Advertisment

Nutrients: ଓଡ଼ିଆର ପ୍ରିୟ ଖାଦ୍ୟ ସନ୍ତୁଳା; ସୁଆଦିଆ ସାଙ୍ଗକୁ କରେ ଅନେକ ରୋଗର ନିରାକରଣ

ସନ୍ତୁଳାର ଆରମ୍ଭ ଆମ ଓଡ଼ିଶାରୁ। ଏମିତି ପରିବାକୁ ସିଝାଇ ଖାଇବାରୁ ହିଁ ଆରମ୍ଭ ସନ୍ତୁଳାର। ସବୁଠାରୁ ସହଜ, ସରଳ, ଅଳ୍ପ ସମୟରେ ହେଇପାରୁଥିବା, କମ୍ ପରିବାରେ ମଧ୍ୟ ପ୍ରସ୍ତୁତ ହୋଇପାରୁଥିବା ଏକ ସାତ୍ତ୍ୱିକ ଖାଦ୍ୟ ହେଉଛି ସନ୍ତୁଳା।

author-image
Jyotsna Mohapatra
ଅଦ୍ୟତନ ହୋଇଛି
Health tips Benefits of Santula

Health tips Benefits of Santula

ଆମ ଓଡ଼ିଆ ଘର ରୋଷେଇଶାଳେ ରନ୍ଧାଯାଉଥିବା ପ୍ରାୟ ଖାଦ୍ୟ ସୁସ୍ୱାଦୁ ଓ ସ୍ୱାସ୍ଥ୍ୟକର। ଆମ ମହାପ୍ରଭୁଙ୍କ ପରି ଆମେ ମଧ୍ୟ ଶରୀରୋପଯୋଗୀ ଖାଉ। ଆଉ ଗୋଟେ କଥା, ଆମ ମହାପ୍ରଭୁ ଯାହା ଖାଆନ୍ତି, ପ୍ରାୟତଃ ସେୟା ହିଁ ଆମ ରାଜ୍ୟର ଜଣେ ଗରିବଠୁ ନେଇ ଜଣେ ଧନୀ ଶ୍ରେଣୀର ବ୍ୟକ୍ତି ପ୍ରତିଦିନ ଖାଇପାରେ।

Advertisment

ଆମ ଘରମାନଙ୍କରେ ମୁଖ୍ୟତଃ ବାଡ଼ିପରିବା ଓ ଶାଗ, ଘର ତିଆରି ବଡ଼ି, ପାମ୍ପଡ଼, ନଡ଼ିଆ, ଏପରିକି ଆମ କ୍ଷେତରୁ ହିଁ ଅମଳ ହୋଇ ଆସୁଥିବା ମୁଗ ଡାଲି, ବିରି ଡାଲି, ହରଡ଼ ଡାଲି ବ୍ୟବହାର କରାଯାଇ ହିଁ ବିଭିନ୍ନ ତରକାରି ଓ ଡାଲି ଆଦି ରୋଷେଇ ହେଉଥିଲା। ଧିରେ ଧିରେ ପାଶ୍ଚାତ୍ୟ ସଭ୍ୟତା ସହ ସେମାନଙ୍କ ଖାଦ୍ୟାଭ୍ୟାସ ଆମ ପୁଷ୍ଟିକର ଖାଦ୍ୟକୁ ଛାୟାରେ ରଖିଦେଲା। ହେଲେ ଏବେ ବି ସେତେବେଳର ବୋଉ ହାତ ରନ୍ଧା ତିଅଣ ମନେପଡ଼ିଲେ ଏ ଖେଚେଡ଼ି, ପଲଉ ତୁଛ ଲାଗେ।

ଆପଣଙ୍କ ଭିତରୁ କେହି କେହି ପିଲାଦିନେ ପଢ଼ିଥିବେ -

ଏଇଟି ଆମର ରୋଷେଇ ଘର, ରଖିବା ଏହାକୁ ସଫାସୁତର

ଏଇଠାରେ ମାଆ ପରିବା କାଟେ

ବେସର ବାଟେ

ଶାଗ ଖରଡ଼େ

ଜାଇ ରଗଡ଼େ,

ଗଢ଼ଇପିଠା

ଆରିସା କାକରା ଆହାଃ କି ମିଠା।

ଆଜିକାଲିର ମୋମୋ ବର୍ଗର ଖିଆ ଇଂଲିଶ୍ ମିଡିୟମ୍ ଛୁଆମାନଙ୍କ ଭିତରୁ କ୍ୱଚିତ୍ କିଏ ଏ ଦୃଶ୍ୟ ଦେଖିବାକୁ ପାଉଥିବେ।

Advertisment

ତେବେ ଏମିତି ଭଳିକି ଭଳି ପରିବା କାଟି, ବଡ଼ି ପକେଇ, ମୁଗ ଜାଇ ପକେଇ, ବୋଉ ପିଲାଦିନେ ପ୍ରସ୍ତୁତ କରୁଥିଲା ସନ୍ତୁଳା। ଆପଣ ଭାବୁଥିବେ, ଏଇ ସନ୍ତୁଳା କଥା କହିବାକୁ ମୁଁ ଆମ ଜଗା କଥା ଗପୁଥିଲି। ନା, ପ୍ରକୃତରେ ଆମ ଜଗା ପାଖରେ ବି ଆଜିକାଲି ସନ୍ତୁଳା ଲାଗିଲାଣି।

ତେବେ ସତ କହିବାକୁ ଗଲେ, ମୁଁ ପିଲାଦିନୁ ସନ୍ତୁଳାକୁ ବିଲକୁଲ ପସନ୍ଦ କରୁ ନ ଥିଲି। ସନ୍ତୁଳାକୁ ଠିକ୍‌ରେ ଜାଣିଲି ବାହାଘର ପରେ। ପୁରୀ ଷ୍ଟାଇଲ୍ ମୁଗ ସନ୍ତୁଳା, କ୍ଷୀର ପକା ସନ୍ତୁଳା, ନଡ଼ିଆ ଦିଆ ସନ୍ତୁଳା ଏସବୁ ଖାଇବା ପରେ ସନ୍ତୁଳା ପ୍ରତି ଲୋଭ ବଢ଼ିଲା।

ସେତେବେଳେ ଯେଉଁଦିନ ଘରେ ସନ୍ତୁଳା ହୋଇଥିବ ସେଦିନ ମୋର ଚିନ୍ତା ପଡ଼ିଯାଏ କେମିତି ଖାଇବି। ତେଣୁ ବୋଉ ମୋ ପାଇଁ ଆଳୁ ଭର୍ତ୍ତା କରିଦେବ, ନ ହେଲେ ମୋ ଜେଜେ ବାପାଙ୍କ ସହ ବସି ଖାଇବି, ତେବେ ଯାଇ ମୋ ପେଟକୁ ଭାତ ଯାଏ।

ତେବେ ସେ ଯାହା ହେଉ, ସନ୍ତୁଳାର ଆରମ୍ଭ ଆମ ଓଡ଼ିଶାରୁ। ଏମିତି ପରିବାକୁ ସିଝାଇ ଖାଇବାରୁ ହିଁ ଆରମ୍ଭ ସନ୍ତୁଳାର। ସବୁଠାରୁ ସହଜ, ସରଳ, ଅଳ୍ପ ସମୟରେ ହେଇପାରୁଥିବା, କମ୍ ପରିବାରେ ମଧ୍ୟ ପ୍ରସ୍ତୁତ ହୋଇପାରୁଥିବା ଏକ ସାତ୍ତ୍ୱିକ ଖାଦ୍ୟ ହେଉଛି ସନ୍ତୁଳା। ଏଥିରେ ଟିକେ ରସୁଣ ଛୁଙ୍କ କରି ଧନିଆ ପତ୍ର ଟିକେ ପକେଇଦେଲେ ଏହାର ସ୍ୱାଦ ଦ୍ୱିଗୁଣିତ ହୋଇଯାଏ।

ଏଥି ସହିତ ଏହାର ପୌଷ୍ଟିକ ଗୁଣ ମଧ୍ୟ ଅନେକ। ଆଳୁ, ଅମୃତଭଣ୍ଡା, କଞ୍ଚା କଦଳୀ, କଖାରୁ, ବାଇଗଣ ଆଦି ନିୟମିତ ମିଳୁଥିବା ପରିବାରେ ସାଧାରଣତଃ ସନ୍ତୁଳା ପ୍ରସ୍ତୁତ ହୁଏ। ଋତୁ ଅନୁଯାୟୀ ପରିବା ଯେପରିକି ଶୀତଦିନେ ମୂଳା, ଝୁଡ଼ଙ୍ଗ, ଖରାଦିନେ ପୋଟଳ, ବର୍ଷାଦିନେ ଜହ୍ନି, ଛଚିନ୍ଦ୍ରା ଆଦି ମଧ୍ୟ ଏଥିରେ ମିଶାଯାଇପାରିବ।

ପରିବାକୁ ଅଳ୍ପ ଲୁଣ ଓ ହଳଦି ଦେଇ ସିଝାଇ, ତା’ ପରେ ଟିକେ ସୋରିଷ ତେଲରେ ସୋରିଷ, ଜିରା, ଲଙ୍କା (ଶୁଖିଲା କିମ୍ୱା କଞ୍ଚା ଆପଣଙ୍କ ପସନ୍ଦ ଉପରେ ନିର୍ଭର କରେ), ରସୁଣ ଛୁଙ୍କ ହୁଏ। ବାସ୍, ପ୍ରସ୍ତୁତ ହୋଇଗଲା ସନ୍ତୁଳା। ଏହା ହେଉଛି ସନ୍ତୁଳାର ମୌଳିକ ପ୍ରସ୍ତୁତି। ଯଦି ଆପଣ କୌଣସି ଓଷା ବ୍ରତରେ କିମ୍ୱା ବିନା ପିଆଜ ରସୁଣରେ କରୁଛନ୍ତି, ତେବେ ଘିଅରେ ଜିରା ଓ ହେଙ୍ଗୁ ଦେଇ ଛୁଙ୍କ କରି ଟିକେ କୋରା ନଡ଼ିଆ ଛାଡ଼ିଦେବେ। ଅଳ୍ପ ମୁଗଡାଲି ଭଜା ମଧ୍ୟ ପକାଯାଇପାରେ ଯାହା ଏହାର ବାସ୍ନା ବଢ଼ାଏ।

ବର୍ତ୍ତମାନ ବିଭିନ୍ନ ପ୍ରକାର ଅନ୍ୟ ପରିବା ଯେପରି କ୍ୟାପ୍‌ସିକମ୍, ଗାଜର୍, ବେବି କର୍ଣ୍ଣ, ମକା ଇତ୍ୟାଦି ଦେଇ ଟିକେ ଅତ୍ୟାଧୁନିକ ପ୍ରକାରେ ସନ୍ତୁଳା ପ୍ରସ୍ତୁତ ହେଉଛି। ତେବେ ଏହାର ମୌଳିକତା କିନ୍ତୁ ବଜାୟ ରହୁନି। ଏଥିସହିତ ସ୍ଥାନ ଅନୁସାରେ ମଧ୍ୟ ଏହାର ପ୍ରସ୍ତୁତି ଅଲଗା ହୁଏ, କିଛି ଜାଗାରେ ପରିବାକୁ ଅଳ୍ପ ଭାଜି ସନ୍ତୁଳା ପ୍ରସ୍ତୁତ ହୁଏ।

ତେବେ ସାଧାରଣ ଭାବେ ସିଝା ପରିବା ସନ୍ତୁଳା, ଭଜା ସନ୍ତୁଳା, ମୁଗ ସନ୍ତୁଳା, କ୍ଷୀର ସନ୍ତୁଳା, ମୁଗ ସନ୍ତୁଳା, ପାଣି ସନ୍ତୁଳା ପରି କେତେକ ସନ୍ତୁଳା ବିଭିନ୍ନ ଅଞ୍ଚଳରେ ଦେଖାଯାଏ।

ଏବେ ଆସନ୍ତୁ, ଜାଣିବା ,ସନ୍ତୁଳାର ପୌଷ୍ଟିକ ଗୁଣ କ’ଣ ରହିଛି। ଆମ ଖାଦ୍ୟ ବିଜ୍ଞାନରେ ଓଜନ କମ୍ କରିବା, ଡାଇବେଟିସ୍, ପିସିଓଡି ପରି କେତେକ ଜୀବନଶୈଳୀ ସମ୍ବନ୍ଧୀୟ ସ୍ୱାସ୍ଥ୍ୟ ସମସ୍ୟା ଦୂର ପାଇଁ ଆମେ ଏକ ଭେଜିଟେବଲ୍ ଷ୍ଟ୍ୟୁ ଖାଇବାକୁ କହୁ। ହେଲେ ଓଡ଼ିଶାର ଲୋକମାନଙ୍କୁ ବୁଝେଇବା ବେଳେ ଆମକୁ କହିବାକୁ ପଡ଼େନି।

କୌଣସି ତେଲ ମସଲା ଖାଇବାକୁ ବାରଣ କଲେ କିମ୍ୱା ବ୍ଲାଣ୍ଡ୍ ଡାଏଟ୍ କଥା ଆସିଲେ ଆମ ଲୋକମାନେ ସନ୍ତୁଳା କଥା ମନେପକାନ୍ତି। ବିଭିନ୍ନ ଅତ୍ୟାଧୁନିକ ଡାକ୍ତରଖାନାରେ ମଧ୍ୟ ଏହା କ୍ଲିନିକାଲ୍‌ ଖାଦ୍ୟର ମେନ୍ୟୁରେ ରହିଛି। କାରଣ ଏଥିରେ ପଡ଼ୁଥିବା ପରିବାସବୁ ଭିଟାମିନ୍‌ରେ ଭରପୂର। ଆଳୁକୁ ବାଦ୍ ଦେଲେ ଏହା ଆହୁରି ସ୍ୱାସ୍ଥ୍ୟକର ହେବ।

ଆଳୁରେ ଶ୍ୱତସାର ଅଧିକ ଥିବା ହେତୁ ଏହାକୁ ବାଦ୍ ଦେବା ଭଲ। ବାଇଗଣ, କଖାରୁ, ଭଣ୍ଡା ଆଦି ପରିବା ମୁଖ୍ୟତଃ ମ୍ୟାଗ୍ନେସିୟମ୍, ପୋଟାସିୟମ୍, ଫସଫରସ୍ ଆଦି ଓ ଫାଇବରରେ ଭରପୂର। ଗାଜରରେ କ୍ୟାରୋଟିନ୍, ବିନ୍‌ସ୍ ଓ ଝୁଡ଼ଙ୍ଗରେ ପ୍ରୋଟିନ୍ ଓ ଅନ୍ୟ ମିନେରାଲସ୍ ଥାଏ।

ଭୃଷଙ୍ଗ ପତ୍ର ଯଦି ଛୁଙ୍କରେ ପକାଯାଏ ତେବେ ଏହା ଆଇରନ୍, ଜିଙ୍କ୍ ଓ ପ୍ରୋଟିନ୍ ପରି କିଛି ଉପାଦେୟ ଖାଦ୍ୟସାର ଯୋଗାଏ। ଛୁଙ୍କରେ ପଡ଼ୁଥିବା ହେଙ୍ଗୁ ଆମ ଚର୍ମ ପାଇଁ ଭଲ। ଏହା ଆମ ହଜମ ପ୍ରକ୍ରିୟା ପାଇଁ ଉପାଦେୟ ହୋଇଥିବା ବେଳେ ଖାଦ୍ୟକୁ ବାସ୍ନାରେ ଭରିଦିଏ।

ଏଥିସହିତ ରସୁଣ ଯାହା ଆମ ରୋଗ ପ୍ରତିରେୋଧକ ଶକ୍ତି ପାଇଁ ଅତ୍ୟନ୍ତ ବଢ଼ିଆ ଓ ଏଥିରେ ଥିବା ଆଣ୍ଟିଅକ୍ସିଡାଣ୍ଟ ଓ ଆଣ୍ଟିଫଙ୍ଗାଲ ଗୁଣ ଆମକୁ ସତେଜ ରଖେ। ଯଦି ଆପଣ ଶୀତଦିନେ ସନ୍ତୁଳା ବନାଉଛନ୍ତି ତେବେ ରସୁଣକୁ ଛେଚି ସନ୍ତୁଳାର ଶେଷରେ କଞ୍ଚା ପକାନ୍ତୁ।

ସନ୍ତୁଳାରେ ସୋରିଷ ତେଲର ବ୍ୟବହାର ଆମ ସ୍ୱାସ୍ଥ୍ୟକୁ ଆହୁରି ଭଲ ରଖେ। ସୋରିଷ ତେଲ ଅନ୍‌ସାଚୁରେଟେଡ୍ ଫ୍ୟାଟି ଏସିଡ୍ ଓ କିଛି ଅତ୍ୟାବଶ୍ୟକ ଫ୍ୟାଟି ଏସିଡ୍‌ରେ ଭରପୂର ଥିବାରୁ ଏହା ଆମ ହୃତ୍‌ପିଣ୍ଡକୁ ସୁସ୍ଥ ରଖିବା ସହ ଆମର ବ୍ଲଡ୍‌ପ୍ରେସର୍‌ ଠିକ୍ ରଖେ। ଏଣୁ ସୋରିଷ ତେଲରେ ସନ୍ତୁଳା କିମ୍ୱା କୌଣସି ବି ଖାଦ୍ୟ ଛୁଙ୍କ କରିବା ଦ୍ୱାରା ଏହାର ଫ୍ଲେବର ବଢ଼ିବା ଦ୍ୱାରା ଏହା ଅଧିକ ସ୍ୱାସ୍ଥ୍ୟକର ହୋଇଥାଏ।

ଯଦି ଆପଣଙ୍କର କୌଣସି କିଡ୍‌ନିଜନିତ ସମସ୍ୟା ରହିଛି କିମ୍ୱା ଥାଏରଏଡ୍ ସମସ୍ୟା ଅଛି, ତେବେ ଆପଣ ସନ୍ତୁଳା ପାଇଁ ପରିବା ସିଝାଇବା ଆଗରୁ ପ୍ରଥମେ ଗରମ ପାଣିରେ ଅଳ୍ପ ସମୟ ପକାଇ କାଢ଼ିଦିଅନ୍ତୁ। ଏହାକୁ ଲିଚିଂ କୁହନ୍ତି ଏବଂ ଏହା ଦ୍ୱାରା ଆପଣଙ୍କ ପୋଟାସିୟମ୍ ଓ ମ୍ୟାଗ୍ନେସିୟମ୍ ଆଦି ବାହାରିଯାଏ। ଏହା ପରେ କିଡ୍‌ନି କିମ୍ୱା ଥାଏରଏଡ୍ ରୋଗୀମାନେ ଏହା ଖାଇପାରିବେ।

ଆମର ପ୍ରାୟ ସମସ୍ତ ଓଡ଼ିଆ ଖାଦ୍ୟ ସ୍ୱାସ୍ଥ୍ୟୋପଯୋଗୀ ଏବଂ ଆମ ବାଡ଼ିରେ ସହଜରେ ମିଳୁଥିବା ପରିବାରେ ତିଆରି ହୋଇପାରିବା ପରି। ବଜାରରେ ମିଳୁଥିବା ରାସାୟନିକ ସାର ଯୁକ୍ତ ପନିପରିବାଠାରୁ ଦୂରେଇ ରହିବା ପାଇଁ ଆପଣ ନିଜ ଘର ଆଗରେ, ଛାତ ଉପରେ ଅଳ୍ପ ଅଳ୍ପ କରି କମ ପରିଶ୍ରମରେ ଅମୃତ ଭଣ୍ଡା, ବାଇଗଣ, କଖାରୁ, ଶିମ୍ୱ କିମ୍ୱା ବିନ୍‌ସ୍‌, ଟମାଟୋ, ଗାଜର ଇତ୍ୟାଦି ଲଗାଇପାରିବେ।

ତେବେ ଆପଣ ସହଜରେ ଅଳ୍ପ ଖର୍ଚ୍ଚରେ ଦେଶୀ ପରିବା ପାଇବେ। ଶୀତଦିନେ ବାହାରର ଭେଜିଟେବଲ ସୁପ୍ ନ ଖାଇ ଏହି ପାଣି ସନ୍ତୁଳାର ସୁପ୍ ଖାଆନ୍ତୁ, ଦେଖିବେ ରେଷ୍ଟୁରାଣ୍ଟର ସୁପ୍ ଭୁଲିଯିବେ।

ତେବେ ଆସନ୍ତୁ ଆମ ଓଡ଼ିଆ ଖାଦ୍ୟକୁ ବିଶ୍ୱରେ ପ୍ରସିଦ୍ଧ କରିବା। ଅନ୍ୟ ଦେଶର, ଅଞ୍ଚଳର କିଛି ଛାପ ଦେଇ ଓଡ଼ିଆ ଖାଦ୍ୟ ପ୍ରସ୍ତୁତ କଲେ ଏହା ସ୍ୱାଦିଷ୍ଟ ତ ହୁଏ, କିନ୍ତୁ ଏହାର ମୌଳିକତା ରୁହେ ନାହିଁ। ଏଣୁ ଆମେ ଆମ ଖାଦ୍ୟକୁ ପ୍ରସାର କରିବା, ଏହାର ମୌଳିକ ରୂପରେ। ଏବେ ଆପଣଙ୍କ ପାଖେ ଉପଲବ୍ଧ ପରିବାରେ ସନ୍ତୁଳା ବନାଇ ଖାଆନ୍ତୁ ଏବଂ ସୁସ୍ଥ ରୁହନ୍ତୁ।

ଇମେଲ୍ - [email protected]

(ବି.ଦ୍ର: ଏହି ଲେଖାରେ ଥିବା ସମସ୍ତ ତଥ୍ୟ ଲେଖିକାଙ୍କ ନିଜସ୍ୱ ମତ)

Nutrients Nutrient-rich Food
Advertisment
Advertisment