/odishatv-khabar/media/post_attachments/uploadimage/library/16_9/16_9_0/IMAGE_1696578752.jpg)
Special Story
ଗୋଟେ ପଟେ ସିନ୍ଦୁର ବଞ୍ଚାଇବାକୁ ସଂଗ୍ରାମ ଅନ୍ୟ ପଟେ ସନ୍ତାନ ପାଇଁ ସଂଘର୍ଷ । ସ୍ୱାମୀଙ୍କୁ ଲିଭର ସିରୋସିସ୍, ଆଉ ଭେଣ୍ଡିଆ ପୁଅ ଅଟିଜିମର ଶୀକାର । ଉଭୟଙ୍କ ଚିକିତ୍ସା ପାଇଁ ଘର ଡିହ ବିକି ସାରିଲଣି ସ୍ତ୍ରୀ ପୁଷ୍ପଲତା । ଏବେ ମାସକୁ ୪୦ରୁ ୫୦ ହଜାର ସହ ଅପରେସନ ବାବଦକୁ ୪୦ ଲକ୍ଷ ଦରକାର । ତେଣୁ କେମିତି ସ୍ୱାମୀକୁ ବଞ୍ଚାଇବେ ପୁଷ୍ପଲତା । ସାହାଯ୍ୟ ପାଇଁ ହାତ ଯୋଡି ଅନୁରୋଧ କରିଛନ୍ତି ।
ଗୋଟେ ଘରେ ସ୍ୱାମୀ, ଆର ଘରେ ପୁଅ । ସ୍ୱାମୀଙ୍କୁ ଲିଭର ସିରୋସିସ୍ ଆଉ ପୁଅ ଜନ୍ମରୁ ଅଟିଜିମ । କେତେ ବେଳେ କାହାକୁ ସମୟ ଦେବେ କାହାର ଚିକିତ୍ସା କରିବେ ଜାଣି ପାରୁ ନାହାନ୍ତି । ସେହି ଅଭାଗିନୀ ମହିଳା ହେଉଛନ୍ତି ଭୁବନେଶ୍ୱର ବିଡିଏ କଲୋନୀ ବାସିନ୍ଦା ପୁଷ୍ପଲତା ମହାନ୍ତି । ସ୍ୱାମୀ ମନୋଜ ମହାନ୍ତି ଜଣେ ବ୍ୟବସାୟୀ ଥିଲେ । ହେଲେ ଲିଭର ସିରୋସିସ୍ରେ ଆକ୍ରାନ୍ତ ଦିନଠୁ ବ୍ୟବସାୟ ଠପ୍, ଏକ ପ୍ରକାର ଶଯ୍ୟଶାୟୀ । ଘରୁ ଠାରୁ ଅଧିକ ଦିନ କଟୁଛି ହସ୍ପିଟାଲ ବେଡ୍ରେ ।
ଆଉ ଏହି ସମୟରେ ଯିଏ ସାହାରା ହେବା କଥା ୨୨ ବର୍ଷର ଭେଣ୍ଡିଆ ପୁଅ, ସେ ଓଲଟା ବାପାମାଙ୍କ ଉପରେ ବୋଝ ସାଜିଛି । କାହିଁକି ନା ଜନ୍ମରୁ ଅଟିଜିମ୍ ରୋଗରେ ପୀଡିତ । କେବଳ ଚାଲିବା ବୁଲିବା ଛଡା କଥା କହିପାରେନି କି ନିଜେ କିଛି କରିବା ମୁସ୍କିଲ । ପୂରା ମାଆ ଉପରେ ନିର୍ଭରଶୀଳ । ବଡ କଥା ହେଲା ସ୍ୱାମୀଙ୍କ ମେଡିସିନ ବାବଦକୁ ମାସକୁ ଖର୍ଚ୍ଚ ୪୦ ହଜାର ଆଉ ପୁଅର ମାସକୁ ମେଡିସିନ ୭ରୁ ୮ ହଜାର । ଏମିତି ସ୍ଥିତିରେ ୨ ମାସ ହେବ ଡାଇବେଟିସ ମେଡିସିନ ଖାଇବା ଛାଡି ଦେଲେଣି ପୁଷ୍ପଲତା । ଗାଁରେ ଜମି ଘର ବିକି ଏପର୍ଯ୍ୟନ୍ତ ଖର୍ଚ୍ଚ କରି ଆସୁଛନ୍ତି ହେଲେ ଏବେ ଆଉ ସକ୍ଷମ ନୁହଁନ୍ତି। ପୁଣି ଅପରେସନ ପାଇଁ ଆବଶ୍ୟକ ୪୦ରୁ ୫୦ ଲକ୍ଷ ଟଙ୍କା । ସେଥିପାଇଁ ସାହାଯ୍ୟ ଲୋଢୁଛନ୍ତି ପୁଷ୍ପଲତା ।
ବଡ଼ କଥା ହେଲା ଆଜି ଯାଏଁ ବାରମ୍ବାର ଆବେଦନ ପରେ କୌଣସି ସରକାରୀ ସହୟତା ପାଇ ପାରୁନାହାନ୍ତି ପୁଷ୍ପଲତା । ଏମିତିକି ମୁଖ୍ୟମନ୍ତ୍ରୀ ଏବଂ ପ୍ରଧାନମନ୍ତ୍ରୀଙ୍କ ଠାରୁ ସହୟତା ପାଇଁ ଆବେଦନ କରିଥିଲେ ବି ମିଳିନି । ପୁଣି ମାଗଣା ଚିକିତ୍ସା ପାଇଁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ କାର୍ଡ ବି ନାହିଁ । ଏନେଇ ବାରମ୍ୱାର ସ୍ଥାନୀୟ କର୍ପୋରେଟର ଏବଂ ବିଏମ୍ସି ଅଧିକାରୀଙ୍କ ଦ୍ୱାରସ୍ଥ ହୋଇଥିଲେ ମଧ୍ୟ ମୁହେଁ ମୁହେଁ ମନା କରିଦେଇଛନ୍ତି ସବୁ । ତେଣୁ ଏବେ ମାସକୁ ମେଡିସିନ ଖର୍ଚ୍ଚ ତା ସାଙ୍ଗକୁ ଅପରେସନ । ଡାକ୍ତର ପୁଣି କହୁଛନ୍ତି ବିଳମ୍ବ ହେଲେ ବିପଦ ବଢୁଛି ।
ଆପଣ ବି ଯଦି ପୁଷ୍ପଲତାଙ୍କୁ ସାହାଯ୍ୟ କରିବାକୁ ଚାହୁଁଛନ୍ତି ତାଙ୍କ ମୋବାଇଲ ନଂ, ୭୮୯୪୩୧୪୫୬୨ ରେ ଯୋଗାଯୋଗ କରି ସହଯୋଗ କରି ପାରିବେ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)