Advertisment

ଟ୍ରାକ୍‌କୁ ଫେରୁଛି ଅଜିଙ୍କ୍ୟ ରାହାଣେଙ୍କ କ୍ୟାରିଅର୍‌

ଅଜିଙ୍କ୍ୟ ରାହାଣେଙ୍କ ୨.୦ ଅବତାରକୁ ନେଇ ଏବେ ବେଶ୍ ଚର୍ଚ୍ଚା। ସେ ଆଇପିଏଲ୍ ୨୦୨୩ରେ ଦମଦାର ବ୍ୟାଟିଂ ପ୍ରଦର୍ଶନ କରୁଥିବା ବେଳେ ନିକଟରେ ଡବ୍ଲ୍ୟୁଟିସିର ଫାଇନାଲ୍ ମ୍ୟାଚ୍ ପାଇଁ ୧୫ ମାସର ବ୍ୟବଧାନ ପରେ ଭାରତୀୟ ଟେଷ୍ଟ୍‌ ଟିମ୍‌ରେ ସ୍ଥାନ ପାଇଛନ୍ତି। ଏବେ ଟ୍ରାକ୍‌କୁ ଫେରୁଛି ରାହାଣେଙ୍କ କ୍ୟାରିଅର।

author-image
Biswajit Mohanty
ଅଦ୍ୟତନ ହୋଇଛି
Ajinkya Rahane Career

Ajinkya Rahane's career is back on track

ବେଶୀ ଦିନ ପୂର୍ବର କଥା ନୁହେଁ, ମନେ ହେଉଥିଲା ସତେଯେମିତି ଅଜିଙ୍କ୍ୟ ରାହାଣେଙ୍କ କ୍ୟାରିଅର ଅନ୍ତିମ ସୋପାନରେ ପହଞ୍ଚିଯାଇଛି। ସବୁ ଫର୍ମାଟ୍‌ରେ ସେ ଭାରତୀୟ ଟିମ୍‌ରୁ ବାଦ୍ ପଡ଼ିଥିଲେ। ଇଣ୍ଡିଆନ୍ ପ୍ରିମିଅର୍ ଲିଗ୍‌ର ଫ୍ରାଞ୍ଚାଇଜୀମାନେ ମଧ୍ୟ ତାଙ୍କ ଠାରୁ ମୁହଁ ଫେରାଇ ନେଇଥିଲେ। ଖୋଦ୍ ରାହାଣେ ବି ଜାଣି ନ ଥିଲେ ଯେ ତାଙ୍କ କ୍ୟାରିଅର୍‌ କେଉଁ ଆଡ଼କୁ ଗତି କରୁଛି।

Advertisment

ଏବେ କିନ୍ତୁ ତାଙ୍କ କ୍ୟାରିଅର୍‌ ଅପ୍ରତ୍ୟାଶିତ ଭାବେ ଟ୍ରାକ୍‌କୁ ଫେରୁଛି। ଆଇପିଏଲ୍ ୨୦୨୩ରେ ସେ ପୁରୁଣା ଫର୍ମକୁ ଫେରିଛନ୍ତି। ସେ ପ୍ରମାଣିତ କରିଛନ୍ତି ଯେ ଏହା ତାଙ୍କ କ୍ୟାରିଅର୍‌ର ଅନ୍ତିମ ସୋପାନ ନୁହେଁ।

ରାହାଣେ ଏପ୍ରିଲ୍ ୨୯ ସୁଦ୍ଧା ଚେନ୍ନାଇ ସୁପର୍ କିଙ୍ଗ୍ସ ପକ୍ଷରୁ ଛଅ ମ୍ୟାଚ୍ ଖେଳି ୨୨୪ ରନ୍ ସଂଗ୍ରହ କରିଛନ୍ତି, ଯେଉଁଥିରେ ଦୁଇଟି ବିସ୍ଫୋରକ ଅର୍ଦ୍ଧଶତକ ରହିଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ତାଙ୍କ ଷ୍ଟ୍ରାଇକ୍ ରେଟ୍। ସେ ୧୮୯.୮୩ ଷ୍ଟ୍ରାଇକ୍ ରେଟ୍‌ରେ ସ୍କୋର୍ କରିଛନ୍ତି।

Advertisment

୨.୦ ଅବତାର ତାଙ୍କୁ ଚର୍ଚ୍ଚାର ପରିସରକୁ ଆଣିଛି। ମନେପକାଇଦେଉଛି ଆଇପିଏଲ୍‌ରେ ତାଙ୍କର ପୂର୍ବ ପ୍ରଦର୍ଶନ। ଆଇପିଏଲ୍ ଇତିହାସରେ ସେ ୪୦୦୦ରୁ ଅଧିକ ସ୍କୋର୍ କରିଛନ୍ତି। ଏଥିରେ ଦୁଇଟି ଶତକ ଓ ୩୦ଟି ଅର୍ଦ୍ଧଶତକ ରହିଛି।

୩୪ବର୍ଷୀୟ ରାହାଣେ ନିକଟରେ ଭାରତୀୟ ଟେଷ୍ଟ୍‌ ଟିମ୍‌କୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ୧୫ ମାସର ବ୍ୟବଧାନ ପରେ ତାଙ୍କୁ ସୁଯୋଗ ଦିଆଯାଇଛି। ଜୁନ୍‌ରେ ଅଷ୍ଟ୍ରେଲିଆ ବିପକ୍ଷରେ ହେବାକୁ ଥିବା ବିଶ୍ୱ ଟେଷ୍ଟ୍‌ ଚାମ୍ପିଅନ୍‌ସିପ୍ (ଡବ୍ଲୁ୍ୟଟିସି)ର ଫାଇନାଲ୍ ଭଳି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍ ପାଇଁ ତାଙ୍କୁ ଟିମ୍‌ରେ ସାମିଲ କରାଯାଇଛି।

ତେବେ ମ୍ୟାଚ୍‌ରେ ସେ ଖେଳିବା ନିଶ୍ଚିତ। ସେ ଆହତ ଶ୍ରେୟାସ ଆୟରଙ୍କ ସ୍ଥାନ ନେବେ। ତାଙ୍କର କେତେକ ସଦ୍ୟ ଆଇପିଏଲ୍ ଇନିଂସ୍ ଦେଖିବା ପରେ ଏଭଳି ନିଷ୍ପତ୍ତି ନିଆଯାଇଥାଇପାରେ। ଚୟନକାରୀଙ୍କ ମନରେ ଏଭଳି ଆଶା ସଞ୍ଚାର ହୋଇଥିବ ଯେ ଆୟରଙ୍କ ଭୂମିକାକୁ ରାହାଣେ ସୂଚାରୁ ରୂପେ ତୁଲାଇପାରିବେ।

ତେବେ ରାହାଣେ ଜଣେ ପୁରୁଣା ଖେଳାଳି। ଏହି ଡାହାଣହାତି ବ୍ୟାଟରଙ୍କ ୮୨ ଟେଷ୍ଟ୍‌ ମ୍ୟାଚ୍ ଖେଳିବାର ଅଭିଜ୍ଞତା ଅଛି। ସେ ଟେଷ୍ଟ୍‌ରେ ୫୦୦୦ ରନ୍ ଠାରୁ ମାତ୍ର ୬୯ ରନ୍ ଦୂରରେ ଅଛନ୍ତି। କ୍ରିକେଟ୍‌ର ସବୁଠାରୁ ଲମ୍ବା ଫର୍ମାଟ୍‌ରେ ସେ ୧୨ ଶତକ ଓ ୨୫ ଅର୍ଦ୍ଧଶତକ ଲଗାଇଛନ୍ତି। ରାହାଣେ ମଧ୍ୟ ଭାରତୀୟ ଟେଷ୍ଟ୍‌ ଟିମ୍‌ର ଉପ-ଅଧିନାୟକ ଥିଲେ। ତେଣୁ ତାଙ୍କୁ ଟିମ୍‌ରେ ନିଆଯିବା ସେତେ ବିସ୍ମୟକର ନିଷ୍ପତ୍ତି ନୁହେଁ।

ଡବ୍ଲ୍ୟୁଟିସିର ଫାଇନାଲ୍‌ରେ ତାଙ୍କ ଅଭିଜ୍ଞତା ଟିମ୍ ପାଇଁ ଗୁରୁତ୍ୱପୂର୍ଣ୍ଣ ହୋଇପାରେ।

ଆଇପିଏଲ୍ ଫର୍ମକୁ ପ୍ରତ୍ୟାବର୍ତ୍ତନ ପାଇଁ ରାହାଣେଙ୍କୁ ବଡ଼ ସୁଯୋଗ ଦେଇଛି। କିନ୍ତୁ ଲିଗ୍‌ର ଚଳିତ ସିଜନ୍‌ରେ ସେ ଚୂଡ଼ାନ୍ତ ଏକାଦଶରେ ସ୍ଥାନ ପାଇବା ନେଇ ସନ୍ଦେହ ଥିଲା। ପୂର୍ବ ସିଜନ୍‌ରେ କୋଲକାତା ନାଇଟ୍ ରାଇଡର୍ସ ତାଙ୍କୁ ଟିମ୍‌ରେ ନେଇଥିଲା। କିନ୍ତୁ ସେ ଖାସ୍ ପ୍ରଦର୍ଶନ କରିପାରି ନ ଥିଲେ। ଏହା ଫଳରେ ଫ୍ରାଞ୍ଚାଇଜୀ ତାଙ୍କୁ ରିଲିଜ୍ କରିଦେଇଥିଲା।

ସେତେବେଳେ ଚେନ୍ନାଇ ସୁପର୍ କିଙ୍ଗ୍ସ ଜଣେ ବରିଷ୍ଠ ବ୍ୟାଟରଙ୍କ ସନ୍ଧାନରେ ଥିଲା, ଯିଏ ଶୀର୍ଷକ୍ରମରେ ସ୍ଥିରତା ଆଣିପାରିବେ। ଏହି ଫ୍ରାଞ୍ଚାଇଜୀ ରାହାଣେଙ୍କୁ ତାଙ୍କ ବେସ୍ ପ୍ରାଇସ୍ ୫୦ ଲକ୍ଷ ଟଙ୍କାରେ କିଣିଥିଲା। ଅନ୍ୟ କୌଣସି ପ୍ରାଞ୍ଚାଇଜୀ ତାଙ୍କୁ ନେବା ପାଇଁ ବିଶେଷ ଆଗ୍ରହୀ ନ ଥିଲେ।

ମାର୍ଚ୍ଚ ୨୭ରେ ବିସିସିଆଇ ଯେଉଁ ବାର୍ଷିକ ଚୁକ୍ତି ଜାରି କରିଥିଲା, ସେଥିରେ ରାହାଣେଙ୍କ ନାଁ ନ ଥିଲା। ସିଏସ୍‌କେ ତାଙ୍କୁ ନେଇଥିଲା ସତ, ହେଲେ ତାଙ୍କୁ ସୁଯୋଗ ମିଳିବା ନେଇ କୌଣସି ଗ୍ୟାରେଣ୍ଟି ନ ଥିଲା। କଠିନ ସମୟ ଦେଇ ଗତି କରୁଥିବା ରାହାଣେଙ୍କୁ ଭାଗ୍ୟ ସାଥ୍ ଦେଇଥିଲା। ଆହତ ଖେଳାଳିଙ୍କ ସ୍ଥାନରେ ସେ ଚୂଡ଼ାନ୍ତ ଏକାଦଶରେ ସ୍ଥାନ ପାଇଥିଲେ।

ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷ ମ୍ୟାଚ୍‌ରେ ବେନ୍ ଷ୍ଟୋକ୍ସ ଗୋଡ଼ରେ ଆଘାତ ଲାଗିଥିବାରୁ ଖେଳିପାରି ନ ଥିଲେ। ମୋଇନ୍ ଅଲୀ ବି ଫିଟ୍ ନ ଥିଲେ। ରାହାଣେ ଚୂଡ଼ାନ୍ତ ଏକାଦଶରେ ଖେଳିଥିଲେ। ମୁମ୍ବାଇ ପ୍ରଥମେ ବ୍ୟାଟିଂ କରି ୧୫୭ ରନ୍‌ରେ ସୀମିତ ରହିଥିଲା। ଅବଶ୍ୟ ବିଜୟ ଲକ୍ଷ୍ୟ ବଡ଼ ନ ଥିଲା, କିନ୍ତୁ ତାରକା ଖେଳାଳିଙ୍କ ଅନୁପସ୍ଥିତିରେ ଲକ୍ଷ୍ୟ କିଛିଟା ଆହ୍ୱାନପୂର୍ଣ୍ଣ ମନେହେଉଥିଲା।

ଏହି ମ୍ୟାଚ୍‌ରେ ରାହାଣେ ୨୭ ବଲ୍‌ରୁ ୬୧ ରନ୍‌ର ଧୂଆଁଦାର ଇନିଂସ୍ ଖେଳିଥିଲେ। ତାଙ୍କର ଏହି ପ୍ରଦର୍ଶନ ବଳରେ ଚେନ୍ନାଇ ବିଜୟ ହାସଲ କରିଥିଲା। ୨୦୨୦ ପରେ ଆଇପିଏଲ୍‌ରେ ରାହାଣେଙ୍କ ଏହା ପ୍ରଥମ ଅର୍ଦ୍ଧଶତକ ଥିଲା।

ସେହିପରି କୋଲକାତା ବିପକ୍ଷ ମ୍ୟାଚ୍‌ରେ ସେ ୨୯ ବଲ୍‌ରୁ ୭୧ ରନ୍‌ର ଅବିସ୍ମରଣୀୟ ଅପରାଜିତ ଇନିଂସ୍ ଖେଳିଥିଲେ। ଯେଉଁ ଟିମ୍ ପାଇଁ ପୂର୍ବ ସିଜନ୍ ପରେ ସେ ଅଲୋଡ଼ା ହୋଇଯାଇଥିଲେ, ତାକୁ ହରାଇବାରେ ସେ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିଥିଲେ। ।

ରାହାଣେ ତାଙ୍କ କ୍ଲାସିକ୍ ବ୍ୟାଟିଂ ଶୈଳୀ ପାଇଁ ବେଶ୍ ପରିଚିତ। ସେ ଦ୍ରୁତ ଗତିରେ ରନ୍ ନିଅନ୍ତି, କିନ୍ତୁ ଅଜବ ଢଙ୍ଗରେ ଷ୍ଟ୍ରୋକ୍ ଲଗାନ୍ତିନି। ତାଙ୍କ ବ୍ୟାଟିଂ ଦେଖିବା ସୁଖପ୍ରଦ। ଚଳିତ ଆଇପିଏଲ୍ ସିଜନ୍‌ରେ ସେ ଟିକେ ଅଲଗା ଜଣାପଡ଼ୁଛନ୍ତି, ଚାପମୁକ୍ତ ହୋଇ ଖେଳୁଛନ୍ତି।

ସେ ଟେଷ୍ଟ ଟିମ୍‌କୁ ଫେରିଲେଣି। ଆଇପିଏଲ୍ ପ୍ରଦର୍ଶନ ତାଙ୍କୁ ସୀମିତ ଓଭର୍ ଟିମ୍‌କୁ ଫେରାଇ ଆଣିପାରେ। ଏ ବର୍ଷ ଅକ୍ଟୋବର-ନଭେମ୍ବରରେ ଭାରତରେ ଦିନିକିଆ ବିଶ୍ୱକପ୍ ହେବ। ଯଦି ସେ ପ୍ରଦର୍ଶନରେ ନିରନ୍ତରତା ବଜାୟ ରଖନ୍ତି, ତା’ହେଲେ ବିଶ୍ୱକପ୍ ଟିମ୍‌ରେ ବି ସ୍ଥାନ ପାଇପାରିବେ। କିଛି ବି ଅସମ୍ଭବ ନୁହେଁ। ହାର୍ଦ୍ଦିକ ପାଣ୍ଡ୍ୟା ଆଇପିଏଲ୍ ପ୍ରଦର୍ଶନ ଜରିଆରେ ସୀମିତ ଓଭର୍ ଟିମ୍‌କୁ ଫେରିଛନ୍ତି। ରାହାଣେ ବି ଫେରିପାରିବେ।

ଇମେଲ୍: [email protected]

(ବି.ଦ୍ର: ଏହି ଲେଖାରେ ଥିବା ସମସ୍ତ ତଥ୍ୟ ଲେଖକଙ୍କ ନିଜସ୍ୱ ମତ)

Ajinkya Rahane IPL CSK Indian Team
Advertisment
Advertisment