• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ନୂଆ ନୋଟରୁ ହଟିବ କି ଗାନ୍ଧିଜୀଙ୍କ ଚିତ୍ର? ଏଭଳି ବିବାଦ ପୁଣି ଥରେ ଜୋର୍ ଧରିଛି । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲଙ୍କ ମନ୍ତବ୍ୟ ପରେ ନୂ‌ଆ ନୋଟରେ ଗୋଟିଏ ପଟେ ବାପୁଙ୍କ ଫଟୋ ଓ ଅନ୍ୟପଟେ ଗଣେଶ ଓ ଲକ୍ଷ୍ମୀଙ୍କ ଫଟୋ ଛାପିବାକୁ ସେ କେନ୍ଦ୍ର ସରକାରଙ୍କୁ ଅପିଲ୍ କରିଛନ୍ତି । ତେବେ ଭାରତୀୟ ମୁଦ୍ରାରେ ଗାନ୍ଧିଜୀଙ୍କ ଫଟୋକୁ ନେଇ ଅନେକ ସମୟରେ ପ୍ରଶ୍ନ ଉଠିଛି । କିଛି ଲୋକଙ୍କ ମତରେ ମୁଦ୍ରାରେ ଜାତିର ପିତାଙ୍କ ଫଟୋ ରହିବା ଦରକାର, ଆଉ କିଛି କୁହନ୍ତି ଅନ୍ୟ ମହାପୁରଷଙ୍କ ଫଟୋ ମଧ୍ୟ ରଖିବାର ଆବଶ୍ୟକତା ରହିଛି ।

ପୂର୍ବରୁ ବି ନୋଟରେ ଛପା ହେଉଥିଲା କି ଗାନ୍ଧିଜୀଙ୍କ ଫଟୋ ?

ଧାତବ ମୁଦ୍ରା ହେଉ କି ନୋଟ୍ ପରାଧୀନ ଭାରତରେ ଟଙ୍କା ପଇସାରେ ଶୋଭା ପାଉଥିଲା ଇଂଲଣ୍ଡର ରାଜାରାଣୀଙ୍କ ଚେହେରା । ଶେଷଥର ପାଇଁ ୧୯୩୮ରୁ ୧୧ ବର୍ଷ ଯାଏଁ ନୋଟ୍ରେ ଛପା ଯାଉଥିଲା କିଙ୍ଗ୍ ଜର୍ଜ ଷଷ୍ଠଙ୍କ ଚିତ୍ର । ଏହାକୁ ହଟାଇ ୧୯୪୯ରେ ଟଙ୍କିକିଆ ନୋଟରେ ଛପାଗଲା ସାରନାଥ ସିଂହମୂର୍ତ୍ତି । ସେତେବେଳେ ମଧ୍ୟ ଗାନ୍ଧିଜୀଙ୍କ ଫଟୋ ଛାପିବାକୁ ପ୍ରସ୍ତୁତ ହୋଇସାରିଥିଲା ଡିଜାଇନ୍ । କିନ୍ତୁ ଚୂଡ଼ାନ୍ତ ବୈଠକରେ ସାରନାଥ ସିଂହମୂର୍ତ୍ତି ପାଇଁ ହୋଇଥିଲା ସହମତି ।

୧୦ ଟଙ୍କିଆ ନୋଟ୍ ପଛପଟେ ଥିଲା ଏକ ଜାହାଜର ଚିତ୍ର । ୧୯୫୦ରେ ବିଭିନ୍ନ ରଙ୍ଗ ଓ ଡିଜାଇନର ୨ ଟଙ୍କିଆ, ୫ ଟଙ୍କିଆ, ୧୦ ଟଙ୍କିଆ ଓ ଶହେ ଟଙ୍କିଆ ନୋଟ୍ ପ୍ରଚଳନ ଆରମ୍ଭ ହୋଇଥିଲା । ସେଥିରେ ବି ପ୍ରମୁଖ ଚିତ୍ର ଭାବେ ଛପାହୋଇଥିଲା ସାରନାଥ ସିଂହମୂର୍ତ୍ତି । ୧୯୫୩ରେ ପ୍ରଥମ ଥର ପାଇଁ ନୋଟରେ ଦେବନାଗରୀ ଲିପିରେ ଲିଖିତ ହିନ୍ଦୀ ଭାଷାକୁ ଗୁରୁତ୍ୱ ଦିଆଗଲା । ଟଙ୍କାରେ ଇଂରାଜୀ ରୁପିଜ୍ ସହ ହିନ୍ଦୀରେ ଲେଖାଗଲା ରୁପୟା । ରୋଚକ କଥା ହେଉଛି, ୧୯୪୬ ବିମୁଦ୍ରାକରଣ ପରେ ୧୯୫୪ରେ ପୁଣିଥରେ ୧ ହଜାର, ୫ ହଜାର ଓ ୧୦ ହଜାର ଟଙ୍କାର ନୋଟ୍ ଛାପିଥିଲା ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଅଆ, ଯାହାକୁ ୧୯୭୮ରେ ନିଷିଦ୍ଧ ଘୋଷଣା କରାଗଲା ।

କେବେ ମହାତ୍ମା ଗାନ୍ଧିଙ୍କ ଚିତ୍ର ପ୍ରଥମ ଥର ପାଇଁ ଭାରତୀୟ ଟଙ୍କାରେ ସ୍ଥାନିତ ହେଲା ?

୧୯୬୯ ମସିହାରେ ଗାନ୍ଧିଜୀଙ୍କ ଜନ୍ମ ବାର୍ଷିକୀ ପାଳନ ଅବସରରେ ସେବାଗ୍ରାମ ଆଶ୍ରମ ପ୍ରଚ୍ଛଦପଟ୍ଟରେ ଗାନ୍ଧିଜୀଙ୍କ ବସିଥିବାର ଚିତ୍ର ଛପାଗଲା ବିଭିନ୍ନ ନୋଟରେ । ନୋଟର ଆଗପଟେ ସିଂହମୂର୍ତ୍ତି ଓ ପଛପଟେ ଗାନ୍ଧିଜୀଙ୍କ ପୂର୍ଣ୍ଣ ଅବୟବ ଚିତ୍ର ସ୍ଥାନ ପାଇଲା ।

ହେଲେ ଏବେ ଆମେ ଯେଉଁ ଗାନ୍ଧିଜୀଙ୍କ ଚିତ୍ର ନୋଟରେ ଦେଖୁ ତାହାର ପ୍ରଚଳନ ଆରମ୍ଭ ହୋଇଥିଲା ୧୯୮୭ ମସିହାରେ । ପ୍ରଥମ ଥର ପାଇଁ ୫ଶହ ଟଙ୍କିଆ ପ୍ରଚଳନ ସହ କେବଳ ସେହି ନୋଟରେ ଏହାକୁ ଛପାଯାଇଥିଲା । ଏହାପରେ ୧୯୯୬ରେ ବିଧିବଦ୍ଧ ଭାବେ ଆରମ୍ଭ ହେଲା ମହାତ୍ମା ଗାନ୍ଧି ସିରିଜ୍ । ୫ ଟଙ୍କାରୁ ଆରମ୍ଭ କରି ପରବର୍ତ୍ତୀ ସମୟରେ ସର୍ବାଧିକ ହଜାରେ ଟଙ୍କିଆ ନୋଟ୍ ପର୍ଯ୍ୟନ୍ତ ସବୁ ମୂଲ୍ୟର ନୋଟରେ ଗାନ୍ଧିଜୀଙ୍କର ଚିତ୍ର ଛପା ରହିଥିଲା ।

୨୦୧୬ ବିମୁଦ୍ରାକରଣ ପରେ ମଧ୍ୟ ସବୁ ନୋଟ୍ ସହିତ ନୂଆ ୨ହଜାର ଟଙ୍କିଆ ନୋଟରେ ବି ମହାତ୍ମା ଗାନ୍ଧିଙ୍କ ଫଟୋ ଛପାଯାଉଛି । ଗାନ୍ଧିଜୀଙ୍କର ଏହି ଚିତ୍ରକୁ ୧୯୪୬ର ଏକ ଫଟୋରୁ ଉଦ୍ଧାର କରାଯାଇଛି । ରାଷ୍ଟ୍ରପତି ଭବନ ବା ତତ୍କାଳୀନ ଭାଇସ୍ରୟ ରେସିଡେନ୍ସି ସାମ୍ନାରେ ଉଠାଯାଇଥିବା ଏହି ଫଟୋରେ ବ୍ରିଟିଶ୍ ନେତା ଲର୍ଡ ଫ୍ରେଡ୍ରିକ୍ ଓ୍ୱିଲିୟମ୍ ପେଥିକ୍ ଲରେନ୍ସଙ୍କ ସହ ଅଛନ୍ତି ଗାନ୍ଧିଜୀ ।

ଟଙ୍କାରେ କାହିଁକି ଗାନ୍ଧିଜୀଙ୍କ ମୂର୍ତ୍ତିକୁ ସ୍ଥାନ ଦିଆଯାଇଥିଲା?

ଆଗରୁ ନୋଟରେ ସ୍ଥାନ ପାଉଥିବା ଚିତ୍ର ଗୁଡ଼ିକ ନକଲ କରିବା ସହଜ ଥିଲା । ପରେ ଟଙ୍କାର ସୁରକ୍ଷା ବୈଶିଷ୍ଟ୍ୟକୁ ଉନ୍ନତ କରାଯିବା ସହିତ କୌଣସି ବ୍ୟକ୍ତିଙ୍କ ଚିତ୍ରକୁ ସ୍ଥାନିତ କରିବାକୁ ନିଷ୍ପତ୍ତି ହେଲା । କାରଣ କୌଣସି ବ୍ୟକ୍ତିଙ୍କ ମୁଖମଣ୍ଡଳର ଚିତ୍ରକୁ ନକଲ କରିବା ଅପେକ୍ଷାକୃତ କଷ୍ଟକର । ତେବେ ସେତେବେଳେ ଯେଉଁସବୁ ପ୍ରମୁଖ ସ୍ୱାଧୀନତା ସଂଗ୍ରାମୀଙ୍କ ନାଁ ସାମ୍ନାକୁ ଆସିଲା, କେବଳ ମହାତ୍ମାଗାନ୍ଧିଙ୍କୁ ଛାଡ଼ି ବାକି ସମସ୍ତେ କୌଣସି ନିର୍ଦ୍ଦିଷ୍ଟ ଅଞ୍ଚଳର ପ୍ରତିନିଧିତ୍ୱ କରୁଥିଲେ । ଏହା ବିବାଦର ସୂତ୍ରପାତ କରିବା ଆଶଙ୍କା କରି ଜାତିର ପିତାଙ୍କ ଚିତ୍ରକୁ ନୋଟରେ ଛପାଗଲା ।