ଲେଖକ: ଡ. ପ୍ରଭାସ ଆଚାର୍ଯ୍ୟ
ପ୍ରକାଶକ: ଡା. ମାର୍କଣ୍ଡେୟ ଆଚାର୍ଯ୍ୟ
ଷ୍ଟେସନ୍ ବଜାର, ମଠସାହି, କଟକ-୭୫୩୦୦୩
ପ୍ରଚ୍ଛଦ: ସୋମା ବାଗ୍ଚୀ, ମୂଲ୍ୟ: ୧୭୦ ଟଙ୍କା
ଖାଲି ସମାଜସେବା ନୁହେଁ, ସାହିତ୍ୟ, ସାମ୍ବାଦିକତା, ପ୍ରାବନ୍ଧିକ, କବି, ଶିକ୍ଷାଦାନ, ସଫଳ ଉପସ୍ଥାପକ, ସମ୍ବାଦ ପାଠକ ଏମିତି ଅନେକ ବିଶେଷଣର ବ୍ୟକ୍ତିତ୍ୱ ହେଉଛନ୍ତି ଡ. ପ୍ରଭାସ ଆଚାର୍ଯ୍ୟ। ବହୁ ପ୍ରତିଷ୍ଠିତ ଖବରକାଗଜରେ ତାଙ୍କ ଦ୍ୱାରା ଲିଖିତ ପ୍ରବନ୍ଧ, ଗଳ୍ପ, କବିତା ପ୍ରକାଶିତ ହୋଇ ଓଡ଼ିଆ ସାହିତ୍ୟ କ୍ଷେତ୍ରରେ ଏକ ସ୍ୱତନ୍ତ୍ର ସ୍ଥାନ ହାସଲ କରି ପାରିଛନ୍ତି। ସୃଜନର ସ୍ୱୀକୃତିସ୍ୱରୂପ ସେ ବହୁ ଅନୁଷ୍ଠାନ ଦ୍ୱାରା ପୁରସ୍କୃତ ହୋଇଛନ୍ତି।
ଉତ୍କଳମଣି ଗୋପବନ୍ଧୁ ଦାସ ଏବଂ ମା’ ସତ୍ୟଭାମା ଆଚାର୍ଯ୍ୟଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ସମାଜ ସେବା କରିବାକୁ ମନ ବଳାଇଥିଲେ ଡ. ଆଚାର୍ଯ୍ୟ। ଏମିତି କି ଚାକିରି ଛାଡ଼ି ସମାଜସେବାକୁ ଜୀବନର ବ୍ରତ ବୋଲି ମାନିନେଲେ ଆଉ ସେହି ଧାରାକୁ ଅଦ୍ୟାବଧି ବଞ୍ଚାଇ ରଖିଛନ୍ତି। ମୋଟା ଅଙ୍କର ସରକାରୀ ଚାକିରିରୁ ସ୍ୱେଚ୍ଛାକୃତ ଅବସର ନେଇ ଏବେ ଲୋକ ସେବକ ମଣ୍ଡଳର ଆଜୀବନ ସଦସ୍ୟ ହେବା ସହିତ ରାଷ୍ଟ୍ରୀୟ ସମ୍ପାଦକ ପଦ ମଣ୍ଡନ କରିଛନ୍ତି।
ଏଥିସହିତ ସେ ଦୈନିକ ଖବର କାଗଜ ‘ସମାଜ’ର ମୁଖ୍ୟ ପ୍ରଶାସନିକ ଅଧିକାରୀ ଦାୟିତ୍ୱ ନିଭାଉଛନ୍ତି। ଆଜିକାଲି ବସ୍ତୁବାଦୀ ଦୁନିଆରେ ସମାଜସେବା କରିବାକୁ କାଁ ଭାଁ ଲୋକ ଆଗକୁ ଆସନ୍ତି, କିଛି ଦିନ ପରେ ପ୍ରେକ୍ଷାପଟରୁ ଉଭେଇ ଯାଆନ୍ତି। କିନ୍ତୁ ଡ. ଆଚାର୍ଯ୍ୟ ଏସବୁକୁ ଜୀବନର ଲକ୍ଷ୍ୟ ଓ ଆଦର୍ଶ ବୋଲି ମାନିନେଇଛନ୍ତି। ଡ. ଆଚାର୍ଯ୍ୟ କିଛି ବର୍ଷ ସରକାରୀ ଚାକିରି କରି ଅନେକ ଅନୁଭୂତି ସାଉଁଟିଲେ। ନିତିଦିନିଆ ଜୀବନରେ ଘଟୁଥିବା ଘଟଣା ସବୁ ତାଙ୍କ ମାନସ ପଟରେ ଲିପିବଦ୍ଧ ହୋଇ ରହିଲା।
Also Read
କେବେ ଭୋକ ଉପାସରେ ଦିନ କାଟୁଥିବା ବାପା ମା’ ଛେଉଣ୍ଡ ପିଲାର ଦୁଃଖ ତାଙ୍କୁ ବିଚଳିତ କଲାଣି ତ ପୁଣି କେବେ ପ୍ରାକୃତିକ ଦୁର୍ବିପାକରେ ବନ୍ୟା ପ୍ରପୀଡ଼ିତଙ୍କ ଦୁର୍ଦଶା ତାଙ୍କୁ ମୂହ୍ୟମାନ କଲାଣି। ପୁଣି କେବେ ବାତ୍ୟାରେ ଉଜୁଡ଼ି ଯାଇଥିବା ଗରିବର ଭଙ୍ଗା ଘର ଦୁଆରୁ ତାଙ୍କୁ ବିକଳ କ୍ରନ୍ଦନର ସ୍ୱର ଶୁଭିଲାଣି ତ ପୁଣି କେବେ ରକ୍ତ ଅଭାବରୁ ଜୀବନ ଉଜୁଡ଼ି ଯିବାର ଦୁଃଖ ତାଙ୍କୁ ଅସ୍ତବ୍ୟସ୍ତ କଲାଣି। ଆଉ ସେଇ ସବୁ ଅନୁଭବଗୁଡ଼ିକୁ ଗୋଟାଇ ଆଣି ସୁନ୍ଦର ସୁନ୍ଦର ଗଳ୍ପ ତିଆରି କରିବାରେ ମାହିର ଡ. ଆଚାର୍ଯ୍ୟ।
‘ସାଉଁଟା ସ୍ମୃତି’ରେ ସ୍ଥାନ ପାଇଥିବା ଗଳ୍ପଗୁଡ଼ିକ କଳ୍ପନାରୁ ଆଦୌ ତିଆରି ହୋଇନି, ଏଥିରେ ଥିବା ସମସ୍ତ ଗଳ୍ପ ଜୀବନର ନିଚ୍ଛକ ସତ୍ୟ ଉପରେ ପର୍ଯ୍ୟବସିତ। ପ୍ରତିଟି ଗଳ୍ପ ପଢ଼଼ିବା ପରେ ଲାଗିବ-ଘଟଣା ସବୁ ଏଇ ଆମ ଚାରିପାଖରେ ପ୍ରତିଦିନ ଘଟୁଛି। ଆମ ସମାଜର କଥାକୁହାମାନେ ସବୁ ଦେଖନ୍ତି, ଚୁପଚାପ ରହନ୍ତି। ହେଲେ ଡ. ଆଚାର୍ଯ୍ୟ ସିଧାସଳଖ ବିପନ୍ନଙ୍କ ପାଖେ ପହଞ୍ଚି ସରଳ, ନମ୍ର ବ୍ୟବହାରରେ ମନ ଜିଣିବା ସହିତ ଆର୍ଥିକ ସହାୟତା ପ୍ରଦାନ କରି ଦୁଃଖ, ଯନ୍ତ୍ରଣା ଆଉ ଅବସାଦକୁ କିଛି ମାତ୍ରାରେ ଲାଘବ କରିବାରେ ସକ୍ଷମ ହୋଇଥାନ୍ତି।
ସାମାନ୍ୟକୁ ଅସାମାନ୍ୟ, ସାଧାରଣରୁ ଅସାଧାରଣ କରିବାର କଳା କୌଶଳ ତାଙ୍କୁ ଜଣା। ଜୀବନକୁ ଯେମିତି ଯୁଝିଛନ୍ତି, ଯେମିତିଭାବେ ବିଶ୍ୱନିୟନ୍ତାଙ୍କୁ ଉପଲବ୍ଧି କରିଛନ୍ତି, ସେସବୁ ତାଙ୍କ ଗଳ୍ପରେ ସ୍ୱତଃସ୍ଫୂର୍ତ୍ତ ଭାବେ ଝରିଆସିଛି। ସେଇ ଛୋଟ ଛୋଟ ଗଳ୍ପର ସମାହାର ହେଉଛି ‘ସାଉଁଟା ସ୍ମୃତି’। ୪୮ଟି ମନଲୋଭା ଗଳ୍ପକୁ ନେଇ ଡ. ଆଚାର୍ଯ୍ୟଙ୍କ ‘ସାଉଁଟା ସ୍ମୃତି’ ପୁରିପୁଷ୍ଟିତ। ଆମ ସାମାଜିକ ଜୀବନରେ ଘଟୁଥିବା ଘଟଣାକୁ କଥାରେ କଥାରେ, ବିଭିନ୍ନ ବାଗରେ, ସରଳ ଶଦ୍ଦ ସଂଯୋଜନାରେ ଜୀବନ୍ୟାସ ଦେଇଛନ୍ତି ଲେଖକ ଡ. ଆଚାର୍ଯ୍ୟ। ପୂର୍ବରୁ ଲେଖକଙ୍କର ଏହି ଗଳ୍ପ ଗୁଡ଼ିକ ‘ସମାଜ’ ସାପ୍ତାହିକ ପ୍ରକାଶିତ ହୋଇ ବିପୁଳ ପାଠକୀୟ ଆଦୃତି ଲାଭ କରିଛି। ଶାଢ଼ୀର ରଙ୍ଗ, ଶେଷ ହିତାଧିକାରୀ, ଛୋଟ ସହର ବଡ଼ ଦୁଃଖ, ଶିବଙ୍କ ସାପ, ତିନି ବିଧବାଙ୍କ ଦୁଃଖ, ଶଯ୍ୟା ୫୦୫, ଟ୍ରେନ ଆସିବା ବେଳ, ରାତି ବସ୍, ମଣିଷ ମୁଣ୍ଡ କୁକୁର ମସ୍ତିଷ୍କ, ୪୫ ବର୍ଷର ପ୍ରତୀକ୍ଷା, ଠାକୁର ଘର, ଛାଇ ଆଲୁଅର ଖେଳ, ବତୁରା ବାବା, ଆଶ୍ରା, ସ୍ୱାଭିମାନ, ଦୁନିଆର ରଙ୍ଗ, ସ୍ତ୍ରୀ, ଲୀଳା, ଚୋରି, ମହିଳା ଥାନାରେ ରାତି, ଦେବଦତ୍ତ, ଡୋରି, ଖଟା ଚକୋଲେଟ୍ ଆଦି ଗଳ୍ପ ପାଠକଙ୍କ ମନକୁ ଆନ୍ଦୋଳିତ କରିବା ସହିତ ଜୀବନକୁ ଶିକ୍ଷା ଦେବ ବୋଲି ଆଶା କରାଯାଏ।
ସମ୍ପ୍ରତି ଓଡ଼ିଆ ସାହିତ୍ୟରେ ପ୍ରେମ-ପ୍ରତାରଣା, ସଂଘର୍ଷ, ଭଲ ପାଇବାକୁ ନେଇ ଗଳ୍ପ ଲେଖାଯାଉଥିବାବେଳେ ‘ସାଉଁଟା ସ୍ମୃତି’ରେ ସ୍ଥାନ ପାଇଥିବା ଗଳ୍ପଗୁଡ଼ିକ ତା’ର ଏକ ବ୍ୟତିକ୍ରମ। ଏଥିରେ ପ୍ରତିଟି ଗଳ୍ପରେ ଅଛି ପ୍ରତି ମୂହୁର୍ତ୍ତରେ ବଦଳୁଥିବା ସମାଜ ପ୍ରତି ବାର୍ତ୍ତା। ‘ଆଶ୍ରା’ ଗଳ୍ପରେ ଗାଳ୍ପିକ ଲେଖିଛନ୍ତି- ‘ସ୍ୱାମୀଙ୍କର ଦେହାନ୍ତ ହୋଇଗଲାଣି ପାଞ୍ଚ ଛଅ ବର୍ଷ ହେଲାଣି। ମରଦ ଲୋକ ଘରୁ ଚାଲିଗଲେ କ’ଣ ହୁଏ, ସେକଥା ଏବେ ବୁଝୁଛନ୍ତି ଶିକ୍ଷୟିତ୍ରୀ ଜଣକ।
ମୃତ୍ୟୁର ମାସେ ଦି’ ମାସ ନ ହେଉଣୁ ବନ୍ଧୁ ବାନ୍ଧବଙ୍କ ଯିବା ଆସିବା ଟିକେ କମିଯାଏ। ତା’ର କାରଣ ଖୋଜି ପାଆନ୍ତିନି ଶିକ୍ଷୟିତ୍ରୀ। ସେ ତ ଦେବା ନେବାରେ ଉଣା କରନ୍ତିନି। ଯିଏ ଯେତେବେଳେ ଆସନ୍ତି ପିଠାପଣା, ଭଲମନ୍ଦ ସବୁ କରି ଧରେଇ ଦିଅନ୍ତି ସେ। ତଥାପି କୋଉଠି କ’ଣ ଊଣା ହୁଏ କେଜାଣି ବନ୍ଧୁ ବାନ୍ଧବ ଟିକିଏ ଦୂରେଇ ଗଲା ପରି ଲାଗେ ତାଙ୍କୁ।
ହଁ, ଜୀବନଟା ଏମତି ସ୍ୱାର୍ଥରେ ବନ୍ଧା। ଜୀବନ ଆଉ ମଣିଷର ମନକୁ ବୁଝିବାକୁ ଅନେକ ବର୍ଷ ଲାଗେ ସିନା, ହେଲେ ବୁଝିଲା ବେଳକୁ ଜୀବନର ସଞ୍ଜ ନଇଁ ଆସିବାକୁ ଆଉ ବେଶୀ ଦିନ ନ ଥାଏ କିମ୍ବା ନଇଁ ସାରିଥାଏ।
ସେହିପରି ‘ସ୍ତ୍ରୀ’ ଗଳ୍ପରେ ଗାଳ୍ପିକ ଲେଖିଛନ୍ତି- ସମଗ୍ର ୱାର୍ଡ଼ର ଜଗୁଆଳି ଭଳି ମୁଁ ଅପଲକ ନୟନରେ ଝରକା ଦେଇ ଆକାଶର ଯେଉଁ କ୍ଷୁଦ୍ର ଅଂଶତଳ ଦେଖାଯାଉଥାଏ, ତା’ରି ମଧ୍ୟରେ ତାରାର ମିଞ୍ଜି ମିଞ୍ଜି ଆଲୋକ ଭିତରେ ସ୍ୱାମୀଙ୍କ ଆରୋଗ୍ୟ କାମନା କରୁଥାଏ। ତାଙ୍କ ଆକାଉଣ୍ଟରୁ ପଇସା ସରିଗଲା ପରେ ମୁଁ ଯେତେବେଳେ ଶାଶୁ ଶ୍ୱଶୁରଙ୍କ ପାଖରେ ହାତ ପତେଇଲି, ସେତେବେଳେ ସେମାନଙ୍କ ବ୍ୟବହାର ମୋତେ ଆହୁରି କ୍ଷତାକ୍ତ କଲା। ପଇସା ଦେବା ତ ଦୂରର କଥା, ସେମାନଙ୍କ ଶଦ୍ଦରେ ମୁଁ ଶୁଣିପାରିଥିଲି ମୋ ପ୍ରତି ଖୋଦୋକ୍ତି ଓ ଲାଞ୍ଝନା...।
ତିନି ବର୍ଷ ପରେ ସେ ମୋତେ ଛାଡ଼ି ଚାଲିଗଲେ। ମୋର ଶତଚେଷ୍ଟା ବିଫଳ ହେଲା। ଶଙ୍ଖା ସିନ୍ଦୂର ସବୁ ସେ ପୋଛି ନେଇଗଲେ ମୋ ଦେହରୁ। ମୁଁ ସେତେବେଳକୁ କାଙ୍ଗାଳ ହୋଇସାରିଥିଲି। ମୋ ପାଖରେ ମୋ ଲୋକ କି ଧନ ନ ଥିଲା। ଶାଶୁ ଘରର କଟୁ ମନ୍ତବ୍ୟ ଶୁଣି କଟା ଘା’ରେ ଚୂନ ଦେବା ପରି ଲାଗୁଥିଲା ମୋତେ। ମାସେ ନ ପୂରୁଣୁ ମୁଁ ତାଙ୍କ ଘର ଛାଡ଼ିବାକୁ ବାଧ୍ୟ ହେଲି। ଚାଲି ଆସିଲି ବାପଘରକୁ। ଇଏ ହିଁ ମୋ ଜୀବନ ସଂଗ୍ରାମର କାହାଣୀ’। ହଁ, ମାତ୍ର ୩୦ ବର୍ଷ ବୟସରେ ଜୀବନର ଏତେ ବଡ଼ ଝଡ଼ ଝଞ୍ଜାକୁ ଦମ୍ଭର ସହିତ ସାମ୍ନା କରି ସମାଜରେ ସବୁ ବାଧା ବିଘ୍ନକୁ ସହ୍ୟ କରି ସ୍ୱାଭିମାନର ସହିତ ବଞ୍ଚିପାରେ ବୋଲି ଏ ଗଳ୍ପରୁ ବେଶ୍ ବାରି ହୋଇପଡ଼େ।
‘ପ୍ରେତ ପ୍ରକୋଷ୍ଠ’ ଗଳ୍ପଟି ଅନ୍ୟ ଗଳ୍ପଗୁଡ଼ିକ ଠାରୁ କିଛି ମାତ୍ରାରେ ନିଆରା। କାରଣ ଏହି ‘ପ୍ରେତ ପ୍ରକୋଷ୍ଠ’ରେ ବିଫଳ ପ୍ରେମ ପାଇଁ କିଛି ମାସ ତଳେ ଜଣେ ଝିଅ ଆତ୍ମହତ୍ୟା କରିଥିଲା। ତା’ର ଆତ୍ମା ଏହି କୋଠରୀରେ ସତସତିକା ଘୂରିବୁଲେ ବୋଲି ଶେଷରେ ଗୁମର ଫିଟିଥିଲା। ଗଳ୍ପରେ ଗାଳ୍ପିକ ଶ୍ରୀଯୁକ୍ତ ଆଚାର୍ଯ୍ୟ ଲେଖିଛନ୍ତି- ସେତେବେଳ ପର୍ଯ୍ୟନ୍ତ ସବୁ ଶୁଣି ପାରୁଥିଲେ ମଧ୍ୟ ଯେଉଁ ପ୍ରକୋଷ୍ଠରୁ ଶଦ୍ଦ ଆସୁଥିଲା, ସେଇଠାରେ ଶୋଇଥିବା ଅନ୍ୟଜଣେ ଝିଅ କମ୍ବଳ ଭିତରେ ଆଖିବୁଜି ପ୍ରାଣ ଭୟରେ ପଡ଼ିଥିଲା। ପାଖ ରୁମ୍ ସାଙ୍ଗମାନଙ୍କ ଶଦ୍ଦ ଶୁଣି ସେ ଯାଇ କବାଟ ଖୋଲି ଦେଇ ସାଙ୍ଗଙ୍କୁ କୁଣ୍ଢେଇ ଧରିଲା।
ଅନ୍ୟଜଣେ ଯାଇ ରୁମ୍ ଆଲୁଅ ଅନ୍ କରିଦେଲା। ଆଲୋକ ବିଞ୍ଚିହେବା ସହିତ ଶଦ୍ଦ ମଧ୍ୟ ବନ୍ଦ ହୋଇଗଲା। ସମସ୍ତେ ଯାଇ ହାତ ମାରିଲେ ଅଙ୍କିତା ଦେହରେ। ସେ ‘ମାଆ ଲୋ’ ବୋଲି ଚିତ୍କାର ଛାଡ଼ି ସାଙ୍ଗମାନଙ୍କୁ ଜରବୁଡ଼ି ଧରିଲା। ପ୍ରାୟ ଦଶ ମିନିଟ୍ ପର୍ଯ୍ୟନ୍ତ ସେ ବରଡ଼ାପତ୍ର ପରି। ସାଙ୍ଗମାନେ ସାନ୍ତ୍ୱନା ଦେଲେ। ତା’ ଅଭିଜ୍ଞତାର ବର୍ଣ୍ଣନା ଶୁଣିଲେ। ଶେଷରେ ତଣ୍ଟିକୁ ଧରି ଚିପି ପକାଇଲା। ବାକିତକ ରାତି କେହି ଶୋଇ ନ ଥିଲେ। ତେବେ ସକାଳ ହେବା ପରେ ଥଟ୍ଟା ପରିହାସରେ କଥାଟାକୁ ଉଡ଼େଇ ଦେଲେ।
ନିଜ ଭିତରେ ଆଲୋଚନା କରି ମଜା ନେଲେ। ହ୍ୱାଟ୍ସ ଆପ୍ ଗ୍ରୁପ୍ରେ ଅଙ୍କିତାର ଆତଙ୍କକୁ ନେଇ ଦିନ ସାରା ଚାଲିଲା ଚାଟିଂ’। ଆମେ କାହାଣୀରେ ହେଉ ବା ଫିଲ୍ମରେ ହେଉ ଜାଣିଛନ୍ତି ବା ଶୁଣିଛନ୍ତି-ପ୍ରେମରେ ଝିଅମାନେ ଧୋକ୍କା ଦିଅନ୍ତି। କିନ୍ତୁ ଏହି ଗଳ୍ପରେ ଝିଅକୁ ଧୋକ୍କା ଖାଇବା ପରେ ଆତ୍ମହତ୍ୟା କରିଥିଲା। ଯାହାର ମୂକସାକ୍ଷୀ ଥିଲା କ୍ଷୀରବାଲା।
ଏଥିରେ ସ୍ଥାନ ପାଇଥିବା ସମସ୍ତ ଗଳ୍ପଗୁଡ଼ିକ ସୁଖପାଠ୍ୟ। ଛୋଟ ଛୋଟ ଘଟଣା ମାଧ୍ୟମରେ ଦେଇଛନ୍ତି ସମାଜକୁ ବଡ଼ ବଡ଼ ବାର୍ତ୍ତା। ସବୁ ଗଳ୍ପଗୁଡ଼ିକ ସବୁ ସମୟରେ ସମାଜକୁ ଶିକ୍ଷଣୀୟ ବାର୍ତ୍ତା ଦେବା ସହିତ କଳୁଷିତ ସମାଜ ପ୍ରତି ସତର୍କ ଘଣ୍ଟି ମଧ୍ୟ ଏଥିରେ ସନ୍ନିବେଶିତ ଗଳ୍ପଗୁଡ଼ିକ। ଏଥିରେ ଥିବା ସମସ୍ତ ଗଳ୍ପ ପାଠକଙ୍କୁ ବାନ୍ଧି ରଖିବ ବୋଲି ଆଶା କରାଯାଏ।