୫ ଘଣ୍ଟାର ବିରଳ ଅସ୍ତ୍ରୋପଚାର, ବେକରୁ ବାହାରିଲା ଟ୍ୟୁମର

ଦୀର୍ଘ ୧୩ ବର୍ଷ ଧରି ଯନ୍ତ୍ରଣା ପାଉଥିଲେ ମହିଳା, SCB ଡାକ୍ତର ଦେଲେ ନୂଆ ଜୀବନ ।

SCB Medical

ପୁଣି SCBର ବିରଳ ଅସ୍ତ୍ରୋପଚାର । କଟକ ଏସସିବି ମେଡିକାଲରେ ବିରଳ ଅସ୍ତ୍ରୋପଚାର । ଜଣେ ରୋଗୀଙ୍କ ବେକରୁ ଅସ୍ତ୍ରୋପଚାର ପରେ ବାହାରିଲା ଏକ କେଜିର ଟ୍ୟୁମର । ୫ ଘଣ୍ଟାର ସଫଳ ଅପରେସନ ପରେ ନୂଆ ଜୀବନ ପାଇଛନ୍ତି ରୋଗୀ । ମେଡିକାଲର ଏଣ୍ଡୋକ୍ରାଇନ ସର୍ଜରୀ ବିଭାଗର ୬ ଜଣିଆ ଡାକ୍ତରୀ ଟିମ ଏହି ଅପରେସନରେ ସାମିଲ ହୋଇଥିଲେ । ରୋଗୀ ଜଣଙ୍କ ହେଉଛନ୍ତି ସମ୍ବଲପୁର ଜିଲା ବୁର୍ଲାର ପୁଷ୍ପା ଲେହୁରା । ଦୀର୍ଘ ୧୩ ବର୍ଷ ଧରି ଟ୍ୟୁମରଟି ତାଙ୍କ ବେକରେ ଥିବାବେଳେ ଯନ୍ତ୍ରଣା ବଢିବାରୁ ବୁର୍ଲା ମେଡିକାଲରେ ଚିକିତ୍ସା କରାଇଥିଲେ । ହେଲେ ଅବସ୍ଥା ନସୁଧୁରିବାରୁ ତାଙ୍କୁ ଏସସିବି ଅଣାଯାଇଥିଲା । ତେବେ ଡାକ୍ତରୀ ଟିମର ମିଳିତ ପ୍ରୟାସରେ ଏହି ଅପରେସନ ସଫଳ ହୋଇଛି ।

 

ଅନ୍ୟପଟେ କିଛି ଦିନ ପୂର୍ବରୁ ଦିଲ୍ଲୀ ଏମ୍‌ସରେ ମଧ୍ୟ ଏକ ବିରଳ ଅସ୍ତ୍ରୋପଚାର କରାଯାଇଥିଲା । ଯାହାକୁ ନେଇ ସାରା ଦେଶରେ ଚର୍ଚ୍ଚା ହେଉଥିଲା । ଦିଲ୍ଲୀ ଏମ୍‌ସ ସବୁବେଳେ ବିରଳ ଅସ୍ତ୍ରୋପଚାର ପାଇଁ ଚର୍ଚ୍ଚାରେ ରହିଥାଏ । ଜଟିଳ ସ୍ଥିତିରେ ବି ଦିଲ୍ଲୀ ଏମ୍‌ସ ହାର ମାନି ନଥାଏ । ଆଜି ଆମେ ଆପଣଙ୍କୁ ଯେଉଁ କଥା କହୁଛୁ ତାହା ହେଲା, କିଛି ଦିନ ପୂର୍ବେ ଦିଲ୍ଲୀ ଏମ୍‌ସରେ ଜଣେ ମହିଳାଙ୍କ ପେଟରେ ଥିବା ଶିଶୁର କରାଯାଇଛି ଅସ୍ତ୍ରୋପଚାର । 

ଆମେ ସାଧାରଣତଃ ଜାଣିଛନ୍ତି ବା ଶୁଣିଛନ୍ତି ଛୁଆ ଜନ୍ମ ହେବା ପରେ ତାର ହାର୍ଟ ସର୍ଜରୀ କରାଯାଏ । କିନ୍ତୁ ଏଠି ମାଆର ଗର୍ଭରେ ଥିବା ବେଳେ ଛୁଆର କରାଯାଇଛି ହାର୍ଟ ସର୍ଜରୀ । ଆପଣ ଥରେ ଅନୁମାନ କରନ୍ତୁ ମାଆର ପେଟରେ ଥିବା ଛୁଆର ଆକାର କେତେ ହୋଇଥିବ । ଆଉ ସେହି ଅନୁସାରେ ଛୁଆର କୁନି ଛାତିରେ ଥିବା ହାର୍ଟ କେତେ ବଡ଼ ହୋଇଥିବ । ଆଉ ସେହି କୁନି ହାର୍ଟରେ ଡାକ୍ତର କରିଥିଲେ ସର୍ଜରୀ ।

ଜଣେ ୨୮ ବର୍ଷିୟ ମହିଳାଙ୍କ କ୍ଷେତ୍ରରେ ଏଭଳି ଘଟିଛି । ତିନି ଥର ଗର୍ଭ ନଷ୍ଟ ହେବା ପରେ ଚତୁର୍ଥ ଥର ବେଳକୁ ଡାକ୍ତର ପେଟରେ ଥିବା ଛୁଆର ଅପରେସନ୍‌ କରିବାକୁ କହିଥିଲେ । କାରଣ ଛୁଆର ହାର୍ଟରେ ସମସ୍ୟା ଥିଲା । ଛୁଆକୁ ସୁସ୍ଥ ରଖିବା ପାଇଁ ଏହି ଅପରେସନ ଜରୁରୀ ଥିଲା ବୋଲି ଡାକ୍ତର କହିଥିଲେ । ଏହି ଅପରେସନ୍‌ ପରେ ଉଭୟ ମାଆ ଏବଂ ଛୁଆ ସୁସ୍ଥ ଥିବା କହିଥିଲେ ଡାକ୍ତର । ଏହି ଅପରେସନ୍‌ ଖୁବ୍‌ ବିପଦପୂର୍ଣ୍ଣ ରହିଥିଲା । କାରଣ ମାଆର ଗର୍ଭ ଭିତରକୁ ଛୁଞ୍ଚି ଯାଇ ଛୁଆର ହାର୍ଟ ସର୍ଜରୀ କରିବାକୁ ଥିଲା । ଏଥିରେ ଛୁଆର ଜୀବନ ପ୍ରତି ବିପଦ ମଧ୍ୟ ରହିଥିଲା ବୋଲି କୁହାଯାଇଛି । ତେବେ ଛୁଆର ଅବସ୍ଥା ଏବେ ଭଲ ଥିବା ଡାକ୍ତରମାନେ କହିଛନ୍ତି।