• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Biswajit Mohanty

ଭାରତୀୟ ହକି କଥା କହିବା ବେଳେ ଏହି କ୍ରୀଡ଼ାର ଏକ ଗୌରବୋଜ୍ଜ୍ୱଳ ଇତିହାସ ସ୍ୱତଃ ଭାସି ଆସେ ଆଖି ସାମ୍ନାକୁ। ଯଦିଓ ଆମେ ସେହି ଗୌରବର ମୁକସାକ୍ଷୀ ନୋହୁଁ ବା ତାହା ଆମ ସମୟର କଥା ନୁହେଁ, ତଥାପି ସେହି କୀର୍ତ୍ତି ବିଷୟରେ ଯେତେ ପଢ଼ିଛୁ ଓ ଶୁଣିଛୁ, ତାହା ଆମ ଭିତରେ ଶିହରଣ ଜାତ କରାଇବା ପାଇଁ ଯଥେଷ୍ଟ।

କାଗଜପତ୍ରରେ ହକି ଜାତୀୟ କ୍ରୀଡ଼ାର ବିଧିବଦ୍ଧ ମାନ୍ୟତା ପାଇ ନ ଥିଲେ ହେଁ ଅଗଣିତ କ୍ରୀଡ଼ାପ୍ରେମୀଙ୍କ ହୃଦୟରେ ଏହା କାହିଁ କେତେ ବର୍ଷ ତଳୁ ଏହି ମର୍ଯ୍ୟାଦା ଲାଭ କରିସାରିଛି। କ୍ରିକେଟ୍‌ର ପ୍ରବଳ ଲୋକପ୍ରିୟତା ସତ୍ତ୍ୱେ ହକି ନିଜ ଗରିମା ବଜାୟ ରଖିପାରିଛି ଏବଂ ଓଡ଼ିଶା ଭଳି ରାଜ୍ୟର ଅଦମ୍ୟ ପ୍ରୟାସ ବଳରେ ଏହାର ଜନାଦୃତି ବୃଦ୍ଧି ପାଇଛି। ଏବେ ଆନ୍ତର୍ଜାତିକ ସ୍ତରରେ ପୂର୍ବାପେକ୍ଷା ଅଧିକ ହକି ଖେଳ ହେଉଛି। ଦର୍ଶକଙ୍କ ମଧ୍ୟରେ ହକି ପ୍ରତି ବିପୁଳ ଉତ୍ସାହ ଦେଖିବାକୁ ମିଳୁଛି।

ଏଫ୍ଆଇଏଚ୍ ପ୍ରୋ ଲିଗ୍ ସରିବାର ବେଶୀ ଦିନ ହୋଇନି, ଏବେ ପୁଣି ହକିକୁ ନେଇ ଆଲୋଚନା। ଜୁଲାଇ ୨୮ରୁ ଇଂଲଣ୍ଡର ବର୍ମିଂହାମ୍ ଠାରେ ଆରମ୍ଭ ହେବାକୁ ଯାଉଛି ରାଜ୍ୟଗୋଷ୍ଠୀ କ୍ରୀଡ଼ା-୨୦୨୨। ଏଥିରେ ହକି ଏକ ପ୍ରମୁଖ ଖେଳ। ଏହାର ଫଳାଫଳ ଉପରେ ହକି ଖେଳୁଥିବା ତମାମ ରାଷ୍ଟ୍ରର ନଜର ଥାଏ।

ଅନ୍ୟ ରାଷ୍ଟ୍ର ଭଳି ଭାରତ ବି ଏଥିରେ ସମ୍ଭାବନା ନେଇ ମଇଦାନକୁ ଓହ୍ଲାଇବ; କିନ୍ତୁ ଭାରତ ଓ ଅନ୍ୟ ରାଷ୍ଟ୍ର ମଧ୍ୟରେ ସମ୍ଭାବନାର ସ୍ତର ସମାନ ନୁହେଁ। ଚାରି ଦଶନ୍ଧି ପରେ ଗତ ବର୍ଷ ଅଲିମ୍ପିକ୍ସରେ ପୁରୁଷ ଟିମ୍‌ର ପଦକ ବିଜୟ ଏତେ ସମ୍ଭାବନା ଜାତ କରାଇଛି ଯେ ଭାରତ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଅଷ୍ଟ୍ରେଲିଆର ଏକଛତ୍ର-ଆଧିପତ୍ୟର ଅନ୍ତ ଘଟାଇପାରେ ବୋଲି ଚର୍ଚ୍ଚା ହେଉଛି।

ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ହକି ପଦାର୍ପଣ କରିବା ଦିନଠାରୁ ୨୪ ବର୍ଷ ଧରି ବିଶ୍ୱର ଏକ ନମ୍ବର ଅଷ୍ଟ୍ରେଲିଆ ମୁକୁଟ ଜିତି ଆସୁଛି। କଙ୍ଗାରୁ ଦେଶର ଛଅଟି ସ୍ୱର୍ଣ୍ଣ ପଦକ ବିଜୟର ଧାରା ଏ ଯାବତ କେହି ଭାଙ୍ଗି ନ ଥିଲେ ହେଁ ଏଥର ଯେ ନ ଭାଙ୍ଗିବ, ତାହା କେହି ଦୃଢ଼ତାର ସହ କହିପାରିବେ ନାହିଁ।

ଟୋକିଓ କ୍ରୀଡ଼ାରେ ଭାରତ କାଂସ୍ୟ ପଦକ ଜିତିବ ବୋଲି କେହି ଆଶା କରି ନ ଥିଲେ; କିନ୍ତୁ ଭାରତ କାଂସ୍ୟ ଜିତିଲା ଏବଂ ସେବେଠାରୁ ଏ ଯାବତ ଟିମ୍ ଭିତରେ ସେହି ଉତ୍ସାହ ଭରି ରହିଛି, ଆପାତତଃ ସେହି ଫର୍ମ ବି ବଜାୟ ରହିଛି। ଅଷ୍ଟ୍ରେଲୀୟ ପ୍ରଶିକ୍ଷକ ଗ୍ରାହମ୍ ରୀଡ୍‌ଙ୍କ ମାର୍ଗଦର୍ଶନ ଟିମ୍‌ଙ୍କୁ ଉତ୍ତରଣର ଉଚ୍ଚତର ସୋପାନକୁ ନେଇପାରିଛି। ଖେଳାଳିମାନଙ୍କ ମଧ୍ୟରେ ଜିତିବାର ଆତ୍ମବିଶ୍ୱାସ ଜାଗ୍ରତ କରାଇପାରିଛି, ଯେଉଁଥିରୁ ପ୍ରତୀୟମାନ ହେଉଛି ଯେ ଅଷ୍ଟ୍ରେଲିଆର ସ୍ୱର୍ଣ୍ଣାଭିଯାନର ପରିସମାପ୍ତି ଘଟାଇବା ପାଇଁ ଭାରତୀୟ ଟିମ୍ ପାଖରେ ବଡ଼ ସୁଯୋଗ ରହିଛି।

ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତ ଯେ ପଦକ ଜିତି ନାହିଁ, ତା’ ନୁହେଁ; କିନ୍ତୁ କେବେ ସ୍ୱର୍ଣ୍ଣ ଭାଗ୍ୟରେ ଜୁଟିନି। ୨୦୧୦ରେ ହୋଇଥିବା ନୂଆଦିଲ୍ଲୀ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଓ ୨୦୧୪ରେ ଗ୍ଲାସ୍‌ଗୋ ରାଜ୍ୟଗୋଷ୍ଠୀରେ ଭାରତୀୟ ପୁରୁଷ ହକି ଟିମ୍ ରନର୍ସଅପ୍ ହୋଇଥିଲା। ୧୯୯୮ରେ କୁଆଲା ଲମ୍ପୁର ଓ ୨୦୧୮ରେ ଗୋଲ୍ଡ କୋଷ୍ଟ ଠାରେ ଭାରତ ଚତୁର୍ଥ ସ୍ଥାନରେ ରହିଥିଲା।

ଫିଟ୍‌ନେସ୍ ଆଉ ସମସ୍ୟା ନୁହଁ:

ପୂର୍ବ ସଂସ୍କରଣଗୁଡ଼ିକରେ ଭାରତୀୟ ଟିମ୍‌କୁ ଫିଟ୍‌ନେସ୍ ସ୍ତରରେ ଦୁର୍ବଳ ବିବେଚନା କରାଯାଉଥିଲା; କିନ୍ତୁ ଏବେ ଭାରତ ବିଶ୍ୱ ହକିରେ ସବୁଠାରୁ ଫିଟ୍ ଟିମ୍ ମଧ୍ୟରେ ପରିଗଣିତ ହେଉଛି। ଉନ୍ନତ ଫିଟ୍‌ନେସ୍ ଫଳାଫଳରେ ରୂପାନ୍ତରିତ ହୋଇଛି। ଟୋକିଓରେ ଐତିହାସିକ କାଂସ୍ୟ ଜିତିବା ପରେ ଭାରତୀୟ ପୁରୁଷ ଟିମ୍ ଚଳିତ ସିଜନ୍‌ର ଏଫ୍ଆଇଏଚ୍ ପ୍ରୋ ଲିଗ୍‌ରେ ତୃତୀୟ ସ୍ଥାନରେ ରହିଥିଲା। ଯଦି ଭାରତୀୟ ଖେଳାଳି ପୂର୍ଣ୍ଣ ସାମର୍ଥ୍ୟର ସହ ଖେଳନ୍ତି, ତା’ହେଲେ ବର୍ମିଂହାମ୍‌ରେ ସେମାନଙ୍କୁ ସ୍ୱର୍ଣ୍ଣ ଜିତିବାରୁ କେହି ଅଟକାଇ ପାରିବେନି।

ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ହକିରେ କଡ଼ା ପ୍ରତିଦ୍ୱନ୍ଦ୍ୱିତା ହୋଇଥାଏ। ଅଷ୍ଟ୍ରେଲିଆ ଛଡ଼ା ନ୍ୟୁଜିଲାଣ୍ଡ୍‌, ଇଂଲଣ୍ଡ, ଚିରପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନ ଓ କାନାଡ଼ା ଠାରୁ କଡ଼ା ଆହ୍ୱାନ ମିଳିପାରେ। ଭାରତ ପୁଲ୍-ବି’ରେ ଇଂଲଣ୍ଡ, କାନାଡ଼ା, ୱେଲ୍ସ ଓ ଘାନା ସହିତ ରହିଛି। ପୁଲ୍-ଏ’ରେ ଅଷ୍ଟ୍ରେଲିଆ, ନ୍ୟୁଜିଲାଣ୍ଡ, ଦକ୍ଷିଣ ଆଫ୍ରିକା, ପାକିସ୍ତାନ ଓ ସ୍କଟ୍‌ଲାଣ୍ଡ୍‌ ଟିମ୍‌କୁ ରଖାଯାଇଛି।

ପେନାଲ୍ଟି  କର୍ଣ୍ଣର ମଜଭୁତ ଦିଗ:

ଉପ-ଅଧିନାୟକ ହରମନପ୍ରୀତ ସିଂହ, ଅମିତ ରୋହିଦାସ, ବରୁଣ କୁମାର ଓ ଯୁବ ଖେଳାଳି ଯୁଗରାଜ ସିଂହଙ୍କ ଉପସ୍ଥିତିରେ ପେନାଲ୍ଟି କର୍ଣ୍ଣର ଭାରତର ମଜଭୁତ ଦିଗ। ତେବେ ସେମାନେ ପିସି ରୂପାନ୍ତରଣ ହାର ଉପରେ ଫୋକସ୍ କରିବା ଆବଶ୍ୟକ।

ସେହିପରି ରକ୍ଷଣଭାଗ ଖେଳାଳି ମଧ୍ୟ ଭଲ ପ୍ରଦର୍ଶନ କରିବାର ଆବଶ୍ୟକତା ରହିଛି। ପି.ଆର୍. ଶ୍ରୀଜେଶଙ୍କ ରୂପରେ ଭାରତ ପାଖରେ ବିଶ୍ୱର ସର୍ବଶ୍ରେଷ୍ଠ ଗୋଲ୍‌କିପର୍ ଅଛନ୍ତି। ତାଙ୍କ ପାଇଁ ଏହା ଶେଷ ରାଜ୍ୟଗୋଷ୍ଠୀ କ୍ରୀଡ଼ା ହୋଇପାରେ। ତେଣୁ ସେ ନିଶ୍ଚିତରୂପେ ସ୍ୱର୍ଣ୍ଣ ପଦକ ସହ ବିଦାୟ ନେବାକୁ ଚାହିଁବେ।

ପୂର୍ବତନ ଅଧିନାୟକ ସର୍ଦ୍ଦାର ସିଂହଙ୍କ ବିଚାରରେ ଏଥର ଭାରତ ପାଖରେ ସ୍ୱର୍ଣ୍ଣ ଜିତିବାର ବଡ଼ ସୁଯୋଗ ଅଛି। ଅଲିମ୍ପିକ୍ସ ଓ ପ୍ରୋ ଲିଗ୍ ପ୍ରଦର୍ଶନ ପରେ ଟିମ୍‌ରେ ଆତ୍ମବିଶ୍ୱାସ ଭରି ରହିଛି।

ସେହିପରି ରକ୍ଷଣଭାଗ ଖେଳାଳି ସୁରେନ୍ଦ୍ର କୁମାର କହିଛନ୍ତି ଯେ ସେମାନେ ପ୍ରତି ମ୍ୟାଚ୍‌ରେ ଦୃଢ଼ତାର ସହ ଓହ୍ଲାଇବେ। ଏବେ ଜୁଲାଇ ୩୧ରେ ଘାନା ବିପକ୍ଷରେ ହେବାକୁ ଥିବା ପ୍ରଥମ ମ୍ୟାଚ୍ ଉପରେ ସେମାନଙ୍କର ଫୋକସ୍ ରହିଛି।

ବର୍ମିଂହାମ୍‌ରେ ଭାରତୀୟ ଟିମ୍‌ର ପ୍ରଦର୍ଶନ ନେଇ ମୁଖ୍ୟ କୋଚ୍ ଗ୍ରାହମ୍ ରୀଡ୍‌ ବେଶ ଆଶାବାଦୀ ଅଛନ୍ତି। ରୀଡ୍‌ କହିଛନ୍ତି ଯେ କ’ଣ ଘଟିବ, ତାହାକୁ ନେଇ ଭବିଷ୍ୟବାଣୀ କରିବା ଭାରି କଷ୍ଟକର; ହେଲେ କିଛି ବି ସମ୍ଭବ (ସ୍ୱର୍ଣ୍ଣ ଜିତିବା ନେଇ), କାରଣ ସମ୍ପ୍ରତି ଆନ୍ତର୍ଜାତିକ ହକିରେ ଟିମ୍‌ଗୁଡ଼ିକ ମଧ୍ୟରେ ବ୍ୟବଧାନ ବେଶୀ ନାହିଁ।

ଦ୍ୱିତୀୟ ସ୍ୱର୍ଣ୍ଣ ଲକ୍ଷ୍ୟରେ ମହିଳା ଟିମ୍:

ଭାରତୀୟ ପୁରୁଷ ଟିମ୍ ଭଳି ମହିଳା ଟିମ୍ ମଧ୍ୟ ବର୍ମିଂହାମ୍‌ରେ ଏକ ଦାବିଦାର ଭାବେ ମଇଦାନକୁ ଓହ୍ଲାଇବ। ଟୋକିଓରେ ଐତିହାସିକ ଚତୁର୍ଥ ସ୍ଥାନ ଏବଂ ଏହାପରେ ଚଳିତ ସିଜନ୍‌ରେ ନିଜ ପ୍ରୋ ଲିଗ୍ ପଦାର୍ପଣରେ ତୃତୀୟ ସ୍ଥାନ ହାସଲ ମହିଳା ଟିମ୍ ପାଇଁ ବଡ଼ ସଫଳତା ଥିଲା। ତେବେ ବିଶ୍ୱକପ୍‌ରେ ଟିମ୍‌କୁ ନିରାଶ ହେବାକୁ ପଡ଼ିଥିଲା।

ଭାରତୀୟ ମହିଳା ଟିମ୍ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଥରେ ସ୍ୱର୍ଣ୍ଣ ପଦକ ହାସଲ କରିଛି। ୨୦୦୨ରେ ମାଞ୍ଚେଷ୍ଟର୍‌ ରାଜ୍ୟଗୋଷ୍ଠୀରେ ମହିଳା ଟିମ୍ ମୁକୁଟ ଜିତିଥିବା ବେଳେ ମେଲ୍‌ବର୍ଣ୍ଣ ଠାରେ ଏହା ପର ସଂସ୍କରଣରେ ରୌପ୍ୟ ପଦକ ପାଇଥିଲା। ଏତଦ୍‌ଭିନ୍ନ, ୧୯୯୮ ଓ ୨୦୧୮ରେ ଚତୁର୍ଥ ସ୍ଥାନରେ ରହିଥିଲା।

ରାଜ୍ୟଗୋଷ୍ଠୀ ମହିଳା ହକିରେ ବି ଅଷ୍ଟ୍ରେଲିଆର ଆଧିପତ୍ୟ ରହିଆସିଛି, ଯିଏକି ଚାରିଟି ସ୍ୱର୍ଣ୍ଣ, ଗୋଟିଏ ରୌପ୍ୟ ଓ ଗୋଟିଏ କାଂସ୍ୟ ଜିତିଛି। ଭାରତ ଭଳି ନ୍ୟୁଜିଲାଣ୍ଡ (୨୦୧୮) ବି ଥରେ ବିଜେତା ଟ୍ରଫି ହାସଲ କରିଛି।

ଭାରତକୁ ଗ୍ରୁପ୍-ଏ’ରେ ଇଂଲଣ୍ଡ, କାନାଡ଼ା, ୱେଲ୍ସ ଓ ଘାନା ସହିତ ରଖାଯାଇଥିବା ବେଳେ ପୁଲ୍-ବି’ରେ ଅଷ୍ଟ୍ରେଲିଆ, ଦକ୍ଷିଣ ଆଫ୍ରିକା, ନ୍ୟୁଜିଲାଣ୍ଡ, ସ୍କଟ୍‌ଲାଣ୍ଡ ଓ କେନିଆ ଟିମ୍ ରହିଛନ୍ତି। ଭାରତୀୟ ଟିମ୍ ଜୁଲାଇ ୨୯ରୁ ଘାନା ବିପକ୍ଷରେ ଅଭିଯାନ ଆରମ୍ଭ କରିବ।

ଭାରତୀୟ ମହିଳା ଟିମ୍‌ରେ ମଧ୍ୟ ପେନାଲ୍ଟି କର୍ଣ୍ଣର ରୂପାନ୍ତରଣ ବଡ଼ ଚିନ୍ତାର ବିଷୟ। ନିକଟରେ ଶେଷ ହୋଇଥିବା ବିଶ୍ୱକପ୍‌ରେ ଭାରତ ପେନାଲ୍ଟି କର୍ଣ୍ଣର ସମେତ ଅନେକ ଗୋଲ୍ ସୁଯୋଗ ସୃଷ୍ଟି କରିଥିଲେ ହେଁ ଅଧିକାଂଶ ପ୍ରୟାସ ନିଷ୍ଫଳ ହୋଇଥିଲା। ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଖେଳିବା ପୂର୍ବରୁ ମୁଖ୍ୟ କୋଚ୍ ଜାନିକ୍ ସୋପ୍‌ମ୍ୟାନ୍‌ଙ୍କୁ ଏ ସମସ୍ୟା ଦୂର କରିବାକୁ ହେବ।

ସୋପ୍‌ମ୍ୟାନ୍‌ଙ୍କ କହିଛନ୍ତି ଯେ ପେନାଲ୍ଟି କର୍ଣ୍ଣରକୁ ଗୋଲ୍‌ରେ ପରିଣତ କରିବା ସମସ୍ୟାକୁ ଦୂର କରିବାର ଆବଶ୍ୟକତା ରହିଛି। ବିଶ୍ୱକପ୍‌ରେ ଛଅଟି ମ୍ୟାଚ୍‌ରେ ଭାରତ ୪୩ ପେନାଲ୍ଟି କର୍ଣ୍ଣର ପାଇଥିଲେ ମଧ୍ୟ ମାତ୍ର ଚାରି ଥର ଗୋଲ୍ କରିପାରିଥିଲା। ଗୁରଜିତ୍ କୌର ଡ୍ରାଗ୍-ଫ୍ଲିକ୍ ବିଶେଷଜ୍ଞ, ହେଲେ ଅନ୍ୟ ଖେଳାଳିମାନଙ୍କୁ ମଧ୍ୟ ଯୋଗଦାନ ଦେବାକୁ ପଡ଼ିବ।

ଏହି ମୁଖ୍ୟ ସମସ୍ୟା ଦୂର ହୋଇଗଲେ ଓ ଖେଳାଳି ପୂର୍ଣ୍ଣ ସାମର୍ଥ୍ୟର ସହ ଖେଳିଲେ, ମହିଳା ଟିମ୍ ବର୍ମିଂହାମ୍‌ରେ ପୋଡିୟମ୍ ଫିନିଶ୍ କରିପାରିବ।

ଓଡ଼ିଆ ଖେଳାଳିଙ୍କଠୁ ଆଶା:

ଭାରତର ଉଭୟ ପୁରୁଷ ଓ ମହିଳା ଦଳରେ ଜଣେ ଲେଖାଏଁ ଓଡ଼ିଆ ଖେଳାଳି ସ୍ଥାନ ପାଇଛନ୍ତି। ପୁରୁଷ ଟିମ୍‌ରେ ଅମିତ ରୋହିଦାସ ଓ ମହିଳା ଟିମ୍‌ରେ ଦୀପ ଗ୍ରେସ୍ ଏକ୍କା ରହିଛନ୍ତି।

ଉଭୟ ଅମିତ ଓ ଦୀପ ଗ୍ରେସ୍‌ଙ୍କ ଠାରୁ ଭଲ ପ୍ରଦର୍ଶନ ଆଶା କରାଯାଉଛି। ପ୍ରତିଭାଶାଳୀ ଅମିତ ଅଲିମ୍ପିକ୍ସ କାଂସ୍ୟ ପଦକ ବିଜେତା ଟିମ୍‌ର ସଦସ୍ୟ ଥିଲେ। ଏବେ ତ ସେ ଟିମ୍‌ର ଅଭିନ୍ନ ଅଙ୍ଗ ହୋଇଗଲେଣି। ଟୋକିଓରେ ଅମିତଙ୍କ ସକ୍ରିୟତାକୁ ନେଇ ଚର୍ଚ୍ଚା ହୋଇଥିଲା। ଏଥର ବି ମଇଦାନରେ ତାଙ୍କ ଠାରୁ ଅନୁରୂପ ଜୋରଦାର ପ୍ରଦର୍ଶନ ଦେଖିବାକୁ ମିଳିପାରେ।

ଅନ୍ୟପଟେ, ଦୀପ ଗ୍ରେସ୍ ମହିଳା ଟିମ୍‌ର ଉପ-ଅଧିନାୟକ ଅଛନ୍ତି। ସେ ବି ଅଲିମ୍ପିକ୍ ଟିମ୍‌ର ସଦସ୍ୟା ଥିଲେ ଏବଂ ଦୀର୍ଘ ଦିନ ହେଲା ଟିମ୍‌ର ଜଣେ ପ୍ରମୁଖ ସଦସ୍ୟ ରହିଆସିଛନ୍ତି। ଅଭିଜ୍ଞତା ତାଙ୍କ ପାଇଁ ବଡ଼ ପୁଞ୍ଜି ହେବ, ଯାହାକୁ ପାଥେୟ କରି ସେ ଟିମ୍‌ର ଭରସା ଜିତିପାରିବେ।

ଦୂରଭାଷ: ୯୪୩୮୧୭୯୨୧୯

ଇ-ମେଲ୍: biswasports@gmail.com

(ବି.ଦ୍ର: ଏହି ଲେଖାରେ ଥିବା ସମସ୍ତ ତଥ୍ୟ ଲେଖକଙ୍କ ନିଜସ୍ୱ ମତ)