କି ଦୁଃଖ ! ବାହାରକୁ ଯାଇଥିଲେ ରୋଜଗାର କରିବାକୁ, ଆଣିଲେ ରୋଗ

ଦୈବ ୟାଙ୍କ ଭାଗ୍ୟରେ ଏମିତି ଦୁଃଖ ଦେଲା ଯେ, ଏବେ କାନ୍ଦି କାନ୍ଦି ଜିଉଁଛନ୍ତି ପୂରା ପରିବାର ।

Bishnu

ସ୍ତ୍ରୀ ଚଲାଇଲେ ଚାଲୁଛନ୍ତି, ଶୁଆଇ ଦେଲେ ଶୋଉଛନ୍ତି ପୁଣି ଖୁଆଇ ଦେଲେ ଖାଉଛନ୍ତି । ପାଦେ ଚାଲିବା ତାଙ୍କ ପକ୍ଷରେ ସମ୍ଭବ ବି ନୁହେଁ । ଚାଲିବା ତ ଦୂରର କଥା ଖଟରେ ଉଠି ବସି ବି ପାରୁନାହାନ୍ତି । ଏକା ଚାଲିଲା ବେଳକୁ ଗୋଟାପଣେ ଥରୁଛନ୍ତି । ଆମେକ କହୁଛୁ, କେନ୍ଦୁଝର ଆନନ୍ଦପୁର ଉପଖଣ୍ଡ ସୋସୋ ଗାଁର ବିଷ୍ଣୁ ରାଉତ । ଦେହ ଭଲ ଥିବା ବେଳେ ବାଙ୍ଗାଲୋରରେ ରହି କାମଧନ୍ଦା କରୁଥିଲେ, ସେତିକିରୁ ଯାହା ଯେତିକି ରୋଜଗାର ହେଉଥିଲା ନିଜେ ଚଳିବା ସହ ପରିବାର ମୁହଁରେ ଦେଉଥିଲେ ଆହାର । ଅଳ୍ପ ରୋଜଗାରରେ ବେଶ ହସଖୁସିରେ ଚଳୁଥିଲା ପରିବାର। କିନ୍ତୁ ଦୈବ ୟାଙ୍କ ଭାଗ୍ୟରେ ଏମିତି ଦୁଃଖ ଦେଲା ଯେ, ଏବେ କାନ୍ଦି କାନ୍ଦି ଜିଉଁଛନ୍ତି ପୂରା ପରିବାର ।

ପରିବାର ଲାଗି ବାହାର ରାଇଜରେ କାମ କରୁଥିଲେ, ଆଉ ସେଇଠି କାମ କରୁ କରୁ ହଠାତ୍‌ ହାତ ବିନ୍ଧିବା ଆରମ୍ଭ ହେଲା ଯେ ଡାକ୍ତର ଦେଖାଇବା ପରେ ବି କମିଲା ନାହିଁ । ବାରମ୍ବାର ଔଷଧ ଖାଇବା ପରେ ବି ଦେହ ଭଲ ହେଲାନି । ବାଧ୍ୟ ହୋଇ ଘରକୁ ଫେରିଲେ ବିଷ୍ଣୁ । ଆଉ ଏଇଠି ଡାକ୍ତର ଦେଖାଇବା ପରେ ଜଣାପଡିଲା କି ସେ ଏନ.ଏମ.ଡି ରୋଗରେ ପୀଡିତ । ଏମିତିରେ ବାହାର ରାଜ୍ୟରେ କାମ କଲେ ପରିବାର ଚଳୁଥିଲା, ଆଉ ବିଷ୍ଣୁଙ୍କ ଦେହ ଖରାପ ହେବା ପରେ ଏକ ଘରୋଇ ମେଡିକାଲରେ ତାଙ୍କର ଚିକିତ୍ସା କରାଇ ଘରେ ଯେତିକି ଧନ ଥିଲା ସେତିକି ବି ଖର୍ଚ୍ଚ ହୋଇଗଲା । ହେଲେ ଭଲ ହେଲେନି ବିଷ୍ଣୁ ।

ଏବେ ବଡ଼ ଡାକ୍ତରଖାନାରେ ବିଷ୍ଣୁଙ୍କର ଚିକିତ୍ସା କରାଇବା ଲାଗି ଇଚ୍ଛା ଥିଲେ ବି ପରିବାର ପାଖରେ ଆଉ ଅର୍ଥ ନାହିଁ । ତେଣୁ ଚିକିତ୍ସା ଅଭାବରୁ ଏବେ ଘରେ  ଶୋଇ ରହିଛନ୍ତି । ଆଶ୍ଚର୍ଯ୍ୟର କଥା ବିଷ୍ଣୁଙ୍କ ପାଖରେ ସ୍ୱାସ୍ଥ୍ୟବୀମା କାର୍ଡଟିଏ ବି ନାହିଁ । ବାପା ରୋଗରେ ପଡିବା ପରେ ଏବେ ଭୋକ ଉପାସରେ ଦୁଇ ପିଲା । ଘରର ଏକମାତ୍ର ରୋଜଗାରିଆ ବିଛଣାରେ ପଡିବା ପରେ କାନ୍ଦି ପକାଉଛି ମାଆ ।

ସେପଟେ ସ୍ୱାମୀଙ୍କର ଏମିତି ଅବସ୍ଥା ଦେଖି ଦିନରାତି ଏକ କରି ସେବାରେ ଲାଗିଛନ୍ତି ସ୍ତ୍ରୀ ସଂଧ୍ୟାରଣୀ । ତେବେ ବିଷ୍ଣୁଙ୍କ ଅବସ୍ଥା ଦେଖି କେତବେଳେ କେମିତି ସହାୟତା କରୁଛନ୍ତି ସମ୍ପର୍କୀୟ । ହେଲେ ତାହା ସମୁଦ୍ରକୁ ଶଙ୍ଖେ ସଦୃଶ । ଯଦି ପ୍ରଶାସନ କିମ୍ବା କୌଣସି ସ୍ୱେଚ୍ଛାସେବୀ ସଂଗଠନ ସହାୟତାର ହାତ ବଢ଼ାନ୍ତେ ତେବେ ବିଷ୍ଣୁଙ୍କର ଚିକିତ୍ସା ସହିତ ବଞ୍ଚିଯାଆନ୍ତା ପୂରା ପରିବାର । ବିଷ୍ଣୁଙ୍କ ସମ୍ପର୍କରେ ଜାଣିବା ପରେ ଉପଜିଲ୍ଲାପାଳ କହିଛନ୍ତି, ବିଷ୍ଣୁଙ୍କୁ ସବୁ ପ୍ରକାର ସରକାରୀ ସାହାଯ୍ୟ ଯୋଗାଇ ଦିଆଯିବ ।

ଯଦି ଆପଣ ବିଷ୍ଣୁଙ୍କ ପରିବାରକୁ ସାହାଯ୍ୟ କରିବାକୁ ଚାହୁଁଛନ୍ତି ତେବେ ଏହି ଠିକଣାରେ ଯୋଗାଯୋଗ କରନ୍ତୁ । ମୋ-9556447081 ଆକାଉଣ୍ଟ ନମ୍ବର-1270011004844, IFSC CODE- UCBA0001272 ।

(ରିପୋର୍ଟ- ମୁନ୍ନା ସିଂହ, ଆନନ୍ଦପୁର)