• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ମୂଷା କଲା ନାକେଦମ୍‌ । ଠପ୍ ହୋଇଗଲା ବିଦ୍ୟୁତ୍‌ ସେବା । ନବରଙ୍ଗପୁର ଜିଲ୍ଲା ତେନ୍ତୁଳୀ ଖୁଣ୍ଟି ବ୍ଲକରେ ଏପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି l ଏକ ମୂଷା ପାଇଁ ତେନ୍ତୁଳିଖୁଣ୍ଟି ଓ ନନ୍ଦାହାଣ୍ଡି ବ୍ଲକର ୮ ଟି ପଂଚାୟତରେ ଦୀର୍ଘ ୮ ଘଣ୍ଟା ଧରି ବିଦ୍ୟୁତ ସରବରାହ ବନ୍ଦ ରହିଛି l ବିଦ୍ୟୁତ ସେବା ସ୍ୱାଭାବିକ କରିବା ପାଇଁ ବିଭାଗୀୟ କର୍ମଚାରୀଙ୍କୁ ଅଧା ଦିନ ନାକେଦମ ହେବାକୁ ପଡିଛି l

ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ସଦର ମହକୁମାରେ ଅଛି ଟାଟା ପାୱାର କାର୍ଯ୍ୟାଳୟ l ସେଠାରୁ ତେନ୍ତୁଳିଖୁଣ୍ଟି ବ୍ଲକର କୁକୁଡ଼ାବାଇ, ତେନ୍ତୁଳିଖୁଣ୍ଟି, ପୂଜାରୀଗୁଡା, ଦିଗି, ଲମତାଗୁଡା ଓ ମଞ୍ଚଗାଁ ପଂଚାୟତ ଏବଂ ନନ୍ଦାହାଣ୍ଡି ବ୍ଲକର ମେଣ୍ଟ୍ରି ଓ ଧଣ୍ଡରାପଂଚାୟତକୁ ବିଦ୍ୟୁତ ସରବରାହ ହେଉଛି l ତେବେ ଗତକାଲି ଭୋର ୫.୩୦ ସମୟରେ ଏକ ମୂଷା ଟାଟା ପାୱାର କାର୍ଯ୍ୟାଳୟରେ ଥିବା ବିଦ୍ୟୁତ ଟ୍ରାନ୍ସଫର୍ମର ଉପରେ ଚଢ଼ି ଯାଇଥିଲା l

ମୂଷାଟି ବିଦ୍ୟୁତ ଟ୍ରାନ୍ସଫର୍ମର ଉପରେ ଚଢ଼ିଯାଇ ବିଦ୍ୟୁତ ତାର ସମ୍ପର୍କରେ ଆସିବା ପରେ ସଟସର୍କିଟ ହୋଇ ନିଆଁ ଲାଗିଯାଇଥିଲା l ଏହାପରେ ଉଭୟ ନନ୍ଦାହାଣ୍ଡି ଓ ତେନ୍ତୁଳିଖୁଣ୍ଟି ବ୍ଲକର ୮ ଟି ପଂଚାୟତରେ ବିଦ୍ୟୁତ ସେବା ଠପ ହୋଇଯାଇଥିଲା l ତେନ୍ତୁଳିଖୁଣ୍ଟି ଟାଟା ପାୱାର କାର୍ଯ୍ୟାଳୟ ସହକାରୀ ନିର୍ବାହୀ ଯନ୍ତ୍ରୀ ଦିନେଶ କୁମାର ଷଡ଼ଙ୍ଗୀଙ୍କ ସମେତ ବିଦ୍ୟୁତ କର୍ମଚାରୀ ସମୂହ ନିଆଁକୁ ଆୟତ କରିବା ପରେ ବିଦ୍ୟୁତ ସେବା ସ୍ୱାଭାବିକ କରିବା ପାଇଁ ଚେଷ୍ଟା କରିଥିଲେ ।

ନବରଙ୍ଗପୁର ବିଦ୍ୟୁତ ବିଭାଗର ନିର୍ବାହୀଯନ୍ତ୍ରୀ ଅଭିଜିତ ପାଢ଼ୀଙ୍କ ନେତୃତ୍ୱରେ ଜୟପୁର ଇଞ୍ଜିନିଅର ସୁବେନ୍ଧୁ ସାହୁ ଓ ଜୟପୁରଇ ଏମଆରଷ୍ଟାଫ ତେନ୍ତୁଳିଖୁଣ୍ଟି ଟାଟା ପାୱାର କାର୍ଯ୍ୟାଳୟରେ ପହଂଚି ଅନ୍ୟ କର୍ମଚାରୀଙ୍କ ସହଯୋଗରେ ବିଦ୍ୟୁତ ଟ୍ରାନ୍ସଫର୍ମର ସଜାଡ଼ିବାରେ ସକ୍ଷମ ହୋଇଥିଲେ l ତେବେ ବିଦ୍ୟୁତ କର୍ମଚାରୀଙ୍କ ଦୀର୍ଘ ୮ ଘଣ୍ଟାର ନିରନ୍ତର ପରିଶ୍ରମ ପରେ ବିଦ୍ୟୁତ ସେବା ସ୍ୱାଭାବିକ ହୋଇଥିଲା l ଯାହାକୁ ନେଇ ଲୋକେ ବିଦ୍ୟୁତ ବିଭାଗକୁ ପ୍ରଶଂସା କରିଥିଲେ ମଧ୍ୟ ଏକ ମୂଷା ପାଇଁ ଉପଭୋକ୍ତାମାନେ ବିଦ୍ୟୁତ ନପାଇ ୮ ଘଣ୍ଟା ହଇରାଣ ହୋଇଥିବାରୁ ଦୁଃଖ ପ୍ରକାଶ କରିବା ସହ ଆଗାମୀ ଦିନରେ ବିଦ୍ୟୁତ ବିଭାଗ ଏଥିପ୍ରତି ଧ୍ୟାନଦେବାକୁ ଅନୁରୋଧ କରିଛନ୍ତି l

(ରିପୋର୍ଟ – ନବଘନ ବିଷୋୟୀ, ନବରଙ୍ଗପୁର)