Advertisment

ବୟସ ଖାଲି ଏକ ନଂ, ୯୦ରେ ବି ଫିଟ୍ ଶିବ ବଇଦ

ବୟସ ବଢିଗଲାଣି ବୋଲି ସିନା କାନକୁ ଶୁଣାଯାଉନି। ହେଲେ ସାଇକେଲ ପ୍ୟାଡେଲରେ ଏବେ ବି ଧାଇଁ ଧାଇଁ ଚାଲୁଛି ଗୋଡ଼। ତୀକ୍ଷ୍ମ ଦୃଷ୍ଟି, ଅମାପ ଜ୍ଞାନ, ଆଉ ଧୈର୍ଯ୍ୟ ଏତେ ଯେ ସାମ୍ନାରେ କୌଣସି ଯୁବକ ବି ଫେଲ୍ ମାରିବେ। ଚାଷ ଠାରୁ ବଇଦ ପାଠ। ସବୁଥିରେ ସେ ପାରଙ୍ଗମ।

ଅଦ୍ୟତନ ହୋଇଛି
inspiring story of 90-year-old man

inspiring story of 90-year-old man

Advertisment

ଶରୀରର ଚର୍ମ ଧୁଡ଼ୁ ଧୁଡ଼ୁ ହୋଇଗଲାଣି। ହେଲେ ମେରୁଦଣ୍ଡ ଏବେ ବି ଟାଣୁଆ। ବୟସ ବଢିଗଲାଣି ବୋଲି ସିନା କାନକୁ ଶୁଣାଯାଉନି। ହେଲେ ସାଇକେଲ ପ୍ୟାଡେଲରେ ଏବେ ବି ଧାଇଁ ଧାଇଁ ଚାଲୁଛି ଗୋଡ଼। ତୀକ୍ଷ୍ମ ଦୃଷ୍ଟି, ଅମାପ ଜ୍ଞାନ, ଆଉ ଧୈର୍ଯ୍ୟ ଏତେ ଯେ ସାମ୍ନାରେ କୌଣସି ଯୁବକ ବି ଫେଲ୍ ମାରିବେ। ଚାଷ ଠାରୁ ବଇଦ ପାଠ। ସବୁଥିରେ ସେ ପାରଙ୍ଗମ। ୟେ ହେଉଛନ୍ତି ୯୦ ବର୍ଷୀୟ ଯୁବକ ସଦାଶିବ ରାଉଳ। ଯାହାଙ୍କ ମନୋବଳ ଆଉ କର୍ମନିଷ୍ଠା ଆଗରେ ଫେଲ୍ ଫେଲ୍ ମାରିଛି ବୟସ। ଏହା ପ୍ରମାଣିତ କରି ଦେଖାଇଛନ୍ତି ଏଜ୍ ଇଜ୍ ଜଷ୍ଟ ଏ ନମ୍ବର।

Advertisment

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ ବାଉଁଶପାଳ ପଞ୍ଚାୟତ ଅନ୍ତର୍ଗତ କୁଶିଆ ଗାଁର ଶିବ ବଇଦ କହିଲେ ସମସ୍ତେ ଜାଣନ୍ତି। ଆଉ ୧୦ଟା ବର୍ଷ ଗଲେ ବୟସ ସେଞ୍ଚୁରୀ ଛୁଇଁବ। ହେଲେ କେମିତି ଯୋଶରେ ସାଇକେଲ ଚଲାଉଛନ୍ତି। ୯୦ ବର୍ଷ ବୟସରେ ବି ସେ ପୂରା ଫିଟ୍‌ ଅଛନ୍ତି। ନିଜେ ଗାଁ ଦାଣ୍ଡ ସଫା କରନ୍ତି, ନିଜେ ଗୋ ସେବା କରନ୍ତି, ପୁଣି ନିଜେ ହିଁ ଚାଷ କାମ ବି କରନ୍ତି। ତଳି ପକାଇବାଠାରୁ ଆରମ୍ଭ କରି ଫସଲ କାଟିବା ଦାୟିତ୍ୱ ନିଜେ ନିଜକୁ ଦେଇଛନ୍ତି ସଦାଶିବ। ହେଲେ ବୈଦରାଜ୍ୟ ତଥା ସମାଜ ସାଧକ ହିସାବରେ ସେ ବେଶ ଜଣାଶୁଣା। କାରଣ ବାପା, ଜେଜ ଅମଳରୁ ତାଙ୍କର ବୈଦ୍ୟରାଜ କାର୍ଯ୍ୟ ଚାଲିଆସିଛି। ପିଲାଟି ବେଳେ ତାଳପତ୍ର ଗ୍ରନ୍ଥ ଅଧ୍ୟୟନ କରି ଜଙ୍ଗଲୀ ଗୁଳ୍ମ, ଲତା ଏବଂ ଔଷଧୀୟ ବୃକ୍ଷର ଚେର ମୂଳ ଓ ପତ୍ର ସଂଗ୍ରହ କରି ସେଥିରୁ ଔଷଧ ପ୍ରସ୍ତୁତି ବିଦ୍ୟା ଶିଖିଛନ୍ତି ସଦାଶିବ। ଗାଁର ଗରିବ, ନିରୀହ ଅସହାୟଙ୍କୁ ଚେରମୂଳି ବିଦ୍ୟାରେ ମାଗଣାରେ ଓଷୁଅ ଦିଅନ୍ତି। ଯିଏ ଖୁସିରେ କିଛି ଦେଲା ରଖନ୍ତି। କାହାକୁ ଟଙ୍କା ଦେବାକୁ ବାଧ୍ୟ କରନ୍ତିନି।

ଭୋର ସମୟରୁ ଉଠି ନିଜର ନିତ୍ୟକର୍ମ ଓ ଠାକୁରଙ୍କ ପୂଜାର୍ଚ୍ଚନା କରି ଲୋକଙ୍କ ସେବାରେ ଲାଗି ପଡନ୍ତି ସଦାଶିବ। ବ୍ୟାଗ ଖଣ୍ଡେ ଧରି ସାଇକେଲରେ ସଅଳ ସଅଳ ବାହାରି ଯାଆନ୍ତି ଆଖ ପାଖ ଗାଁକୁ। ସେଠାରେ ଲୋକଙ୍କ ସହିତ ମିଶି ଲୋକଙ୍କୁ ସାହାଯ୍ୟ ସହଯୋଗ ଓ ସେବାରେ ଲାଗି ପଡନ୍ତି। କିଛି ନକରି ଘଡ଼ିଏ ବସିପାରନ୍ତିନି ସଦାଶିବ। ସକାଳୁ ସକାଳୁ ପ୍ରାଣାୟାମ ଯୋଗାଭ୍ୟାସ କରନ୍ତି। ଦିନ ସାରା ଯାବତୀୟ କାମ ସାରି ସଞ୍ଜ ନଇଁଲା ବେଳକୁ ପହଞ୍ଚି ଯାନ୍ତି ଗାଁର ଭାଗବତ ଟୁଙ୍ଗିରେ। ପ୍ରତିଦିନ ଗାଁ ଭାଗବତ ଘରେ ଲୋକଙ୍କୁ ଭାଗବତ ପାଠ କରି ଶୁଣାନ୍ତି ସଦାଶିବ। ସଦାଶିବଙ୍କ ଏଭଳି କାର୍ଯ୍ୟକୁ ନେଇ ସମସ୍ତେ ତାଙ୍କୁ ଖୁବ୍ ପ୍ରଶଂସା କରନ୍ତି। ସେ ପ୍ରକୃତରେ ଜଣେ ନିଆରା ମଣିଷ ଯାହାଙ୍କ ବ୍ୟକ୍ତିତ୍ୱ ଆକର୍ଷଣୀୟ। ଏଥିପାଇଁ ପରିବାର ଲୋକ ବି ଗର୍ବିତ। ସମାଜ ସେବାକୁ ବ୍ରତ ଭାବେ ପାଳନ କରି ୯୦ ବର୍ଷ ବୟସରେ ନିଆରା ନିଦର୍ଶନ ସାଜିଥିବା ସଦାଶିବ ଆମ ସମସ୍ତଙ୍କ ପାଇଁ ଏକ ପ୍ରେରଣାର ଉତ୍ସ।

Advertisment

Odisha Kamakhyanagar
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ