Advertisment

Health Tips: କେତେ କ୍ଷତିକାରକ କାର୍ବୋନେଟେଡ୍ ୱାଟର

ଏହି ମୃଦୁ ପାନୀୟଗୁଡିକୁ ସାଧାରଣତଃ ସମସ୍ତେ ଥକ୍କାପଣ ଦୂରକରି, ଏନର୍ଜେଟିକ୍ ଫିଲ୍ କରିବା ପାଇଁ ନେଇଥାନ୍ତି, କାରଣ ଏଥିରେ ଥିବା ଶର୍କରା ତୁରନ୍ତ ଶରୀରରେ ପ୍ରବେଶ କରି ଗ୍ଲୁକୋଜ୍‌ ମାତ୍ରାକୁ ବଢାଇଥାଏ। ହେଲେ ଜିଭକୁ ସୁଆଦିଆ ଏବଂ ଶରୀରକୁ ସାଙ୍ଗେସାଙ୍ଗେ ଶକ୍ତି ଦେଉଥିବା ଏହି ମୃଦୁ ପାନୀୟଗୁଡିକର ସ୍ୱାସ୍ଥ୍ୟ ଉପରେ ଅନେକ କୁପ୍ରଭାବ ରହିଥାଏ। ଆସନ୍ତୁ ସେ ବିଷୟରେ ଜାଣିବା…

ଅଦ୍ୟତନ ହୋଇଛି
How harmful is carbonated water

How harmful is carbonated water

Advertisment

ସେପ୍ଟେମ୍ବର ୨୦୨୨ରେ ପ୍ରକାଶିତ ଏକ ରିପୋର୍ଟ ଅନୁସାରେ ୨୦୨୦ରେ ବିଶ୍ୱର କାର୍ବୋନେଟେଡ୍ ୱାଟରର ସମୁଦାୟ ବ୍ୟବସାୟ ୨୯.୭୧ ବିଲିଅନ ଆମେରିକୀୟ ଡଲାର ରହିଥିବା ବେଳେ ୨୦୨୧ ଏହା ୩୩.୪୩ ବିଲିଅନ ଆମେରିକୀୟ ଡଲାର ଥିଲା। ସେହିପରି ଭାରତରେ ୨୦୧୬ ମସିହାରେ ସମୁଦାୟ ୪.୯୩ ବିଲିଅନ ଲିଟର କାର୍ବୋନେଟେଡ୍ ୱାଟର ବିକ୍ରି ହୋଇଥିବା ବେଳେ, ୨୦୨୧ ଏହାର ପରିମାଣ ୬.୮ ବିଲିଅନ୍ ଲିଟର ଥିଲା।

Advertisment

୨୦୧୮ରେ ପ୍ରକାଶିତ ଏକ ରିପୋର୍ଟ ଅନୁସାରେ ଭାରତ, ଶ୍ରୀଲଙ୍କା, ମୋରୋକ୍କୋ, ଜାମ୍ବିଆ, ଜିମ୍ବାୱେରେ ବ୍ୟବସାୟ କରିବା ପାଇଁ 'ପେପ୍‌ସି'ର ଫ୍ରାଞ୍ଚାଇଜି ନେଇଥିବା କମ୍ପାନୀ ୨୦୧୮ ମସିହାରେ ୩୮୬୨.୨୮ କୋଟି ଟଙ୍କାର ବ୍ୟବସାୟ କରିଥିବାର ବୟାନ ଦେଇଥିଲା। ବଜାର ବିକ୍ରି ଏବଂ ବ୍ୟବସାୟରୁ ଆକଳନ କରାଯାଏ ଯେ ୨୦୨୧ ମସିହା ସୁଦ୍ଧା ପ୍ରତ୍ୟେକ ଭାରତୀୟ (ପର୍‌ କ୍ୟାପିଟା କଞ୍ଜପସନ୍) ବର୍ଷକୁ ୮୪ ବଟଲ୍‌ କାର୍ବୋନେଟେଡ୍ ୱାଟର ଗ୍ରହଣ କରନ୍ତି।

ସ୍ପ୍ରାଇଟ୍, କୋକା-କୋଲା, ପେପ୍‌ସି, ମାଉଣ୍ଟେନ୍-ଡ୍ୟୁ, ସେୱେନ୍-ଅପ୍, ଥମ୍ସ-ଅପ୍, ବୋକା, ପେରିଅର୍, କିନ୍‌ଲେ ସୋଡା, ଜେଞ୍ଜି, ମୋନ୍‌ଷ୍ଟର୍‌ ଏନେର୍ଜି ଆଦି କିଛି ଜଣାଶୁଣା କାର୍ବୋନେଟେଡ୍ ୱାଟର ବା ପାନୀୟର ଉଦାହରଣ, ଯାହାକୁ ଆମେ ଅନେକ ସମୟରେ ମୃଦୁ ପାନୀୟ ମଧ୍ୟ କହିଥାଉ।

Advertisment

କୌଣସି ପାନୀୟରେ ଗୋଟିଏ ବନ୍ଦ କଣ୍ଟେନର୍‌ରେ, ଅତ୍ୟଧିକ ଚାପଦ୍ୱାରା କାର୍ବନଡାଇଅକ୍ସାଡ୍ ବା ଅଙ୍ଗାରକାମ୍ଳକୁ ମିଶ୍ରିତ କରି କାର୍ବୋନେଟେଡ୍ ୱାଟର ପ୍ରସ୍ତୁତ କରାଯାଇଥାଏ। ଏଥିରେ ଅଙ୍ଗାରକାମ୍ଳକୁ ଶୁଖିଲା ବରଫ କିମ୍ବା ତରଳ ଅବସ୍ଥାରେ ମିଶାଯାଏ। ତାପମାତ୍ରା ଯେତେ କମ ରୁହେ ଏବଂ ଚାପ ଯେତେ ବଢେ ପାନୀୟଗୁଡିକ ଦ୍ୱାରା ଅଙ୍ଗାରକାମ୍ଳର ଅଧିଗ୍ରହଣ ବା ଆବର୍ଜପସନ୍ ସେତେ ଅଧିକ ହୁଏ।

ପାନୀୟଗୁଡିକରେ ଏମିତି ଅଙ୍ଗାରକାମ୍ଳ ଯୋଗ କରିବା ଦ୍ଵାରା ଏହା ଜିଭକୁ ଗୋଟିଏ ଅଦ୍ଭୁତ ଝିମ୍‌ଝିମିଆ ଖଟାଳିଆ ସ୍ୱାଦ ଦିଏ ଏବଂ ବନ୍ଦ ବୋତଲ କିମ୍ବା କେନ୍‌କୁ ଖୋଲିଲେ ଫେଣ ଉଠେ। ଏହି ମୃଦୁ ପାନୀୟଗୁଡିକୁ ସାଧାରଣତଃ ସମସ୍ତେ ଥକ୍କାପଣ ଦୂରକରି, ଏନର୍ଜେଟିକ୍ ଫିଲ୍ କରିବା ପାଇଁ ନେଇଥାନ୍ତି, କାରଣ ଏଥିରେ ଥିବା ଶର୍କରା ତୁରନ୍ତ ଶରୀରରେ ପ୍ରବେଶ କରି ଗ୍ଲୁକୋଜ୍‌ ମାତ୍ରାକୁ ବଢାଇଥାଏ।

Advertisment

ହେଲେ ଜିଭକୁ ସୁଆଦିଆ ଏବଂ ଶରୀରକୁ ସାଙ୍ଗେସାଙ୍ଗେ ଶକ୍ତି ଦେଉଥିବା ଏହି ମୃଦୁ ପାନୀୟଗୁଡିକର ସ୍ୱାସ୍ଥ୍ୟ ଉପରେ ଅନେକ କୁପ୍ରଭାବ ରହିଥାଏ। ଆସନ୍ତୁ ସେ ବିଷୟରେ ଜାଣିବା-

ପିଇବାର ୨୦ ମିନିଟ୍ ଭିତରେ ଶରୀରର ସୁଗାର ଲେଭେଲ୍ ବହୁତ ବଢିଯାଏ, ଯାହା ପାନକ୍ରିଆଜ୍‌କୁ ଅଧିକ ଇନ୍‌ସୁଲିନ୍ କ୍ଷରଣ କରାଏ ଏବଂ ମଣିଷ ଏହାର ପ୍ରଭାବରେ ପୁଣି ଅଧିକ ଭୋକିଲା ଏବଂ ଥକ୍କା ଅନୁଭବ କରେ, ଯାହା ତାକୁ ପୁଣି ଖାଦ୍ୟ ଗ୍ରହଣ ପାଇଁ ପ୍ରବର୍ତ୍ତାଏ। ସେଥିପାଇଁ ମୃଦୁ ପାନୀୟଗୁଡିକ ମଧୁମେହ ଏବଂ ମେଦବହୁଳତା ପାଇଁ ଦାୟୀ ହୋଇଥାନ୍ତି ଏବଂ ଏହା ହୃଦ୍‌ଘାତର ଆଶଙ୍କା ୨୦% ବଢାଇଦିଏ।

ମୃଦୁ ପାନୀୟଗୁଡିକରେ ସାଧାରଣତଃ ମକା ଷ୍ଟାର୍ଚରୁ ତିଆରି ହାଇ ଫ୍ରୁକ୍ଟୋଜ୍ କର୍ନ ସିରପ୍ ବ୍ୟବହାର କରାଯାଏ, ଯାହା ଶରୀରରେ କେବଳ ଯକୃତ ବା ଲିଭର କୋଷ ଦ୍ୱାରା ହିଁ ଭାଙ୍ଗିଥାଏ ବା ମେଟାବୋଲିଜମ୍ ହୁଏ। ତଥା ଶରୀରର ଆବଶ୍ୟକତାଠାରୁ ଅଧିକ ଶର୍କରା ମଧ୍ୟ ଲିଭର ଦ୍ୱାରା ଫ୍ୟାଟ୍ ଆକାରରେ ଷ୍ଟୋର୍‌ ହୋଇ ରୁହେ, ଏହି ଦୁଇ କାରଣ ନନ୍-ଆଲ୍‌କୋହୋଲିକ୍ ଫ୍ୟାଟି ଲିଭର ପାଇଁ ଦାୟୀ ହୋଇଥାଏ।

ମୃଦୁ ପାନୀୟରେ ଥିବା ଏସିଡ୍ ଅ°ଶ ଦାନ୍ତର ଉପର ସୁରକ୍ଷା ଆବରଣ ବା ଏନାମେଲ୍‌କୁ ନଷ୍ଟ କରିଦିଏ ଏବଂ ଦାନ୍ତ ଭଙ୍ଗୁର ହୋଇଯାଏ। ଏଥିରେ ଥିବା ଶର୍କରା ଦାନ୍ତରେ ଲାଗିରହିବା ଦ୍ଵାରା ମୁଖଗହ୍ୱରରେ ଥିବା ଜୀବାଣୁ ସହଜରେ ଦାନ୍ତଗୁଡିକର କ୍ଷତି କରନ୍ତି ଯାହାଦ୍ଵାରା କ୍ୟାଭିଟି ସମସ୍ୟା ଦେଖାଯାଏ।

କାର୍ବୋନେଟେଡ୍ ୱାଟରରେ ଥିବା ମାତ୍ରାଧିକ-ଫସ୍‌ଫେଟ୍, ଆମ ହାଡଗୁଡିକରୁ କ୍ୟାଲ୍‌ସିୟମ୍‌କୁ ଅଲଗା କରି କ୍ୟାଲ୍‌ସିୟସଫସଫେଟ୍ ବନାଇଦିଏ। ଏହା ଆମ ହାଡକୁ ନରମ ଏବଂ ଦୁର୍ବଳ କରିଦିଏ, ଏହାଦ୍ୱାରା ହାଲୁକା ଆଘାତ କିମ୍ବା ପଡିଗଲେ ମଧ୍ୟ ହାଡ ଭାଙ୍ଗିବାର ଆଶଙ୍କା ଥାଏ।

ମୃଦୁ ପାନୀୟଗୁଡିକରେ ଥିବା କ୍ୟାଫେନ୍ ଡାଇୟୁରେଟିକ୍ସ ପରି କାମ କରି, ଅଧିକ ପରିଶ୍ରା କରାଏ, ଯାହା ଡିହାଇଡ୍ରେସନର କାରଣ ହୋଇଥାଏ। ସେହିପରି ଲଗାତାର ଅତ୍ୟଧିକ ମୃଦୁ ପାନୀୟ ସେବନ ଦ୍ୱାରା, କ୍ୟାଫେନ୍ ପ୍ରଭାବରୁ ଅନିଦ୍ରା ସମସ୍ୟା ମଧ୍ୟ ଦେଖାଯାଇଥାଏ।

ତାହେଲେ ଆରଥରକୁ ଠିପି ବା କେନ୍ ଖୋଲି ମୃଦୁ ପାନୀୟ ସେବନ କଲା ପୂର୍ବରୁ ଥରେ ଭାବିବେ ନିହାତି, ଜିଭର ଏ କ୍ଷଣିକ ଆନନ୍ଦ ପାଇଁ ଆପଣ ନିଜ ଶରୀର ଭିତରକୁ କେତେ ପରିମାଣର କ୍ଷତି କ୍ଷେପଣ କରୁଛନ୍ତି!

ଭୁବନେଶ୍ୱର, ଇମେଲ୍: ipsitadr@yahoo.in

(ବି.ଦ୍ର: ଏହି ଲେଖାରେ ଥିବା ସମସ୍ତ ତଥ୍ୟ ଲେଖିକାଙ୍କ ନିଜସ୍ୱ ମତ)

Health Tips
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ