ଦାଦନ ଶ୍ରମିକରୁ ସରକାରୀ ଅଧ୍ୟାପକ : ଦିନ ମଜୁରିଆ ବାପା ଆଖିରେ ଖୁସିର ଲୁହ

ବାପାମାଆଙ୍କ ଆଖି କୋଣରୁ ଧାର ଧାର ହୋଇ ବହି ଆସୁଛି ଲୁହ । ହେଲେ ଏ ଲୁହ ଦୁଃଖର ନୁହଁ ଖୁସିର . .

Special Story

ବାପା ଦିନ ମଜୁରିଆ । ଓଳିଏ ଖାଇଲେ ଓଳିଏ ଉପାସ ରହୁଥିଲେ । ପାଠପଢ଼ି ଚାକିରି କରିବା ତାଙ୍କ ପାଇଁ ସ୍ୱପ୍ନ ଥିଲା । ଉପାୟଶୂନ୍ୟ ହୋଇ ବାହାର ରାଜ୍ୟକୁ ଦାଦନ ଖଟି ଯାଇଥିଲେ ଓ ସେଠି ପଢ଼ା ଜାରି ରଖିଥିଲେ । କିନ୍ତୁ ଗରିବୀ ସାମ୍ନାରେ ମୁଣ୍ଡ ନଇଁ ନଥିଲେ ପବିତ୍ର । ଶେଷରେ ସେ ସଫଳ ହେଲେ । ଷ୍ଟେଟ୍ ସିଲେକ୍ସନ୍ ବୋର୍ଡ ଦ୍ୱାରା ମନୋନୀତ ହୋଇ ସେ ସରକାରୀ କଲେଜରେ ଅଧ୍ୟାପକ ଚାକିରି ।

କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ବ୍ଲକ ଆଖୁଆ ଓଡଙ୍ଗ ଗାଁର ପୁଅ ପବିତ୍ର ସାହୁ । ଯାହାଙ୍କ ପାଇଁ ଘରେ ସମସ୍ତଙ୍କ ଆଖିରେ ଭରି ଯାଇଛି ଖୁସିର ଲୁହ । ଘୋର ଦାରିଦ୍ର ଭିତରେ ବଢିଥିବା ବାହାର ରାଜ୍ୟରେ ଦାଦନ ଖଟି ପରିବାର ପାଇଁ ପଇସା ରୋଜଗାର କରିଥିବା ପବିତ୍ର ଆଜି ଅଧ୍ୟାପକ ଚାକିରି ପାଇ ଯାଇଛନ୍ତି । ବାପ ମାତ୍ର ୧୦ଟଙ୍କାରେ ମଜୁରି ଖଟି ପିଲାକୁ ବଡ଼ ମଣିଷ କରିବା ପାଇଁ ସ୍ୱପ୍ନ ଦେଖୁଥିଲେ । ଆଉ ମାଆ ନିଜ ପେଟକୁ ନଖାଇ ପୁଅକୁ ପେଟପୂରା ଖାଇବା ପାଇଁ ଦେଉଥିଲେ ।

ଅଧିକ ପଢ଼ନ୍ତୁ: ୟାଙ୍କ ବ୍ୟବସାୟରେ ଏତେ ଲାଭ ଯେ, ସାର୍କ ଟ୍ୟାଙ୍କ ବି ଦେଖି ଚମକିଗଲା..!

ପବିତ୍ରଙ୍କର ଘର ବୋଲି କହିଲେ ଏକ ବଖୁରିକିଆ ଘର । ଆହୁରି ତାହାରି ଭିତରେ ପାଠପଢ଼ା ଓ ସାଧନା । ସେହି ଘର ଭିତରେ ବହିମାନଙ୍କୁ ଧରି ସେ ଲଢ଼ିଛନ୍ତି ଚରମ ଦାରିଦ୍ର୍ୟ ଓ ଦୁର୍ଦ୍ଦିନ ସହ। ଅନୁଭବ କରିଛନ୍ତି ଅଭାବ ଓ କଷଣ ।

ପରିବାର କହିଲେ ବାପା ମାଆ ତିନି ଭାଇ ଓ ଦାଦା ଖୁଡ଼ି । ବାପା କ୍ଷେତ୍ରବାସୀ ପୁଅ ପାଇଁ ନିଜକୁ ମାଟିରେ ମିଶେଇ ଦେଇଛନ୍ତି । ପୁଅ ପବିତ୍ର ଅତି କଷ୍ଟରେ ପ୍ରଥମେ ଅଖୁଆ ଓଡଙ୍ଗ ଉଚ୍ଚ ବିଦ୍ୟାଳୟରେ ମାଟ୍ରିକ, ଯୁକ୍ତଦୁଇ,ଓ ପରେ କେନ୍ଦ୍ରାପଡା ସ୍ଵୟଂଶାସିତ ମହବିଦ୍ୟାଳୟରେ ସ୍ନାତକ, ଉତ୍କଳ ବିଶ୍ୱବିଦ୍ୟାଳୟରେ MA, MPHIL, PHD କଲେ । ଏବେ ସେ ସରକାରୀ ଅଧ୍ୟାପକ ଚାକିରି ପାଇଲେ ।

ଦାରିଦ୍ର ଲୋକଙ୍କୁ ଅସହାୟ କରିଦେଇ ପାରେ, କିନ୍ତୁ ପରାଜିତ କରିପାରେ ନାହିଁ । କେନ୍ଦ୍ରାପଡ଼ା ଜିଲ୍ଲାର ପବିତ୍ର ଏହାର ଜଣେ ସୁନ୍ଦର ଉଦାହରଣ। ସବୁ ପ୍ରକାରର ସମସ୍ୟା ସତ୍ତ୍ୱେ, ତାଙ୍କ ଭିତରର ଇଚ୍ଛାଶକ୍ତି, ତାଙ୍କୁ ଆଜି ସଫଳତାର ସ୍ୱାଦ ଚଖାଇ ପାରିଛି ।

(ରିପୋର୍ଟ -ମନୋଜ ସ୍ୱାଇଁ, କେନ୍ଦ୍ରାପଡ଼ା)