‘ଆଉ ବାହା ହେବିନି ! ୮ଜଣ ସ୍ତ୍ରୀ ରକ୍ତ ଶୋଷି ସାରିଲେଣି, ଏଣିକି ବୃଦ୍ଧାଶ୍ରମରେ ଦିନ କାଟିବି’

‘ମୋର ୮ ଜଣ ଯାକ ସ୍ତ୍ରୀ ମୋ ଶରୀରର ଅଙ୍ଗ ଅଙ୍ଗକୁ ଖାଇ ଖୋଳ କରିସାରିଲେଣି । ଏଥିପାଇଁ ମୋର ପତ୍ନୀଙ୍କ ପ୍ରତି ଆଉ ମୋହ ମାୟା ନାହିଁ ।’

Marriage

ବିବାହ, ଦୁଇ ଆତ୍ମାର ମିଳନ । ବିବାହ ପରେ ଦୁଇଟି ଭିନ୍ନ ଭିନ୍ନ ପ୍ରକୃତିର ମଣିଷ ଏକାଠି ରହିବା ଆରମ୍ଭ କରନ୍ତି । ପ୍ରେମ ଏବଂ ବୁଝାମଣାରେ ଚାଲିବାକୁ ଥିବା ଏହି ସମ୍ପର୍କରେ କିଛି ଲୋକ ଖୁବ୍‌ ଖୁସିରେ ରୁହନ୍ତି । ଆଉ କିଛି ଲୋକ ପ୍ରତ୍ୟେକ ଦିନ ଝଗଡ଼ା ଲାଗିଥାନ୍ତି । ଅଧିକାଂଶ ଦମ୍ପତି ବିବାହ ପରେ କଳି ଝଗଡ଼ା କରୁଥିବା ଆପଣ ଦେଖିଥିବେ । ଅନେକ ଲୋକ ବିବାହକୁ ସେମାନଙ୍କ ଜୀବନର ସବୁଠାରୁ ବଡ ଭୁଲ ବୋଲି ମଧ୍ୟ ଭାବନ୍ତି । କଳି ଝଗଡ଼ା ମଧ୍ୟରେ ହିଁ ତାଙ୍କ ଜୀବନ କଟିଯାଏ । କିନ୍ତୁ ଏମିତି ବି ଲୋକ ଅଛନ୍ତି, ଯେଉଁମାନଙ୍କ ପାଇଁ ଗୋଟିଏ ବିବାହ ଯଥେଷ୍ଟ ହୋଇନଥାଏ । ଆଜି ଆମେ ଆପଣଙ୍କୁ ଠିକ୍ ଏମିତି ଜଣେ ବ୍ୟକ୍ତିଙ୍କ ବିଷୟରେ କହିବାକୁ ଯାଉଛୁ ।

ଅଧିକ ପଢ଼ନ୍ତୁ: ୯୨ ବର୍ଷରେ ୫ମ ବିବାହ କରିବେ ରୂପର୍ଟ; ଖୁବ୍‌ଶୀଘ୍ର ପାଇବେ ନୂଆ ଜୀବନସାଥୀ

ବ୍ରିଟେନର ୭୪ ବର୍ଷିୟ ରନ୍ ସିପର୍ଡ । ତାଙ୍କୁ ସବୁଠାରୁ ଅଧିକ ବିବାହ କରିଥିବା ବ୍ୟକ୍ତି ବୋଲି ବିବେଚନା କରାଯାଏ । ସେ ଗୋଟିଏ କି ଦୁଇଟି ନୁହେଁ ଏକା ଥରକେ ୮ଟି ବିବାହ କରିଛନ୍ତି । ଏଥିପାଇଁ ତାଙ୍କ ନାଁ ଖୁବ୍ ଚର୍ଚ୍ଚାରେ ରହିଥାଏ । କିନ୍ତୁ ଏବେ ଆଠଟି ବିବାହ ପରେ, ତାଙ୍କ ଆଖି ଖୋଲିଯାଇଛି । ଆଉ ମୁଣ୍ଡରେ ବୁଦ୍ଧି ପଶିଛି । ଏବେ ବିବାହରୁ ତାଙ୍କର ମନ ଛାଡ଼ିଗଲାଣି । ତେଣୁ ଏବେ ସେ ପୁରିଲା ପୁରିଲା ଘରକୁ ଛାଡ଼ି ବୃଦ୍ଧାଶ୍ରମରେ ରହିବେ ବୋଲି ମନ କଲେଣି । ସେ କହିଛନ୍ତି ‘ମୋର ଏବେ ରୋମାନ୍ସ କରିବାର ସମୟ ସରିଯାଇଛି । ମୋର ୮ ଜଣ ଯାକ ପତ୍ନୀ ମୋ ଶରୀରର ଅଙ୍ଗ ଅଙ୍ଗକୁ ଖାଇ ଖୋଳ କରିସାରିଲେଣି ।’ ଏଥିପାଇଁ ତାଙ୍କର ପତ୍ନୀଙ୍କ ପ୍ରତି ମୋହ ମାୟା ନାହିଁ ।

ଚଳିତ ବର୍ଷ ମେ ମାସରେ ରନ୍‌ଙ୍କୁ ୭୫ ଛୁଇଁବ । ରନ୍ ସୋମରସେଟରେ ଥିବା ନିଜ ଘରକୁ ଛାଡ଼ି ଆଇଲ୍ ଅଫ୍ ୱାଇଟ୍ ସ୍ଥିତ ଏକ କେୟାର ହୋମକୁ ଯିବାକୁ ପ୍ରସ୍ତୁତି କରିସାରିଛନ୍ତି । ସେଇ ପାଖରେ ହିଁ ତାଙ୍କ ପରିବାର ରହୁଛି, କିନ୍ତୁ ସେ ପରିବାର ସହ ଆଉ ରହିବାକୁ ଚାହୁଁ ନାହାନ୍ତି । ରନ୍‌ ଏବେ ଅନେକ ପ୍ରକାର ରୋଗରେ ପୀଡ଼ିତ । ସେଥିରେ ପାର୍କିସନ୍‌ ରୋଗ ମଧ୍ୟ ସାମିଲ ।

ତାଙ୍କ କହିବାନୁଯାୟୀ ‘ଏବେ ମୋର ସ୍ୱାସ୍ଥ୍ୟ ଭଲ ରହୁନାହିଁ । ଏମିତି ଲାଗୁଛି ଯେମିତି ମୋ ପତ୍ନୀମାନେ ମୋର ରକ୍ତ ଶୋଷି ଦେଇଛନ୍ତି । ବାରମ୍ବାର ଛାଡପତ୍ର ହେତୁ ମୋ ଶରୀର ଏବଂ ମନ ସମ୍ପୂର୍ର୍ଣ ଥକି ଯାଇଛି ।’

ଏକ ଗଣମାଧ୍ୟମକୁ ଦେଇଥିବା ସାକ୍ଷାତକାରରେ ରନ୍ କହିଛନ୍ତି ଯେ, ‘ମୋର କୌଣସି ବିବାହକୁ ନେଇ ମୁଁ ଅନୁତପ୍ତ ନୁହେଁ । ଏହି ବିବାହଗୁଡ଼ିକରୁ ମୋର ଆଠଟି ସନ୍ତାନ ଅଛନ୍ତି । ୧୯୬୬ ମସିହାରେ ରନ୍ ପ୍ରଥମ ବିବାହ କରିଥିଲେ । ବିବାହର ମାତ୍ର ଦୁଇ ବର୍ଷ ପରେ ଛାଡପତ୍ର ପର୍ଯ୍ୟନ୍ତ କଥା ଯାଇଥିଲା । ଏହି ବିବାହରୁ ରନ୍‌ଙ୍କର ତିନୋଟି ସନ୍ତାନ ଅଛନ୍ତି । ସେ ଶେଷ ଥର ପାଇଁ ୨୦୦୪ରେ ବିବାହ କରିଥିଲେ ।

ରନ୍‌ଙ୍କ ଅନୁଯାୟୀ ଏବେ ସେ ଆଉ ବିବାହ କରିବେ ନାହିଁ । ସବୁଠାରୁ ଲମ୍ବା ସମୟ ପର୍ଯ୍ୟନ୍ତ ତିଷ୍ଠି ଥିବା ବିବାହର ସମୟ ହେଉଛି ୧୩ ବର୍ଷ । ଆଉ ସବୁଠାରୁ କମ୍‌ ସମୟ ପର୍ଯ୍ୟନ୍ତ ତିଷ୍ଠିଥିବା ବିବାହର ସମୟ ହେଉଛି ମାତ୍ର ୧୦ ମାସ । କିନ୍ତୁ ଏବେ ରନ୍‌ ତାଙ୍କର କୌଣସି ବି ପତ୍ନୀଙ୍କ ସହ ସମ୍ପର୍କରେ ନାହାନ୍ତି ।