Advertisment

ଖର୍ଚ୍ଚ ହେଲା ୧ କୋଟିରୁ ଅଧିକ ଟଙ୍କା,ହେଲେ ଏପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ହୋଇନି ବସଷ୍ଟାଣ୍ଡ

ଯୋଗଧାରିରୁ କେବେ ଗଡିବ ବସ ? କେବେ କାର୍ଯ୍ୟକ୍ଷମ ହେବ ବସଷ୍ଟାଣ୍ଡ ?

author-image
Prangyan Parimita
Jojanara Na Hariloot

Jojanara Na Hariloot

ଜଗତସିଂହପୁର ଜିଲ୍ଲାରେ ବସଷ୍ଟାଣ୍ଡ ଘୋଟାଲା । ଜିଲ୍ଲା ସଦର ମହକୁମାଠାରୁ ୩ କିଲୋମିଟର ଦୂର ଯୋଗଧାରୀଠାରେ ୨୦୧୨ ମସିହାରେ ଉଦଘାଟିତ ହୋଇଥିଲା ବସଷ୍ଟାଣ୍ଡ । ଖର୍ଚ୍ଚ ହୋଇଥିଲା ୧ କୋଟିରୁ ଅଧିକ ଟଙ୍କା । ୨୦୨୩ ମସିହା ସରିବାକୁ ବସିଲାଣି, ଏପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ହୋଇପାରିଲା ନାହିଁ। ଏବେ ପୁଣିଥରେ ୧୫ କୋଟି ଟଙ୍କା ମଞ୍ଜୁର ହୋଇଛି, ମଡେଲ୍ ବସଷ୍ଟାଣ୍ଡ ହେବ। ପୂର୍ବ କୋଟିଏରୁ ଅଧିକ ଟଙ୍କା କୁଆଡେ ଗଲା ତାର ତଦନ୍ତ ନହୋଇ ପୁଣିଥରେ କେମିତି ଟଙ୍କା ମଞ୍ଜୁର ହେଲା, ତାକୁ ନେଇ ପ୍ରଶ୍ନ ଉଠିଛି।

Advertisment

୨୦୦୩ ମସିହାରେ ଜଗତସିଂହପୁର ସହରଠାରୁ ୩ କିଲୋମିଟର ଦୂର ଯୋଗଧାରୀ ଠାରେ ବସଷ୍ଟାଣ୍ଡର ଶିଳାନ୍ୟାସ କରିଥିଲେ ଖୋଦ୍ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ୨୦୧୨ ମସିହା ଡିସେମ୍ବର ୯ ତାରିଖରେ ଉଦଘାଟନ ହୋଇଥିଲା । ୧୦ ବର୍ଷ ବିତିଗଲାଣି, ୨୦୨୩ ମସିହା ସରିବାକୁ ବସିଲାଣି, କିନ୍ତୁ ଆଜି ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ହୋଇପାରିଲା ନାହିଁ। ଏବେ ସେଠାରେ ବିଳମ୍ବିତ ରାତି ପର୍ଯ୍ୟନ୍ତ ନିଶା କାରବାର ହେଉଛି, ଅସାମାଜିକ ବ୍ୟକ୍ତିଙ୍କ ଆଡ୍ଡାସ୍ଥଳୀ ପାଲଟିଛି ।

ବସଷ୍ଟାଣ୍ଡରୁ ଦିନେ ବସ ଖଣ୍ଡେ ଗଡ଼ିନି । ଏବେ ସେଠାରେ ଥୁଆ ହେଉଛି ଟ୍ରକ ଓ ହାଇୱା । ସେତେବେଳେ ୧ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରି ଜଗତସିଂହପୁର ପୌର ପରିଷଦ ନିର୍ମାଣ କରିଥିଲା ବସଷ୍ଟାଣ୍ଡ । ଦୋକାନ ଘର, ଅଫିସ୍ ଓ ସୁଲଭ ଶୌଚାଳୟ ଆଦି ତିଆରି ହୋଇଥିଲା। କିନ୍ତୁ ରକ୍ଷଣାବେକ୍ଷଣ ଅଭାବରୁ ଏବେ ସେଗୁଡିକ ଭାଙ୍ଗିରୁଜି ଗଲାଣି। ସାଧାରଣ ଲୋକଙ୍କ ଟିକସ ଅର୍ଥରେ ନିର୍ମିତ ବସଷ୍ଟାଣ୍ଡ ଖତ ଖାଉଛି।

Advertisment

କୋଟିଏରୁ ଅଧିକ ଖର୍ଚ୍ଚ ହୋଇ ୨୦୧୨ ମସିହାରେ ଲୋକାର୍ପିତ ହେଲା, କିନ୍ତୁ ଆଜିଯାଏଁ କାର୍ଯ୍ୟକ୍ଷମ ହେଲାନି। ଏବେ ପୁଣିଥରେ ସେହି ସମାନ ଜାଗାରେ ହେବ ମଡେଲ୍ ବସଷ୍ଟାଣ୍ଡ। ଏଥିପାଇଁ ୧୫ କୋଟି ଟଙ୍କା ମଞ୍ଜୁର ହୋଇଛି, ଟେଣ୍ଡର ବି ସରିଲାଣି। ପୂର୍ତ୍ତ ବିଭାଗକୁ ଦିଆଯାଇଛି ନିର୍ମାଣ କାମ। ଯୋଗଧାରୀଠାରେ ନିର୍ମାଣ ହୋଇଥିବା ଭିତ୍ତିଭୂମି ଭାଙ୍ଗି ନୂଆ କରି ବସଷ୍ଟାଣ୍ଡ କରାଯିବ। ତେବେ ଏହାକୁ ନେଇ ଜିଲ୍ଲାବାସୀଙ୍କ ମଧ୍ୟରେ ଆଶା ଆଶଙ୍କା। ଆଗକୁ ନିର୍ବାଚନ ଥିବାରୁ ସରକାର ଭେଳିକି କରୁଥିବା ଲୋକେ ଅଭିଯୋଗ କରିଛନ୍ତି।

ଲୋକାର୍ପିତ ହେବାର ୧୦ ବର୍ଷ ପରେ ବି କାହିଁକି କାର୍ଯ୍ୟକ୍ଷମ ହେଲାନି ବସଷ୍ଟାଣ୍ଡ ? ସରକାରୀ ରାଜକୋଷରୁ ଅପବ୍ୟୟ ଅର୍ଥର କାହିଁକି ତଦନ୍ତ ହେଉନି ? ବସଷ୍ଟାଣ୍ଡର ଏଭଳି ଦୁରବସ୍ଥା ସମ୍ପର୍କରେ କିନ୍ତୁ ଜିଲ୍ଲା ପ୍ରଶାସନ ଏବଂ ପୌର ପରିଷଦ ନିର୍ବାହୀ ଅଧିକାରୀ କୌଣସି ମତାମତ ଦେବାକୁ ମନା କରିଛନ୍ତି। ସ୍ଥାନୀୟ ବିଧାୟକ କହିଛନ୍ତି, ଏବେ ଯୋଗଧାରୀଠାରେ ମଡେଲ୍ ବସଷ୍ଟାଣ୍ଡ କରାଯିବ। ଏଠାରେ ଗୋଟିଏ କଥା ସ୍ପଷ୍ଟ ଯେ, ପୂର୍ବରୁ ଯେଉଁ ଅର୍ଥ ବିନିଯୋଗ ହୋଇଥିଲା, ତାହା ପାଣିରେ ପଡିଛି।

Jojanara Na Hariloot
Advertisment
Advertisment