Advertisment

Health Tips: ସ୍ୱାସ୍ଥ୍ୟ ପାଇଁ ଓମେଗା-୩ ଫ୍ୟାଟି ଏସିଡ୍ କେତେ ଜରୁରୀ

ଶରୀରର ପ୍ରତ୍ୟେକ କୋଷର ଆବରଣ ବା ମେମ୍ବ୍ରେନର ଗୋଟିଏ ମୁଖ୍ୟ ଉପାଦାନ ହେଉଛି ଓମେଗା-୩ ଫ୍ୟାଟି ଏସିଡ୍। ଆଖିର ରେଟିନା, ମସ୍ତିଷ୍କ ଏବଂ ଶୁକ୍ରାଣୁରେ ସର୍ବାଧିକ ମାତ୍ରାରେ ଏହା ଦେଖାଯାଇଥାଏ। ଏହା ଶରୀରକୁ ଶକ୍ତି ଯୋଗାଇଥାଏ। ଏହି ଖାଦ୍ୟସାର କିପରି ପାଇବେ ଆସନ୍ତୁ ଜାଣିବା…

ଅଦ୍ୟତନ ହୋଇଛି
How Important Are Omega-3 Fatty Acids For Health

How important are omega-3 fatty acids for health

Advertisment

ଆମ ଶରୀରର ପ୍ରତ୍ୟେକ କୋଷର ଆବରଣ ବା ମେମ୍ବ୍ରେନର ଗୋଟିଏ ମୁଖ୍ୟ ଉପାଦାନ ହେଉଛି ଓମେଗା-୩ ଫ୍ୟାଟି ଏସିଡ୍। ଆଖିର ରେଟିନା, ମସ୍ତିଷ୍କ ଏବଂ ଶୁକ୍ରାଣୁରେ ସର୍ବାଧିକ ମାତ୍ରାରେ ଏହା ଦେଖାଯାଇଥାଏ। ଏହା ଶରୀରକୁ ଶକ୍ତି ବା ଏନର୍ଜି ଯୋଗାଇବା ସହ ହୃଦୟ, ରକ୍ତ ନଳୀ, ଫୁସ୍‌ଫୁସ୍, ଇମ୍ବୁନ୍‌ ସିଷ୍ଟମ୍ ଏବଂ ଏଣ୍ଡୋକ୍ରାଇନ୍ ସିଷ୍ଟମ୍‌ରେ ଅନେକ ଗୁରୁତ୍ୱପୂର୍ଣ୍ଣ କାମ କରିଥାଏ।

Advertisment

ପ୍ରଥମଥର ପାଇଁ ୧୯୨୯ ମସିହାରେ ଜର୍ଜ ଏବଂ ମିଲ୍‌ଡ୍ରେଡ୍ ବର୍, ଶରୀରରେ ଫ୍ୟାଟି ଏସିଡ୍‌ର ଅଭାବ କାରଣରୁ ଦେଖାଯାଉଥିବା ଭୟଙ୍କର ସ୍ୱାସ୍ଥ୍ୟ ସମସ୍ୟା ବିଷୟରେ ଅବଗତ କରାଇଥିଲେ। କିନ୍ତୁ ୧୯୮୦ ପରେ ହିଁ ଓମେଗା-୩ ଫ୍ୟାଟି ଏସିଡ୍‌କୁ ନେଇ ଅଧିକ ଗବେଷଣା ହୋଇଛି। ଯଦିଓ ଆମ ଶରୀରର ପ୍ରତ୍ୟେକ କୋଷ ତିଆରି ପାଇଁ ଓମେଗା-୩ ଫ୍ୟାଟି ଏସିଡ୍ ଆବଶ୍ୟକ କିନ୍ତୁ ଆମ ଶରୀର ଏହାକୁ ତିଆରି କରିପାରେ ନାହିଁ, ତେଣୁ ଏହାକୁ ଏସେନ୍ସିଆଲ୍ ଫ୍ୟାଟି ଏସିଡ୍ ବୋଲି କୁହାଯାଏ।

ଅଧିକ ପଢ଼ନ୍ତୁ: ମାନନ୍ତୁ ଏହି ୫ଟି ଟିପ୍ସ, କମିବ ପେଟର ମେଦ

ସର୍ବପ୍ରଥମେ ବର୍ ହିଁ ଏହି ଏସେନ୍ସିଆଲ୍ ଫ୍ୟାଟି ଏସିଡ୍ ଟର୍ମଟିକୁ ପ୍ରଚଳିତ କରିଥିଲେ। ଯେହେତୁ ଆମ ଶରୀର ଏହାକୁ ତିଆରି କରିପାରେ ନାହିଁ ତେଣୁ ଆମକୁ ଏହାକୁ ବାହାରୁ ଖାଦ୍ୟ ଆକାରରେ ଗ୍ରହଣ କରିବାକୁ ପଡିଥାଏ। ଦୈନିକ ଜଣେ ୧୮ ବର୍ଷରୁ ଉର୍ଦ୍ଧ୍ୱ ସୁସ୍ଥ ମଣିଷ ପାଇଁ ୩ - ୪ ଗ୍ରାମ, ଜଣେ ୧୩ -୧୮ ବର୍ଷ କିଶୋର ପାଇଁ ୨ - ୩ ଗ୍ରାମ ଏବଂ ଜଣେ ୪ -୧୨ ବର୍ଷର ଶିଶୁ ପାଇଁ ୨ ଗ୍ରାମ ଓମେଗା-୩ ଫ୍ୟାଟି ଏସିଡ୍ ଦରକାର ହୋଇଥାଏ, ଯାହା ଆମ ଶରୀର ମାଛ, ଫ୍ଳାକ୍ସ ସିଡ୍ସ ଏବଂ ଫିସ୍ ଅଏଲରୁ ପାଇଥାଏ।

Advertisment

ଏହା ପ୍ରାକୃତିକ ଉପାୟରେ ତିନୋଟି ଅବସ୍ଥାରେ ଦେଖାଯାଏ : ଆଲ୍ଫା-ଲିନୋଲେନିକ୍ ଏସିଡ୍ (ALA), ଇକୋସାପେଣ୍ଟେନୋଇକ୍ ଏସିଡ୍ (EPA), ଡୋକୋସାହେକ୍ସାନୋଇକ୍ ଏସିଡ୍ (DHA)। ALA ସାଧାରଣତଃ ଫ୍ଲାକ୍ସସିଡ୍ସ, ସୋୟାବିନ୍ ଏବଂ କ୍ୟାନୋଲା ତେଲରୁ ମିଳୁଥିବା ବେଳେ EPA ଓ DHA ମାଛ ଏବଂ ସମୁଦ୍ରଜାତ ଖାଦ୍ୟରୁ ମିଳିଥାଏ।

ଯଦିଓ ଆମ ଶରୀର କିଛି ମାତ୍ରାରେ ALAକୁ EPA ଏବଂ ତା’ପରେ DHAରେ ପରିଣତ କରିପାରେ, କିନ୍ତୁ ଏହାର ମାତ୍ରା ଖୁବ କମ, ତେଣୁ ଆବଶ୍ୟକୀୟ ମାତ୍ରା ଖାଦ୍ୟ କିମ୍ବା ସପ୍ଲିମେଣ୍ଟ୍‌ ଦ୍ୱାରା ହିଁ ଶରୀକୁ ମିଳିଥାଏ। ଶରୀରରେ ଓମେଗା-୩ ଫ୍ୟାଟି ଏସିଡ୍‌ର ଅଭାବରେ ଚର୍ମ ଶୁଷ୍କ ଏବଂ କାତି ଛାଡିଲା ପରି ହେବା ସହ ଚେକାଚେକା ଲାଲ୍ ଏବଂ କୁଣ୍ଡାଇ ହୋଇ ଫଳିଯାଏ।

Advertisment

ଓମେଗା-୩ ଫ୍ୟାଟି ଏସିଡ୍‌ର ଉପକାରିତା:

  • କାର୍ଡିଓଭାସ୍କୁଲାର୍ ଡିଜିଜ୍ ବା ହୃଦଘାତରୁ ସୁରକ୍ଷା ଦିଏ - ୨୦୨୦ରେ ପ୍ରକାଶିତ ଏକ ରିପୋର୍ଟ ଅନୁସାରେ ଏହା ଉଚ୍ଚ ରକ୍ତ ଚାପ ନିୟନ୍ତ୍ରଣ କରେ, କୋଲେଷ୍ଟେରଲ୍‌/ ଲିପିଡ୍/ ଧମନୀରେ ଜମା ପ୍ଲେକ୍‌କୁ କମ କରେ, ହୃଦୟର ଗତି ନିୟନ୍ତ୍ରଣ କରେ, ରକ୍ତ ଧମନୀଗୁଡିକର ଭିତର ଆବରଣର ଫୁଲା (ଇନ୍‌ଫ୍ଲାମେସନ୍‌)/ ପ୍ଲାଟିଲେଟ୍ ଜମାହେବା ଆଦିକୁ କମାଇ ହୃଦଘାତର ଆଶଙ୍କା କମାଏ।
  • ଦୃଷ୍ଟିଶକ୍ତି ଭଲ କରେ, ମ୍ୟାକୁଲାର୍ ଡିଜେନେରେସନ୍‌କୁ ରୋକେ।
  • ମସ୍ତିଷ୍କ କୋଷ ବିକାଶ ଏବଂ ଏକାଗ୍ରତା ବଢାଇ ପିଲାମାନଙ୍କ ମଧ୍ୟରେ ଆଟେନ୍‌ସନ୍ ଡେଫିସିଟ୍ ହାଇପର୍ ଆକ୍ଟିଭିଟିର ଆଶଙ୍କା କମାଇଥାଏ।
  • ଆଣ୍ଟିଅକ୍ସିଡାଣ୍ଟ୍‌ ହିସାବରେ କାମ କରି, କୋଷ ସ୍ତରରୁ ମରାମତି/ ରିପ୍ୟାର୍‌ରେ ସାହାଯ୍ୟ କରେ।
  • ଇନ୍‌ଫ୍ଲାମେସନ୍‌କୁ କମକରି ମା°ସପେଷୀ, ହାଡ ଏବଂ ଗଣ୍ଠି ଗୁଡିକର ଯନ୍ତ୍ରଣା କମାଏ।
  • କୋଲେଷ୍ଟେରଲ୍‌ ଏବଂ ଶର୍କରା (ବ୍ଲଡ୍‌ ସୁଗାର) ସ୍ତର ନିୟନ୍ତ୍ରଣ କରେ।
  • ମାନସିକ ଅବସାଦର ଆଶଙ୍କା କମାଇ ମଣିଷର ମୁଡ୍‌କୁ ସୁଖପ୍ରଦ କରେ।
  • ମସ୍ତିଷ୍କ କୋଷର ଡେଭଲପ୍‌ମେଣ୍ଟ୍‌ରେ ସାହାଯ୍ୟ କରି ମଣିଷର ସ୍ମରଣଶକ୍ତି ଏବଂ ଏକାଗ୍ରତା ବଢାଏ, ଆଲ୍‌ଜେମର୍ସ ଡିଜିଜ୍‌ର ଆଶଙ୍କା କମାଏ।
  • ରୋଗପ୍ରତିରୋଧକ ଶକ୍ତି ବଢାଏ।
  • ପାଚନ ଶକ୍ତି ବଢାଇବା ସହ ଅଲ୍‌ସରେଟିଭ୍ କୋଲାଇଟିସ୍ ପରି ରୋଗରେ ବିଶେଷ ଉପକାରୀ।
  • ଆଣ୍ଟିଅକ୍ସିଡାଣ୍ଟ୍‌ ଗୁଣ ଯୋଗୁଁ ବିଭିନ୍ନ ପ୍ରକାର କ୍ୟାନସର୍‌ର ଆଶଙ୍କା କମାଇ ଥାଏ।
  • ଚର୍ମକୁ ସୁସ୍ଥ ଏବଂ ଚିକ୍କଣ ରଖେ।
  • ଅତ୍ୟଧିକ ଶାରୀରିକ ପରିଶ୍ରମ ଏବଂ ବ୍ୟାୟାମ ପରର କୋଷ ସ୍ତରରେ ଘଟିଥିବା ଆଘାତର ଶୀଘ୍ର ମରାମତିରେ ସାହାଯ୍ୟ କରେ।

ଓମେଗା-୩ ଫ୍ୟାଟି ଏସିଡ୍‌ର ଉତ୍ସ:

  • ଫ୍ଲାକ୍ସସିଡ୍ସ ତେଲ (ଅଳସୀ ତେଲ)
  • ଫ୍ଲାକ୍ସସିଡ୍ସ ଚୁର୍ଣ୍ଣ (ଅଳସୀ ମଞ୍ଜି ଚୁନା)
  • ୱ୍ୱଲ୍‌ନଟ୍ସ
  • ଚିଆ ସିଡ୍ସ
  • ହେମ୍ପ୍‌ସିଡ୍ସ (ଭାଙ୍ଗ ମଞ୍ଜି)
  • ଏଡାମାମେ (କଞ୍ଚା ସୋୟାରୁ ପ୍ରସ୍ତୁତ ଜାପାନିଜ୍ ଡିସ୍)
  • ନାଟୋ (ଜାପାନିଜ୍ ଫର୍‌ମେଣ୍ଟେଡ୍ ସୋୟା ଡିସ୍)
  • ସି-ୱ୍ୱିଡ୍
  • ଆଲ୍‌ଗି
  • ଅଣ୍ଡା କେଶର
  • କଡ୍‌ ଲିଭର୍‌ ଅଏଲ୍
  • ସାଲମୋନ୍ ଫିସ୍ ଅଏଲ୍
  • ଆଟଲାଣ୍ଟିକ୍ ମ୍ୟାକ୍‌ରେଲ୍ (ଏକ ସମୁଦ୍ର ମାଛ)
  • ଆଲାସ୍କାନ୍ ସାଲ୍‌ମୋନ୍ (ଏକ ସମୁଦ୍ର ମାଛ)
  • ଆଲ୍‌ବାକୋର୍ ଟୁନା (ଏକ ସମୁଦ୍ର ମାଛ)
  • ହ୍ୱାଇଟ୍ ଫିସ୍ (ବିଭିନ୍ନ ପ୍ରଜାତିର ଧଳା ମାଛ)
  • ସାର୍ଡିନ୍ସ (ଛୋଟ ସମୁଦ୍ର ମାଛ)
  • ଆଙ୍କୋଭିୟସ୍ (ଛୋଟ ସମୁଦ୍ର ମାଛ)
  • ହେରିଙ୍ଗ୍‌ (ସମୁଦ୍ର ମାଛ)

ବଜାରରେ କଡ୍‌ ଲିଭର୍‌ ଅଏଲ୍‌ କ୍ୟାପ୍‌ସୁଲ୍, ଓମେଗା-୩ ଫ୍ୟାଟି ଏସିଡ୍‌ର ସପ୍ଲିମେଣ୍ଟ୍‌ ହିସାବରେ ସହଜରେ ଉପଲବ୍ଧ ହୋଇଥାଏ। କିନ୍ତୁ ଏହାର ତିବ୍ର ଗନ୍ଧ ଯୋଗୁଁ, ସମ୍ପୂର୍ଣ୍ଣ ନିରାମିଷାସୀଙ୍କ ପାଇଁ ଏହାକୁ ଗ୍ରହଣ କରିବାରେ ସମସ୍ୟା ଦେଖାଯାଏ। ଏବେ କିନ୍ତୁ ପ୍ଲାଣ୍ଟ୍‌ ବା ବୃକ୍ଷଜାତ ଓମେଗା-୩ ଫ୍ୟାଟି ଏସିଡ୍‌ର ସପ୍ଲିମେଣ୍ଟ୍‌ ଉପଲବ୍ଧ ହେଲାଣି।

ଅଧିକ ପଢ଼ନ୍ତୁ: ଖାଉଛନ୍ତି କି ଡାର୍କ ଚକୋଲେଟ୍‌ ? ଜାଣନ୍ତୁ କ’ଣ କହୁଛନ୍ତି ବିଶେଷଜ୍ଞ...

ୱ୍ୱାର୍ଫାରିନ୍ କିମ୍ବା ଅନ୍ୟ କୌଣସି ଆଣ୍ଟିକୋଆଗୁଲାଣ୍ଟ୍‌ ଔଷଧ ସେବନ କରୁଥିଲେ ଓମେଗା-୩ ଫ୍ୟାଟି ଏସିଡ୍‌ ସପ୍ଲିମେଣ୍ଟସ୍‌ (କ୍ୟାପସୁଲ୍ କିମ୍ବା ଟାବଲେଟ୍ସ) ଗ୍ରହଣ କରିବା ଆଗରୁ ନିଜ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ, ନଚେତ ରକ୍ତସ୍ରାବ ହେବାର ଆଶଙ୍କା ବଢିଯାଏ।

ଭୁବନେଶ୍ୱର, ଇମେଲ୍: ipsitadr@yahoo.in

(ବି.ଦ୍ର: ଏହି ଲେଖାରେ ଥିବା ସମସ୍ତ ତଥ୍ୟ ଲେଖିକାଙ୍କ ନିଜସ୍ୱ ମତ)

Health Tips Omega-3
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ