ଶହେ ଶିବଲିଙ୍ଗର ଗାଁ ! ଯୋଉଠି ଖୋଳିବେ ସେଇଠି ବାହାରିବ ଶିବଲିଙ୍ଗ

ଆମେ କହୁଛୁ ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ଅନ୍ତର୍ଗତ ନରେନ୍ଦ୍ରପୁର ଗାଁ । ଏଇ ପବିତ୍ର ଅଲୌକିକ ଗାଁରେ ଶତାଧିକ ଶିବଲିଙ୍ଗ ବାହାରିବାରୁ ଏହାକୁ ଶହେ ଶିବଲିଙ୍ଗର ଗାଁ ବୋଲି କୁହାଯାଏ ।

Lord Shiva Temple

କୁହାଯାଏ.. ଅପାର କରୁଣା ଥିଲେ ମାଟି ତଳୁ ଦିଅଁ ଦେବତା ବାହାରନ୍ତି । ଆଉ ଫୁଟା ଶିବଲିଙ୍ଗଙ୍କୁ ପୂଜିଲେ କୋଟି ଜନ୍ମର ପୂଣ୍ୟ ମିଳେ ବୋଲି ଆସ୍ଥା ରହିଛି । ସେଥିପାଇଁ ଶିବଭକ୍ତମାନେ ମହାଦେବଙ୍କୁ ପୂଜିବାକୁ ଫୁଟା ଶିବଲିଙ୍ଗ ମନ୍ଦିର ଖୋଜି ଧାଇଁ ଯାଆନ୍ତି । ତେବେ ଆପଣ ଯଦି ଜଣେ ଶିବଭକ୍ତ ତା’ହେଲେ ଏଇ ଅଲୌକିକ ଗାଁ ବିଷୟରେ ନିଶ୍ଚୟ ଜାଣନ୍ତୁ । ଗାଁଟା ସାରା ଆପଣଙ୍କୁ ମିଳିବେ ମହାଦେବ । ଯୋଉଠି ଖୋଳିବେ ସେଇଠୁ ବାହାରୁଛି ଶିବଲିଙ୍ଗ ।

ଏତେ ଲୋକପ୍ରିୟ ହୋଇନଥିଲେ ବି ଆଖ ପାଖ ଅଞ୍ଚଳ ତଥା ଶିବଭକ୍ତମାନଙ୍କ ପାଇଁ ଏ ଗାଁ ଖୁବ ଅଲୌକିକ ଓ ପବିତ୍ର । ଗାଁରେ ଯେଉଁ ଆଡ଼େ ଅନେଇବେ ଆପଣଙ୍କୁ ଛୋଟ ବଡ଼ ଶିବ ଲିଙ୍ଗ ଦେଖାଯିବ । ମାଟି ଖୋଳିଲେ ଶିବଲିଙ୍ଗ, ବୁଦା ଭିତରେ ଶିବଲିଙ୍ଗ । ଘର ତିଆରି କଲା ବେଳେ ଶିବଲିଙ୍ଗ । ବାଡ଼ ବାନ୍ଧିଲା ବେଳେ ଶିବଲିଙ୍ଗ । ଗାଁଟା ସାରା ଆସ୍ଥାନ ଜମାଇଛନ୍ତି ଦେବ ଦେବ ମହାଦେବ । 

ଆମେ କହୁଛୁ ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ଅନ୍ତର୍ଗତ ନରେନ୍ଦ୍ରପୁର ଗାଁ । ଏଇ ପବିତ୍ର ଅଲୌକିକ ଗାଁରେ ଶତାଧିକ ଶିବଲିଙ୍ଗ ବାହାରିବାରୁ ଏହାକୁ ଶହେ ଶିବଲିଙ୍ଗର ଗାଁ ବୋଲି କୁହାଯାଏ ।

ଗାଁର ପ୍ରବେଶ ଦ୍ଵାରରେ ରହିଛି ବାବା ସନାତନ ଗୋସାଇଁଙ୍କ ସୁନ୍ଦର ମଠ । ବର୍ଷତମାମ ଏଠାରେ ପୂଜାପର୍ବ ଲାଗି ରହିଥାଏ । ୧୯୪୪ରୁ ସ୍ଥାପିତ ଏହି ଗାଦି ପୀଠରେ ବାବା ସନାତନ ଜୀବନ୍ତ ସମାଧୀ ନେଇଥିଲେ ବୋଲି କୁହାଯାଏ । ୧୦ ଜଣ ମଠ ମହନ୍ତ ବାବାଜୀ ଏବଂ ମାତାଜୀଙ୍କ ସମାଧି ଏଠାରେ ରହିଛି । ଗାଁର ମୁଖ୍ୟ ପର୍ବ ହେଉଛି ପଣାସଂକ୍ରାନ୍ତି । ଏଠି ପୂଜା ପର୍ବାଣୀକୁ ଧୁମ୍ ଧାମରେ ପାଳନ କରିଥାନ୍ତି ଗ୍ରାମବାସୀ । ଅନେକ ଶିବଭକ୍ତ ମଧ୍ୟ ଦୂରଦୂରାନ୍ତରୁ ଏଠାକୁ ଆସିଥାନ୍ତି । ହେଲେ ଏଠାରେ ସୁବିଧା ସୁଯୋଗ ନଥିବାରୁ ଭକ୍ତଙ୍କୁ ଅସୁବିଧା ହୋଇଥାଏ ।

ସେହିପରି ଶତାଧିକ ଶିବଲିଙ୍ଗଙ୍କ ପାଇଁ ମନ୍ଦିର ତିଆରି ହୋଇପାରିନି । ଗାଁ ଲୋକ ନିଜ ସକ୍ଷମ ଅନୁସାରେ ଯାହା ବ୍ୟବସ୍ଥା କରିଛନ୍ତି ସେତିକି । ଏବେ ବି ଅନେକ ଶିବଲିଙ୍ଗ ଉଦ୍ଧାର ହୋଇପାରିନାହାନ୍ତି କି ଉଦ୍ଧାର ହୋଇଥିବା ଶିବଲିଙ୍ଗଙ୍କ ପୂଜାର୍ଚ୍ଚନା ବି ଠିକରେ ହୋଇପାରୁନାହିଁ । ଆଜି ଯାଏ ସରକାରଙ୍କ ନଜର ଏଇ ଗାଁ ଉପରେ ପଡିନି କି ପର୍ଯ୍ୟଟନସ୍ଥଳୀର ମାନ୍ୟତା ଦେବାକୁ ନେତା, ମନ୍ତ୍ରୀ, ବିଭାଗ, ପ୍ରଶାସନ କେହି ପଦକ୍ଷେପ ନେଇନାହାନ୍ତି ।

ନରେନ୍ଦ୍ରପୁର ଗାଁରେ ପ୍ରାୟ ତିନି ହଜାର ଲୋକ ବସବାସ କରନ୍ତି । ପ୍ରାୟ ସମସ୍ତେ ଚାଷ ଉପରେ ନିର୍ଭରଶୀଳ । ବିକାଶ କହିଲେ ଗାଁରେ ଥିବା କେବଳ ସ୍କୁଲ । ଡ୍ରେନ ସୁବିଧା ନଥିବାରୁ ସାମାନ୍ୟ ବର୍ଷାରେ ଗାଁ ଦାଣ୍ଡରେ ପାଣି ଜମି ରହୁଛି। ଚାଷ ପାଇଁ ଜଳସେଚନର କୌଣସି ସୁବିଧା ନାହିଁ । ଗାଁକୁ ନାହିଁ ଭଲ ରାସ୍ତା ଖଣ୍ଡେ । ରାସ୍ତାଟି ଖାଲ ଖମାରେ ଭର୍ତ୍ତି ହୋଇଥିବାରୁ ଯା ଆସ କରିବାକୁ ବଡ଼ ଅସୁବିଧା । ଯଦି ସରକାରୀ ସ୍ତରରେ ନରେନ୍ଦ୍ରପୁର ଗାଁକୁ ପର୍ଯ୍ୟଟନ ସ୍ଥଳୀ ଭାବରେ ମାନ୍ୟତା ମିଳନ୍ତା ନିଶ୍ଚୟ ବିକାଶ ହୋଇପାରନ୍ତା ବୋଲି ଗ୍ରାମବାସୀ କହିଛନ୍ତି ।