ବଦଳୁଛି ଓଡ଼ିଶାର ରୂପରେଖ। ରୂପାନ୍ତରିକରଣ ହେଉଛି ସ୍କୁଲ, କଲେଜ, ଡାକ୍ତରଖାନାରୁ ଆରମ୍ଭକରି ଦେଉଳ, ପୋଖରୀ, ପୋଲ.. ହେଲେ ବଦଳୁନି ଚାଷୀମାନଙ୍କର ଭାଗ୍ୟ l ଓଡିଶାର ଅନ୍ନଦାତା ଜଣକ ପରେ ଜଣେ ଆଖିବୁଜୁଛନ୍ତି। ଗତ ଆଠ ମାସରେ ପ୍ରାୟ ଅଧଡଜନରୁ ଅଧିକ ଚାଷୀ ଆତ୍ମହତ୍ୟା କରିଥିବା ଖବର ସାମ୍ନାକୁ ଆସିଲାଣି।
ଦେଶ ସ୍ୱାଧୀନତାର ୭୫ ବର୍ଷ ପରେ ମଧ୍ୟ ଚାଷୀ ଏଭଳି ଦୁଃଖ, କଷ୍ଟ, ଦୁର୍ଦଶା ଓ ଦୁର୍ଦିନ ଦେଇ ଗତି କରୁଛନ୍ତି ଯେ ଆତ୍ମହତ୍ୟା ଭଳି ଚରମ ନିଷ୍ପତ୍ତି ନେବାକୁ ବାଧ୍ୟ ହେଉଛନ୍ତି? ଏହା ଆମ ଦେଶ ତଥା ରାଜ୍ୟ ପାଇଁ ଚିନ୍ତା ଓ ଉଦବେଗର ବିଷୟ ନୁହେଁ କି?
ରାଜ୍ୟ ସରକାର ଚାଷ ଓ ଚାଷୀମାନଙ୍କ ଉନ୍ନତୀ ପାଇଁ ସବୁ ପ୍ରକାର ବ୍ୟବସ୍ଥା କରିଥିବା ଦାବି କରୁଥିବାବେଳେ ଏଭଳି ସ୍ଥିତି ଘଟୁଛି କାହିଁକି?
Also Read
ବିଶ୍ୱକପ୍ କ୍ରିକେଟ ସେମିଫାଇନାଲରେ ନ୍ୟୁଜିଲାଣ୍ଡକୁ ହରାଇ ଯେଉଁ ଦିନ ଭାରତ ଫାଇନାଲକୁ ଗଲା, ସେଦିନ (ନଭେମ୍ବର ୧୫) ଛୁଟୁଥିଲା ଆନନ୍ଦ ଉଲ୍ଲାସ। ରଙ୍ଗୀନ ବାଣରେ ଝଲସୁଥିଲା ଆକାଶ। ହେଲେ ରମେଶ ଭୋଇଙ୍କ ପରିବାରରେ ସେତେବେଳେ ଅନ୍ଧକାର ଛାୟା ଖେଳି ଯାଇଥିଲା। ସେ ଥିଲେ ଏହି ରାଜ୍ୟର ଅନ୍ନଦାତା। ହଳ, ଲଙ୍ଗଳ ସଂସାରରେ ଜୀବନର ମ୍ୟାଚ୍ ଖେଳି ଖେଳି ଶେଷରେ ଦମ୍ ହରାଇଥିଲେ ରମେଶ।
ନିଜର ସବୁ ଶକ୍ତି ସାମର୍ଥ୍ୟ ଲଗାଇ, ଧାର କରଜ କରି ୧୦ ଏକର ଜମିରେ ଚାଷ କରିଥିଲେ। ପାଣି ଅଭାବରୁ ପୋକ ଲାଗି ଫସନ ନଷ୍ଟ ହେଲା। ସବୁ ଉଦ୍ୟମ ବ୍ୟର୍ଥ ହେବା ଭାବି ମାନସିକସ୍ତରରେ ଭାଙ୍ଗିପଡି ନେଲେ ଚରମ ନିଷ୍ପତ୍ତି। ପୋକ ମାରିବାକୁ ଆଣିଥିବା ବିଷାକ୍ତ ଔଷଧକୁ ରମେଶ ନିଜେ ଖାଇଦେଲେ! ଅତ୍ୟନ୍ତ ଗୁରୁତର ଅବସ୍ଥାରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଗଲା। ଖବର ଆସିଲା, ରମେଶ ଆଉ ନାହାଁନ୍ତି।
ଏ କଥା ଶୁଣି ଦୁଇ ପୁଅ ଝିଅଙ୍କୁ ନେଇ ମେଡିକାଲ ବାରଣ୍ଡାରେ ବସିଥିବା ତାଙ୍କ ପତ୍ନୀ କ୍ଷୀରାଦ୍ରିଙ୍କ ମୁଣ୍ଡରେ ପଡିଗଲା ଚଡକ। ଭାରତ ବିଜୟ ଉଲ୍ଲାସର ବାଣ ଯେମିତି ଆକାଶମାର୍ଗରୁ ଫାଟି କ୍ଷୀରାଦ୍ରିଙ୍କ ମୁଣ୍ଡରେ ବଜ୍ର ହୋଇ ପଡୁଛି! ପରଦିନ ବିଶ୍ୱକପ୍ ଅନ୍ତିମ ପାହାଚରେ ଭାରତ ପହଞ୍ଚିଥିବା ଖବର ପ୍ରମୁଖ ଗଣମାଧ୍ୟମର ପ୍ରଥମ ପୃଷ୍ଠାରେ ବଡ ବଡ ଅକ୍ଷରରେ ପ୍ରକାଶ ପାଇଲା। ସେଥିରେ କେଉଁ ଏକ କୋଣେ ଏ ରାଜ୍ୟର ଚାଷୀ ରମେଶଙ୍କ ଆତ୍ମହତ୍ୟା ଖବର ମଧ୍ୟ ଛପାଥିଲା ।
ବଲାଙ୍ଗୀର ଜିଲ୍ଲା ପୁଇଁନ୍ତଳା ଥାନା ବୁବେଳ ଗ୍ରାମର ଚାଷୀ ରମେଶ ଭୋଇଙ୍କ ଆତ୍ମହତ୍ୟା ଖବର ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ତାଙ୍କ ଘରକୁ କୃଷି ଅଧିକାରୀଙ୍କଠାରୁ ଆରମ୍ଭ କରି ଚାଷୀ ସଂଗଠନ ଓ ବିଭିନ୍ନ ରାଜନୈତିକ ଦଳର ନେତାମାନଙ୍କର ଧାଡି ଲାଗିଲା। ଫଟୋ ଉଠିଲା, ୩/୪ ଦିନ ଧରି ତଦନ୍ତ, ତଦାରଖ ଓ ଘଟଣାର ପୋଷ୍ଟମର୍ଟମ ଚାଲିଲା ଆଉ ସରକାରଙ୍କ ସମ୍ମୁଖରେ ବିଭିନ୍ନ ଦାବି ଉପସ୍ଥାପନ କରାଗଲା।
ସରକାରଙ୍କ ସହାୟତା କ’ଣ ହେବ, କଣ ପାଇବ ନ ପାଇବ ତାହା ପର କଥା କିନ୍ତୁ ଏ ରାଜ୍ୟ ଜଣେ ଚାଷୀଙ୍କୁ ହରାଇଲା, ଦୁଇ ପିଲା ନିଜ ବାପାଙ୍କୁ ଏବଂ କ୍ଷୀରାଦ୍ରି ନିଜ ସ୍ୱାମୀଙ୍କୁ ହରାଇଲେ । ଏଥିପାଇଁ ଦାୟୀ କିଏ?
କେବଳ ରମେଶ ନୁହଁନ୍ତି; ଏହାର ମାତ୍ର ୧୦ ଦିନ ପୂର୍ବରୁ (ନଭେମ୍ବର ୫) ରଣପୁର ଓସ୍ତପଡାର ଗୋବିନ୍ଦ ସାହୁ ବିଷ ପିଇ ଆତ୍ମହତ୍ୟା କରିଥିବା କଥା ମଧ୍ୟ ସାମ୍ନାକୁ ଆସିଥିଲା। ଏହା ପୂର୍ବରୁ ଅକ୍ଟୋବର ୧୫ ତାରିଖରେ ଯାଜପୁର ଜିଲ୍ଲା ଧର୍ମଶାଳା ବାଜବାଟିର ଚାଷୀ ନିତ୍ୟାନନ୍ଦ ପରିଡା, ସେପ୍ଟେମ୍ବର ୨୬ରେ ପଦ୍ମପୁର ଗାଇସିଲେଟ ଥାନା ଉମ୍ରୋଡ ଗ୍ରାମର ଅଲେଖ ଭୋଇ, ଅଗଷ୍ଟ ୧୫ ତାରିଖରେ ଗଜପତି ଜିଲ୍ଲା ମହନା ବ୍ଲକ୍ ଅନ୍ତର୍ଗତ ପଟାଚାଡା ଗ୍ରାମର ଗୌର କାର୍ଜି, ଏପି୍ରଲ ୧୧ରେ ମୟୂରଭଞ୍ଜ ଜିଲ୍ଲା ଅମର୍ଦ୍ଦା ପଂଚାୟତ ବଧିମୁହଁ ଗାଁର ରାମକୃଷ୍ଣ ପାତ୍ର ଆଦି ଚାଷୀମାନଙ୍କ ଋଣ ବୋଝ ଓ ଫସନ କ୍ଷତିକୁ ନେଇ ଆତ୍ମହତ୍ୟା କରିଥିବା ଘଟଣା ସାମ୍ନାକୁ ଆସିଛି।
ନିଜ ଜୀବନକୁ ପାଣିଛଡେଇ ଏଇ ଦେଶ, ରାଜ୍ୟ ଏବଂ ଏହି ଜାତିର ମୁହଁରେ ମୁଠାଏ ଅନ୍ନ ଦେଉଥିବା ଓଡିଶାର ଅନ୍ନଦାତା ଜଣକ ପରେ ଜଣେ ଏହିଭଳି ଜୀବନ ହାରୁଥିବା କଥା ସାମ୍ନାକୁ ଆସୁଛିl
ଅତ୍ୟନ୍ତ ଦୁଃଖ, କଷ୍ଟ, ଦୁର୍ଦ୍ଦଶା ଓ ଦୁଦ୍ଦୀନ ଦେଇ ଗତିକରୁଛନ୍ତି ଓଡିଶାର ଚାଷୀ। କେବେ ବର୍ଷା ଅଭାବରୁ ପାଣି ନପାଇ ଖନ୍ଦ ପୋଡିଯାଉଛି ତ ଆଉ କେବେ ଅଦିନିଆ ବର୍ଷା ପାଣିରେ ଭିଜି ଫସଲ କ୍ଷତି ହେଉଛି। କେଉଁଠି ରୋଗ ପୋକ ଲାଗିଲାଣି ତ କେଉଁଠି ହାତୀ ପଲ ପସି ଫସଲ ଖାଇଗଲେଣି।
ଜଳସେଚନରେ ଅବ୍ୟବସ୍ଥା, ଜମିକୁ ପାଣି ଯୋଗାଇବାରେ ବିଜୁଳି ବିଲ୍ ଅତ୍ୟାଧିକ; ସାର, ବିହନ, ଔଷଧରେ ଜାଲିଆତି.. ଏସବୁ ଘାତ ପ୍ରତିଘାତକୁ ଅତିକ୍ରମ କରି ଚାଷୀ ଯେତେବେଳେ ମଣ୍ଡିରେ ପହଂଚେ ସେଠାରେ ପୁଣି ବିଭିନ୍ନ ଅବ୍ୟବସ୍ଥା । ଖରା, ବର୍ଷା, ଶୀତ ମାଡ ଖାଇ ଅନେକ ଅବ୍ୟବସ୍ଥା ଓ ସମସ୍ୟାର ପଙ୍କରେ ଘାଂଟିଚକଟି ହେଉଛଥିବା ଘଟଣା ପ୍ରାୟ ସବୁବେଳେ ସାମ୍ନାକୁ ଆସୁଛି ।
୨୩ ବର୍ଷର ରାଜ୍ୟ ସରକାର ଓଡିଶାର ଚାଷୀମାନଙ୍କ ଉନ୍ନତି ପାଇଁ ଅନେକ ଯୋଜନା, ପ୍ରକଳ୍ପ ଓ ନୀତି ଆଦି କରିଛି। ଚାଷୀ ଓ ଚାଷକୁ ବିଶେଷ ଗୁରୁତ୍ୱ ଦେଇ ଏହି ସରକାର ସ୍ୱତନ୍ତ୍ର ବଜେଟ୍ ଆଣି ପ୍ରତିବର୍ଷ ଅଧିକରୁ ଅଧିକ ଟଙ୍କା ଖର୍ଚ୍ଚ କରୁଛନ୍ତି । ୨୦୨୩-୨୪ ବଜେଟରେ ୨୪୮୨୯ ହଜାର କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ଯାହା ପୂର୍ବବର୍ଷ ବଜେଟର ୨୦% ଅଧିକ। ଚାଷୀଙ୍କ ସହାୟତା ପାଇଁ ସରକାରଙ୍କ ‘କାଳିଆ’ ଯୋଜନା ବିଶେଷ ଗୁରୁତ୍ୱ ବହନ କରୁଥିବା କୁହାଯାଉଛି। ଏତେ ସବୁ ସତ୍ୱେ ଚାଷୀମାନଙ୍କ ଏଭଳି ସ୍ଥିତି କାହିଁକି?
ଗତ କିଛି ବର୍ଷ ଧରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସରକାରରେ ଓଡ଼ିଶାର ରୂପରେଖରେ ପରିବର୍ତ୍ତନ, ଉନ୍ନତୀକରଣ ଓ ରୂପାନ୍ତରୀକରଣକୁ ନେଇ ସାଧାରଣରେ ଚର୍ଚ୍ଚାରେ ରହି ଆସିଛି l ରାଜ୍ୟବାସୀଙ୍କ ମୌଳିକ ସମସ୍ୟାର ମୂଳୋତ୍ପାଟନ ପାଇଁ ରାଜ୍ୟ ସାରକାରଙ୍କ ପକ୍ଷରୁ ପଦକ୍ଷେପ ନିଆଯାଇଛି। ଗାଁ ସ୍କୁଲର ବିକାଶ ବିଷୟରେ ମଧ୍ୟ ଆଲୋଚନା ହୋଇଛି। ଏହି କ୍ରମରେ ଓଡ଼ିଶାର ଚାଷୀମାନଙ୍କ ଉପରୋକ୍ତ ସ୍ଥିତିକୁ ଦୃଷ୍ଟି ଦେବାର ବିଶେଷ ଆବଶ୍ୟକତା ରହିଛି l ଚାଷୀଙ୍କ ଉନ୍ନତି ବିନା ରାଜ୍ୟର ପ୍ରଗତି ଅସମ୍ଭବ !
ଇମେଲ୍: dksawat@gmail.com
(ବି.ଦ୍ର: ଏହି ଲେଖାରେ ଥିବା ସମସ୍ତ ତଥ୍ୟ ଲେଖକଙ୍କ ନିଜସ୍ୱ ମତ)