Even after 75 years of independence, misfortune does not leave India
ଦେଶରେ ଯଦି କୌଣସି ବ୍ୟକ୍ତି ରାତ୍ରୀରେ ଭୋକରେ ଶୁଏ ତେବେ କହିବାକୁ ହେବ ଯେ ଦେଶର ସୌଭାଗ୍ୟ ଶୋଇପଡ଼ିଲା। କିନ୍ତୁ ଯଦି କେହି ଖାଦ୍ୟାଭାବରୁ ମୃତ୍ୟୁମୁଖରେ ପଡ଼େ ତେବେ କୁହାଯିବ ଯେ ସ୍ୱାଧୀନତାର ୭୫ବର୍ଷ ପରେ ମଧ୍ୟ ଦୁର୍ଭାଗ୍ୟ ଆମ ପିଛା ଛାଡୁ ନାହିଁ।
କରୋନା ମହାମାରୀ ସମୟରେ ଏମିତି ଘଟିଥିଲା। ଏହି ସମୟରେ ହଜାର ହଜାର ଭୋକିଲା ଶ୍ରମିକ ନିଜ ପିଲାଛୁଆମାନଙ୍କୁ ଧରି ଶହ ଶହ କିଲୋମିଟର ଚାଲୁଥିବାର ଦେଖାଯାଇଥିଲା। ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ଚନ୍ଦ୍ରଶେଖର ତାଙ୍କ ଆତ୍ମକଥାରେ ଲେଖିଛନ୍ତି ଯେ ଯୁଗସ୍ଲୋଭିଆର ଜଣେ ପ୍ରଫେସର ଯିଏ ବିଶ୍ୱର ଶରଣାର୍ଥୀମାନଙ୍କ ସମ୍ପର୍କରେ ଗବେଷଣା କରୁଥିଲେ ତାଙ୍କୁ ଖାଦ୍ୟାଭାବ ସମ୍ପର୍କରେ ପ୍ରଶ୍ନ କରିଥିଲେ।
ଯୁଗସ୍ଲୋଭିଆର ପ୍ରଫେସରଙ୍କ ପ୍ରଶ୍ନର ଉତ୍ତରରେ ଚନ୍ଦ୍ରଶେଖର କହିଥିଲେ ଯେ ମହାତ୍ମା ଗାନ୍ଧୀ ମଧ୍ୟ ଦାରିଦ୍ର୍ୟର ଯନ୍ତ୍ରଣାକୁ ଅନୁଭବ କରିଥିଲେ ଯେତେବେଳେ ତାଙ୍କୁ ଦକ୍ଷିଣ ଆଫ୍ରିକାରେ ଅନେକ ଯାତନାର ସମ୍ମୁଖୀନ ହେବାକୁ ପଡ଼ିଥିଲା। ସେଥିରୁ ପ୍ରେରଣା ପାଇ ସେ ଗରୀବ ଲୋକଙ୍କ ଜୀବନ ସହ ଯୋଡ଼ି ହୋଇଯାଇଥିଲେ।
ସେହିପରି ମହାତ୍ମା ବୁଦ୍ଧଙ୍କର ଅସଲ ଜ୍ଞାନ ସେତେବେଳେ ଉଦୟ ହୋଇଥିଲା ଯେତେବେଳେ ସେ ସୁଜାତାଙ୍କ ଠାରୁ କ୍ଷୀରି ଖାଇବା ପାଇଁ ବାଧ୍ୟ ହୋଇଥିଲେ। ଭୋକର ଯନ୍ତ୍ରଣାକୁ ନ ବୁଝିଲେ କେହି ଭୋକ ମେଣ୍ଟାଇ ପାରେ ନାହିଁ।
ଅଧିକ ପଢ଼ନ୍ତୁ: ଏହି ଭିଡିଓ ଦେଖିବା ପରେ ଆପଣ ଆଉ ବଳକା ଖାଦ୍ୟ ଫିଙ୍ଗିବେ ନାହିଁ
କିଛିଦିନ ତଳେ ସୁପ୍ରିମ୍କୋର୍ଟ ରେ ସାମାଜିକ କାର୍ଯ୍ୟକର୍ତ୍ତା ଅଞ୍ଜଳି ଭରଦ୍ୱାଜ, ହର୍ଷ ମନ୍ଦର ଏବଂ ଜଗଦୀପ ଛୋକରଙ୍କ ପକ୍ଷରୁ ଆଗତ ଏକ ଜନସ୍ୱାର୍ଥ ମାମଲା ବରିଷ୍ଠ ଓକିଲ ପ୍ରଶାନ୍ତ ଭୂଷଣ ପରିଚାଳନା କରୁଥିଲେ। ମାମଲାଟିର ବିଚାର କରୁଥିଲେ ବିଚାରପତି ଏମ୍.ଆର. ଶାହା ଓ ବିଚାରପତି ହିମା କୋହଲି। ମାମଲାର ଶୁଣାଣୀ କରି ଦୁଇ ବିଚାରପତି କେନ୍ଦ୍ର ସରକାରଙ୍କ ଉଦ୍ଦେଶ୍ୟରେ କହିଥିଲେ ଯେ କେନ୍ଦ୍ର ସରକାର ସୁନିଶ୍ଚିତ କରନ୍ତୁ ଯେ ଦେଶରେ କୌଣସି ବ୍ୟକ୍ତି ଭୋକରେ ଶୋଉ ନାହିଁ।
ରାଷ୍ଟ୍ରୀୟ ଖାଦ୍ୟ ସୁରକ୍ଷା ଆଇନ୍ ଅନୁସାରେ ଖାଦ୍ୟପଦାର୍ଥ ସମସ୍ତଙ୍କ ପାଖରେ ପହଞ୍ଚିବା ଦରକାର। ଖଣ୍ଡପୀଠ କରୋନା ମହାମାରୀ ଏବଂ ଲକ୍ଡାଉନ୍ ସମୟରେ ପ୍ରବାସୀ ଶ୍ରମିକଙ୍କ ଅବସ୍ଥା ସମ୍ବନ୍ଧୀତ ମାମଲାର ଶୁଣାଣୀ କରୁଥିଲେ।
ଉପନିଷଦର ଏକ ପୌରାଣିକ କଥା ଅନୁସାରେ ଜଣେ ବ୍ରହ୍ମଚାରୀ ଥରେ ଜଣେ ଋଷିଙ୍କ ପାଖକୁ ଯାଇଥିଲେ। ବ୍ରହ୍ମଚାରୀ ଜଣକ ଋଷିଙ୍କୁ କହିଲେ ଗୁରୁବର, ମୋତେ ବ୍ରହ୍ମଜ୍ଞାନ ଦିଅନ୍ତୁ। ଋଷି ବ୍ରହ୍ମଚାରୀଙ୍କୁ ଧ୍ୟାନ କରିବାକୁ କହିଲେ। ଅନେକ ସମୟ ଧ୍ୟାନରେ ବସିବା ପରେ ବ୍ରହ୍ମଚାରୀ ଜଣକ ଧ୍ୟାନ ଭାଙ୍ଗି ଠିଆ ହୋଇପଡ଼ିଲେ। ଋଷି ତାଙ୍କୁ ପୁନର୍ବାର ଧ୍ୟାନ କରିବା ପାଇଁ କହିଲେ।
ସେ କିନ୍ତୁ ବସି ଧ୍ୟାନକରିବା ପରିବର୍ତ୍ତେ ଋଷିଙ୍କୁ ଅବଜ୍ଞା କରି ଉଚ୍ଚ ସ୍ୱରରେ ବସି ପାରିବେ ନାହିଁ ବୋଲି କହିବା ସହ ଭୋକରେ ଆଉଟୁପାଉଟୁ ହୋଇଯାଉଥିବା କହିଲେ। ଏପରିକି ତାଙ୍କୁ ଖାଦ୍ୟ (ଅନ୍ନ) ଦରକାର ବୋଲି କହିଲେ। ଋଷି ହସି ହସି କହିଲେ ଯେ ପ୍ରଥମ ପାଠ ହେଉଛି ଅନ୍ନ ହିଁ ବ୍ରହ୍ମ ଏବଂ ଅନ୍ନ ବିନା କିଛି ହୋଇପାରିବ ନାହିଁ।
ସେହିପରି ତୈତରୀୟ ଉପନିଷଦରେ କୁହାଯାଇଛି ଯେ ଅନ୍ନ ହେଉଛି ବ୍ରହ୍ମ। କାରଣ ଅନ୍ନରୁ ହିଁ ସବୁ ପ୍ରାଣୀ ଉତ୍ପନ୍ନ ହୋଇଥାନ୍ତି, ଉତ୍ପନ୍ନ ହୋଇ ଅନ୍ନରେ ହିଁ ଜୀବିତ ରହିଥାନ୍ତି, ଶେଷରେ ସଂସାରରୁ ପ୍ରୟାଣ କରି ପୁଣି ଅନ୍ନରେ ପ୍ରବିଷ୍ଟ ହୋଇଯାଆନ୍ତି।
୧୮୬୭-୬୮ରେ ପ୍ରଥମେ ଦେଶରୁ ଗରୀବି ଦୂର କରିବା ପାଇଁ ପ୍ରସ୍ତାବ ଆଗତ ହୋଇଥିଲା। ୧୯୩୮ରେ ସୁବାଷ ଚନ୍ଦ୍ର ବୋଷ ମଧ୍ୟ ସେକଥା କହିଥିଲେ। ୧୯୪୭ରେ ଦେଶ ସ୍ୱାଧୀନ ହେବାବେଳେ ପ୍ରତି ୩ ଜଣରେ ଦୁଇଜଣ ଗରୀବ ଥିଲେ। ଏବେ କୁହାଯାଉଛି ଯେ ପ୍ରତି ୩ ଜଣରେ ଜଣେ ଗରୀବ।
ଦେଶ ସ୍ୱାଧୀନ ହେବା ପରେ ଗରୀବ ହଟାଅ, ଦେଶ ବଞ୍ଚାଅ ଧ୍ୱନୀ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରାଗାନ୍ଧୀ ୧୯୭୪ରେ ଦେଇଥିଲେ। ରାଜୀବ ଗାନ୍ଧୀ ମଧ୍ୟ ଏହି ଧ୍ୱନୀର ପୁନରାବୃତ୍ତି କରିଥିଲେ। ପଞ୍ଚବାର୍ଷିକ ଯୋଜନାରେ ଏହାକୁ ସାମିଲ କରାଯାଇଥିଲା। ଏବେ ବି ଦେଶରେ ଖାଦ୍ୟାଭାବ (ଭୋକ)ରେ ମରୁଥିବା କଥା ନଜରକୁ ଆସୁଛି କିନ୍ତୁ ସରକାର ଘଟଣାକୁ ଗୁରୁତ୍ୱ ଦେବା ପରିବର୍ତ୍ତେ ଘଣ୍ଟ ଘୋଡାଇବାର ଉଦ୍ୟମ କରୁଛନ୍ତି। ଏହା ଦୁର୍ଭାଗ୍ୟପୂର୍ଣ୍ଣ ନିଶ୍ଚୟ।
ଭୋଜନ ହେଉଛି ମନୁଷ୍ୟର ଜନ୍ମସିଦ୍ଧ ଅଧିକାର। ଆମେରିକାର ପୂର୍ବତନ ରାଷ୍ଟ୍ରପତି ଫ୍ରାଙ୍କ୍ଲିନ୍ ରୁଜ୍ଭେଲ୍ଟ ଏକଥା ଉଠାଇଥିଲେ। ଦ୍ୱିତୀୟ ବିଶ୍ୱଯୁଦ୍ଧ ବେଳେ ଜାତିସଂଘ ଏ ପ୍ରସଙ୍ଗକୁ ଅଧିକ ଗୁରୁତ୍ୱ ଦେଇ ପ୍ରସଙ୍ଗକୁ ହାତକୁ ନେଇଥିଲା ଓ ୧୯୪୮ରେ ଆର୍ଟିକିଲ୍ -୨୫ ଅନୁସାରେ ଭୋଜନକୁ ଅଧିକାର ଭାବେ ମଞ୍ଜୁରୀ ଦେଇଥିଲା।
ସୁଖଦ କଥା ହେଉଛି ସୁପ୍ରିମ୍କୋର୍ଟ ଏବେ ଏ ପ୍ରସଙ୍ଗରେ ସରକାରଙ୍କୁ ପ୍ରଶ୍ନ କରିବା ଆରମ୍ଭ କରିଛନ୍ତି। ମାନ୍ୟବର କୋର୍ଟ ଇ-ଶ୍ରମ ପୋର୍ଟାଲ୍ରେ ପଞ୍ଜିକୃତ ପ୍ରବାସୀ ଓ ଅସଂଗଠିତ କ୍ଷେତ୍ରର ଶ୍ରମିକଙ୍କ ସଂଖ୍ୟା ବାବଦରେ ତାଜା ରିପୋର୍ଟ ଦାଖଲ କରିବା ପାଇଁ କେନ୍ଦ୍ର ସରକାରଙ୍କୁ କହିଛନ୍ତି। ମାନ୍ୟବର କୋର୍ଟ କହିଛନ୍ତି ଯେ କେନ୍ଦ୍ର ସରକାର ଏ ପ୍ରସଙ୍ଗରେ କିଛି କରୁନାହିଁ ବୋଲି ଆମେ କହୁନାହୁଁ, କିନ୍ତୁ ଆମକୁ ଦେଖିବାକୁ ପଡ଼ିବ ଯେ ବ୍ୟବସ୍ଥା ଜାରି ରହିଛି।
ଶୁଣାଣୀ ବେଳେ ଓକିଲ ପ୍ରଶାନ୍ତ ଭୂଷଣ କହିଥିଲେ ଯେ ସରକାର କହୁଛନ୍ତି ଲୋକଙ୍କ ଆୟ ବଢିଛି, କିନ୍ତୁ ବିଶ୍ୱ କ୍ଷୁଧା ସୂଚକାଙ୍କରେ ଭାରତ ତଳକୁ ଖସି ଆସିଛି। କଥା ହେଉଛି ଗ୍ଲୋବାଲ୍ ହଙ୍ଗର୍ ଇଣ୍ଡେକ୍ସର ୨୦୨୨ ରିପୋର୍ଟରେ ଭାରତର ସ୍ଥିତି ଖରାପ ବୋଲି ଦର୍ଶାଯାଇଛି। ୧୨୧ ଦେଶର ରାଙ୍କିଙ୍ଗରେ ଭାରତ ୧୦୭ ସ୍ଥାନରେ ରହିଛି।
ଆମଠାରୁ ଆମ ପଡ଼ୋଶୀ ବଙ୍ଗଳା ଦେଶ ଓ ନେପାଳର ସ୍ଥିତି ଭଲ ବୋଲି ରିପୋର୍ଟରେ କୁହାଯାଇଛି। ଏବେ ଦେଖିବାକୁ ବାକି ରହିଲା ସେ ସୁପ୍ରିମ୍କୋର୍ଟଙ୍କ ମନ୍ତବ୍ୟ ପରେ କେନ୍ଦ୍ର ସରକାର କ’ଣ ପଦକ୍ଷେପ ନେଉଛନ୍ତି ଓ ଭାରତ କ୍ଷୁଧାମୁକ୍ତ ଭାରତରେ କେବେ ପରିଣତ ହେଉଛି ?
(ବି.ଦ୍ର: ଏହି ଲେଖାରେ ଥିବା ସମସ୍ତ ତଥ୍ୟ ଲେଖକଙ୍କ ନିଜସ୍ୱ ମତ)
ଇମେଲ୍: mediaodisha2@gmail.com
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1674043064.jpg)