• Astrospeak
  • Live TV
  • Read In English

kuldhara: ସଂଧ୍ୟା ହେଲେ ଏଠି ଯିବାକୁ ମନା, ବିଶ୍ବାସ ନକଲେ ବି ସତ

ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ପୂର୍ବରୁ କୁଲଧାରା ଗାଁରେ ମୂଳତଃ ବ୍ରାହ୍ମଣମାନେ ବାସ କରୁଥିଲେ । ଯେଉଁମାନେ ପାଲି ଅଞ୍ଚଳରୁ ଜୈସଲମେରକୁ ଚାଲିଆସିଥିଲେ । ଦିନ ଥିଲା ଏହି ଗ୍ରାମ ଚଳଚଞ୍ଚଳ ଥିଲା ।

kuldhara
kuldhara

ରାଜସ୍ଥାନ । ଭାରତର ସବୁଠୁ ବଡ଼ ରାଜ୍ୟ । ପ୍ରତିବର୍ଷ ଲକ୍ଷ ଲକ୍ଷ ପର୍ଯ୍ୟଟକ ଏଠିକି ବୁଲିବାକୁ ଆସନ୍ତି । ରାଜସ୍ଥାନର ସଂସ୍କୃତି କେବଳ ଭାରତରେ ନୁହେଁ, ସାରା ବିଶ୍ୱରେ ପ୍ରସିଦ୍ଧ । ଏହି ରାଜ୍ୟରେ ଏମିତି କିଛି ରହସ୍ୟ ଅଛି, ଯାହା ଆଜିକୁ ଲୋକଙ୍କୁ ଆଶ୍ଚର୍ଯ୍ୟ କରେ। ଏପରି ଏକ ରହସ୍ୟମୟ ଗାଁ ରହିଛି ଜୈସଲମେର ଜିଲ୍ଲାରେ । ଯାହାର ନାଁ କୁଲଧାରା ।

ଏହି ଗାଁ ଜୈସଲମେର ଜିଲ୍ଲାରୁ ପ୍ରାୟ ୧୭ କିଲୋମିଟର ଦୂରରେ ଅବସ୍ଥିତ । ଗତ ୨୦୦ ବର୍ଷ ଧରି ଏହି ଗାଁ ପରିତ୍ୟକ୍ତ ଅବସ୍ଥାରେ ରହିଛି । ସେଥିପାଇଁ ଏହାକୁ ଭୂତକୋଠି ବି କୁହାଯାଏ ।

ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ପୂର୍ବରୁ କୁଲଧାରା ଗାଁରେ ମୂଳତଃ ବ୍ରାହ୍ମଣମାନେ ବାସ କରୁଥିଲେ । ଯେଉଁମାନେ ପାଲି ଅଞ୍ଚଳରୁ ଜୈସଲମେରକୁ ଚାଲିଆସିଥିଲେ । ଦିନ ଥିଲା ଏହି ଗ୍ରାମ ଚଳଚଞ୍ଚଳ ଥିଲା । କିନ୍ତୁ ଏବେର ସ୍ଥିତି ପୂରା ଅଲଗା । ଏଠି ରହିବା ତ ଦୂରର କଥା ବୁଲିବାକୁ ଆସିବାକୁ ମଧ୍ୟ ଭୟ କରୁଛନ୍ତି ଲୋକେ ।

୧୮୦୦ ଦଶକରେ ଏହି ଗ୍ରାମଟି ଥିଲା ମନ୍ତ୍ରୀ ସଲିମ ସିଂହଙ୍କ ଅଧୀନରେ । ଯିଏ କି ବହୁତ ଅତ୍ୟାଚାରୀ ଓ ନିଷ୍ଠୁର ଥିଲେ । ଲୋକମାନେ ତାଙ୍କ କାର୍ଯ୍ୟକୁ ନେଇ ଅତିଷ୍ଠ ହୋଇପଡ଼ିଥିଲେ । ଏସବୁ ମଧ୍ୟରେ ଦିନେ ଗ୍ରାମ ମୁଖିଆଙ୍କ ଝିଅ ଉପରେ ପଡ଼ିଥିଲା ସଲିମ ସିଂହର ନଜର । ଗ୍ରାମ ମୁଖିଆଙ୍କ ଝିଅ ଦେଖିବାକୁ ଖୁବ ସୁନ୍ଦର ଥିଲେ । ସେଥିପାଇଁ ମୁଖିଆଙ୍କୁ ଡାକି ତାଙ୍କ ଝିଅକୁ ତା’ସହ ବିବାହ ପାଇଁ ପ୍ରସ୍ତାବ ଦେଲା ।

ହେଲେ ଏଥିରେ ରାଜି ହୋଇନଥିଲେ ମୁଖିଆ । ସଲିମ ସିଂହ ଏଥିରେ ରାଗିଯାଇ ପୂରା ଗାଁ ଲୋକଙ୍କୁ ଧମକ ଦେଇଥିଲା । ଯଦି ଗାଁ ଲୋକ କଥା ନମାନ୍ତି ତେବେ ସେମାନଙ୍କୁ ଅଧିକ କର ଦେବାକୁ ପଡ଼ିବ । ଝିଅର ଜୀବନ ଓ ଗାଁ ଲୋକଙ୍କୁ ଏହି ବିପଦରୁ ବଞ୍ଚାଇବା ପାଇଁ ଗାଁ ମୁଖିଆ ଗୋଟିଏ ନିଷ୍ପତ୍ତି ନେଲେ । ରାତାରାତି ଗାଁକୁ ଛାଡ଼ି ଚାଲିଗଲେ ।

ତେବେ ଯିବା ସମୟରେ, ଗ୍ରାମବାସୀମାନେ ଅଭିଶାପ ଦେଇଗଲେ । ଏହି ଗାଁରେ କେହି ରହିପାରିବେ ନାହିଁ । ଆଉ ଠିକ ସେହିଭଳି ହେଲା । ସମୟ ସହିତ କୁଲଧାରାର ଆଖପାଖ ଗାଁଗୁଡ଼ିକ ପୁନଃସ୍ଥାପିତ ହେଲା । କିନ୍ତୁ କୁଲଧାରା ଗାଁକୁ କିନ୍ତୁ ପୁନଃସ୍ଥାପିତ କରାଯାଇ ପାରିଲା ନାହିଁ । ଆଜି ମଧ୍ୟ ଯଦି କେହି ଏଠାକୁ ଯାଆନ୍ତି, ତେବେ ସନ୍ଧ୍ୟା ପରେ ତାଙ୍କୁ ଏହି ଗାଁରେ ପ୍ରବେଶ କରିବାକୁ ଅନୁମତି ଦିଆଯାଏ ନାହିଁ ।