• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pabitra Mohan Kar

ପ୍ରଜାପିତା ବ୍ରହ୍ମା କୁମାରୀ ଅନୁଷ୍ଠାନ ଦ୍ଵାରା ଆୟୋଜିତ 'ଆଜାଦି କା ଅମୃତ ମହୋତ୍ସବ' କାର୍ଯ୍ୟକ୍ରମର ଶୁଭାରମ୍ଭ କରି ପ୍ରଧାନମନ୍ତ୍ରୀ ମୋଦି ଗୁରୁତ୍ଵପୂର୍ଣ୍ଣ ପରାମର୍ଶଟିଏ ଦେଇଛନ୍ତି। ବିଦେଶରେ ଭାରତର ଭାବମୂର୍ତ୍ତିକୁ ବିକୃତ କରାଯିବାର ଅପପ୍ରୟାସକୁ ବିରୋଧ କରାଯାଉ। ଏଥିରେ ବ୍ରହ୍ମା କୁମାରୀଙ୍କ ସମେତ ସମସ୍ତଙ୍କର ଯୋଗଦାନ ରହୁ।

ବିଦେଶରେ ଭାରତର ପ୍ରଭାବ ଓ ପତିଆରା ହ୍ରାସ ପାଇବା ପ୍ରତ୍ୟେକ ଭାରତୀୟଙ୍କ ପାଇଁ ଦୁଃଖ ଓ କ୍ଷୋଭର ବିଷୟ। ବିଶ୍ଵ ମଞ୍ଚରେ ନିଜ ଦେଶ ଉପହସିତ ହେଲେ କାହାକୁ ବା କଷ୍ଟ ନ ଲାଗିବ?

ବିଶ୍ଵ ସ୍ତରରେ ସକ୍ରିୟ ସହଯୋଗ ଓ ପ୍ରଭାବ ବୃଦ୍ଧି ନିମନ୍ତେ ଅନ୍ୟ ରାଷ୍ଟ୍ରମାନଙ୍କ ଭଳି ଆମ ଦେଶର ମଧ୍ୟ ଏକ ବୈଦେଶିକ ବିଭାଗ (ମନ୍ତ୍ରାଳୟ) ଅଛି। ପୃଥିବୀର ଅଧିକାଂଶ ରାଷ୍ଟ୍ରରେ ଭାରତର ରାଷ୍ଟ୍ରଦୂତ (ambassador) ଓ ଉଚ୍ଚାୟୁକ୍ତ (high commissioner)ମାନେ ନିଯୁକ୍ତ। ସାର୍ବଭୌମ ରାଷ୍ଟ୍ରମାନଙ୍କର ସହଯୋଗ-ଭିତ୍ତିକ ଶାନ୍ତିପୂର୍ଣ୍ଣ ସହାବସ୍ଥାନ ଓ ଏକ ଯୁଦ୍ଧଭୟ-ମୁକ୍ତ ବିଶ୍ଵ ନିର୍ମାଣରେ ସ୍ଵାଧୀନ ଭାରତର ନିଜସ୍ଵ ସ୍ଵତନ୍ତ୍ର ନୀତି, ଦର୍ଶନ, ଆଭିମୁଖ୍ୟ ଓ ଅବଦାନ ବିଶ୍ଵବିଦିତ।

ପ୍ରାକ୍ ସ୍ଵାଧୀନତା କାଳରେ ମଧ୍ୟ ତତ୍କାଳୀନ ତୁଙ୍ଗ ସଂଗ୍ରାମୀମାନେ ବିଶ୍ଵରେ ଆଲୋଡନ ସୃଷ୍ଟି କରିପାରିଥିଲେ। ୧୯୨୭ ମସିହାରେ ବ୍ରସେଲେସ୍‌ ଠାରେ ଅନୁଷ୍ଠିତ 'ଉପନିବେଶ ବିରୋଧି ସଂଗଠନ'ର ବିଶ୍ଵ ସମ୍ମିଳନୀରେ ଭାରତୀୟ ଜାତୀୟ କଂଗ୍ରେସର ପ୍ରତିନିଧିତ୍ଵ କରି ପଣ୍ଡିତ ନେହରୁ ଆମ ସ୍ଵାଧୀନତା ଆନ୍ଦୋଳନ ପ୍ରତି ବିଶ୍ଵନେତାମାନଙ୍କର ଦୃଷ୍ଟି ଆକର୍ଷଣ କରିଥିଲେ। ନେତାଜୀ ସୁଭାଷ ବୋଷ ମଧ୍ୟ 'ଆଜାଦ ହିନ୍ଦ ଫୌଜ' ଗଠନ କରି ଜାପାନ, ଇଟାଲି, ଜର୍ମାନୀ, ରୁଷିଆ, ବର୍ମା, ଥାଇଲାଣ୍ଡ ଆଦି ରାଷ୍ଟ୍ର ଭ୍ରମଣ କରି ବିଦେଶରେ ଭାରତର ବୀରତ୍ଵର ଧ୍ଵଜା ଉଡ଼େଇଥିଲେ।

ଜାତିର ଜନକ ମହାତ୍ମା ଗାନ୍ଧୀ ଊନବିଂଶ ଶତାବ୍ଦୀର ଶେଷ ଦଶକ ବେଳକୁ ଦକ୍ଷିଣ ଆଫ୍ରିକାରେ ସତ୍ୟାଗ୍ରହ କରି ସାରା ବିଶ୍ଵରେ ତରଙ୍ଗ ସୃଷ୍ଟି କରିପାରିଥିଲେ। ଭାରତୀୟ ସ୍ଵାଧୀନତା ଆନ୍ଦୋଳନ ସମୟରେ ବିଶ୍ଵର ବିସ୍ମୟ ଭାବେ ପରିଗଣିତ ଗାନ୍ଧୀଜୀ ଆଧୁନିକ ଭାରତର ସ୍ଵାତନ୍ତ୍ର୍ୟ ସିଦ୍ଧ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ।

ସ୍ଵାଧୀନ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ନେହରୁଙ୍କ ପ୍ରଚେଷ୍ଠାରେ ପ୍ରଣୟନ ଓ କାର୍ଯ୍ୟକାରୀ ହୋଇଥିବା ପଞ୍ଚଶୀଳ ନୀତି ଏବଂ ଗୋଷ୍ଠୀ ନିରପେକ୍ଷ ଆନ୍ଦୋଳନର ଭୂମିକା ଓ ଅବଦାନ ବିଂଶ ଶତାବ୍ଦୀର ଯୁଦ୍ଧକ୍ଳିଷ୍ଟ ବିଶ୍ଵ ପାଇଁ ଆଶା ଓ ଆଶ୍ଵାସନାର ଆଲୋକ ବର୍ତ୍ତିକା ସଦୃଶ ଥିଲା।

ସ୍ଵାଧୀନତା ପ୍ରାପ୍ତିର ଆଦ୍ୟ କାଳରେ ବିବିଧତାରେ ଭରା ଓ ଖାଦ୍ୟାଭାବରେ ପୀଡିତ ବିଶାଳ ଭାରତବର୍ଷର ଭିତ୍ତି ଓ ସ୍ଥିତି ମଜବୁତ କରିବା ପାଇଁ ଶିକ୍ଷା, ସ୍ୱାସ୍ଥ୍ୟ, କୃଷି, ଶିଳ୍ପ, ଗମନାଗମନ ଓ ଶକ୍ତି ଉତ୍ପାଦନ କ୍ଷେତ୍ରରେ ଦୀର୍ଘସୂତ୍ରୀ ଓ ତ୍ଵରିତ ପଦକ୍ଷେପ ନେବାରେ ପଣ୍ଡିତ ନେହରୁଙ୍କ ନେତୃତ୍ଵର ତୁଳନା ନାହିଁ।

ଏଥି ସହିତ ଏକ ସମତୁଲ ବୈଶ୍ଵିକ ବିକାଶ ନିଶ୍ଚିତ କରିବା ଲକ୍ଷ୍ୟରେ ତୃତୀୟ(ଅବିକଶିତ ଓ ଅବଦମିତ) ବିଶ୍ଵର ମୁଖପାତ୍ର ଭାବରେ ଭାରତର ତତ୍କାଳୀନ ଅବଦାନ ଏବେ ବି ସ୍ମରଣ କରାଯାଏ। ଆଣବିକ ପ୍ରସାରଣ ନିରୋଧ ଚୁକ୍ତି ପ୍ରସଙ୍ଗ ହେଉ ବା ବିଶ୍ଵ ବାଣିଜ୍ୟ ଚୁକ୍ତି କିମ୍ଵା ଜଳବାୟୁ ପରିବର୍ତ୍ତନ ପ୍ରସଙ୍ଗ, ଭାରତର ନିର୍ଭିକ ଆଭିମୁଖ୍ୟ ଓ ସୁଚିନ୍ତିତ ପରାମର୍ଶ ବିଶ୍ଵସ୍ତରରେ ପ୍ରଶଂସିତ ଓ ସ୍ୱୀକୃତ।

ତିବ୍ବତ ଧର୍ମଗୁରୁ ଦଲାଇଲାମାଙ୍କୁ ରାଜନୈତିକ ଆଶ୍ରୟ ପ୍ରଦାନ, ବାଂଲାଦେଶର ମୁକ୍ତି ପାଇଁ ପାକିସ୍ତାନ ସହ ଯୁଦ୍ଧ ଭଳି ସାହସିକ ପଦକ୍ଷେପ ଗ୍ରହଣ କରି ଭାରତ ମାନବାଧିକାରର ସୁରକ୍ଷା ଓ ବିଶ୍ଵ ଶାନ୍ତି ପ୍ରତିଷ୍ଠାରେ ନିଜ ଅଙ୍ଗୀକାରବଦ୍ଧତାର ଅନନ୍ୟ ଉଦାହରଣ ସୃଷ୍ଟି କରିଛି। ଆଫ୍ରିକା ଓ ପଶ୍ଚିମ ଏସିଆ ରାଷ୍ଟ୍ରମାନଙ୍କର ସାର୍ବଭୌମତ୍ୱର ସୁରକ୍ଷା ଓ ଆର୍ଥିକ ବିକାଶ ନିମନ୍ତେ ବିଶ୍ଵର ଦୃଷ୍ଟି ଆକର୍ଷଣ କରିବାରେ ଭାରତର ଅବଦାନ ଅନସ୍ଵୀକାର୍ଯ୍ୟ। ବିଶ୍ଵର ଯେକୌଣସି ଅଞ୍ଚଳରେ ସାମରିକ ଶାସନର ଅବସାନ ନିମନ୍ତେ ଭାରତ ହିଁ ଆଦ୍ୟ ଓ ନିର୍ଭିକ ପ୍ରବକ୍ତା।

ଗାନ୍ଧୀ, ନେହରୁ, ଟାଗୋର, ରାଧାକ୍ରିଷ୍ଣନ, ଶାସ୍ତ୍ରୀ, ଇନ୍ଦିରା ଗାନ୍ଧୀ, ରାଜୀବ ଗାନ୍ଧୀ ଓ ବାଜପେୟୀଙ୍କ ଭଳି ରାଷ୍ଟ୍ରନାୟକମାନେ ଭାରତର ଐତିହ୍ୟ, ସଂସ୍କୃତି, ଅଖଣ୍ଡତା ଓ ସାର୍ବଭୌମତ୍ୱକୁ ସର୍ବାଗ୍ରେ ରଖି ନିର୍ଭିକ ଓ ନିରପେକ୍ଷ ଭାବରେ ଭାରତର ନୀତି, ଆଦର୍ଶ ଓ ଆଭିମୁଖ୍ୟ ସ୍ପଷ୍ଟ କରିବାରେ ଯଥେଷ୍ଟ ଯୋଗଦାନ କରିଛନ୍ତି। ଆର୍ଥିକ ଓ ବାଣିଜ୍ୟିକ କଟକଣା ସତ୍ତ୍ୱେ ଭାରତ ଦୁଇ ଦୁଇ ଥର ଆଣବିକ ପରୀକ୍ଷଣ କରିଛି। ତଥାପି କୌଣସି ଚାପରେ ନଇଁ ନ ଯାଇ ଆଣବିକ ପ୍ରସାର ନିରୋଧ ଚୁକ୍ତିରେ ଏଯାବତ ସ୍ଵାକ୍ଷର କରି ନାହିଁ।

ତେବେ ସଂପ୍ରତି ବିଦେଶରେ ଭାରତର ଛବି ମଳିନ ହେବା ସହ ପତିଆରା ହ୍ରାସ ପାଉଛି ବୋଲି ପ୍ରଧାନମନ୍ତ୍ରୀଙ୍କ ଆଶଙ୍କାର କାରଣ କଣ? କିଏ ବା କାହିଁକି ଏପରି କରିବ? ଦେଶର ଆଭ୍ୟନ୍ତରୀଣ ଉଦ୍‌ବେଗଜନକ ସ୍ଥିତିର ଏହା ପ୍ରତିବିମ୍ବ ନୁହେଁ ? ଗତ ଆଠ ବର୍ଷ ହେଲା ଗୋଟେ ନିରଙ୍କୁଶ ସଂଖ୍ୟାଗରିଷ୍ଠ ସରକାର ଦେଶର ଶାସନ ଦାୟିତ୍ଵରେ। ତଥାପି ଏଠିକାର ରାଜନୈତିକ ଓ ସାମାଜିକ ସ୍ଥିତି ଉତ୍ତେଜନାପୂର୍ଣ୍ଣ। ଅନ୍ତର୍ଭୁକ୍ତି ପ୍ରଶାସନ ଓ ସାମାଜିକ ନ୍ୟାୟର ଆଶ୍ଵାସନା ବଦଳରେ ଗୋଟେ ନିର୍ଦ୍ଦିଷ୍ଟ ଗୋଷ୍ଠୀର ପ୍ରଭାବ ଓ ପତିଆରା ବୃଦ୍ଧି ଘଟୁଥିବାର ଯଥେଷ୍ଟ ଲକ୍ଷଣ ଦେଖାଯାଉଛି।

ଆଇନର ଶାସନ ବଦଳରେ ସଂଖ୍ୟାଗରିଷ୍ଠତାର ଅହଙ୍କାରୀ ଆଚରଣ ଯୋଗୁ ଦେଶରେ ଗୋଟେ ଭାବଗତ ବିଭାଜନର ସ୍ପଷ୍ଟ ଦୃଶ୍ୟମାନ। ମନ୍ତ୍ରୀମଣ୍ଡଳର କେତେକ ସଦସ୍ୟ ଓ ଶାସକ ଦଳର କେଇ ଜଣ ନିର୍ବାଚିତ ପ୍ରତିନିଧିମାନଙ୍କର ଅସଂଯତ ଓ ଅନୁଶାସନ ବିହୀନ ବାଚନିକ ଉଦ୍‌ଗୀରଣରେ ସ୍ଥିତି କ୍ରମଶଃ ଜଟିଳ ହେବାରେ ଲାଗିଛି। ଶିକ୍ଷା, ଶିଳ୍ପ, କୃଷି ବା ନିଯୁକ୍ତି ସୁଯୋଗ ସମ୍ଭାବନା ବଦଳରେ ସାମ୍ପ୍ରଦାୟିକ ସଦ୍‌ଭାବନାକୁ ବ୍ୟାହତ କଲା ଭଳି ଭାଷଣ ପ୍ରଦାନ, ସଂଖ୍ୟାଗରିଷ୍ଠତାର ଅହଙ୍କାର ପ୍ରଦର୍ଶନ ଭଳି ପ୍ରାୟୋଜିତ ବିଷାକ୍ତ କାର୍ଯ୍ୟକ୍ରମମାନ ଏବେ ଶୀର୍ଷରେ।

ସରକାର ଗ୍ରହଣ କରୁଥିବା କାର୍ଯ୍ୟକ୍ରମ ମନ୍ଥର ହେଲେ, ବିଫଳ ହେଲେ ବା ଆବଶ୍ୟକ ମୁତାବକ ନ ହୋଇ ଜନବିରୋଧୀ ହେଲେ ସରକାରକୁ ସମାଲୋଚନା କରାଯାଏ। ଶକ୍ତ ଗଣତନ୍ତ୍ରର ଏହା ଏକ ଅନିବାର୍ଯ୍ୟ ଅଙ୍ଗ। ଏଇଥିପାଇଁ ଗଣମାଧ୍ୟମକୁ ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ବୋଲି ବିବେଚନା କରାଯାଏ। ସରକାରଙ୍କ ପ୍ରତ୍ୟେକ ବିଭାଗରେ ଥିବା ଅଭିଯୋଗ ପ୍ରକୋଷ୍ଠର ଉଦ୍ଦେଶ୍ୟ ସରକାରକୁ ଅଧିକ ଫଳପ୍ରସୂ ଓ ଉତ୍ତରଦାୟୀ କରେଇବା।

ଏବେ କିନ୍ତୁ ସ୍ଥିତି ଭିନ୍ନ। ସବୁଠାରେ ଏକ ପ୍ରଚ୍ଛନ୍ନ ଭୟର ବାତାବରଣ। ଖବରକାଗଜରେ ଖବରର ଶୀର୍ଷକକୁ ନେଇ ମଧ୍ୟ ସାମ୍ବାଦିକଙ୍କର ଡର ରହୁଛି 'କାଳେ ସରକାର ଖରାପ ଭାବିବେ'। ପତ୍ରପତ୍ରିକା ଓ ଖବରକାଗଜରେ ବ୍ୟଙ୍ଗ ଓ କଟାକ୍ଷ ମାଧ୍ୟମରେ ସଚେତନତା ସୃଷ୍ଟି କରାଯାଏ। ଆର୍‌. କେ. ଲକ୍ଷ୍ମଣଙ୍କର 'କମନ ମ୍ୟାନ୍‌' ଓ କିଶୋର ରଥଙ୍କ 'କିଶୋର କଟାକ୍ଷ' ବହୁ ଲୋକପ୍ରିୟ ବ୍ୟଙ୍ଗ।

ପଣ୍ଡିତ ନେହରୁ ବିଶ୍ୱାସ କରୁଥିଲେ ଯେ ରାଜନେତାମାନଙ୍କୁ ସଂଯତ ଓ ସତର୍କ କରିବାରେ ବ୍ୟଙ୍ଗ ଓ ସମାଲୋଚନାର ଭୂମିକା ଗୁରୁତ୍ଵପୂର୍ଣ୍ଣ। ଏବେ କିନ୍ତୁ ବ୍ୟଙ୍ଗ ଚିତ୍ରକର, ବ୍ୟଙ୍ଗ କବି ଓ ବ୍ୟଙ୍ଗ କଳାକାରମାନେ ସଂତ୍ରସ୍ତ। ଦେଶଦ୍ରୋହ ଭଳି ଆରୋପ ଭୟରେ ଚତୁର୍ଥ ସ୍ତମ୍ଭ ଏବେ ଶଙ୍କିତ ଓ ସଂକୁଚିତ। ଚଳଚ୍ଚିତ୍ର ନିର୍ମାଣ ଓ ପ୍ରଦର୍ଶନକୁ ମଧ୍ୟ ସରକାରୀ ନିୟନ୍ତ୍ରଣ ପରିସରଭୁକ୍ତ କରିବାର ପ୍ରୟାସ ଦୁର୍ଭାଗ୍ୟଜନକ। ଅଣସରକାରୀ ସଂସ୍ଥାମାନଙ୍କୁ ବିଦେଶୀ ସହାୟତା ଉପରେ କଟକଣା ଲଗେଇବା ମଧ୍ୟ ସରକାରର ରଦ୍ଦେଶ୍ୟ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରେ।

ଏତେ ସବୁ ଆଭ୍ୟନ୍ତରୀଣ ଉତ୍ତେଜନା ଓ ବିସଙ୍ଗତି ବଢ଼ି ଚାଲିଥିଲାବେଳେ ଗତ ବର୍ଷ ଚିନ୍‌ ସହ ଗଲୱନ୍‌ ଘାଟି ମୁହାଁମୁହିଁରେ ଭାରତୀୟ ସୈନ୍ୟଙ୍କ ମୃତ୍ୟୁ, ଅରୁଣାଚଳ ପ୍ରଦେଶ ଅଭ୍ୟନ୍ତରରେ ଚିନ୍ ଦ୍ଵାରା ବସତି ନିର୍ମାଣ(ଯାହା ଆମେରିକାର ଗୋଇନ୍ଦା ଉପଗ୍ରହ ସୂତ୍ରରୁ ଜଣାପଡିଲା), ଭାରତୀୟଙ୍କୁ ଭିସା ଓ ବାଣିଜ୍ୟ କାରବାର ପ୍ରସଙ୍ଗରେ ଆମେରିକା ସହିତ ସମସ୍ୟା, ବାଂଲାଦେଶୀଙ୍କୁ ଉଇ ସହ ତୁଳନା କରିବା, ଆମେରିକା ମାଟିରେ ଠିଆହୋଇ 'ଅବ୍‌କି ବାର୍‌ ଟ୍ରମ୍ପ୍‌ ସରକାର' କହିବା, ପେଗାସସ୍‌ ଗୁଇନ୍ଦାଗିରି ଅଭିଯୋଗର ତଦନ୍ତ ନ କରିବା, ରାଫେଲ୍‌ କିଣାବିକା ଚୁକ୍ତିରେ ଦଲାଲ ସଂପୃକ୍ତି ସମ୍ପର୍କରେ ସ୍ଥିତି ସ୍ପଷ୍ଟ ନ କରିବା ଭଳି ଅନେକ ଘଟଣାରେ ଏବର ସରକାର ପ୍ରତି ଜନସାଧାରଣଙ୍କ ଧାରଣା ବଦଳିବାରେ ଲାଗିଛି।

ଆଫଗାନିସ୍ତାନ ମାମଲାରେ ଭାରତର ଅସ୍ପଷ୍ଟ ଆଭିମୁଖ୍ୟ ଏହାର ଆନ୍ତର୍ଜାତୀୟ ଗୁରୁତ୍ଵକୁ ହ୍ରାସ କରିଛି। ପ୍ରଧାନମନ୍ତ୍ରୀଙ୍କ ସଦ୍ୟ ସମାପ୍ତ ଆମେରିକା ଗସ୍ତ ଅବିଶ୍ୱସନୀୟ ଭାବେ ନିଷ୍ପ୍ରଭ ଥିଲା।

ପ୍ରଶ୍ନ ଉଠେ ବିଦେଶରେ ଭାରତର ପ୍ରଭାବ ଓ ପତିଆରା ବଜାୟ ରଖିବା ଦାୟିତ୍ଵ କାହାର? ବିଦେଶ ନୀତି, କୁଟନୀତି ଓ ବିଶ୍ଵବ୍ୟାପାରରେ ଦେଶର ଆଭିମୁଖ୍ୟ ଓ ପଦକ୍ଷେପ ସମ୍ବନ୍ଧରେ ସାଧାରଣ ନାଗରିକମାନେ ଉପାୟହୀନ। କଳା, ସଂସ୍କୃତି ଓ ସାହିତ୍ୟରେ ବ୍ରତୀ ଶିଳ୍ପୀମାନଙ୍କର ଭୂମିକା ଦେଶର ସାଂସ୍କୃତିକ ପରିଚୟ ନିର୍ମାଣ ପାଇଁ ଗୁରୁତ୍ଵପୂର୍ଣ୍ଣ। ଏମାନେ କଦାପି ଦେଶର ଛବିକୁ ଆନ୍ତର୍ଜାତୀୟ ମଞ୍ଚରେ ହୀନପ୍ରଭ କରିବେ ନାହିଁ । ସେମାନଙ୍କ ପ୍ରତି ସରକାରର ଆଚରଣ ଓ ଆଭିମୁଖ୍ୟରେ ବିରୋଧାଭାସ ଦେଖାଗଲେ ତାହା ଅବଶ୍ୟ ଆନ୍ତର୍ଜାତୀୟ ଖବର ପାଲଟିବ, ଯେପରି ଆନ୍ଦୋଳନରତ କୃଷକମାନଙ୍କ କ୍ଷେତ୍ରରେ ସାରାବିଶ୍ଵରେ ଆଲୋଡନ ସୃଷ୍ଟି ହୋଇଥିଲା।

ଦେଶ ଭିତରେ ନିର୍ବାଚନ ଜିତିବା ପାଇଁ ସରକାର ଓ ସରକାରୀ ଦଳ ଯେଭଳି ଶୈଳୀ ଆପଣାନ୍ତି, ଦେଶର ବୈଶ୍ଵିକ ପତିଆରା ବୃଦ୍ଧି ନିମନ୍ତେ ସେଭଳି ବିଭେଦକାରୀ ଆଭିମୁଖ୍ୟ ଫଳପ୍ରଦ ହେବ ନାହିଁ। ବିଶ୍ଵ ମଞ୍ଚରେ ସରକାର ଦେଶର ପ୍ରତିନିଧିତ୍ଵ କରନ୍ତି, ନିଜ ସରକାର କିମ୍ବା ଦଳୀୟ ସମର୍ଥକଙ୍କର ନୁହେଁ। ଏହି ଚେତନା ତୃଣମୂଳ ସ୍ତରର ନାଗରିକଙ୍କ ମଗଜରୁ ଯେପରି ଅପସରି ନ ଯାଏ, ସେଥିପ୍ରତି ସମସ୍ତେ ସତର୍କ ରହିବା ଉଚିତ ।

ଦୂରଭାଷ: ୯୪୩୭୦୬୬୦୯୯

(ବି.ଦ୍ର: ଏ ଲେଖାରେ ଥିବା ସମସ୍ତ ତଥ୍ୟ ଲେଖକଙ୍କ ନିଜସ୍ୱ ମତ)