/odishatv-khabar/media/post_attachments/uploadimage/library/16_9/16_9_0/Humanity_1667138021.jpg)
Humanity
ବାପା ନାହାନ୍ତି କି ମାଆ ନାହାନ୍ତି । ବଡ ଭାଇ ଶ୍ୱଶୁର ଘରେ ରହୁଛନ୍ତି । କିନ୍ତୁ ନିଜ ଘରେ ରହୁଛନ୍ତି ତିନି ଭାଇଭଉଣୀ । ଦୁଃଖ ଯେମିତି ୟାଙ୍କ ଭାଗ୍ୟରେ ଲେଖାଅଛି । ବଡଭାଇ ସିନା ସ୍ୱାର୍ଥପର ହୋଇଗଲା ହେଲେ ସାନଭାଇ କିନ୍ତୁ ଦୁଇ ଭଉଣୀଙ୍କ ପାଇଁ ନିଜ ଜୀବନକୁ ବାଜି ଲଗାଇ ଦେଇଛି । ଯେଉଁ ବୟସରେ ନିଜ ପାଇଁ କିଛି ସ୍ୱପ୍ନ ଦେଖିବାର କଥା ସେହି ବୟସରେ ଭଉଣୀମାନଙ୍କ ପାଇଁ ସାନ ଭାଇ ଦେଖୁଛି ସୁନେଲୀ ସ୍ୱପ୍ନ ।
ଶ୍ରୀତମ ପାତ୍ର । ଘରର ସାନ ପୁଅ । ଦୁଇ କୁନି ଭଉଣୀ ଶ୍ରୀୟା ପାତ୍ର ଓ ସମ୍ପୂର୍ଣ୍ଣା ପାତ୍ରଙ୍କ ସହ ରହୁଛନ୍ତି ବାପ ଘରେ । ଘର କହିଲେ ତାଙ୍କର ଏକ ଭଙ୍ଗା ଦଦରା କୁଡ଼ିଆ ଘଟଟିଏ । ଦୁଇ ଭଉଣୀର ପେଟକୁ ଦି ମୁଠା ଖାଇବାକୁ ଦେବ ବୋଲି ସାନ ଭାଇ ଶ୍ରୀତମ ଦିନରାତି ପରିଶ୍ରମ କରୁଛି । ଏମିତିକି ଭଉଣୀମାନଙ୍କ ପାଇଁ ରୋଷେଇ ବି କରୁଛି । ଭାଇ ଚାଉଳରୁ ଗୋଡି ବାଛୁଥିବା ବେଳେ ଜଣେ ଭଉଣୀ ତାକୁ ସାହାଯ୍ୟ କରୁଛି । ଆଉ ଜଣେ ଭଉଣୀ କୂଅରୁ ପାଣି କାଢ଼ି ଆଣୁଛି । ରୋଷଇ କରି ଦୁଇ ଭଉଣୀ ଖାଇବା ବି ବାଢ଼ିଦିଏ ଭାଇ । ଆଉ ମାଆ ଟିଏ ପରି ପାଖରେ ଜଗବି ବସେ ।
ଖାଲି ସେତିକି ନୁହେଁ ଶ୍ରୀତମ ଦୁଇ ଭଉଣୀଙ୍କର ମୁଣ୍ଡ କୁଣ୍ଡାଇ ଦେବା ଠାରୁ ଆରମ୍ଭ କରି ତାଙ୍କୁ ପାଠ ପଢିବାକୁ ଉତ୍ସାହିତ ବି କରିଥାଏ । ଶ୍ରୀତମ ମାଟ୍ରିକ ପାସ କରିଥିଲେ ମଧ୍ୟ ଦୁଇ ଭଉଣୀକୁ ପାଳି ପୋଷି ମଣିଷ କରିବା ଲାଗି ନିଜର ପାଠ ପଢାରେ ଡୋରି ବାନ୍ଧି ଦେଇଛନ୍ତି । ଏମିତି ଚାଲେ ତାଙ୍କ ଭାଇଭଉଣୀଙ୍କ ସଂସାର ।
ବାପା ବିକ୍ରମ ପାତ୍ର ପେଟ ରୋଗରେ ପ୍ରାଣ ହରାଇବା ପରେ ୟାଙ୍କ ଭାଗ୍ୟରେ ଯେମିତି ଦୁଃଖ ଲେଖା ହୋଇଗଲା । ଆଜକୁ ୩ ବର୍ଷ ହେବ ସାନ ଭାଇ ଶ୍ରୀତମ ଦୁଇ କୁନି ଭଉଣୀଙ୍କ ଦାୟିତ୍ୱ ନେଇଥିଲେ ମଧ୍ୟ ଦୁଇ ଭଉଣୀ ଏବେ ସରକାରଙ୍କ ସାହାଯ୍ୟ ସହଯୋଗ ଲୋଡିଛନ୍ତି । ବାପା ମାଆ ଛେଉଣ୍ଡ ତିନି ଭାଇ ଭଉଣୀ ଏବେ ଭାଗ୍ୟକୁ ଆଦରି ଏମିତି ଜୀବନ ବିତାଉଛନ୍ତି ।
କେତେବେଳେ ଖାଇବାକୁ ପାଉଛନ୍ତି ତ ଆଉ କେତେବେଳେ ଉପାସ ରହୁଛନ୍ତି । ସରକାରଙ୍କ ପକ୍ଷରୁ ତାଙ୍କୁ କିଛି ଚାଉଳ ମିଳୁଥିଲେ ମଧ୍ୟ ତାହା ଯଥେଷ୍ଟ ହେଉନାହିଁ । ଏଭଳି ପରିସ୍ଥିତିରେ ସରକାର ଭଉୟ ଭଉଣୀଙ୍କୁ ସାହାଯ୍ୟ ସହଯୋଗର ହାତ ବଢାଇବାକୁ ପାଖ ପଡୋଶୀ ଦାବି କରିଛନ୍ତି । ଅନ୍ୟପଟେ ଦୁଇ କୁନି ଭଉଣୀକୁ ଏକ ଆଶ୍ରମ ସ୍କୁଲରେ ଥଇଥାନ କରି ସେମାନଙ୍କ ଭବିଷ୍ୟତ ଗଢିବାକୁ ସବୁ ପ୍ରକାର ସାହାଯ୍ୟ କରିବେ ବୋଲି କନ୍ଧମାଳ ଚାଇଲ୍ଡ ଲାଇନର ନିର୍ଦ୍ଦେଶକ କହିଛନ୍ତି । କଥାରେ ଅଛି ଭାଇ ଥିବ ଯାହାର ଆଉ କାହାକୁ ଡର ନଥିବ ତାହାର। ଏ କଥାକୁ ଅକ୍ଷରେ ଅକ୍ଷରେ ପ୍ରମାଣିତ କରି ଦେଖାଇଛନ୍ତି ଶ୍ରୀତମ । ସତରେ ଏମିତି ଭାଇ ଭାଗ୍ୟରେ ଥିଲେ ମିଳେ।
(ରିପୋର୍ଟ- ଅଜିତ୍ ନାୟକ, ବାଲିଗୁଡା)
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)