Advertisment

ବିଶ୍ୱସ୍ତରୀୟ ଆୟୋଜନକୁ ଫ୍ୟୁଜ୍ କରିଦେଲା ବିଜୁଳି ବିଭ୍ରାଟ !

ଅନ୍ତର୍ମହାଦେଶୀୟ ଫୁଟବଲ ମ୍ୟାଚ ବେଳେ ବିଦ୍ୟୁତ ବିଭ୍ରାଟ । କଳିଙ୍ଗ ଷ୍ଟାଡିୟମରେ ବିଦ୍ୟୁତ ବିଭ୍ରାଟ ପାଇଁ ଲଜ୍ଜିତ ହେଲା ରାଜ୍ୟ ।

author-image
Satyendu Shekher Mishra
undefined

Power Cut During Match

ଫୁସୁକି ଗଲା ଅନ୍ତର୍ଜାତୀୟ ସ୍ପୋର୍ଟସ ହବ୍ ବନିବାର ବାହାସ୍ଫୋଟ ! ଫ୍ୟୁଜ୍ ହୋଇଗଲା ବିଶ୍ୱସ୍ତରୀୟ କ୍ରୀଡ଼ା ଭିତ୍ତିଭୂମି ବିକାଶର ଡିଣ୍ଡିମ ! ବିଦେଶୀ ଖେଳାଳିଙ୍କ ଆଗରେ ଓଡ଼ିଶାର ନାକ କାଟିଦେଲା ବିଦ୍ୟୁତ ବିଭ୍ରାଟ !

Advertisment

ଗତରାତିରେ ଭୁବନେଶ୍ୱରସ୍ଥିତ କଳିଙ୍ଗ ଷ୍ଟାଡିୟମରେ ଭାରତ ଓ ଲେବାନନ୍ ମଧ୍ୟରେ ଚାଲିଥିଲା ଇଣ୍ଟର କଣ୍ଟିନେଣ୍ଟାଲ ଫୁଟବଲ ମ୍ୟାଚ୍। ହାଫ୍ ଟାଇମରେ ଖେଳାଳିମାନେ ଡ୍ରେସିଂ ରୁମକୁ ଯିବା ବେଳେ, ଅଚାନକ କଟିଗଲା ଲାଇନ୍। ପ୍ରାୟ ଅଧଘଣ୍ଟା ପାଇଁ ଅନ୍ଧାର ହୋଇଗଲା ଡ୍ରେସିଂ ରୁମ୍, ଭିଭିଆଇପି ରୁମ୍, ଅଫିସିଆଲ୍ ରୁମ୍, ମିଡିଆ ସେଣ୍ଟର ଓ କରିଡର୍। ବାଧ୍ୟ ହୋଇ ପଡ଼ିଆରେ ବିଶ୍ରାମ ନେଲେ ଅନ୍ତର୍ଜାତୀୟ ଖେଳାଳି ।

ଦ୍ୱିତୀୟ ହାଫ୍ ଖେଳ ଚାଲିଥିବା ବେଳେ ପୁଣି ଦେଖାଗଲା ବିଦ୍ୟୁତ ବିଭ୍ରାଟ। ଲିଭିଗଲା ଷ୍ଟାଡିୟମର ଗୋଟିଏ ଟାୱାର ଫ୍ଲଡ୍ ଲାଇଟ୍। ଯଦିଓ ୫-୭ ମିନିଟ ପରେ ଏହା ଜଳିଥିଲା ଓ ମ୍ୟାଚ ଯଥାରୀତି ଶେଷ ହୋଇଥିଲା, ତଥାପି ଏଭଳି ଗୁରୁତ୍ୱପୂର୍ଣ୍ଣ କ୍ରୀଡ଼ା ଆୟୋଜନରେ ଅବ୍ୟବସ୍ଥା ବିଦେଶୀ ଖେଳାଳି ଓ ଅତିଥିଙ୍କ ଆଗରେ ରାଜ୍ୟକୁ ଲଜ୍ଜିତ କରିଥିବା ମତ ପ୍ରକାଶ ପାଇଛି। ଏହି ପ୍ରସଙ୍ଗରେ ବିଜେପି ରାଜ୍ୟ ସରକାରଙ୍କ ଉତ୍ତରଦାୟିତ୍ୱ ଉପରେ ପ୍ରଶ୍ନ ଉଠାଇଥିବା ବେଳେ, କଳିଙ୍ଗ ଷ୍ଟାଡିୟମ ଇନଚାର୍ଜ ଏହାକୁ ଟେକ୍ନିକାଲ୍ ଫଲ୍ଟ ବା ବୈଷୟିକ ତ୍ରୁଟି ବୋଲି ଦର୍ଶାଇଛନ୍ତି।

Advertisment

ଗତ ୯ ତାରିଖରେ କଳିଙ୍ଗ ଷ୍ଟାଡିୟମରେ ହସ ହସ ମୁହଁରେ ଇଣ୍ଟର କଣ୍ଟିନେଣ୍ଟାଲ କପ୍ ୨୦୨୩କୁ ଉଦଘାଟନ କରିଥିଲେ ନିଜେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏବେ କଳିଙ୍ଗ ଷ୍ଟାଡିୟମରେ ଇଣ୍ଟର-ଷ୍ଟେଟ୍ ସିନିୟର ଆଥଲେଟିକ୍ ଚାମ୍ପିୟନସିପ ମଧ୍ୟ ଚାଲିଛି । ଯେଉଁଥିରେ ୭୫୦ରୁ ଉର୍ଦ୍ଧ୍ୱ ଜାତୀୟ ସ୍ତରର ଖେଳାଳି, ଅଫିସିଆଲ୍‌ଙ୍କ ସହିତ ମାଲଡିଭ୍ ଓ ଶ୍ରୀଲଙ୍କାର ଖେଳାଳି ବି ଭାଗ ନେଇଛନ୍ତି। ଏକାସାଙ୍ଗରେ ଦୁଇ ଦୁଇଟି ବଡ଼ ଟୁର୍ଣ୍ଣାମେଣ୍ଟ ଆୟୋଜନ କରି ବିଶ୍ୱସ୍ତରରେ ବାହାବା ନେବାକୁ ଭରପୁର ପ୍ରୟାସ କରିଛନ୍ତି ରାଜ୍ୟ ସରକାର ।

ତେବେ ବିଦେଶୀ ଅତିଥିଙ୍କ ଆଗରେ ଗତକାଲିର ଅନ୍ଧାରିଆ ବିଭ୍ରାଟ ମୁଖ୍ୟମନ୍ତ୍ରୀଙ୍କ ଏ ହସର ମାନ କେତେ ରଖିଥିବ, ତାହା ଆଲୋଚନାର ବିଷୟ ନିଶ୍ଚୟ। କଳିଙ୍ଗ ଷ୍ଟାଡିୟମର ଏଭଳି ଅବ୍ୟବସ୍ଥା ଗତବର୍ଷ ବି ଦେଖିବାକୁ ମିଳିଥିଲା ଇଣ୍ଡିଆନ୍ ସୁପର୍ ଲିଗ୍ ବେଳେ। ଏକାସାଙ୍ଗରେ ଲିଭିଯାଇଥିଲା ୪ଟି ଯାକ ଫ୍ଲଡ୍ ଲାଇଟ୍।

ଏଠି ପ୍ରଶ୍ନ ଉଠୁଛି, ନିଜକୁ ବିଶ୍ବସ୍ତରୀୟ ଆୟୋଜକ କହିବା ଆଗରୁ ଆୟୋଜନକୁ ବ୍ୟବସ୍ଥିତ କରିବା ଜରୁରୀ ନୁହେଁ କି ? ପ୍ରଶଂସା ସାଉଁଟିବା ପାଇଁ ତ୍ରୁଟିଶୂନ୍ୟ ବଦଳରେ ତରବରିଆ ଆୟୋଜନ ହେଉନି ତ? ଟେକ୍ନିକାଲ ଫଲ୍ଟର ଦ୍ୱାହି ଦେଇ ଆମେ ରାଜ୍ୟର ଟେକ ରଖିପାରିବା ତ ?

ଗତ ମେ ୬ ତାରିଖରେ ଅତ୍ୟନ୍ତ ଲଜ୍ଜାଜନକ ବିଜୁଳି ବିଭ୍ରାଟ ଘଟିଥିଲା ବାରିପଦାରେ। ନିଜ ଜନ୍ମମାଟିରେ ୯ ମିନିଟ୍ କାଳ ଅନ୍ଧାରରେ ଅଭିଭାଷଣ ରଖିବାକୁ ପଡ଼ିଥିଲା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ । ସେହି ଘଟଣାର ତଦନ୍ତ ହୋଇଥିବା ବେଳେ, ଗତକାଲି କଳିଙ୍ଗ ଷ୍ଟାଡିୟମର ଅବ୍ୟବସ୍ଥା ପୁଣି ରାଜ୍ୟକୁ ଲଜ୍ଜିତ କରିଛି। ତେବେ ଗତକାଲିର ପ୍ରସଙ୍ଗରେ ପ୍ରତିକ୍ରିୟା ଦେବାକୁ ମନା କରିଦେଇଛନ୍ତି କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ବେହେରା ।

Power Cut
Advertisment
Advertisment