ ଛୁଟି ବା ଭ୍ରମଣ ଆମ ପାଇଁ କାହିଁକି ଜରୁରୀ ଓ ଏହାର ଉପକାରିତ କ'ଣ।

(୧) ଛୁଟି ଚାପରୁ ମୁକ୍ତିଦିଏ:

ଦୈନନ୍ଦିନ କାମକୁ ସୂଚାରୁ ରୂପେ ତୁଲେଇବା ପାଇଁ ଆମ ଶରୀରରେ "fright and flight pathway" କାମ କରେ। ଏହା ଦ୍ଵାରା ଶରୀରରେ ଆଡ୍ରେନାଲିନ୍ (adrenalin) ଓ କର୍ଟିସୋଲ୍ (cortisol) କ୍ଷରଣ ହୋଇଥାଏ। ଏହି ପ୍ରଣାଳୀ ହିଁ ଶରୀର ମଧ୍ୟରେ ଚାପ (stress) ସୃଷ୍ଟିକରେ ଆଉ ଏଇ ଚାପ ହିଁ ମଣିଷକୁ ସୂଚାରୁ ଓ ଫଳପ୍ରଦ କାମ କରାଇବା ସହ ମଣିଷର ରକ୍ତଚାପ, ହୃଦ୍‌ସ୍ପନ୍ଦନର ଗତି ମଧ୍ୟ ବଢାଇଥାଏ। କିନ୍ତୁ ଆଜି ଆଧୁନିକରଣ ଓ ବ୍ୟସ୍ଥବହୁଳ ଜୀବନ ପ୍ରଣାଳୀରେ ଆମେ ବାରମ୍ବାର ଏମିତି ପରିସ୍ଥିତିର ସାମ୍ନା କରୁଛେ ଏବଂ ଆମ ଶରୀର ବାରମ୍ବାର, ଲଗାତାର ଏହି ହରମୋନ୍‌ଗୁଡିକର ସଂସ୍ପର୍ଶ ଓ ପ୍ରଭାବରେ ଆସୁଛନ୍ତି।

Advertisment

ଏହାଦ୍ୱାରା ଉଚ୍ଚରକ୍ତଚାପ (hypertension) ଓ ହୃଦୟ ରୋଗର (cardiac diseases) ଆଶଙ୍କା ଅନେକ ବଢିଯାଉଛି। ତେଣୁ କାର୍ଯ୍ୟାଳୟରୁ ଅବକାଶ / ଛୁଟି ବା ଭ୍ରମଣ ଆମ ଶରୀରକୁ ଏଇ ହରମୋନ୍‌ଗୁଡିକର ଲଗାତାର ପ୍ରଭାବରୁ (exposure) ରକ୍ଷାକରି ଆମକୁ ଚାପରୁ ମୁକ୍ତିଦିଏ।

(୨) ଛୁଟି ହୃଦ୍‌ଘାତ ଓ ହୃଦୟରୋଗରୁ ରକ୍ଷା କରେ :

କ୍ରମାଗତ ଚାପ ବା stressର ସବୁଠାରୁ ସାଧାରଣ ଓ ସା°ଘାତିକ କୁପ୍ରଭାବ ହେଉଛି ଉଚ୍ଚରକ୍ତଚାପ ଓ ହୃଦ୍‌ଘାତ। ୨୦୧୦ Framingham Heart Studyରେ ଦେଖାଯାଇଛି ଯେ ନିୟମିତ ଭ୍ରମଣ ବା vacationରେ ଯାଉଥିବା ବ୍ୟକ୍ତିଙ୍କ ଠାରେ ହୃଦ୍‌ଘାତ ଓ ହୃଦ୍‌ଘାଜନିତ ମୃତ୍ୟୁର ଆଶଙ୍କା କମ୍ ଥାଏ (ପୁରୁଷ ମାନଙ୍କ କ୍ଷେତ୍ରରେ ୩୨℅ କମ ଥିବା ବେଳେ, ମହିଳାମାନଙ୍କ କ୍ଷେତ୍ରରେ ୫୦% କମ୍ ଥାଏ)।

Advertisment

(୩) ଛୁଟି ରୋଗ ପ୍ରତିରୋଧକ ଶକ୍ତି ବଢାଏ:

Psychoneuroimmunology (ସାଇକୋନ୍ୟୁରୋଇମ୍ବୁନୋଲୋଜି) ର ଏକ ଅନୁଧ୍ୟାନରୁ ଜଣାପଡିଛି ଯେ କ୍ରମାଗତ ଚାପରେ ରହିବା ଦ୍ୱରା ବା Chronic stress ଏବଂ ଆଡ୍ରେନାଲ୍ ଡିସ୍‌ଫଙ୍କ୍‌ସନ୍ ଆମର ରୋଗ ପ୍ରତିରୋଧକ ଶକ୍ତି କମାଇ ଦିଏ। ଏହାଦ୍ଵାରା ବାରମ୍ବାର ଥଣ୍ଡା, ଜ୍ୱର, flu ଓ irritable bowel syndrome ରେ ଆକ୍ରାନ୍ତ ହେବାର ଆଶଙ୍କା ବଢିଯାଏ। କିଛି ଗବେଷକଙ୍କ ମତରେ ଏହା ବିଭିନ୍ନ କ୍ୟାନ୍‌ସର୍‌ର ମଧ୍ୟ କାରଣ ହୋଇପାରେ। ସେଇ ସର୍ବେକ୍ଷଣରୁ ଜଣାପଡିଛି ଯେ ଯେଉଁମାନେ ନିୟମିତ ଭ୍ରମଣରେ ଯାଆନ୍ତି, ସେମାନେ ନିଜକୁ ଅଧିକ ସୁସ୍ଥ ଅନୁଭବ କରନ୍ତି।

(୪) ଛୁଟି ଆପଣଙ୍କୁ ଅଧିକ ଖୁସି ରହିବାରେ ସାହାଯ୍ୟ କରେ:

ନ୍ୟୁରୋ ସାଇଁଟିଷ୍ଟଙ୍କ ମତରେ, ମସ୍ତିଷ୍କର ଗଠନ ଅନୁସାରେ ଷ୍ଟ୍ରେସ୍ ହରମୋନ୍‌ର କ୍ରମାଗତ ପ୍ରଭାବ ଦ୍ୱାରା ମଣିଷ ଅଧିକ ଚିନ୍ତାଗ୍ରସ୍ତ ହୋଇପଡେ ଓ ଅବସାଦର ଶୀକାର ହୁଏ। ସର୍ବେକ୍ଷଣରୁ ଦେଖାଯାଇଛି ଯେ ଯେଉଁମାନେ କାର୍ଯ୍ୟାଳୟରୁ ନିଜର ନିର୍ଧାରିତ ସାପ୍ତାହିକ ଛୁଟି ଛଡା ଅନ୍ୟ ଛୁଟି ପାଆନ୍ତି ନାହିଁ, ସେମାନଙ୍କ ଠାରେ anxiety(ଚିନ୍ତା) ଓ depression (ଅବସାଦ) ତିନି ଗୁଣ ଅଧିକ ଦେଖାଯାଏ। କିନ୍ତୁ ନିୟମିତ ଛୁଟିରେ ଯାଉଥିବା ବ୍ୟକ୍ତି ଅଧିକ ଖୁସିବାସିଆ ରୁହନ୍ତି ଓ ଏହାର ପ୍ରଭାବ ଦୀର୍ଘଦିନ ଯାଏ କର୍ଯ୍ୟକ୍ଷେତ୍ରରେ ଦେଖିବାକୁ ମିଳିଥାଏ।

(୫) ଛୁଟି ପାରିବାରିକ ସମ୍ପର୍କକୁ ମଜବୁତ କରେ:

ଅନୁଧ୍ୟାନରୁ ଜଣାପଡିଛି ଯେ ଯେଉଁ ମହିଳାମାନେ ନିଜ ପରିବାର ସହ ନିୟମିତ ଛୁଟିରେ ଯା'ନ୍ତି ସେମାନେ ଅଧିକ ଖୁସି ରୁହନ୍ତି, ଅଧିକ ରୋମାଣ୍ଟିକ୍‌ ଲାଗନ୍ତି ଏବଂ ନିଜ ବୈବାହିକ ଜୀବନରେ ଅଧିକ ସନ୍ତୁଷ୍ଟ ରୁହନ୍ତି। ଅନୁଧ୍ୟାନରୁ ଏହା ମଧ୍ୟ ଦେଖାଯାଇଛି ଯେ ଗ୍ରୀଷ୍ମଛୁଟି ବା ପରିବାର ସହ ବିତାଇଥିବା ଅନ୍ୟ ଛୁଟି ପିଲାମାନଙ୍କ ଏକାଡେମୀକ୍ ରେଜଲ୍ଟ ଉପରେ ମଧ୍ୟ ଉତ୍ତମ ପ୍ରଭାବ ପକାଇଥାଏ।

ବିଭିନ୍ନ ସମୟରେ ହୋଇଥିବା ସର୍ବେକ୍ଷଣରେ ଦେଖାଯାଇଛି ଯେ ଅନ୍ୟ ଯେକୌଣସି ପାରିବାରିକ ଅନୁଷ୍ଠାନ ଅପେକ୍ଷା, ନିଜ ପରିବାର ସହ ବିତାଇଥିବା ଛୁଟିକୁ ହିଁ ମଣିଷ ସବୁଠାରୁ ଅଧିକ ମୂଲ୍ୟବାନ ସ୍ମୃତିଭାବେ ଗ୍ରହଣ କରିଥାଏ।

(୬) ଛୁଟି କାର୍ଯ୍ୟକ୍ଷେତ୍ରରେ ଅଧିକ ଫୋକସ୍ଡ ଓ ପ୍ରଡକ୍ଟିଭ୍ କରାଏ:

ଅନୁଧ୍ୟାନରୁ ଜଣାପଡିଛି ଯେ କ୍ରମାଗତ ଚାପ ମସ୍ତିଷ୍କର ପ୍ରଭାବିତ କରୁଥିବା ବିଭିନ୍ନ ଅ°ଶମାନଙ୍କ ମଧ୍ୟରୁ ଅନ୍ୟତମ ହେଲା "ଫୋକସ୍" ଓ "ସ୍ମୃତି"। ଆଉ ଚାପ ଦୁଇଟି ଉପରେ କୁପ୍ରଭାବ ପକାଇଥାଏ। ଏହାଦ୍ୱାରା ମଣିଷ ଅନେକ ସମୟରେ ବିଭ୍ରାନ୍ତ ଅନୁଭବ କରିପାରେ ଏବଂ ଏକାଗ୍ରତା ହ୍ରାସ ପାଏ। ନିୟମିତ ଛୁଟି ବା ଭ୍ରମଣରେ ଯାଉଥିବା ବ୍ୟକ୍ତିଙ୍କ ମଧ୍ୟରୁ ପ୍ରାୟ ତିନି-ଚତୁର୍ଥା°ଶ ଲୋକ ଅପେକ୍ଷାକୃତ ଅଧିକ ଫୁର୍ତ୍ତି ବା energetic ଅନୁଭବ କରନ୍ତି। ଏହା ସେମାନଙ୍କର ଏକାଗ୍ରତା ବଢାଇଥାଏ। ଏମାନେ ସହଜରେ କର୍ଯ୍ୟକ୍ଷେତ୍ରର ଅସୁବିଧା ବା crisis ସମୟର ମୁକାବିଲା କରିପାରନ୍ତି।

ସେମାନଙ୍କ ଏକାଗ୍ରତା ବଢିବା ସହ କାର୍ଯ୍ୟକ୍ଷମତା ବଢିଥାଏ। ଯେଉଁ କାର୍ଯ୍ୟାଳୟର ବା ସ°ସ୍ଥାର ଛୁଟି ନୀତି ଯେତେ ଉଦାର, ସେଠି କର୍ମଚାରୀମାନଙ୍କର ଦେହଖରାପ / sick leave, ଆପାତକାଳୀନ /emergency leave ଓ କାମରେ ବାରମ୍ବାର ଅନୁପସ୍ଥିତ ରହିବାର ଅଭ୍ୟାସ ମଧ୍ୟ କମ ଦେଖାଯାଏ। ବିଶ୍ୱସ୍ତରୀୟ ସର୍ବେକ୍ଷଣ ଅନୁସାରେ ନିୟମିତ ଛୁଟି ନେଉଥିବା ୭୦% ମଣିଷ ନିଜ କର୍ଯ୍ୟକ୍ଷେତ୍ରରେ ସର୍ବଦା ସନ୍ତୁଷ୍ଟ ଥାଆନ୍ତି।

(୭) ଛୁଟି ନିଦ୍ରାଶୈଳୀ ଉନ୍ନତ କରେ:

ରିପୋର୍ଟ ଅନୁସାରେ, ନିୟମିତ ଛୁଟି ବା ଭ୍ରମଣରେ ଯାଉଥିବା ବ୍ୟକ୍ତିଙ୍କ ନିଦ୍ରାରେ ପାଖାପାଖି ୨୦% ଉନ୍ନତି ଦେଖାଦେଇଛି। ସାଧାରଣ ଦିନ ଅପେକ୍ଷା ଛୁଟି ସମୟରେ ସେମାନେ ପାଖାପାଖି ଅଧିକ ୧ ଘଣ୍ଟା ସମୟ ପର୍ଯ୍ୟନ୍ତ ଗାଢ ଓ ସୁଖନିଦ୍ରାରେ ଶୋଇପାରନ୍ତି। ଏହା ସେମାନଙ୍କୁ କାର୍ଯ୍ୟାଳୟକୁ ଫେରିବା ପରେ ବି ଅଧିକ ଫୁର୍ତ୍ତି ଓ ସକ୍ଷମ ହେବାରେ ସାହାଯ୍ୟ କରେ।

(୮) ନିୟମିତ ଛୁଟି ଓଜନ ହ୍ରାସରେ ସାହାଯ୍ୟ କରେ:

କ୍ରମାଗତ ଚାପ( chronic stress) ଓ ଅବସାଦ (depression) ର ଗୋଟିଏ ବଡ ପାର୍ଶ୍ଵପ୍ରତିକ୍ରିୟା ହେଲା, ମଣିଷର ଖାଦ୍ୟଗ୍ରହଣ ଉପରେ ଆଦୌ ନିୟନ୍ତ୍ରଣ ନ ରହିବା, ଯାହାକି ମେଦବହୁଳତା ବା obesityର କାରଣ ହୋଇଥାଏ। କିନ୍ତୁ ନିୟମିତ ଛୁଟି ବା ଭ୍ରମଣ ବ୍ୟକ୍ତିକୁ ଚାପ ଓ ଅବସାଦ ମୁକ୍ତକରେ। ଏହା ଛଡା, ଛୁଟି ବା ଭ୍ରମଣ ସମୟରେ ବ୍ୟକ୍ତି ଅଧିକ ଫୁର୍ତ୍ତି ବା energetic ଅନୁଭବ କରିବା ସହ ଅଧିକ ସମୟ ସକ୍ରିୟ ଓ outdoor activities କରୁଥିବାରୁ, ଏହା ଓଜନ ହ୍ରାସରେ ସାହାଯ୍ୟ କରେ।

ସର୍ବେକ୍ଷଣରୁ ଦେଖାଯାଇଛି ଯେ ବିନା ଛୁଟିରେ ବା ପାରିବାରିକ ଭ୍ରମଣରେ ନ ଯାଇ ବର୍ଷ ବର୍ଷ ଧରି ଲଗାତାର କାମ କରୁଥିବା ବ୍ୟକ୍ତିଙ୍କ ଠାରେ ଚାପ ଶରୀରର ବାର୍ଦ୍ଧକ୍ୟ ପ୍ରକ୍ରିୟା (aging process) କୁ ତ୍ୱରାନ୍ୱିତ କରେ। ତେଣୁ ଜଣେ ଡାକ୍ତର ହିସାବରେ, ମୋ ମତରେ, ଆପଣମାନଙ୍କ ସୁଖମୟ ପାରିବାରିକ ଓ ଚାପମୁକ୍ତ, ସନ୍ତୁଳିତ ଜୀବନ ପାଇଁ ସବୁଠାରୁ ଭଲ ପ୍ରେସ୍‌କ୍ରିପସନ୍ ହେଉଛି, ନିଜକୁ ବି ପ୍ରାଥମିକତା ଦେଇ ନିଜ କର୍ମମୟ, ବ୍ୟସ୍ତବହୁଳ ଜୀବନରୁ କିଛି ସମୟ ଛୁଟି ବା ଭ୍ରମଣ ପାଇଁ ନିଶ୍ଚୟ ଦିଅନ୍ତୁ।

Article
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ