Family On Rent: ଟଙ୍କା ଦିଅ, ପରିବାର ସଦସ୍ୟ ବାଛି ନିଅ: ଏଠି ଭଡ଼ାରେ ବାପା, ମା’, ପତି, ପତ୍ନୀ ଓ ସନ୍ତାନ ବି ମିଳନ୍ତି

ପୃଥିବୀରେ ଏମିତି ଏକ ଦେଶ ଅଛି ଯେଉଁଠି ୩୦ ବର୍ଷ ପୂର୍ବେ ଏକ ଅଜବ ବ୍ୟବସାୟର ଆରମ୍ଭ ହୋଇଥିଲା । ଏବେ ଏହି ବ୍ୟବସାୟ ଖୁବ ଦ୍ରୁତ ଗତିରେ ଏଠାରେ ବଢିବାରେ ଲାଗିଛି । ଏହି ବ୍ୟବସାୟ ହେଉଛି ‘ଭଡା ପରିବାର’ ବା ‘ରେଣ୍ଟାଲ ଫ୍ୟାମିଲି‘  । ପଇସା ଖର୍ଚ୍ଚ କର,  ମା’, ବାପାଙ୍କଠାରୁ ଆରମ୍ଭ କରି ଭାଇ, ଭଉଣୀ, ମାଉସୀ, ମଉସା, ପୁଅ-ଝିଅ ଆଉ ସ୍ୱାମୀ-ସ୍ତ୍ରୀ.ସବୁକିଛି ଭଡାରେ ନେଇଯାଅ । ପରିବାରର ଯେଉଁ ସଦସ୍ୟ ଖୋଜିବ, ଯେତେଦିନ ପାଇଁ ଖୋଜିବ ମିଳି ଯାଇପାରିବ ।  

ଯେଉଁଠି ଭଡ଼ାରେ ମିଳେ ପରିବାର

ଖୁବ ବଦଳି ଯାଇଛି ସମୟ । ପରିବର୍ତ୍ତିତ ସମୟର ଆବଶ୍ୟକତାକୁ ଦେଖି ମଣିଷର ରୁଚି ବି ବଦଳି ଯାଇଛି । ଆଉ ସେଥିପାଇଁ ପରିବାରର ନକ୍ସା ବଦଳି ଯାଇଛି । କହିବାକୁ ଗଲେ ପାରିବାରିକ ସମ୍ପର୍କର ଡୋର ଢିଲା ହୋଇଯାଇଛି  ।  ହୃଦୟର ଭାବ ଅପେକ୍ଷା ହିସାବ କିତାବ ଉପରେ ତିଷ୍ଠି ରହୁଛି  ଆଜିକାଲିର ସମ୍ପର୍କ ।  ଏଠି ସବୁକିଛି ମିଳିପାରିବ ଅର୍ଥର ବିନିମୟରେ  । ଗାଡ଼ି, ବାଡ଼ି, ଶାଢ଼ୀ…ସବୁକିଛି । ତେବେ ମିଳିପାରୁ ନ ଥିବା ଜିନିଷ ଥିଲା ପରିବାର । ହେଲେ ଏମିତି ଭାବନାକୁ ବି ଏଣିକି ବଦଳାଇବାକୁ ପଡିବ । କାରଣ ଟଙ୍କା ଦେଲେ ପରିବାର ସଦସ୍ୟ ବି ଏବେ ମିଳି ପାରିବେ ।  

ପଇସା ଦିଅ, ପରିବାର ନିଅ

ପୃଥିବୀରେ ଏମିତି ଏକ ଦେଶ ଅଛି ଯେଉଁଠି ୩୦ ବର୍ଷ ପୂର୍ବେ ଏକ ଅଜବ ବ୍ୟବସାୟର ଆରମ୍ଭ ହୋଇଥିଲା । ଏବେ ଏହି ବ୍ୟବସାୟ ଖୁବ ଦ୍ରୁତ ଗତିରେ ଏଠାରେ ବଢିବାରେ ଲାଗିଛି । ଏହି ବ୍ୟବସାୟ ହେଉଛି ‘ଭଡା ପରିବାର’ ବା ‘ରେଣ୍ଟାଲ ଫ୍ୟାମିଲି‘  । ପଇସା ଖର୍ଚ୍ଚ କର,  ମା’, ବାପାଙ୍କଠାରୁ ଆରମ୍ଭ କରି ଭାଇ, ଭଉଣୀ, ମାଉସୀ, ମଉସା, ପୁଅ-ଝିଅ ଆଉ ସ୍ୱାମୀ-ସ୍ତ୍ରୀ.ସବୁକିଛି ଭଡାରେ ନେଇଯାଅ । ପରିବାରର ଯେଉଁ ସଦସ୍ୟ ଖୋଜିବ, ଯେତେଦିନ ପାଇଁ ଖୋଜିବ ମିଳି ଯାଇପାରିବ ।  ତେବେ ଏତିକି ଧ୍ୟାନରେ ରଖିବାକୁ ପଡିବ ଯେ,  ପକେଟରେ କେତେ ଟଙ୍କା ଅଛି !

କେବେଠାରୁ ଆରମ୍ଭ ହେଲା ଏହି ବ୍ୟବସାୟ ? କେଉଁଠି ଆରମ୍ଭ ହେଲା ଏବଂ  କେମିତି କରାଗଲା ଏହି ବ୍ୟବସାୟ ? ଏଥିପାଇଁ କେତେ ଖର୍ଚ୍ଚ କରବାକୁ ପଡେ ଏବଂ  କେତେ ଲାଭ ମିଳେ ଆସନ୍ତୁ ସେ ବିଷୟରେ ଜାଣିବା ।

ଦୂର କରୁଥିଲା ନିଃସଙ୍ଗତା

ପରିବାର ବ୍ୟବସାୟ କରୁଥିବା ଏହି ଦେଶ ହେଉଛି ଜାପାନ । ବିଶ୍ୱର ଏକମାତ୍ର ଦେଶ ଜାପାନ ଯେଉଁଠି ପରିବାର ଭଡାରେ ମିଳିଥାଏ । ଗୋଟିଏ ପରିବାର ପାଇଁ ଯେତିକି ସଦସ୍ୟ ଖୋଜିବ ସେତିକି ସଦସ୍ୟ ତୁମକୁ ଭଡାରେ ମିଳିପାରିବ । ଜାପାନରେ ଏହି ଫ୍ୟାମିଲି ବିଜିନେସ ୧୯୯୦ ଦଶକରେ ଆରମ୍ଭ ହୋଇଥିଲା । ଟୋକିଓର ‘ଫ୍ୟାମିଲି ରୋମାନ୍ସ ନାମକ ଏକ ସଂସ୍ଥା ପ୍ରଥମେ ଏହି ବ୍ୟବସାୟ ଆରମ୍ଭ କରିଥିଲା । ଏକୁଟିଆ ରହୁଥିବା ବ୍ୟକ୍ତିଙ୍କ କଷ୍ଟ ଲାଘବ ପାଇଁ ଇଶୀ ୟୁଚି ନାମକ ଜଣେ ବ୍ୟକ୍ତି ଏମିତି ଏକ ବ୍ୟବସାୟ କରିବା ପାଇଁ ଚିନ୍ତା କରିଥିଲେ । ପ୍ରଥମେ ସେ ଜଣେ ଆକ୍ଟରଙ୍କୁ ନେଇ ନିଜ ବ୍ୟବସାୟ ଆରମ୍ଭ କରିଥିଲେ । ପରେ ଏହା ବ୍ୟାପକ ରୂପ ନେଇଥିଲା ।

୪୩ ବର୍ଷୀୟ ଇଶି ୟୁଚି  ୨୫ରୁ ଅଧିକ ପରିବାରର ବାପା ଏବଂ ୬୦୦ରୁ ଅଧିକ ମହିଳାଙ୍କର ସ୍ୱାମୀ ଅଟନ୍ତି । ହେଲେ ଏଥି ମଧ୍ୟରୁ ଗୋଟଏ ବି ତାଙ୍କର ନିଜର ନୁହଁନ୍ତି । ଏବେ ତାଙ୍କର ଏହି ଛୋଟକାଟିଆ କାରବାରର କଳେବର ବୃଦ୍ଧି ପାଇଁ ଏକ ବଡ ବ୍ୟବସାୟରେ ପରିଣତ ହେଲାଣି ।  ତାଙ୍କ ସଂସ୍ଥାରେ ଏବେ ୧୨୦୦ ଅଭିନେତା କାମ କରୁଛନ୍ତି । ବିବାହ କାମରେ  ବାପାଙ୍କ ଭୂମିକାରେ ଛିଡା ହେବାଠାରୁ ଆରମ୍ଭ କରି ନିଖୋଜ ବାପା କିମ୍ବା ହଜି ଯାଇଥିବା ପୁଅର ଭୂମିକା ଏମାନେ ନିଭାଇଥାନ୍ତି । ଏପରିକି ଭଡାରେ ବର ବି ତାଙ୍କ ସଂସ୍ଥା ଯୋଗାଇ ଦିଏ ।

ଯଦି କେହି ଲୋକ ଏକୁଟିଆ ରହୁଛନ୍ତି କିମ୍ବା ଯଦି କାହାର ପରିବାର ସଦସ୍ୟ ନାହାନ୍ତି ସେପରି ଲୋକଙ୍କୁ ଏହି ସଂସ୍ଥା  ଭଡାରେ ପରିବାରର ସଦସ୍ୟ ଯୋଗାଇ ଦେଉଥିଲେ । ଧୀରେ ଧୀରେ ଏହି ବ୍ୟବସାୟର ଲୋକପ୍ରିୟତା ବୃଦ୍ଧି ପାଇଲା । ଏବେ ଏହାର ବ୍ୟବହାର ବିଭିନ୍ନ ଉଦ୍ଦେଶ୍ୟରେ କରାଯାଉଛି ।

ସାମାଜିକ କାର୍ଯ୍ୟରେ ଖୋଜା ପଡନ୍ତି ଭଡାଟିଆ ପରିବାର

ପ୍ରଥମତଃ ବିବାହ ଉତ୍ସବରେ ସାମିଲ ହେବା ପାଇଁ ଭଡାରେ ଏମାନଙ୍କୁ ନିଆଯାଉଛି । ସେହିପରି ଅନ୍ତିମ ସଂସ୍କାର କାମରେ ମଧ୍ୟ ଏମାନଙ୍କୁ ଭଡାରେ ନିଆ ଯାଇଥାଏ । ତା ଛଡା, ନାଟକ, ଫିଲ୍ମରେ ଅଭିନୟ କରିବା ପାଇଁ ଏମାନଙ୍କୁ ନିଆଯାଉଛି । ଏକୁଟିଆ ରହୁଥିବା ଲୋକମାନେ ପରିବାର ସଦସ୍ୟଙ୍କୁ ଭଡାରେ ନେଇ ନିଜ ନିଃସଙ୍ଗତାକୁ ଦୂର କରି ପାରୁଛନ୍ତି । ଏହାବ୍ୟତୀତ ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମରେ ସାମିଲ ହେବା ପାଇଁ ଏମାନଙ୍କୁ ଭଡାରେ ନିଆଯାଉଛି ।

ଜାପାନରେ ଏହି ରେଣ୍ଟାଲ ଫ୍ୟାମିଲିର ଭଡା ଅଲଗା ଅଲଗା ଅଟେ । ତେବେ ଜଣେ ବ୍ୟକ୍ତି କେତେ ସଦସ୍ୟଙ୍କୁ ଭଡାରେ ନେବାକୁ ଚାହୁଁଛି ଏବଂ କେତେ ସମୟ ପାଇଁ ନେବାକୁ ଚାହୁଁଛି ତାହା ଉପରେ ହିଁ ଏସବୁ ନିର୍ଭର କରିଥାଏ । ସାଧାରଣ ଭାବେ ଜଣେ ସଦସ୍ୟକୁ ଏକ ଘଣ୍ଟା ପାଇଁ ଭଡାରେ ନେବାକୁ ଚାହୁଁଥିଲେ ୫ ହଜାର ୟେନରୁ ୨୦ ହଜାର ୟେନ ଲାଗିଥାଏ । ଏଠି କହି ରଖିବୁ, ଜାପାନର ଗୋଟିଏ ୟେନ ଭାରତୀୟ ମୁଦ୍ରାରେ ୦.୫୭ ଟଙ୍କା ଅଟେ ।

ପରିବାର ପାଇଁ ଯେଉଁ ସଦସ୍ୟ ଖୋଜିଲେ ଭଡାରେ ମିଳିବ

‘ଫ୍ୟାମିଲି ରୋମାନ୍ସ’ ପରେ ଏବେ ଜାପାନରେ ଅନେକ ସଂସ୍ଥା ଏହି ବ୍ୟବସାୟ କରିବା ଆରମ୍ଭ କଲେଣି । ଏମାନେ ଭଡାରେ ପରିବାର ସଦସ୍ୟ ଯୋଗାଇ  ବେଶ ଭଲ ରୋଜଗାର କରୁଛନ୍ତି । ଜଣେ ନିଜ ଆବଶ୍ୟକତା ଅନୁସାରେ, ପରିବାର ସଦସ୍ୟଙ୍କୁ ବାଛି ନେଇ ପାରିବେ । ସେଥିପାଇଁ ଏକ କ୍ୟାଟଲଗ ଦିଆଯିବ । ଏହି କ୍ୟାଟଲଗରେ ପରିବାର ସଦସ୍ୟଙ୍କ ତଥ୍ୟ ରହଛି । ଜଣେ ନିଜ ପସନ୍ଦ ଅନୁସାରେ ସଦସ୍ୟଙ୍କୁ ବାଛି ପାରିବ ।

କାହିଁକି ବଢୁଛି ଭଡାଟିଆ ପରିବାର ବ୍ୟବସାୟ

ଜାପାନରେ ଏକୁଟିଆ ରହୁଥିବା ଲୋକଙ୍କ ସଂଖ୍ୟା ଦ୍ରୁତଗତିରେ ବଢିବାରେ ଲାଗିଛି । ସେଥିପାଇଁ  ରେଣ୍ଟାଲ ଫ୍ୟାମିଲି ବ୍ୟବସାୟ ମଧ୍ୟ ବଢୁଛି । ଅଧିକାଂଶ ଲୋକ କାମର ଚାପରେ ନିଜ ପରିବାରଠାରୁ ଦୂରରେ ରହୁଛନ୍ତି । ଏପରି ସ୍ଥିତିରେ ଘରେ ଥିବା ବାପା-ମା’ ଭଡାଟିଆ ପରିବାର ନେଇ କିଛି ସମୟ ପାଇଁ ହେଉ ପଛେ ପିଲାମାନଙ୍କ ଅନୁପସ୍ଥିତିକୁ  ଭୂଲି ଯାଉଛନ୍ତି ।

ଯାହା ବି ହେଉ, ରେଣ୍ଟାଲ ଫ୍ୟାମିଲର କନସେପ୍ଟ ଜାପାନରେ ଖୁବ ବିବଦୀୟ ହୋଇପଡିଛି । କିଛି ଲୋକଙ୍କ କହିବା ଅନୁଯାୟୀ, ଏହା ଠିକ ପରମ୍ପରା ନୁହେଁ । ଏହା ସମାଜ ଉପରେ ନକାରାତ୍ମକ ପ୍ରଭାବ ପକାଇବ  । ଏହା ସମ୍ପର୍କର ମୂଲ୍ୟବୋଧକୁ କମାଇଦେବ । ଏହାଦ୍ୱାରା ଲୋକଙ୍କ ନିଃସଙ୍ଗତା ଅଧିକ ବଢିବ ।

ଦିନକୁ ଦିନ ବଢୁଛି ବ୍ୟବସାୟ

ଏପରି ନକାରାତ୍ମକ ଟୀପ୍ପଣି ସତ୍ତ୍ୱେ ରେଣ୍ଟାଲ ଫ୍ୟାମିଲି ଉପରେ ଆସ୍ଥା ରଖୁଥିବା ଲୋକଙ୍କ ସଂଖ୍ୟା ଜାପାନରେ ଯଥେଷ୍ଟ ଅଧିକ । କିଛି ବିଶେଷଜ୍ଞଙ୍କ କହିବା ଅନୁଯାୟୀ, ଦେଶରେ ଏପରି ଲୋକଙ୍କ ସଂଖ୍ୟା ଲକ୍ଷାଧିକ ହେବ । ସେହିପରି ରେଣ୍ଟାଲ ଫ୍ୟାମିଲି ସେବା ଦେଉଥିବା ସଂସ୍ଥାର ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି । ତେଣୁ ଜାପାନରେ ଯେ ଏହି ସେବାର ଯଥେଷ୍ଟ ଗୁରୁତ୍ୱ ରହିଛି ଏଥିରେ ସନ୍ଦେହ ନାହିଁ । ଜାପାନକୁ ଦେଖି ସାଉଥ କୋରିଆ ଏବଂ ଚୀନରେ ମଧ୍ୟ ଏପରି ବ୍ୟବସାୟ ବେଶ ବୃଦ୍ଧି ପାଉଥିବା ଦେଖିବାକୁ ମିଳୁଛି ।

କ’ଣ ରହିଛି ରେଣ୍ଟାଲ ଫ୍ୟାମିଲିର ମହତ୍ୱ

ଏଠି ରେଣ୍ଟରେ ପରିବାରର ସବୁ ସଦସ୍ୟ ମିଳିପାରିବେ । ବାପା-ମା’ଙ୍କୁ ଭଡାରେ ନେଇ ତୁମେ କିଛି ସମୟ ସେମାନଙ୍କ ସହ ବିତାଇ ପାରିବ । ସେମାନେ ତୁମକୁ ଭଲ ପରାମର୍ଶ ଦେଇପାରିବେ । ତୁମ ସହ ପାରିବାରିକ କାର୍ଯ୍ୟକ୍ରମରେ ସାମିଲ ହୋଇପାରିବେ ।

ସେହିପରି ଭଡାଟିଆ ଭାଇଭଉଣୀମାନଙ୍କୁ ନେଲେ ସେମାନେ ତୁମ ସହ ଖେଳିପାରିବେ, ତୁମ ସହ ବୁଲି ପାରିବେ, ଖଟି କରିପାରିବେ । ଭଡାରେ ନେଇଥିବା ପତି ବା ପତ୍ନୀଙ୍କ ସହ ତୁମେ ଡେଟରେ ଯାଇପାରିବ, ଡିନର କରି ପାରିବ, ବାହାରେ ବୁଲି ପାରିବ ଏବଂ ସେମାନଙ୍କ ସହ ରୋମାଣ୍ଟିକ ସମୟ ମଧ୍ୟ ବିତାଇ ପାରିବ ।

ଏଠି ଛୋଟ ପିଲା ବି ଭଡାରେ ମିଳୁଛନ୍ତି ଯାହାକୁ ନେଇ ତୁମେ ନିଜ ସନ୍ତାନ ଅଭାବର ଦୁଃଖକୁ ଦୂର କରପାରିବ । ପିଲାମାନଙ୍କ ସହ ତୁମେ ଖେଳି ପାରିବ । ସେମାନଙ୍କ ସହ ବାହାରକୁ ବୁଲିବାକୁ ଯାଇପାରିବ ଏବଂ ପାରିବାରିକ କାର୍ଯ୍ୟକ୍ରମରେ ବି ସାମିଲ ହୋଇପାରିବ ।

ଏହାବ୍ୟତୀତ ଜଣେ ଚାହିଁଲେ, ଥରକେ ଏକାଧିକ ସଦସ୍ୟଙ୍କୁ ମଧ୍ୟ ଭଡାରେ ନେଇ ପାରିବ । ନିଜ ପସନ୍ଦର କେଉଁ ସଦସ୍ୟଙ୍କୁ ତୁମେ ଚାହୁଁଛ କ୍ୟାଟଲଗ ଦେଖି ବାଛି ପାରିବ ।