• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ବର୍ଷା ହେଉ କି ଖରା.. ଶୀତ ହେଉ କି ବସନ୍ତ.. । ସକାଳ ହେଲେ ନିଇତି ସାଇକେଲ ଧରି ଘରୁ ବାହାରିପଡନ୍ତି ଜଣେ ବୃଦ୍ଧା । ଆଉ ପଛରେ ବନ୍ଧା ହୋଇ ରହିଥାଏ ସାହାଯ୍ୟର ଆଟାଚ୍‌ । ସେଥିରେ ଭର୍ତ୍ତି ହୋଇ ରହିଥାଏ ଔଷଧ । ହୁଏତ ଆପଣଙ୍କ ମନରେ ପ୍ରଶ୍ନ ଆସୁଥିବ ଏହି ବୃଦ୍ଧା ଜଣକ କିଏ ? କାହିଁକି ମେଡିସିନ୍‌ ଧରି ବୁଲୁଛନ୍ତି ?

ତେବେ ବୃଦ୍ଧ ଜଣକ ହେଉଛନ୍ତି ବାଣପୁରର ଦିଗମ୍ବର ମହାପାତ୍ର । ବୟସ ପାଖାପାଖି ୮୦ ହେଲାଣି । ହେଲେ ଆଜି ବି ସେ ଥକିନାହାନ୍ତି କି ହାର ମାନିନାହାନ୍ତି । ସେଇଥିପାଇଁ ତ ସକାଳ ହେବା ମାତ୍ରେ ୧୬ ଇଂଚିଆ ସାଇକେଲ ଧରି ପୂରା ଅଞ୍ଚଳରେ ତନ୍ନ ତନ୍ନ କରି ବୁଲନ୍ତି । ଆଉ ରୋଗୀଙ୍କୁ ବଢାଇଦିଅନ୍ତି ଔଷଧ । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଦିଗମ୍ବର ମାତ୍ର ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢିଛନ୍ତି । କିନ୍ତୁ ନିଜର ଦୃଢ ଇଚ୍ଛାଶକ୍ତି ଓ ମନୋବଳ ପାଇଁ ହୋମିଓପାଥି ଉପରେ ଅନେକ ଜ୍ଞାନ ଆହରଣ କରିଛନ୍ତି ।

ଔଷଧ ଦେଇ ଦେଇ ବାଣପୁର ଅଂଚଳରେ ସିଏ ଏତେ ପ୍ରସିଦ୍ଧ ଯେ ସମସ୍ତେ ତାଙ୍କୁ ଦିଗାଭାଇନା ବୋଲି ଡାକନ୍ତି । ଆଉ ଲୋକଙ୍କ ସହ ବେଶ୍‌ ସହଜରେ ମିଶିପାରନ୍ତି ଦିଗା । ସେ ମାତ୍ର କୋଡିଏ ବର୍ଷ ବୟସରୁ ହୋମିଓପ୍ୟାଥି ଡାକ୍ତର କୃଷ୍ଣଚନ୍ଦ୍ର ପାଣିଗ୍ରାହୀଙ୍କ ପାଖରେ ରହି କାମ କରୁ କରୁ ନିଜେ ଏବେ ହୋମିଓପାଥି ଡାକ୍ତର ଭଳି । ସବୁଠୁ ବଡ କଥା ହେଲା ରୋଗୀଙ୍କ ରୋଗ ପାଇଁ ଔଷଧ ଦେବା ପରେ ସେ କୌଣସି ଟଙ୍କାର ଡିମାଣ୍ଡ କରନ୍ତି ନାହିଁ । ବରଂ ଯିଏ ଯେତେ ଦେଲା ଖୁସିରେ ତାକୁ ଗ୍ରହଣ କରନ୍ତି ।

ରୋଗୀ ଦେଖିବାରେ ଦିଗାଙ୍କ ଏମିତି ନିଶା ଯେ, ଫୋନ୍‌ ଆସିବା ମାତ୍ରେ ଖରା ହେଉ କି ବର୍ଷା.. ସାଙ୍ଗେ ସାଙ୍ଗେ ପେଡିପୁଟୁଳା ଧରି ଘରୁ ବାହାରି ପଡନ୍ତି । ଆଉ ରୋଗୀଙ୍କ ପାଖରେ ପହଞ୍ଚି ଔଷଧ ବି ଦିଅନ୍ତି । ଏବେ ବି ଦିଗା ଭାଇନାଙ୍କ ଔଷଧ ଖାଇ ଶହଶହ ଲୋକ ସୁସ୍ଥ ହେଉଛନ୍ତି । ସତରେ ଏମିତି ଜଣେ ଡାକ୍ତର ଯଦି ଗାଁରେ ଥିବ ତେବେ ରୋଗୀଙ୍କ ରୋଗ ଅତିସହଜରେ ଭଲ ହେବ ।

ଖାଲି ଔଷଧ କାହିଁକି ? କବିତା ଲେଖିବା, ଖୋଲା ମଞ୍ଚରେ ହାସ୍ୟ ରସାତ୍ମକ ଅଭିନୟ କରିବା ଭଳି କଳା ବି ତାଙ୍କ ପାଖରେ ଭରପୂର ହୋଇ ରହିଛି । ଏମିତିକି ରାଜ୍ୟ ସରକାରଙ୍କଠାରୁ କଳାକାର ଭତ୍ତା ବି ପାଉଛନ୍ତି ଦିଗା । ଆଉ ଦିଗାଙ୍କ ଏମିତି ସାହାଯ୍ୟ ମନୋବୃତ୍ତି ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ତାଙ୍କୁ ପୁରସ୍କୃତ ବି କରାଯାଇଛି ।

 

(ରିପୋର୍ଟ- ଶକ୍ତିପ୍ରସାଦ ମହାପାତ୍ର, ବାଲୁଗାଁ)