ଲୋକଙ୍କ କାମରେ ଲାଗୁନି ରାଜ୍ୟ ସରକାରଙ୍କ ମୁକ୍ତା ଯୋଜନା !

ବାଲେଶ୍ୱରରେ କାମରେ ଆସୁନି ସର୍ବସାଧାରଣ ଶୌଚାଳୟ । ନିର୍ମାଣ ସରିଥିଲେ ବି ହୋଇନି ପାଣି ଓ ବିଦ୍ୟୁତ ସଂଯୋଗ ।

Balasore

ମୁଖ୍ୟମନ୍ତ୍ରୀ କର୍ମ ତତ୍ପର ଅଭିଯାନ ବା ମୁକ୍ତା ଯୋଜନାରେ ବାଲେଶ୍ୱର ସହରର ସବୁ ଛକରେ ନିର୍ମାଣ ହୋଇଥିଲା ସୁଲଭ ଶୌଚାଳୟ। ଗୋଟିଏ ଗୋଟିଏ ପାଇଖାନା ପାଇଁ ଅଢେଇ ଲକ୍ଷ ଟଙ୍କାରୁ ଆରମ୍ଭ କରି ୫ ଲକ୍ଷ ଯାଏ ଖର୍ଚ୍ଚ ହୋଇଥିଲା । ହେଲେ ଦୀର୍ଘଦିନ ବିତି ଯାଇଥିଲେ ବି 

କାର୍ଯ୍ୟକାରୀ ହୋଇପାରିନି କୌଣସି ଶୌଚାଳୟ ।

ମୁକ୍ତା ଯୋଜନାରେ ବାଲେଶ୍ୱର ସହରର ପ୍ରତ୍ୟେକ ଛକରେ ନିର୍ମାଣ ହୋଇଥିଲା ଉଭୟ ପୁରୁଷ ଓ ମହିଳା ଶୌଚାଳୟ । ଲକ୍ଷ୍ୟ ଥିଲା ସହରକୁ ସ୍ୱଚ୍ଛ ରଖିବାରେ ଶୌଚାଳୟ ସହାୟକ ହେବ । ହେଲେ ଲକ୍ଷାଧିକ ଟଙ୍କା ବ୍ୟୟରେ ନିର୍ମିତ ଶୌଚାଳୟ ଗୁଡିକ ଏବେ ଯାଏ ହୋଇପାରିଲାନି କାର୍ଯ୍ୟକ୍ଷମ । ଶୌଚାଳୟରେ ତାଲା ଝୁଲୁଥିବାରୁ ବାହାରେ ଶୌଚ କରୁଛନ୍ତି ଲୋକ । କିଛି ଶୌଚାଳୟ ଯଦିଓ ଖୋଲା ଅଛି ମାତ୍ର, ପାଣି ବ୍ୟବସ୍ଥା ନଥିବାରୁ ବାହାରୁ ପାଣି ଆଣି ବ୍ୟବହାର କରୁଛନ୍ତି ଲୋକେ। ଏଭଳି ଦୟନୀୟ ସ୍ଥିତି ପାଇଁ କ୍ଷୋଭ ପ୍ରକାଶ କରିଛନ୍ତି ସହରବାସୀ ।

ଶୌଚାଳୟ ସମସ୍ୟାକୁ ବାଲେଶ୍ୱର ବିଧାୟକ ସ୍ୱୀକାର କରିବା ସହ କହିଛନ୍ତି, ଖୁବଶୀଘ୍ର ସବୁ ସମସ୍ୟାର ସମାଧାନ କରି ଶୌଚାଳୟ ଖୋଲାଯିବ। ବାଲେଶ୍ୱର ସହରରେ କେବେ ଶୌଚାଳୟ ଖୋଲିବ, କେବେ ଲୋକେ ସୁବିଧା ପାଇବେ ଦେଖିବାକୁ ବାକି ରହିଲା ।