ଏମିତି ସ୍ଥିତି ! ଗଛ ବଢ଼ୁ ନାହିଁ କି ଆଉ ଏ ପ୍ରକଳ୍ପ ପାଇଁ କୌଣସି ଯୋଜନା ନାହିଁ

ମାଟି ପରୀକ୍ଷା ନକରି ଗଛ ଲାଗାଇବା ଏବଂ ପଥୁରିଆ ଭୂଇଁକୁ ଦାୟୀ କରିଛନ୍ତି ବୁଦ୍ଧିଜୀବୀ ।

Odisha SriJagannath Banaprakalpa

ଦୀର୍ଘ ୨୨ ବର୍ଷ ପରେ ଖୋର୍ଦ୍ଧା ଜିଲ୍ଲାରେ ଏକ ପ୍ରକାର ନିଶ୍ଚିହ୍ନ ହୋଇଯାଇଛି ଶ୍ରୀଜଗନ୍ନାଥ ବନ ପ୍ରକଳ୍ପ । ପଥୁରିଆ ମାଟି ଏବଂ ରକ୍ଷଣା ବେକ୍ଷଣ ଅଭାବରୁ ଏଭଳି ସ୍ଥିତି ହୋଇଥିବା ଅଭିଯୋଗ ହୋଇଛି । ତେବେ ଗଛ ବଢ଼ୁ ନାହିଁ ଏବଂ ଏବେ ଆଉ ସେ ପ୍ରକଳ୍ପ ପାଇଁ କୌଣସି ଯୋଜନା ନଥିବା ବନ ବିଭାଗ କହିବା ପରେ ଏହି ପ୍ରକଳ୍ପର ଭବିଷ୍ୟତକୁ ନେଇ ଉଠିଛି ପ୍ରଶ୍ନ ।

ଟାଙ୍ଗରା ଭୂଇଁରେ ଛିଡ଼ା ହୋଇଛି ଥୁଣ୍ଟା ଗଛ । କିଏ ଅଧାରୁ ଭାଙ୍ଗିପଡ଼ିଛି ତ କେଉଁଥିରେ ପତ୍ରଟିଏ ବି କଅଁଳୁନି। କେବଳ ଲିମ୍ବ ଗଛକୁ ଛାଡ଼ିଦେଲେ ଆଉ କୌଣସି ଗଛର ଚିହ୍ନବର୍ଣ୍ଣ ନାହିଁ। ଆମେ କହୁଛୁ ଖୋର୍ଦ୍ଧା ଜରିପୁଟ ଜଗନ୍ନାଥ ବନ ପ୍ରକଳ୍ପର କଥା । କେବଳ ଜରିପୁଟ ନୁହେଁ ତରତୁଆ ନିକଟରେ ହୋଇଥିବା ଜଗନ୍ନାଥ ବନପ୍ରକଳ୍ପ ଅବସ୍ଥା ଆହୁରି ଶୋଚନୀୟ । ଏହି ପ୍ରକଳ୍ପ ଆରମ୍ଭ ବେଳେ ପୁରୀ ଗଜପତି ଦିବ୍ୟସିଂହ ଦେବଙ୍କ ଠାରୁ ଆରମ୍ଭ କରି ଶହ ଶହ ଶ୍ରଦ୍ଧାଳୁଙ୍କ ଉପସ୍ଥିତିରେ ବିଭିନ୍ନ କିସମର ଗଛ ଲାଗିଥିଲା । ହେଲେ ଆଜି ଏଠାରେ ଗଛଗୁଡ଼ିକ ଜମାରୁ ଉଧୋଉ ନଥିବା ଦେଖିବାକୁ ମିଳିଛି । ମାଟି ପରୀକ୍ଷା ନକରି ଗଛ ଲାଗାଇବା ଏବଂ ପଥୁରିଆ ଭୂଇଁକୁ ଦାୟୀ କରିଛନ୍ତି ବୁଦ୍ଧିଜୀବୀ ।

ଶ୍ରୀଜିଉଙ୍କ ରଥକାଠର ଆବଶ୍ୟକତା ମେଣ୍ଟାଇବାକୁ ଗତ ୨୦୦୦ ମସିହାରେ ଆରମ୍ଭ ହୋଇଥିଲା ଶ୍ରୀଜଗନ୍ନାଥ ବନପ୍ରକଳ୍ପ । ଖୋର୍ଦ୍ଧା ଜିଲ୍ଲାର ୨୪ଟି ସ୍ଥାନରେ ୬୮୪ ହେକ୍ଟର ଜମିରେ ଲଗାଯାଇଥିଲା ଅନେକ ଗଛ । ତେବେ ଆଶ୍ଚର୍ଯ୍ୟର କଥା ବୋଲଗଡ଼ ପଙ୍ଗାରସିଂହଠାରେ ଏହି ପ୍ରକଳ୍ପ ସମ୍ପୂର୍ଣ୍ଣ ନିଶ୍ଚିହ୍ନ ହୋଇଯାଇଛି। ଏଠି ଫାସି, ଧଉରା, ଶିଶୁ, ଲିମ୍ବ, ମହାଲିମ୍ବ, ଗମ୍ଭାରୀ ଭଳି ଅନେକ ଗଛ ଲାଗିଥିଲା । ରକ୍ଷଣାବେକ୍ଷଣ ଅଭାବରୁ ଶତ ପ୍ରତିଶତ ଗଛ ନଷ୍ଟ ହୋଇଯାଇଥିବା ଅଭିଯୋଗ ହୋଇଛି ।

ବନ ବିଭାଗ ଏହି ସ୍ଥାନରେ ଶାଗୁଆନ ଏବଂ ପଟାସ ଗଛ ଲଗାଇ ଏହାକୁ ଗ୍ରାମ୍ୟ ଜଙ୍ଗଲ ଘୋଷଣା କରିସାରିଛି । ଗଛ ନବଢ଼ିବା କଥାକୁ ବନ ବିଭାଗ ମଧ୍ୟ ସ୍ୱୀକାର କରିଛି । ତେବେ ବିଗତ କିଛି ବର୍ଷ ହେଲା ଏହି ସବୁ ପୁରୁଣା ପ୍ରକଳ୍ପ ବନ୍ଦ ହୋଇଯାଇଥିବାରୁ କାର୍ଯ୍ୟ ହେଉନାହିଁ । ଆଗକୁ ଯଦି ଅନୁଦାନ ଆସେ ତେବେ ଜଗନ୍ନାଥ ବନ ପ୍ରକଳ୍ପ କାମ ଆରମ୍ଭ ହେବ ବୋଲି ଖୋର୍ଦ୍ଧା ରେଞ୍ଜର ସୂଚନା ଦେଇଛନ୍ତି ।