• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ବିଦ୍ୟାର ମନ୍ଦିର ପାଲଟିଲା ରଣକ୍ଷେତ୍ର । ପିଲାଙ୍କ ସମ୍ମୁଖରେ ମାଡ଼ ହେଲେ ଦୁଇ ଦାୟିତ୍ୱବାନ୍‌ ଶିକ୍ଷୟିତ୍ରୀ । ଉତ୍ତରପ୍ରଦେଶର ବାରବାଙ୍କି ସ୍ଥିତ ଏକ ସରକାରୀ ବିଦ୍ୟାଳୟରେ ଦୁଇ ଜଣ ମହିଳା ଶିକ୍ଷୟିତ୍ରୀ ମଧ୍ୟରେ ଝଗଡ଼ା ହୋଇଥିବା କୁହାଯାଉଛି । କ୍ଲାସ୍‌ ଟିଚର୍‌ ପିଲାଙ୍କୁ ମାଡ଼ ମାରୁଥିବା ବେଳେ ପ୍ରଧାନ ଶିକ୍ଷୟିତ୍ରୀ ତାଙ୍କୁ ଅଟକାଇବାକୁ ଚାହୁଁଥିଲେ । ଏଥିପାଇଁ ଉଭୟଙ୍କ ମଧ୍ୟରେ ଲାଗିଥିଲା ତୁମୁଳ ଯୁଦ୍ଧ । ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

ବାରବାଙ୍କିର ଦେବା ବ୍ଲକର ସିସୱାରର ଏକ ବିଦ୍ୟାଳୟର ଶନିବାର ଦିନ ଏହି ଘଟଣା ଘଟିଛି । ସ୍କୁଲରେ ଜଣେ ସହକାରୀ ଶିକ୍ଷୟିତ୍ରୀ ଶ୍ରେଣୀଗୃହରେ ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ନିର୍ଧୁମ ମାଡ଼ ମାରିଛନ୍ତି । ସହକାରୀ ଶିକ୍ଷୟିତ୍ରୀ ଜଣକ ପ୍ରତିଦିନ ବିନା କାରଣରେ ପିଲାମାନଙ୍କୁ ପିଟୁଥିବା ସୂଚନା ମିଳୁଛି । ଆଉ ଏଥିପାଇଁ ହିଁ ସ୍କୁଲରେ ଏପରି ଲଢ଼େଇ ହୋଇଛି ।

ସବୁଦିନ ପରି ଶନିବାର ଦିନ ସହକାରୀ ଶିକ୍ଷୟିତ୍ରୀ ପିଲାମାନଙ୍କୁ ପିଟୁଥିବା ସମୟରେ ପହଞ୍ଚି ଯାଇଥିଲେ ପ୍ରଧାନ ଶିକ୍ଷୟିତ୍ରୀ । ପିଲାଙ୍କୁ ପିଟିବା ପାଇଁ ବାରଣ କରିଥିଲେ । ହେଲେ ସହକାରୀ ଶିକ୍ଷୟିତ୍ରୀ ଜଣକ ତାଙ୍କ କଥା ଶୁଣିବା ପରିବର୍ତ୍ତେ ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ମାରିବା ଆରମ୍ଭ କରିଦେଇଥିଲେ ।

ପିଲାମାନଙ୍କ ସମ୍ମୁଖରେ ତାଙ୍କ ତଣ୍ଟି ଚିପିବା ସହ ବିଧା, ଗୋଇଠା ବର୍ଷା କରିଥିଲେ । ନିର୍ଧୁମ ମାଡ ମାରିବା ହେତୁ ପ୍ରଧାନ ଶିକ୍ଷୟିତ୍ରୀ ଚେତାଶୂନ୍ୟ ହୋଇ ପଡ଼ି ଯାଇଥିଲେ । ବିଦ୍ୟାଳୟରେ ଉପସ୍ଥିତ ଥିବା ଅନ୍ୟ ଶିକ୍ଷକମାନେ କୌଣସି ପ୍ରକାରେ ଏହି ମାମଲାକୁ ଶାନ୍ତ କରିଥିଲେ।

ଏହି ଘଟଣା ପରେ ପିଲାମାନେ ମଧ୍ୟ ଭୟଭୀତ ହୋଇପଡିଛନ୍ତି । ପ୍ରଧାନ ଶିକ୍ଷୟିତ୍ରୀ ଏ ବାବଦରେ ପୋଲିସ ନିକଟରେ ଅଭିଯୋଗ କରିଛନ୍ତି । ଅଭିଯୋଗ ଆଧାରରେ ପୋଲିସ ଏକ ମାମଲା ରୁଜୁ କରିଛି । ଯାଂଚ ପରେ ତଥ୍ୟ ସାମ୍ନାକୁ ଆସିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୋଲିସ୍‌ ପକ୍ଷରୁ କୁହାଯାଇଛି । ଭାଇରା ଭିଡିଓ ଆଧାରରେ ମଧ୍ୟ ପୋଲିସ୍‌ ଛାନଭିନ୍‌ ଆରମ୍ଭ କରିଛି ।