• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Biswajit Mohanty

ନଭେମ୍ବର ୧୯ରେ ଦିନିକିଆ ବିଶ୍ୱକପ୍ ୨୦୨୩ର ଫାଇନାଲ୍ ମ୍ୟାଚ୍ ଖେଳାଯିବ । ସଂଯୋଗବଶତଃ ସେହି ଦିନ ଭାରତୀୟ କ୍ରିକେଟ୍ ଟିମ୍‌ର ମୁଖ୍ୟ କୋଚ୍ ରାହୁଲ ଦ୍ରାବିଡ଼ଙ୍କ କାର୍ଯ୍ୟକାଳ ଶେଷ ହେବ ।

ମୁଖ୍ୟ କୋଚ୍ ଦ୍ରାବିଡ଼ ଓ ଅଧିନାୟକ ରୋହିତ ଶର୍ମାଙ୍କ ଯୋଡ଼ି ୧୨ ବର୍ଷ ପ୍ରତୀକ୍ଷାର ଅନ୍ତ ଘଟାଇ ଟିମ୍ ଇଣ୍ଡିଆକୁ ବିଶ୍ୱକପ୍ ଚାମ୍ପିଅନ୍ କରାଇବେ ବୋଲି ଆଶା ଅଛି । କିନ୍ତୁ ଯଦି ଟିମ୍ ବିଫଳ ହୁଏ ଓ ଟ୍ରଫି ଜିତି ନ ପାରେ, ତା’ହେଲେ ଦ୍ରାବିଡ଼ଙ୍କ ଚୁକ୍ତିର ଅବଧି ସମ୍ଭବତଃ ଶେଷ ହୋଇଯିବ । ପୁଣି ନୂଆ କୋଚ୍ ଲୋଡ଼ା ପଡ଼ିବେ । ଯଦି ଭାରତୀୟ ଟିମ୍ ତୃତୀୟ ଥର ବିଶ୍ୱକପ୍ ମୁକୁଟ ଜିତେ, ତା’ ହେଲେ କୋଚ୍‌ଙ୍କ କାର୍ଯ୍ୟକାଳର ସମ୍ପ୍ରସାରଣ ହୋଇପାରେ ।

ସାଧାରଣତଃ ବିଶ୍ୱକପ୍‌ର ସଫଳତା ଓ ବିଫଳତାରୁ କୋଚ୍‌ଙ୍କ ସାମର୍ଥ୍ୟ ଓ ପ୍ରଦର୍ଶନକୁ ଆକଳନ କରାଯାଏ । ବିଫଳତା ସ୍ଥଳେ କୋଚ୍‌ଙ୍କୁ କଢ଼ାଯାଏ କିମ୍ବା ସେ ସ୍ୱତଃ ଇସ୍ତଫା ଦିଅନ୍ତି । ଏହା ଅନ୍ୟ ଖେଳରେ ବି ଏହା ଦେଖିବାକୁ ମିଳେ ।

ଦ୍ରାବିଡ଼ ବି ଏ କଥା ଭଲ ଭାବେ ଜାଣନ୍ତି । ୨୦ ମାସ ହେଲା କୋଚିଂ ଦାୟିତ୍ୱ ତୁଲାଇ ଆସୁଥିବା ଏହି ପୂର୍ବତନ ଖେଳାଳିଙ୍କ ପାଇଁ ଅକ୍ଟୋବର-ନଭେମ୍ବରରେ ହେବାକୁ ଥିବା ବିଶ୍ୱକପ୍ ଏକ ଅଗ୍ନିପରୀକ୍ଷା । ସମ୍ଭବତଃ ଶେଷ ପରୀକ୍ଷା ।

ଏଥିରେ ଉତ୍ତୀର୍ଣ୍ଣ ହେଲେ, ସେ ପ୍ରଶଂସିତ ହେବେ ଏବଂ ସମ୍ଭବତଃ ତାଙ୍କ କାର୍ଯ୍ୟକାଳ ବଢ଼ିବ; କିନ୍ତୁ ବିଫଳତା ସ୍ଥଳେ ତାଙ୍କୁ କଡ଼ା ସମାଲୋଚନାର ଶରବ୍ୟ ହେବାକୁ ପଡ଼ିବ । ତାଙ୍କ ଅଧିନାୟକତ୍ୱ ସମୟର ବିଶ୍ୱକପ୍ ବିଫଳତା କଥା ଉଠିବ । ଆନ୍ତର୍ଜାତିକ କ୍ରିକେଟ୍‌ରେ ଅନେକ ଉଲ୍ଲେଖନୀୟ ଇନିଂସ୍ ଖେଳିବା ଓ କୋଚ୍ ଭାବେ ଅନେକ ଦ୍ୱିପାକ୍ଷିକ ମ୍ୟାଚ୍ ଜିତିବା ସତ୍ତ୍ୱେ ତାଙ୍କୁ ବଡ଼ ମଞ୍ଚର ବିଫଳ ଅଧିନାୟକ ଓ କୋଚ୍ ଭାବେ ପରିଗଣନା କରାଯିବ ।

‘ଭାରତୀୟ କ୍ରିକେଟ୍‌ର ପ୍ରାଚୀର’ ଭାବେ ବିବେଚିତ ଦ୍ରାବିଡ଼ଙ୍କ କୋଚିଂ ସମୟରେ ଭାରତୀୟ ଟିମ୍ ଏ ଯାବତ ୧୬ଟି ଟେଷ୍ଟ ମ୍ୟାଚ୍‌ରୁ ନଅଟିରେ ବିଜୟ ହାସଲ କରିଥିବା ବେଳେ ଦୁଇଟି ମ୍ୟାଚ୍ ଡ୍ର’ ରହିଥିଲା ଏବଂ ଅନ୍ୟ ପାଞ୍ଚଟି ମ୍ୟାଚ୍‌ରେ ପରାଜିତ ହୋଇଥିଲା ।

ସେହିପରି ୨୪ଟି ଦିନିକିଆ ଆନ୍ତର୍ଜାତିକ ମ୍ୟାଚ୍ ମଧ୍ୟରୁ ଭାରତ ୧୬ଟି ମ୍ୟାଚ୍ ଜିତିଥିବା ବେଳେ ଆଠଟିରେ ହାରି ଯାଇଥିଲେ । ଏହାଛଡ଼ା ଟିମ୍ ଇଣ୍ଡିଆ ତାଙ୍କ କାର୍ଯ୍ୟକାଳରେ ୪୧ଟି ଟି-୨୦ ଆନ୍ତର୍ଜାତିକ ମ୍ୟାଚ୍ ଖେଳି ୨୯ଟିରେ ମ୍ୟାଚ୍ ଜିତିଥିବା ବେଳେ ୧୧ଟିରେ ପରାଜିତ ହୋଇଥିଲା ଏବଂ ଗୋଟିଏ ମ୍ୟାଚ୍‌ର ଫଳାଫଳ ବାହାରିପାରି ନ ଥିଲା ।

୨୦୧୧ ପରଠାରୁ ଭାରତ କୌଣସି ବିଶ୍ୱକପ୍ ଓ ୨୦୧୩ ପରଠାରୁ କୌଣସି ଆଇସିସି ଟ୍ରଫି ଜିତିପାରି ନାହିଁ । ମହେନ୍ଦ୍ର ସିଂ ଧୋନିଙ୍କ ନେତୃତ୍ୱରେ ଶେଷ ଥର ଦିନିକିଆ ବିଶ୍ୱକପ୍ ଜିତିବା ପର ଠାରୁ ଟିମ୍ ଆଉ ଏହି ଟ୍ରଫି ହାସଲ କରିପାରି ନାହିଁ ।

ଏହି ସମୟରେ ଭାରତୀୟ ଟିମ୍ କ୍ରମାଗତ ଚାରି ବିଶ୍ୱକପ୍ ଆୟୋଜନ - ୨୦୧୫ (ଦିନିକିଆ), ୨୦୧୯ (ଦିନିକିଆ), ୨୦୨୧ (ଟି-୨୦) ଓ ୨୦୨୨ (ଟି-୨୦)ରେ ସେମିଫାଇନାଲ୍‌ରୁ ଆଗକୁ ବଢ଼ିପାରି ନ ଥିଲା । ଏପରିସ୍ଥଳେ ଭାରତୀୟ ଟିମ୍ ଉପରେ ଘରୋଇ ଗ୍ରାଉଣ୍ଡରେ ଖେଳାଯିବାକୁ ଥିବା ଦିନିକିଆ ବିଶ୍ୱକପ୍ ଜିତିବାର ଚାପ ରହିବ ।

ଦ୍ରାବିଡ଼ଙ୍କ ଉପରେ କେତେ ଚାପ ରହିବ:

ବିଶ୍ୱକପ୍ ଭଳି ବଡ଼ ଟୁର୍ଣ୍ଣାମେଣ୍ଟରେ ଉଭୟ କୋଚ୍ ଓ ଅଧିନାୟକଙ୍କ ଉପରେ ଚାପ ଥାଏ । କିନ୍ତୁ ବିଫଳତା ସ୍ଥଳେ କୋଚ୍‌ଙ୍କ ଉପରେ ଆଗ ବଜ୍ର ପଡ଼େ।

ଏକଦା ଭାରତୀୟ କ୍ରିକେଟ୍ ଟିମ୍‌ର ପ୍ରଥମ ବିଦେଶୀ କୋଚ୍ ଜନ୍ ରାଇଟ୍ ନିଜ କାର୍ଯ୍ୟକାଳ ସମୟରେ କହିଥିଲେ ଯେ ଯେତେବେଳେ ଫଳାଫଳ ଟିମ୍ ସପକ୍ଷରେ ଆସି ନ ଥାଏ, ସେତେବେଳେ ସର୍ବପ୍ରଥମେ କୋଚ୍ ବିଦାୟ ନିଅନ୍ତି । ଏହାପରେ ଅଧିନାୟକ । ଏହାପରେ ପୁଣି କୋଚ୍‌ଙ୍କ ପାଳି ପଡ଼େ । ଏହା ଏକ ଚକ୍ର।

ଏପରିସ୍ଥଳେ ପ୍ରଶ୍ନ ଉଠୁଛି ଯେ ବିଶ୍ୱକପ୍ ୨୦୨୩ରେ ଆଶାନୁରୂପ ଫଳାଫଳ ନ ମିଳିବା ସ୍ଥଳେ ଆଗ କିଏ ବିଦାୟ ନେବେ - ଦ୍ରାବିଡ଼ ନା ରୋହିତ । ତେବେ ବିଶ୍ୱକପ୍‌ର ଗୁରୁତ୍ୱକୁ ଏଇଥିରୁ ଅନୁମାନ କରାଯାଇପାରେ ଯେ ଏବେ ଠାରୁ ଏହା କୁହାଯିବା ଆରମ୍ଭ ହେଲାଣି ଯେ ଯଦି ଭାରତ ଏହି ବିଶ୍ୱକପ୍ ଜିତେ, ତା’ହେଲେ ସରକାର ଆଗୁଆ ଲୋକସଭା ନିର୍ବାଚନ କରାଇପାରନ୍ତି । ଏଭଳି ଚର୍ଚ୍ଚା ହେବାର କାରଣ, ବିଶ୍ୱକପ୍‌ର ଫଳାଫଳ ଜନସାଧାରଣଙ୍କ ମୁଡ୍‌କୁ ପ୍ରଭାବିତ କରିପାରେ ।

ବଡ଼ ମଞ୍ଚରେ ଭାରତୀୟ ଟିମ୍‌ର କ୍ରମାଗତ ବିଫଳତାକୁ ନେଇ ଚର୍ଚ୍ଚା ହୁଏ । ଦ୍ରାବିଡ଼ଙ୍କ କାର୍ଯ୍ୟକାଳରେ ବି ଟିମ୍ ଏଯାବତ ଏହି ସମସ୍ୟାରୁ ମୁକୁଳିପାରି ନାହିଁ । ଟିମ୍ ଏସିଆ କପ୍ ୨୦୨୨ ଓ ଟି-୨୦ ବିଶ୍ୱକପ୍ ୨୦୨୨ରେ ବିଫଳ ହୋଇଥିଲା । ଏହାଛଡ଼ା ଚଳିତ ବର୍ଷ ବିଶ୍ୱ ଟେଷ୍ଟ ଚାମ୍ପିଅନ୍‌ସିପ୍ ଫାଇନାଲ୍‌କୁ ଯାଇଥିଲେ ମଧ୍ୟ କ୍ରମାଗତ ଦ୍ୱିତୀୟ ଥର ଟ୍ରଫିରୁ ବଞ୍ଚିତ ହୋଇଥିଲା ।

ଆଗକୁ ଦିନିକିଆ ବିଶ୍ୱକପ୍ ପୂର୍ବରୁ ଏସିଆ କପ୍ ରହିଛି । କୋଚ୍ ଭାବେ ଦ୍ରାବିଡ଼ଙ୍କ ପ୍ରଦର୍ଶନକୁ ଆକଳନ କରିବା ପାଇଁ ଦ୍ୱିପାକ୍ଷିକ ସିରିଜ୍ ତୁଳନାରେ ଏହିସବୁ ବହୁପାକ୍ଷିକ ଟୁର୍ଣ୍ଣାମେଣ୍ଟକୁ ଅଧିକ ଗୁରୁତ୍ୱ ଦିଆଯିବ । ସବୁଠାରୁ ଅଧିକ ଗୁରୁତ୍ୱପୂର୍ଣ୍ଣ ହେବ ଦିନିକିଆ ବିଶ୍ୱକପ୍ ।

ଦେଶରେ ଅନେକ ପ୍ରତିଭାଶାଳୀ ଖେଳାଳି ଓ ଆର୍ଥିକ ସମ୍ବଳ ଥିବା ସତ୍ତ୍ୱେ ଭାରତୀୟ ଟିମ୍ ଏକ ଦଶନ୍ଧି ହେଲା ଆଇସିସି ଟ୍ରଫି ଜିତିପାରି ନାହିଁ । ଏହାର କେତେକ କାରଣ ରହିଛି । ବ୍ୟସ୍ତ କାର୍ଯ୍ୟସୂଚୀ ଏବଂ ଏହା ଯୋଗୁଁ ବଡ଼ ଟୁର୍ଣ୍ଣାମେଣ୍ଟ ପାଇଁ ଟିମ୍‌ର ଆବଶ୍ୟକତା ଠାରୁ କମ୍ ପ୍ରସ୍ତୁତି ଓ ଖେଳାଳିଙ୍କ ଆଘାତଜନିତ ସମସ୍ୟା ।

ବଡ଼ ମଞ୍ଚରେ ବିଫଳତା ପାଇଁ ସବୁବେଳେ କୋଚ୍‌ଙ୍କୁ ଦୋଷ ଦିଆଯାଇପାରିବନି । ବ୍ୟସ୍ତ କାର୍ଯ୍ୟସୂଚୀକୁ କମାଇବା ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡ (ବିସିସିଆଇ)ର ଦାୟିତ୍ୱ । ଆଇସିସିର ଏକ ସଦ୍ୟତମ ରିପୋର୍ଟ ଅନୁଯାୟୀ, ୨୦୨୨ ଜୁନ୍ ୧ରୁ ୨୦୨୩ ମେ’ ୩୧ ମଧ୍ୟରେ ନ୍ୟୁଜିଲାଣ୍ଡ ଟିମ୍ ସର୍ବାଧିକ ୧୦୧ ଦିନ ମ୍ୟାଚ୍ ଖେଳିଥିବା ବେଳେ ଭାରତ ୯୫ ଦିନ ମ୍ୟାଚ୍ ଖେଳି ଦ୍ୱିତୀୟ ସ୍ଥାନରେ ରହିଛି ।

ଏହାଛଡ଼ା ଅନ୍ୟ କାରଣ ହେଉଛି ଠିକ୍ ଟିମ୍ ଚୟନ କରି ନ ପାରିବା ଏବଂ ମ୍ୟାଚ୍ ସମୟରେ ପରିସ୍ଥିତିକୁ ଦୃଷ୍ଟିରେ ରଖି ଉଚିତ ନିଷ୍ପତ୍ତି ନେଇ ନ ପାରିବା । ଏଥିପାଇଁ କୋଚ୍ ଓ ଅଧିନାୟକଙ୍କୁ ଦାୟୀ କରାଯାଇପାରିବ ।

ତେବେ ଗୋଟିଏ କଥାକୁ ସ୍ୱୀକାର କରିବାକୁ ହେବ ଯେ ଦ୍ରାବିଡ଼ ଉଚ୍ଚକୋଟୀର କୋଚ୍ । ଜାତୀୟ କ୍ରିକେଟ୍ ଏକାଡେମୀର ମୁଖ୍ୟ ଭାବେ ହେଉ କିମ୍ବା ଜୁନିଅର୍ ଟିମ୍‌ର କୋଚ୍ ଭାବେ - ଦ୍ରାବିଡ଼ଙ୍କ ଅବଦାନ ଅନସ୍ୱୀକାର୍ଯ୍ୟ । ଏହାଛଡ଼ା କେବଳ ଭାରତୀୟ କ୍ରିକେଟ୍ ନୁହେଁ, ବିଶ୍ୱ କ୍ରିକେଟ୍‌ର ସେ ଜଣେ ବଡ଼ ଖେଳାଳି ଥିଲେ ।

ବ୍ୟାଟିଂରେ କଳାତ୍ମକତା ଯୋଗୁଁ ସେ ଶ୍ରେଷ୍ଠ ବ୍ୟାଟର୍‌ଙ୍କ ମଧ୍ୟରେ ପରିଗଣିତ ହେଉଥିଲେ । କୋଚ୍ ଭାବେ ସେ ଅନେକ ଯୁବ ଖେଳାଳିଙ୍କ ପ୍ରତିଭାକୁ ପରଖି ସେମାନଙ୍କ ପ୍ରଦର୍ଶନରେ ସୁଧାର ଆଣିଛନ୍ତି ।

ଏହିସବୁ କାରଣରୁ ଦ୍ରାବିଡ଼ଙ୍କୁ ଏହି ଆଶା ରଖି ଟିମ୍‌ର ମୁଖ୍ୟ କୋଚ୍ କରାଯାଇଥିଲା ଯେ ସେ ବିଶ୍ୱକପ୍ ମୁକୁଟ ମରୁଡ଼ିର ଅନ୍ତ ଘଟାଇବେ । ଖୋଦ୍ ଦ୍ରାବିଡ଼ ଏ କଥା ଜାଣନ୍ତି । ତାଙ୍କୁ ଏ କଥା ବି ଜଣା ଅଛି ଯେ ତାଙ୍କ କୋଚ୍ କ୍ୟାରିଅର ବିଶ୍ୱକପ୍ ସହିତ ବନ୍ଧା ପଡ଼ିଛି ।

ଇମେଲ୍: biswasports@gmail.com

(ବି.ଦ୍ର: ଏହି ଲେଖାରେ ଥିବା ସମସ୍ତ ତଥ୍ୟ ଲେଖକଙ୍କ ନିଜସ୍ୱ ମତ)