• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ପାଖରେ ଫଟା ପାହୁଲା ଟିଏ ନାହିଁ । ହେଲେ ତାଙ୍କର ହସ ହସ ମୁହଁ ମନ କିଣିନେଉଛି । ମନରେ ଟିକିଏ ହେଲେ ଦୁଃଖ ନାହିଁ । ବେଶ୍‌ ଖୁସିରେ ଜୀବନ ଜିଉଁଛନ୍ତି । ଅନର୍ଗଳ ଇଂରାଜୀ କହୁଛନ୍ତି ।  କାହାଠାରୁ କିଛି ପାଇବର ନାହିଁ କି ଆଜି ତାଙ୍କ ପାଖରେ ହରାଇବାକୁ କିଛି ନାହିଁ । ରାଜଧାନୀର ଫୁଟପାଥ୍‌ ହେଉଛି ତାଙ୍କର ଘର ।  ବୟସର ଅପରାହ୍ନରେ ନିଜର ବୋଲି କେହି କହିବାକୁ ନଥିଲେ ହେଁ ତାଙ୍କର ବ୍ୟବହାର କାହାକୁ ବି ପ୍ରେରଣା ଯୋଗାଇବ ।

ଆଜି ଦାଣ୍ଡ ଦୁଆରେ ପଡ଼ିଥିବା ମହିଳା ଜଣକ କିନ୍ତୁ ଦିନେ ଥିଲେ ରାଜଧାନୀ ଦିଲ୍ଲୀର ସବୁଠାରୁ ଧନୀ ମହିଳା । ଟଙ୍କା ପଇସାର ଅଭାବ ନଥିଲା, ଫାଇଭ୍‌ ଷ୍ଟାର ହୋଟେଲରେ ଖାଇବା , ବଡ଼ ଲୋକଙ୍କ ସହ ଉଠାବସା । ସେ କେବଳ ଏକ ଆଭିଜାତ୍ୟସମ୍ପର୍ଣ୍ଣ ଘରର ବୋହୂ ନଥିଲେ, ଉଚ୍ଚ ଶିକ୍ଷିତା ଥିଲେ । କୌଣସି କଥାରେ ଅଭାବ ନଥିଲା । ଦିନେ ଏପରି ଯେ ସମୟ ଦେଖିବାକୁ ପଡ଼ିବ ସେ ଚିନ୍ତା କରିନଥିଲେ ।

ରାଜଧାନୀର ଗଳି କନ୍ଦିରେ ବୁଲୁଥିବା ଏହି ଅସହାୟ ମହିଳା ଜଣକ ହେଲେ ଅନାମିକା । ପ୍ରକୃତ ନାମ ଆଶା ଦେବୀ ସାରସ୍ୱତ । ସେ ଆହ୍ଲାବାଦ ୟୁନିଭର୍ସିଟିରୁ ବିକମ୍‌ ପାସ୍‌ କରିଛନ୍ତି । ଯୁକ୍ତ ଦୁଇ ପଢ଼ୁଥିବା ସମୟରେ ତାଙ୍କର ବିବାହ ହୋଇଯାଇଥିଲା । ତାଙ୍କ ସ୍ୱାମୀ ଜଣେ ରୂପା ବେପାରୀ ଥିଲେ । ହେଲେ ଡ୍ରଗ୍ସ ଧନ୍ଦା କରି ଧରାପଡ଼ିବା ପରେ ତାଙ୍କୁ ଜେଲ୍‌ ହୋଇଥିଲା । ସେ ସମୟରେ ସେ ଦେଶର ଜଣେ ବଡ଼ ଡ୍ରଗ୍ସ ବେପାରୀ ଥିଲେ । ଆଉ ସ୍ୱାମୀ ବନ୍ଧା ହୋଇଯିବା ପରେ ଘରୁ ଆଶାଙ୍କୁ ତଡ଼ି ଦେଇଥିଲେ ପରିବାର ଲୋକ । ତାଙ୍କର ୩ଟି ପିଲା ଥିଲେ । ଶାଶୂଘର ପିଲାଙ୍କୁ ଆଶା ଦେବୀଙ୍କ ସମ୍ପର୍କରେ ମିଛ କହିଥିଲେ । ମା’ ମରି ଯାଇଛି କହି ବୁଝାଇ ଦେଇଥିଲେ ।

ଆଜି ସେ ଏପରି ଅବସ୍ଥାରେ ଥିଲେ ସୁଦ୍ଧା ତାଙ୍କ ମନରେ ଟିକିଏ ହେଲେ ଅବଶୋଷ ନାହିଁ । ସେକାଳରେ ତାଙ୍କର ନିଜର ଗାଡ଼ି ଥିଲା, ଚାକରବାକର ଆଉ ଡ୍ରାଇଭର ପୂଜାରୀ ସବୁ ହାତ ପାଆନ୍ତାରେ ଥିଲେ । ରୂପା ଥାଳିରେ ଖାଦ୍ୟ ଖାଉଥିଲେ ।

ତାଙ୍କ କହିବା ଅନୁସାରେ ପ୍ରକୃତି ସାମ୍ନାରେ କାହାର ଚଳେନି । ଯାହା ଭଗବାନ ଚାହାନ୍ତି, ତାହାହିଁ ହୁଏ । ସେ କହିଛନ୍ତି, ମୁଁ ଆତ୍ମହତ୍ୟା କରିବା ପାଇଁ ଚେଷ୍ଟା କରିଛି । ଦୀର୍ଘ ୨୪ ବର୍ଷ ହେବ ମୁଁ ଚାରିଆଡ଼େ ଏପରି ଘୁରିବୁଲୁଛି । ପ୍ରଧାନମନ୍ତ୍ରୀ ମୋଦି ବି ମୋତେ ଜାଣନ୍ତି ।

ଏସବୁ ସୱେ ସେ କେବେ କାହା ପାଖରେ ହାତ ପତାନ୍ତି ନାହିଁ । ଟଙ୍କା ମୋର କ’ଣ ହେବ ବୋଲି କହନ୍ତି । ଖାଇବା ମୁଠାଇ ମିଳିଗଲେ ବାସ୍‌ . . ହୋଇଗଲା । ପରିବାର ପିଲା ଛୁଆଙ୍କୁ ହରାଇ ବି ଏପରି ବିନ୍ଦାସ ଜୀବନ କାଟିବା କେତେ ଜଣଙ୍କ ଭାଗ୍ୟରେ ମିଳେ ।