• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ନା RBIର ନିର୍ଦ୍ଦେଶ ଅଛି, ନା କୌଣସି ବିଜ୍ଞପ୍ତି ବାହାରିଛି, ତଥାପି ଆପେ ଆପେ ଅଚଳ ହୋଇଯାଉଛି କଏନ୍ । ଟଙ୍କିକିଆ କି ଦୁଇ ଟଙ୍କିଆ କଏନ୍କୁ ନା ଦୋକାନୀ ନେଉଛନ୍ତି, ନା ଗ୍ରାହକ ଧରୁଛନ୍ତି । ଛୋଟ କଏନ୍‌କୁ ନେଇ ରାଜ୍ୟର ଅଧିକାଂଶ ସ୍ଥାନରେ ଏବେ ଏମିତି ବିଚିତ୍ର ସ୍ଥିତି ।

ବାଲେଶ୍ୱର ଜିଲ୍ଲା କମର୍ଦା ଛକରେ ଥିବା ଏକ ଷ୍ଟେସନାରି ଦୋକାନରେ ଗ୍ରାହକ ଛୋଟ କଏନ୍ ନେଉନଥିବାରୁ ଦୋକାନୀ ଜଣକ ଟଙ୍କିକିଆ ଓ ଦୁଇ ଟଙ୍କିଆ କଏନ୍‌କୁ ପଲିଥିନରେ ବାନ୍ଧି ରଖିଛନ୍ତି । ସୁବିଧା ହେଲେ ବ୍ୟାଙ୍କ ଯାଇ ବଦଳାଇବାକୁ ଚେଷ୍ଟା କରୁଛନ୍ତି । ଏମିତିକି କେତେକ ବ୍ୟାଙ୍କ ବି ଛୋଟ କଏନ୍ ନେଉ ନଥିବା ଅଭିଯୋଗ କରିଛନ୍ତି ଦୋକାନୀ ଜଣକ ।

ଅନେକ ଦୋକାନୀ କହୁଛନ୍ତି, ଗ୍ରାହକମାନେ ଛୋଟ କଏନ୍ ନେଉ ନଥିବାରୁ ସେମାନେ ବି ଗ୍ରାହକଙ୍କଠୁ ଆଉ କଏନ୍ ନେଉନାହାନ୍ତି । ଫଳରେ ବ୍ୟବସାୟ ପ୍ରଭାବିତ ହେଉଛି । ବାଲେଶ୍ୱର ସୋର ଅଞ୍ଚଳରେ ବି କଏନ୍‌କୁ ନେଇ ସେଇ ସମାନ ସ୍ଥିତି ।

ଏ ତ’ ଗଲା ଟଙ୍କିକିଆ ଓ ଦୁଇ ଟଙ୍କିଆ କଏନର ସ୍ଥିତି । ଆଶ୍ଚର୍ଯ୍ୟର କଥା, ଗଞ୍ଜାମ ଜିଲ୍ଲାର ବ୍ୟବସାୟିକ ପେଣ୍ଠ ବ୍ରହ୍ମପୁର ସହରରେ ୧୦ ଟଙ୍କିଆ କଏନ୍ ବି ଅଚଳ । ଲୋକଙ୍କ ଅଭିଯୋଗ ଜିଲ୍ଲାର ଆସ୍କା, ଭଞ୍ଜନଗରରେ ୧୦ ଟଙ୍କିଆ କଏନ୍ ଚଳୁଥିବା ବେଳେ ବ୍ରହ୍ମପୁର ସହରର ଦୋକାନୀ ୧୦ ଟଙ୍କିଆ କଏନ୍ ରଖୁନାହାନ୍ତି । ହେଲେ ଦୋକାନୀଙ୍କ ପାଲଟା ଅଭିଯୋଗ, ୧୦ ଟଙ୍କିଆ ଅଚଳ ହୋଇଯାଇଛି ବୋଲି ଲୋକଙ୍କ ମାନସିକତା ହୋଇଗଲାଣି । ତେଣୁ ଗ୍ରାହକମାନେ ନେଉନାହାନ୍ତି । ଫଳରେ ସେମାନଙ୍କ ପାଖରେ ୧୦ ଟଙ୍କିଆ କଏନ୍ ଗଦା ହୋଇରହୁଛି ।

ରାଜ୍ୟର କଏନ୍‌କୁ ନେଇ ଦ୍ୱନ୍ଦ୍ୱ ଲାଗି ରହିଥିବା ବେଳେ ଏହା ଗୁଜବ ବୋଲି ସ୍ପଷ୍ଟ କରିଛି ଭାରତୀୟ ରିଜର୍ଭ ବ୍ୟାଙ୍କ । ଆରବିଆଇ ଭୁବନେଶ୍ୱର ଆଞ୍ଚଳିକ ନିର୍ଦ୍ଦେଶକ କହିଛନ୍ତି, ବଜାରରେ ଥିବା ୫୦ ପଇସାଠୁ ଆରମ୍ଭ କରି ୨୦ ଟଙ୍କିଆ କଏନ୍ ଯାଏଁ ସବୁ ଲିଗାଲ ଟେଣ୍ଡର । ଅର୍ଥାତ୍ ଏସବୁ ମୁଦ୍ରା ବଜାରରେ ଚଳୁଛି । ଏଣୁ କଏନ୍ ଚଳୁନଥିବା ନେଇ ହେଉଥିବା ଗୁଜବକୁ କେହି ବିଶ୍ୱାସ କରନ୍ତୁ ନାହିଁ । ଏପରିକି ବ୍ୟାଙ୍କ ବି କଏନ୍ ଗ୍ରହଣ କରିବାକୁ ବାଧ୍ୟ । ଯଦି କୌଣସି ବ୍ୟାଙ୍କ କଏନ୍ ଗ୍ରହଣ କରୁନଥିବା ଜଣାପଡ଼ିବ, ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ । ଲୋକଙ୍କ ମଧ୍ୟରେ ଏନେଇ ସଚେତନତା ସୃଷ୍ଟି ପାଇଁ ଆସନ୍ତା ଡିସେମ୍ବର ମାସରୁ ୩ ମାସ ବ୍ୟାପି ରାଜ୍ୟର ସମସ୍ତ ବ୍ଲକରେ ଆୟୋଜନ କରାଯିବା କଏନ୍ ଓ ନୋଟ୍ ବଦଳ କାର୍ଯ୍ୟକ୍ରମ ।

ଆରବିଆଇର ସ୍ପଷ୍ଟୀକରଣ ପରେ କଏନ୍‌କୁ ନେଇ ଲୋକଙ୍କ ମାନସିକତା କେତେ ପରିବର୍ତ୍ତନ ଆସୁଛି, ତାହା ଏବେ ଦେଖିବାକୁ ବାକି ରହିଲା ।

  • Reported by:
  • ASHOK BRAHMA , KAPILENDRA PRADHAN , Ajit Das , Niranjan Behera