Advertisment

ଭଙ୍ଗା ଦଦରା ଘରେ ଗରିବ,ଭୂତ ହିତାଧିକାରୀ ହାତେଇଛନ୍ତି ଘର

ଜାଲ୍ ଦସ୍ତାବିଜ୍ ମାଧ୍ୟମରେ କେଳେଙ୍କାରୀ..ଏ ଚଞ୍ଚକତା ପଛରେ କିଏ ?

author-image
Prangyan Parimita
Yojanara Na Hariloot

Yojanara Na Hariloot

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଭୂତ ହିତାଧିକାରୀ । ଅନେକ ଯୋଗ୍ୟ ଲୋକ ଯେଉଁମାନେ ଗରିବ ଲୋକ ଭଙ୍ଗା ଦଦରା ଘରେ ରହୁଛନ୍ତି, ସେମାନଙ୍କୁ ଆବାସ ଘର ମିଳୁନି। କିନ୍ତୁ ଯେଉଁମାନେ ଶାସକ ଦଳର କର୍ମୀ, ସେମାନଙ୍କୁ ଘର ମିଳୁଛି। ରାୟଗଡ଼ା ଜିଲ୍ଲା ବିଷମକଟକ ବ୍ଲକର ଚାଟିକଣା ପଞ୍ଚାୟତରୁ ଏଭଳି ଏକ ଆବାସ କେଳେଙ୍କାରୀ ଖବର ଆସିଛି।

Advertisment

ବିଷମକଟକ ଚାଟିକଣା ପଞ୍ଚାୟତ ବଡ଼ମଟକବାଡି ଗାଁର ନାଗାମା ହାଡ୍ରାଗାମି। PMAY ହିତାଧିକାରୀ ତାଲିକାରେ ନାଗାମାଙ୍କ ନାଁ ରହିଛି। କିନ୍ତୁ ରୋଚକ କଥା ହେଉଛି, ନାଗାମା ହାଡ୍ରାଗାମି ନାମରେ କୌଣସି ବ୍ୟକ୍ତି ଚାଟିକଣା ପଞ୍ଚାୟତରେ ନାହାନ୍ତି। ଯେଉଁ ଲୋକେ ୪୦-୫୦ ବର୍ଷ ଧରି ସେଠାରେ ରହୁଛନ୍ତି, ସେମାନେ ଏକଥା କ୍ୟାମେରା ଆଗରେ କହିଛନ୍ତି।

ମଟକବାଡ଼ି ଗାଁ ସ୍କୁଲରେ ୧୦ ବର୍ଷ ଧରି ଶିକ୍ଷକତା କରୁଥିବା ଗୋପୀନାଥ ନାଣକା BLO ଭାବେ ଘର ଘର ବୁଲି ସର୍ଭେ କରିଛନ୍ତି। ସେ ମଧ୍ୟ ନାଗାମା ହାଡ୍ରିଗାମୀ ନାମଧାରୀ କୌଣସି ବ୍ୟକ୍ତି ଚାଟିକଣା ପଞ୍ଚାୟତରେ ନଥିବା ସ୍ପଷ୍ଟ କରିଛନ୍ତି।

Advertisment

ପଞ୍ଚାୟତବାସୀଙ୍କୁ ଅନ୍ଧାରରେ ରଖିବା ପାଇଁ ସମସ୍ତ ସରକାରୀ ଦସ୍ତାବିଜରେ ନାଗାମା ହାଡ୍ରାଗାମୀଙ୍କ ନାଁ ପଡିଛି। କିନ୍ତୁ କୌଶଳ କ୍ରମେ ସେହି ବଡ଼ମଟକବାଡ଼ିର ନୀଳାନ୍ଦ୍ରି କରକରିଆ ନାମକ ଜଣେ ମହିଳାଙ୍କ ଆକାଉଣ୍ଟକୁ ଯାଇଛି ୪୦ ହଜାର ଟଙ୍କା ଆବାସ କିସ୍ତି। କାରଣ ତାଙ୍କ ସ୍ୱାମୀ ହେଉଛନ୍ତି ସରକାରୀ ଦଳର ଜଣେ ଛାମୁଆ ନେତା। ଖାସ୍ ସେଇଥିପାଇଁ ବ୍ଲକ ପ୍ରଶାସନ ଏଭଳି ବେଆଇନ୍ କାର୍ଯ୍ୟ କରିବାକୁ ସାହସ କରିଥିବା କୁହାଯାଉଛି। ତେଣୁ ହିତାଧିକାରୀ ଚୟନ, ଜିଓ ଟ୍ୟାଗିଙ୍ଗ ଭଳି ସମସ୍ତ ପ୍ରକ୍ରିୟା ସନ୍ଦେହଘେରରେ।

ଇଏ କେମିତିକା ଆବାସ କେଳେଙ୍କାରୀ ? ପ୍ରଥମେ ଭୂତ ହିତାଧିକାରୀ ଚୟନ ଏବଂ ପରେ ସରକାରୀ ଦଳର କର୍ମୀଙ୍କ ଆକାଉଣ୍ଟକୁ ଟଙ୍କା ଟ୍ରାନ୍ସଫର। ପ୍ରଶ୍ନ ଉଠୁଛି, କିଭଳି ବଦଳିଲା ଦସ୍ତାବିଜ୍ ? ନାଗାମାଙ୍କ ବଦଳରେ ନୀଳାନ୍ଦ୍ରିଙ୍କ ଆକାଉଣ୍ଟକୁ ଟଙ୍କା କେମିତି ଗଲା ? ଏ ଚଞ୍ଚକତା ପଛରେ କିଏ ?

ଚାଟିକଣା ପଞ୍ଚାୟତରେ ଅନେକ ଲୋକ ଏଭଳି ଅଛନ୍ତି, ଯେଉଁମାନେ ଭଙ୍ଗା ଦଦରା ଚାଳ ଘରେ ରହୁଛନ୍ତି ଅଥଚ ଆବାସରୁ ବଞ୍ଚିତ। କିନ୍ତୁ ନାଗାମା ହାଡ୍ରିଗାମୀଙ୍କ ଭଳି ଅନାମ ବ୍ୟକ୍ତିଙ୍କ ନାଁରେ ଘର ମଞ୍ଜୁର ହେଉଛି। ଯାହା ତଳୁ ଉପର ପର୍ଯ୍ୟନ୍ତ ସମସ୍ତ ଅଧିକାରୀଙ୍କ ଜାଣତରେ ହୋଇଥିବା ଜଣାପଡୁଛି। ଚାଟିକଣା ପଞ୍ଚାୟତ ନିର୍ବାହୀ ଅଧିକାରୀ ଓ ବିଡିଓ ମଧ୍ୟ ଏକଥା ପରୋକ୍ଷରେ ସ୍ୱୀକାର କରିଛନ୍ତି।

ଆବାସ ଘର ଖଣ୍ଡେ ପାଇବା ପାଇଁ ହେଲେ ଏସିସି ଲିଷ୍ଟରେ ନାଁ ଥିବା ଦରକାର। ପଞ୍ଚାୟତରୁ କର୍ମଚାରୀ ଆସି ଘର ଯାଞ୍ଚ କରିବେ, ତାପରେ ଯାଇ ୱାର୍କ ଅର୍ଡର ଦିଆଯିବ। କିନ୍ତୁ ନୀଳାନ୍ଦ୍ରି କରକରିଆଙ୍କ କ୍ଷେତ୍ରରେ କିପରି ସବୁ ନିୟମକୁ ଦଳି ମକଚି ଦିଆଯାଇଛି, ତାହା ସବୁଠୁ ବଡ଼ ପ୍ରଶ୍ନ।

Yojanara Na Hariloot
Advertisment
Advertisment