Indian Railways: କେବେ ଆରମ୍ଭ ହେଲା ଭାରତୀୟ ରେଳ ସେବା ? କାହିଁକି କୁହାଯାଏ Indian Railways...

ଭାରତୀୟ ରେଳ ହେଉଛି ବିଶ୍ୱରେ ଏପରି ଏକ ନେଟୱାର୍କ, ଯେଉଁଥିରେ ପ୍ରାୟ ୧୫ ଲକ୍ଷ ଲୋକ କାମ କରନ୍ତି, ଯାହା ବିଶ୍ୱରେ ସର୍ବାଧିକ ରୋଜଗାର ଯୋଗାଇଥାଏ । ଦେଶରେ ପ୍ରାୟ ୬୬ ହଜାର କିଲୋମିଟର ବିଶିଷ୍ଟ ରେଳ ନେଟୱାର୍କ ଅଛି, ଏହା ଦୁନିଆର ତିନୋଟି ବୃହତ୍ତମ ରେଳ ନେଟୱାର୍କ ମଧ୍ୟରୁ ଗୋଟିଏ।

ଭାରତୀୟ ରେଳର ଇତିହାସ

ରେଳକୁ ଭାରତର ଜୀବନ ରେଖା କହିଲେ ଅତୁକ୍ତି ହେବନି। ଦେଶର ଗୋଟିଏ ପ୍ରାନ୍ତରୁ ଆଉ ଗୋଟିଏ ପ୍ରାନ୍ତକୁ ଯୋଡ଼ିବାରେ ରେଳ ଏକ ସେତୁ ଭଳି କାମ କରେ। ପ୍ରତିଦିନ ଲକ୍ଷ ଲକ୍ଷ ଯାତ୍ରୀ ଟ୍ରେନରେ ଯାତ୍ରା କରିଥାନ୍ତି । କିନ୍ତୁ ଭାରତୀୟ ରେଳ ବା ଇଣ୍ଡିଆନ୍‌ ରେଲୱେଜ୍‌ର ଅନେକ କଥା ଲୋକଙ୍କୁ ଅଜଣା ରହିଛି । ଭାରତୀୟ ରେଳକୁ Indian Railway ନକହି କାହିଁକି Indian Railways କୁହାଯାଏ ? ତେବେ ଆସନ୍ତୁ ଜାଣିବା...

ୟୁନିଅନ୍ ପବ୍ଲିକ୍ ସର୍ଭିସ କମିଶନ (UPSC) ହେଉଛି ଏକ ସାମ୍ବିଧାନିକ ସଂସ୍ଥା ଯାହାକି ଭାରତ ସରକାରଙ୍କ ବିଭିନ୍ନ ଗ୍ରୁପ୍-ଏ ଏବଂ ଗ୍ରୁପ୍-ବି ସେବା ପାଇଁ ପ୍ରାର୍ଥୀ ଚୟନ ଏବଂ ସୁପାରିଶ ପାଇଁ ବିଭିନ୍ନ ପରୀକ୍ଷା କରିଥାଏ। ପରୀକ୍ଷା ଏବଂ ସାକ୍ଷାତକାରରେ, UPSC ଅନେକ କଠିନ ପ୍ରଶ୍ନ ପଚାରିଥାଏ, ଯାହା ଏକ ନିର୍ଦ୍ଦିଷ୍ଟ ବିଷୟ କିମ୍ବା ସାଧାରଣ ସଚେତନତା ସହିତ ଜଡିତ । ତେବେ, ଭାରତୀୟ ରେଳ ନେଇ UPSC ଏକ ପ୍ରଶ୍ନ ପଚାରିଥିଲା। ପ୍ରଶ୍ନଟି ଥିଲା ଭାରତୀୟ ରେଳକୁ Indian Railway ନକହି କାହିଁକି Indian Railways କୁହାଯାଏ ?

ପ୍ରଥମତଃ ରେଳ ଗୋଟିଏ ଏକ ବଚନ ଶବ୍ଦ ନୁହେଁ। ଏହା ଅନେକ ବିଭାଗର ସମାହାର। ଭାରତୀୟ ରେଳ ହେଉଛି ସମଗ୍ର ଦେଶରେ ଏକାଧିକ ରେଳ ଜୋନର ଏକ ନେଟୱାର୍କ । ଏଥିରେ ୧୭ ଟି ଭିନ୍ନ ଭିନ୍ନ ଜୋନ୍-କେନ୍ଦ୍ରୀୟ ରେଳ, ପୂର୍ବ ରେଳ, ପୂର୍ବ କେନ୍ଦ୍ରୀୟ ରେଳ, ପୂର୍ବ ତଟ ରେଳ, ଉତ୍ତର ରେଳ, ଉତ୍ତର କେନ୍ଦ୍ରୀୟ ରେଳ, ଉତ୍ତର ପୂର୍ବ ରେଳ, ଉତ୍ତର ସୀମା ରେଳ, ଉତ୍ତର ପଶ୍ଚିମ ରେଳ, ଦକ୍ଷିଣ ରେଳ, ଦକ୍ଷିଣ କେନ୍ଦ୍ରୀୟ ରେଳ, ଦକ୍ଷିଣ ପୂର୍ବ ରେଳ , ଦକ୍ଷିଣ ପୂର୍ବ କେନ୍ଦ୍ରୀୟ ରେଳ, ଦକ୍ଷିଣ ପଶ୍ଚିମ ରେଳ, ପଶ୍ଚିମ ରେଳ ଏବଂ ପଶ୍ଚିମ କେନ୍ଦ୍ରୀୟ ରେଳ । ରେଳ ବୋର୍ଡର ଅଧୀନରେ ସମସ୍ତ ଜୋନ୍ କାର୍ଯ୍ୟ କରେ। ଯାହା ବର୍ତ୍ତମାନ ସତୀଶ କୁମାରଙ୍କ ଦ୍ୱାରା ପରିଚାଳିତ । ସେ ରେଳ ବୋର୍ଡର ଚେୟାରମ୍ୟାନ୍ ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଅଛନ୍ତି।

ଭାରତୀୟ ରେଳ ହେଉଛି ବିଶ୍ୱରେ ଏପରି ଏକ ନେଟୱାର୍କ, ଯେଉଁଥିରେ ପ୍ରାୟ ୧୫ ଲକ୍ଷ ଲୋକ କାମ କରନ୍ତି, ଯାହା ବିଶ୍ୱରେ ସର୍ବାଧିକ ରୋଜଗାର ଯୋଗାଇଥାଏ । ଦେଶରେ ପ୍ରାୟ ୬୬ ହଜାର କିଲୋମିଟର ବିଶିଷ୍ଟ ରେଳ ନେଟୱାର୍କ ଅଛି, ଏହା ଦୁନିଆର ତିନୋଟି ବୃହତ୍ତମ ରେଳ ନେଟୱାର୍କ ମଧ୍ୟରୁ ଗୋଟିଏ। ମାଲ ପରିବହନ ପାଇଁ ଭାରତୀୟ ରେଳବାଇ ହେଉଛି ଦେଶର ସର୍ବବୃହତ ପରିବହନ ମୋଡ୍। ଦେଶର ୯୦ ପ୍ରତିଶତ କୋଇଲା ପରିବହନ ରେଳବାଇ ମାଧ୍ୟମରେ କରାଯାଇଥାଏ, ଦୈନିକ ୨୧ ହଜାରରୁ ଅଧିକ ଯାତ୍ରୀ ଏବଂ ମାଲଗାଡ଼ି ଟ୍ରେନ୍ ଚାଲିଥାଏ। କରୋନା ପୂର୍ବରୁ, ପ୍ରାୟ ୨.୫୦ କୋଟି ଲୋକ ପ୍ରତିଦିନ ରେଳପଥରେ ଯାତ୍ରା କରୁଥିଲେ । ବର୍ତ୍ତମାନ ଭାରତୀୟ ରେଳ ଦେଶର ପ୍ରତ୍ୟେକ କୋଣରେ ପହଞ୍ଚିଛି।

୧୮୩୨ ମସିହାରେ ଇଂରେଜମାନେ ଭାରତରେ ଟ୍ରେନ ଚଳାଇବା ନେଇ ଯୋଜନା ଆରମ୍ଭ କରିଥିଲେ । ସେତେବେଳକୁ ବ୍ରିଟେନରେ ରେଳର ସୁବିଧା ଉପଲବ୍ଧ ହୋଇସାରିଥିଲା । ତେଣୁ ଭାରତରେ ରେଳ ସେବା ଆରମ୍ଭ କଲେ ଅନେକ ପ୍ରକାର ସୁବିଧା ପାଇବା ଲୋଭରେ ଏଠାରେ ମଧ୍ୟ ରେଳ ଚଳାଇବା ପାଇଁ ଯୋଜନା କରୁଥିଲେ । ତେବେ ଅନେକ ବିଚାର ଏବଂ ବିଭିନ୍ନ ଯୋଜନା କରିବା ପରେ ମଧ୍ୟ ଏହା ସଫଳ ହୋଇପାରୁ ନଥିଲା । ତେଣୁ ପ୍ରାୟ ଗୋଟିଏ ଦଶନ୍ଧି ପରେ ୧୮୪୪ ମସିହାରେ ଏହାକୁ ଗୁରୁତ୍ୱ ଦେଇଥିଲେ ତତ୍କାଳୀନ ଗଭର୍ଣ୍ଣର ଜେନେରାଲ ଲର୍ଡ ହାର୍ଡିଂ ।

ବେସରକାରୀ ଉଦ୍ୟୋଗୀମାନଙ୍କୁ ଏହି କ୍ଷେତ୍ରରେ ସାମିଲ କରିବା ସହ ସେମାନଙ୍କୁ ରେଳ ପ୍ରଣାଳୀରେ କାମ କରିବା ପାଇଁ ସେ ଅନୁମତି ଦେଇଥିଲେ । ଏହାପରେ ୧୮୪୫ ମସିହାରେ ‘ଇଷ୍ଟ ଇଣ୍ଡିଆନ ରେଲୱେ କମ୍ପାନୀ’ ଏବଂ ‘ଗ୍ରେଟ ଇଣ୍ଡିଆନ ପେନିନସୁଲା ରେଲୱେ’ ନାମରେ ଦୁଇଟି କମ୍ପାନୀ ପ୍ରସ୍ତୁତ ହୋଇଥିଲା । ସମସ୍ତ ଯୋଜନା ପରେ ୧୮୫୩ ମସିହା ଏପ୍ରିଲ ୧୬ ତାରିଖରେ ଭାରତରେ ଗଡିଥିଲା ପ୍ରଥମ ଟ୍ରେନ । ଛତ୍ରପତି ଶିବାଜୀ ଟର୍ମିନାଲରୁ ଥାନେ ପର୍ଯ୍ୟନ୍ତ ୩୫ କିଲୋମିଟରର ଯାତ୍ରା କରିଥିଲା ଏହି ଟ୍ରେନ୍ । ୩ଟି ଇଞ୍ଜିନ ସହ ପ୍ରଥମ ଟ୍ରେନର ୨୦ଟି କୋଚ ଛତ୍ରପତି ଶିବାଜୀ ଟର୍ମିନାଲରୁ ବାହାରି ଥାନେରେ ପହଞ୍ଚିଥିଲା । ଦେଶର ଏହି ପ୍ରଥମ ଟ୍ରେନ ଯାତ୍ରାରେ ପ୍ରାୟ ୪୦୦ ଯାତ୍ରୀ ଥିଲେ ।