Srimandir
ମହାପ୍ରଭୁଙ୍କ ସେବାରେ ଲାଗିବ ଗୁଆ, ଚାଉଳ । ଏନେଇ ସୂଚନା ଦେଇଛନ୍ତି ସୁଆର ମହାସୁଆର ନିଯୋଗର ସମ୍ପାଦକ ନାରାୟଣ ମହାସୁଆର। ଅର୍ପଣ ରଥରୁ ସଂଗୃହୀତ ଗୁଆ ଚାଉଳକୁ କୋଇଲି ବୈକୁଣ୍ଠରେ ଥିବା ନିଯୋଗ ଗୃହରେ ରଖାଯିବ। ଚାଉଳ ଅବଢା ଉପଯୋଗୀ ହୋଇଥିଲେ ରନ୍ଧା ଯାଇ ମହାପ୍ରସାଦ ହେବ । ଯଦି ଚାଉଳ ବାରମିଶା ହୋଇଥିବ ତାହାଲେ ସେଥିରେ ଖେଚୁଡି, ମୁରୁଜ, ଝୋଟି ଚିତା କରାଯିବ । ପ୍ରତିଦିନ ଆଳତିରେ ମଧ୍ୟ ଚାଉଳର ବିନିଯୋଗ କରାଯିବ । ସେହିପରି ସଂଗୃହୀତ ଶ୍ରୀଫଳ ବା ଗୁଆ ମହାପ୍ରଭୁଙ୍କ ବିଡ଼ିଆ ପାନ ପାଇଁ ବ୍ୟବହାର ହେବ ବୋଲି କହିଛନ୍ତି ସୁଆର ମହାସୁଆର ନିଯୋଗର ସମ୍ପାଦକ।
ତେବେ ପରିକ୍ରମା ପ୍ରକଳ୍ପ ଲୋକାର୍ପିତ ପରେ ଲୋକଙ୍କ ମନରେ ପ୍ରଶ୍ନ ଥିଲା ଯେ, କୁଆଡ଼େ ଗଲା ଭକ୍ତଙ୍କ ଗୁଆ,ଚାଉଳ ? ପୁରୀରେ କାହିଁକି ପହଞ୍ଚିଲାନି ଅର୍ପଣ ରଥରେ ଭକ୍ତ ଦେଇଥିବା ଭକ୍ତିର ଅର୍ଘ୍ୟ । ଭକ୍ତଙ୍କ ଭାବାବେଗ ସହ ଖେଳିଲେ କି ସରକାର ? ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ପାଇଁ ଗାଁ ଗାଁରେ ଅର୍ପଣ ରଥ ବୁଲାଇ ମହାପ୍ରଭୁ ଜଗନ୍ନାଥଙ୍କ ଉଦ୍ଦେଶ୍ୟରେ ଗୁଆ, ଚାଉଳ ଦେବାକୁ ଅନୁରୋଧ କରିଥିଲେ ସରକାର। ଯାହାକୁ ସରକାରଙ୍କ ପ୍ରଚାର ଯାତ୍ରା କହିଥିଲେ ଗଜପତି ମହାରାଜ ।
ତେବେ ଏହି ଅର୍ପଣ ରଥ ଦ୍ୱାରା ସଂଗୃହିତ ଗୁଆ ଚାଉଳ ଶ୍ରୀମନ୍ଦିରରେ ପହଞ୍ଚିନଥିବାରୁ ସଧାରଣରେ ଅସନ୍ତୋଷ ବଢ଼ିବାରେ ଲାଗିଥିଲା। ଆଉ ଠିକ୍ ଏହି ସମୟରେ ଆସିଲା ଏଭଳି ବୟାନ ଯେ, ମହାପଭୁଙ୍କ ସେବାରେ ଲାଗିବ ଗୁଆ ଚାଉଳ ।
ତେବେ ପ୍ରଶ୍ନ ଉଠୁଛି ଏହି ଗୁଆ ଚାଉଳ ସଂଗ୍ରହ ପାଇଁ ଶ୍ରୀମନ୍ଦିର ପରିଚାଳନ କମିଟି ପକ୍ଷରୁ କୌଣସି ନିର୍ଦ୍ଦେଶ ଦିଆଯାଇନଥିଲେ ମଧ୍ୟ କାହିଁକି ଏଭଳି କରାଯାଇଥିଲା । ସ୍ୱୟଂ ଗଜପତି ମହାରାଜା ଏହାକୁ ପ୍ରଚାର ଯାତ୍ରା କହିଥିବା ବେଳେ ସେହି ଗୁଆ ଚାଉଳ ସଂଗ୍ରହ ପାଇଁ ତାଙ୍କର ଅନୁମତି ନଥିଲା ବୋଲି କହିଥିଲେ । ଗଣମାଧ୍ୟମ ସାମ୍ନାରେ ଗଜପତିଙ୍କ ଏଭଳି ବୟାନ ସାମ୍ନାକୁ ଆସିବାର ଦିନକ ପରେ ଗୁଆ - ଚାଉଳ ସେବାରେ ଲାଗିବ ବୋଲି କୁହାଯିବାର ଅର୍ଥ କ’ଣ । ଏନେଇ ଏବେ ବିଭିନ୍ନ ମହଲରେ ପ୍ରଶ୍ନ ଉଠିଛି । ବୁଦ୍ଧିଜୀବୀଙ୍କ ମତରେ ଲୋକଙ୍କ ମନରେ ତେଜୁଥିବା ଅସନ୍ତୋଷକୁ ପ୍ରଶମିତ କରିବା ପାଇଁ ଏଭଳି କୁହାଯାଇଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/Srimandir_1705638690.jpg)