Astrospeak
  • Live TV
  • Read In English

ସୁସ୍ଥ କେଶ ପାଇଁ ଜରୁରୀ ସନ୍ ପ୍ରୋଟେକ୍ସନ୍‌

ଆପଣଙ୍କ ଶରୀରର ମୁହଁ, ବେକ, ହାତ ଓ ପାଦର ଚମଡା ପରି ଖପୁରି ତ୍ୱଚା ଓ କେଶ ମଧ୍ୟ ସୂର୍ଯ୍ୟକିରଣରୁ ରକ୍ଷାକାରୀ ଉପାୟ ଦରକାର କରିଥାଏ। କେଶକୁ ସୂର୍ଯ୍ୟକିରଣ ବା ଅଲଟ୍ରାଭାଓଲେଟ୍‌ ରଶ୍ମୀରୁ ରକ୍ଷା କରିପାରିଲେ ହିଁ ସୁସ୍ଥ କେଶ ପାଇଁ କରୁଥିବା ଅନ୍ୟ ଉପାୟ ଓ ଚିକିତ୍ସା ଫଳପ୍ରଦ ହୋଇଥାଏ।

Hair and Sun Protection
କେଶ ଓ ସନ୍ ପ୍ରୋଟେକ୍ସନ୍‌

ଏଇ କିଛି ମାସ ପୂର୍ବରୁ, ଦିନେ ସନ୍ଧ୍ୟାରେ ହସ୍ପିଟାଲ୍‌ରୁ ଫେରି ଫ୍ରେସ୍ ହୋଇ ଚା’ ପିଉଥାଏ। ମୋବାଇଲ୍‌ଟା ରିଂ ହେଲା। ସ୍କ୍ରିନ୍‌କୁ ଚାହିଁଲା ବେଳକୁ ସୋମି (ମୋ’ ସ୍କୁଲ୍‌ ଜୁନିଅର)ର କଲ୍। ପ୍ରାୟ ଚାରି-ପାଞ୍ଚ ମାସ ପରେ ତା’ କଲ୍ ଦେଖି ଆଶ୍ଚର୍ଯ୍ୟ ହେଲି, ଆଉ ଖୁସି ବି। ରିସିଭ୍ କରୁ କରୁ ସେପଟୁ ଅଳି କଲାପରି ସ୍ୱରରେ ସୋମି କହିଲା, ‘ଅପା (ଆମ ସ୍କୁଲ୍‌ର ଡାକ, ଅପା), ହେଲ୍‌ପ୍‌ କରନ୍ତୁ ନା’! ‘ମୋ’ ଉତ୍ତରକୁ ଅପେକ୍ଷା ନ କରି ପୁଣି ଆରମ୍ଭ କଲା, ‘ହ୍ୱାଟ୍ସଆପ୍‌ରେ ମୋର ଗୋଟେ ପ୍ରେସ୍କ୍ରିପ୍ସନ୍ ପଠେଇଛି, ଦେଖିବେ ତ। ମାସେ ହେଲାଣି ସେ ପ୍ରଡକ୍ଟ ଆଉ ମେଡିସିନ ସବୁ ବ୍ୟବହାର କଲିଣି, ହେଲେ ଚୁଟିଗୁଡା ପୁଣି ଆଗ ଭଳି ନଷ୍ଟ ହିଁ ହେଉଛି! ଭୁବନେଶ୍ୱର ଆସିଲେ ଆପଣଙ୍କୁ ଦେଖେଇବି, ହେଲେ ଏବେ ପାଇଁ କିଛି ଉପାୟ କୁହନ୍ତୁ।

କେବଳ ସୋମି କାହିଁକି, ଆପଣ ବି ଅନେକ ସମୟରେ ଏମତି ଅସ୍ତବ୍ୟସ୍ତ ଆଉ ଚିନ୍ତାରେ ପଡି ଯାଆନ୍ତି ନା? ଡାକ୍ତର ଲେଖିଥିବା ସମସ୍ତ ତେଲ, ସାମ୍ପୁ, ସେରମ୍‌, ମାସ୍କ, ଔଷଧ ବ୍ୟବହାର କରିବା ସତ୍ତ୍ୱେ; ସବୁ ପ୍ରକାର ଭିଟାମିନ୍ସ, ମିନେରାଲ୍ସ ଓ ପ୍ରୋଟିନ୍‌ ଖାଇବା ପରେ ମଧ୍ୟ ଆପଣଙ୍କ କେଶ ଅଡୁଆ, ଭଙ୍ଗୁର, ଶୁଷ୍କ ଓ ଜୀବନହୀନ ଦେଖାଯାଏ। ଆପଣ ପାର୍ଲର/ ସେଲୁନ୍‌ ବା କସ୍‌ମେଟୋଲୋଜିଷ୍ଟଙ୍କ ପାଖରେ ବାରମ୍ବାର ସ୍ପା କରାଇବା ପରେ ମଧ୍ୟ; ନିଜ ଜୀବନଶୈଳୀ, ଖାଇବା-ପିଇବା-ଶୋଇବା ଅଭ୍ୟାସ ବଦଳାଇବା ସତ୍ତ୍ୱେ ବି; ବ୍ୟାୟାମ ଓ ଯୋଗାଭ୍ୟାସ କରି ବି, ଚିକିତ୍ସା ଦ୍ୱାରା କିଛିଦିନ ଭଲ ଫଳାଫଳ ମିଳିବା ପରେ ଆପଣଙ୍କ କେଶର ଏଇ ସମସ୍ୟାଗୁଡିକ ପୁଣି ଫେରିଆସେ।

ସବୁ ପ୍ରକାର ଅର୍ଗାନିକ୍ ଓ କେମିକାଲ୍ ଉପଚାର କିଛିଦିନ ଭାରି ଭଲ ଫଳ ଦେବା ପରେ କେଶଗୁଡିକ ଅଳ୍ପଦିନ ପରେ ପୁଣି ରୁକ୍ଷ ଲାଗେ ଓ ଅଗ ଫାଟିଯାଏ। ଆପଣଙ୍କ ବିୟୁଟିସିଆନ୍ ଓ ଡାକ୍ତର ବା କସ୍‌ମେଟୋଲୋଜିଷ୍ଟଙ୍କ ସବୁ ପ୍ରକାର ଚେଷ୍ଟା ଓ ଉପଚାର ବେଳେବେଳେ ଆପଣଙ୍କୁ ଯୁକ୍ତିହୀନ ଓ ନିଷ୍ଫଳ ଲାଗେ।

ଯଦି ଆପଣ ବି ସୋମି ପରି କେଶର ଏଇସବୁ ସମସ୍ୟା ସବୁର ବାରମ୍ବାର ଉପଚାର କରି ଅସ୍ତବ୍ୟସ୍ତ ହୋଇଗଲେଣି ଆଉ ଥକି ଗଲେଣି ଓ ଏବେ ବି ଏଇସବୁ ସମସ୍ୟାରୁ ରକ୍ଷା ପାଇବା ପାଇଁ ଉପଚାର ଓ ରିସର୍ଚ୍ଚ ଜାରୀ ରଖିଛନ୍ତି, ତା’ହେଲେ ମୋର ଆଜିର ଏ ଆଲୋଚନା ଆପଣଙ୍କୁ ନିହାତି ତା’ର ଉତ୍ତର ଓ ଉପଚାର ବତାଇବାରେ ସାହାଯ୍ୟ କରିବ।

ଆପଣମାନେ ଜାଣି ଆଶ୍ଚର୍ଯ୍ୟ ହେବେ ଯେ, କେଶର ଏସବୁ ସମସ୍ୟା ଓ ସବୁ ଚିକିତ୍ସାର ଠିକ ଫଳ ନ ମିଳିବାର ଗୋଟିଏ ବଡ଼ କାରଣ ହେଉଛି ସୂର୍ଯ୍ୟକିରଣ! ସୂର୍ଯ୍ୟକିରଣରେ ଥିବା ଅଲଟ୍ରାଭାଓଲେଟ୍‌ ରଶ୍ମୀ କେବଳ ଆପଣଙ୍କ ତ୍ୱଚା ପାଇଁ ନୁହେଁ, ବରଂ ଖପୁରୀର ଚମଡା ଓ କେଶ ପାଇଁ ମଧ୍ୟ ସମାନ ରୂପେ କ୍ଷତିକାରକ ହୋଇଥାଏ। ଖରା ବା ଅଲଟ୍ରାଭାଓଲେଟ୍‌ ରଶ୍ମୀ ପାଇଁ କେଶ ଶୁଷ୍କ ବା ଟାଁସିଆ ଦେଖାଯିବା, ରୁକ୍ଷ ହେବା ଓ ଭଙ୍ଗୁର ହେବା, କେଶ ଅଗ ଫାଟିବା ଓ ଅଡୁଆ ହେବା, କେଶ ରଙ୍ଗହୀନ ଓ ନିର୍ଜୀବ ଦେଖାଯିବା ଆଦି ସମସ୍ୟା ଦେଖାଯାଏ। ବହୁ ସମୟରେ ଆମେ ଡାକ୍ତରମାନେ ବି ଆପଣଙ୍କୁ ଏ ବିଷୟରେ ସଚେତନ କରିବାକୁ ଭୁଲିଯାଉ।

ସେଥିପାଇଁ ଆପଣଙ୍କ ଶରୀରର ମୁହଁ, ବେକ, ହାତ ଓ ପାଦର ଚମଡା ପରି ଖପୁରି ତ୍ୱଚା ଓ କେଶ ମଧ୍ୟ ସୂର୍ଯ୍ୟକିରଣରୁ ରକ୍ଷାକାରୀ ଉପାୟ ଦରକାର କରିଥାଏ। କେଶକୁ ସୂର୍ଯ୍ୟକିରଣ ବା ଅଲଟ୍ରାଭାଓଲେଟ୍‌ ରଶ୍ମୀରୁ ରକ୍ଷା କରିପାରିଲେ ହିଁ ସୁସ୍ଥ କେଶ ପାଇଁ କରୁଥିବା ଅନ୍ୟ ଉପାୟ ଓ ଚିକିତ୍ସା ଫଳପ୍ରଦ ହୋଇଥାଏ। ହେଲେ ଆଜି କେବଳ ଘରୋଇ ଉପାୟ ନୁହେଁ ତା’ ସହ କିଛି ସୂର୍ଯ୍ୟକିରଣରୁ ରକ୍ଷାକାରୀ ଉତ୍ପାଦ ନା’ ବି ଆପଣଙ୍କୁ କହିବି, ଯାହା ବ୍ୟବହାର କରି ଆପଣଙ୍କୁ ନିହାତି ସୁଫଳ ମିଳିବ ଏବଂ ଆପଣଙ୍କ କଷ୍ଟ ଓ ପ୍ରୟାସର ସମ୍ମାନ ମଧ୍ୟ ରହିବ।

ସୂର୍ଯ୍ୟକିରଣରୁ ରକ୍ଷାକାରୀ ବା ସନ୍‌ପ୍ରୋଟେକ୍ସନ୍‌ର ଘରୋଇ ଉପଚାର:

ଭାରତୀୟ ବଜାରରେ ଉପଲବ୍ଧ ସୂର୍ଯ୍ୟକିରଣରୁ ରକ୍ଷାକାରୀ ଉତ୍ପାଦ:

(ତାଲିକାରେ ଥିବା ଉତ୍ପାଦଗୁଡିକ ସହଜରେ ଅନଲାଇନ୍ ବଜାରରେ ମିଳିଯାଏ)

ଏସବୁ ପ୍ରଡକ୍ଟ ଓ ଉପାୟ ସହ ଆପଣ ଆଉ କେତୋଟି ସାଧାରଣ କଥା ଉପରେ ମଧ୍ୟ ଧ୍ୟାନ ଦେବା ଦରକାର। ଯେମିତିକି ଅତ୍ୟଧିକ ଖରାରେ ଅଧିକ ସମୟ କେଶ ମୁକୁଳା ନ କରି ସାଧାରଣ ବେଣୀଟିଏ କରି ନିଅନ୍ତୁ। ୟା ଛଡା ୟୁ ଭି ପ୍ରୋଟେକ୍ଟେଡ୍ ଛତା, କପଡା ଓ ସନ୍ ହ୍ୟାଟ୍ ମଧ୍ୟ ବ୍ୟବହାର କରନ୍ତୁ। ନିଜ ଖାଦ୍ୟରେ ଭେଜିଟେବଲ୍ ଓ ଫ୍ରୁଟ୍ସ ସାଲାଡ୍‌, ଗଜା ମୁଗ ଓ ବୁଟ ତଥା ପାଣିର ପରିମାଣ ବଢାନ୍ତୁ। ମନେ ରଖନ୍ତୁ ଡାଳିମ୍ବ, ଗ୍ରେପ୍ ସିଡ୍ସ ଓ ଅନ୍ୟ ଭେଜିଟେବଲ୍‌ ଏସେନ୍ସିଆଲ ତେଲରେ ସୂର୍ଯ୍ୟ କିରଣରୁ ରକ୍ଷାକାରୀ ପ୍ରାକୃତିକ ଉପାଦାନ ମାନ ଥାଏ, ଯାହାକି ଅନେକ ସମୟରେ ବଜାରରେ ମିଳୁଥିବା ସନ୍‌ସ୍କ୍ରିନ୍ ଲୋସନ୍‌ର ଇନ୍‌ଗ୍ରେଡି ଲିଷ୍ଟରେ ଥାଏ।

କେବଳ ଗଛ-ପତ୍ର ବା ପଶୁ-ପକ୍ଷୀ ନୁହେଁ ମଣିଷ ପାଇଁ ମଧ୍ୟ ସୂର୍ଯ୍ୟ କିରଣର ଅବଶ୍ୟକତା ଥାଏ, ଯେମିତି କି ଦେହରେ ଭିଟାମିନ୍ ଡି ତିଆରି ପାଇଁ ସୂର୍ଯ୍ୟ କିରଣ ହିଁ ଦରକାର ଥାଏ। ହେଲେ କଥାରେ ଅଛି ‘ଜଳ ବିହୁନେ ସୃଷ୍ଟି ନାଶ, ଜଳ ବହୁଳେ ସୃଷ୍ଟି ନାଶ’, ଠିକ ସେମିତି ମାତ୍ରାଧିକ ସୂର୍ଯ୍ୟକିରଣ ବି ମଣିଷର ତ୍ୱଚା ଓ କେଶ ପାଇଁ ହାନୀକାରକ ହୋଇଥାଏ।

ମୋ ସହ ଫୋନ୍‌ରେ କଥା ହେବା ଭିତରେ ହିଁ ସୋମି ଅନ୍‌ଲାଇନ୍‌ରେ ନିଜ କେଶ ପାଇଁ ସୂର୍ଯ୍ୟକିରଣରୁ ରକ୍ଷାକାରୀ ଉତ୍ପାଦ ଖୋଜିବା ଆରମ୍ଭ କରି ଦେଇଥିଲା। ୟା ଛଡା ମାସେ ଦେଢ ମାସ ମିକ୍ସଡ୍ ଅଏଲ୍ ମାସ୍କ ଲଗାଇବା ପରେ ତା’ କେଶ କେମିତି ସଫ୍ଟ ଆଉ ସାଇନ୍ କରୁଥିଲା, ତା’ର ଗୋଟେ ସେଲ୍ଫି ମଧ୍ୟ ମୋତେ ପଠେଇଥିଲା। ଆପଣମାନେ ବି ବାରମ୍ବାର ନିଜ ଡାକ୍ତର, କସ୍‌ମେଟୋଲୋଜିଷ୍ଟ ଓ ବିୟୁଟିସିଆନ୍ ନ ବଦଳାଇ କିଛିଦିନ ସେଇ ଟ୍ରିଟ୍‌ମେଣ୍ଟ ସହ ନିଜ କେଶକୁ ସନ୍‌ପ୍ରୋଟେକ୍ସନ୍‌ରେ ରଖି ଦେଖନ୍ତୁ, ଚିକିତ୍ସାର ସୁଫଳ ନିଶ୍ଚୟ ମିଳିବ।

ହେଲେ ଆପଣଙ୍କ ଭିତରୁ ଅନେକ ଭାବୁଥିବେ ଯେ ଶୀତଋତୁରେ କାହିଁକି ସୂର୍ଯ୍ୟକିରଣରୁ କେଶକୁ ରକ୍ଷା କରିବା କଥା ଲେଖିଲି? ପ୍ରକୃତରେ ଚର୍ମ ଓ କେଶର ଯେକୌଣସି ଚିକିତ୍ସାରେ ପ୍ରାଇମିଂ ବା ପୂର୍ବପ୍ରସ୍ତୁତି ସବୁଠୁ ବେଶୀ ଗୁରୁତ୍ୱପୂର୍ଣ୍ଣ; ଆଉ ସନ୍‌ପ୍ରୋଟେକ୍ସନ୍ ଆବରଣ ଗୋଟିଏ କି ଦୁଇ ଦିନରେ ବନେନି, ସେଥିପାଇଁ ଏବେଠୁ ସନ୍‌ପ୍ରୋଟେକ୍ସନ୍ ପ୍ରଡକ୍ଟ ବ୍ୟବହାର ଆରମ୍ଭ କଲେ, ଗ୍ରୀଷ୍ମଋତୁ ବେଳକୁ ଆପଣଙ୍କ କେଶ ଉପରେ ସୂର୍ଯ୍ୟକିରଣରୁ ରକ୍ଷାକାରୀ ଆବରଣ ତିଆରି ହେବାରେ ଅଧିକ ସାହାଯ୍ୟ ମିଳିବ।