• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ଆଗାମୀ ୨୦୨୪ ରଥଯାତ୍ରାବେଳେ ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲିବାକୁ ସୁପାରିସ । ରତ୍ନଭଣ୍ଡାର ସ୍ଥିତି ଯାଞ୍ଚ ପାଇଁ ଜଣେ ଅବସରପ୍ରାପ୍ତ ବିଚାରପତିଙ୍କ ଅଧ୍ୟକ୍ଷତାରେ ଏକ ହାଇଲେବଲ ଟିମ୍ ଗଠନ ହେବ ବୋଲି ଶ୍ରୀମନ୍ଦିର ପରିଚାଳନା କମିଟିରେ ରାଜ୍ୟ ସରକାରଙ୍କୁ ସୁପାରିସ କରାଯାଇଛି । ତେବେ ସେ ସମୟରେ ଠାକୁରଙ୍କ ଅଳଙ୍କାର ଗଣତି କି ମଣତି ହେବ ନାହିଁ । ସେହିପରି ବୁଧବାର ଶ୍ରୀଜିଉଙ୍କ ବନକଲାଗି ନୀତି କରାଯିବା ସହ ପରିକ୍ରମା ପ୍ରକଳ୍ପ କାମ ନସରିବା ଯାଏଁ ଚାରି ଦ୍ୱାର ଖୋଲିବାର ପ୍ରଶ୍ନ ଉଠୁନି ବୋଲି ବୋଲି କହିଛନ୍ତି ପୁରୀ ଜିଲ୍ଲାପାଳ ।

ଖୋଲିବ ମହାପ୍ରଭୁ ଜଗନ୍ନାଥଙ୍କ ରହସ୍ୟମୟ ରତ୍ନଭଣ୍ଡାର ! ଏଥିପାଇଁ ଆଜି ମୂଳଦୁଆ ପଡ଼ିଲା । ଶ୍ରୀମନ୍ଦିର ପରିଚାଳନା କମିଟିରେ ରାଜ୍ୟ ସରକାରଙ୍କୁ ସୁପାରିସ କରାଗଲା । ତେବେ ଆଗାମୀ ମାସେ କି ଦୁଇ ମାସ ଭିତରେ ନୁହେଁ, ବରଂ ଆସନ୍ତାବର୍ଷ ରଥଯାତ୍ରାବେଳେ ଦୁର୍ଭେଦ୍ୟ ରତ୍ନଭଣ୍ଡାର ଖୋଲିବାକୁ ହୋଇଛି ସହମତି । ତୁରନ୍ତ ରତ୍ନଭଣ୍ଡାର ଖୋଲି ଏହାର ସ୍ଥିତି ଯାଞ୍ଚ ସହ ଆବଶ୍ୟକସ୍ଥଳେ ମରାମତି ପାଇଁ ମ୍ୟାନେଜିଂ କମିଟିକୁ ଚିଠି ଲେଖିଥିଲା ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗ ବା ASI । ଯାହାକୁ ଗୁରୁତ୍ୱ ଦେଇ ୨୦୨୪ ରଥଯାତ୍ରାବେଳେ ରତ୍ନଭଣ୍ଡାର ଖୋଲିବାକୁ ଆଜି ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ବାଜିଛି ମୋହର।

ବୈଠକ ପରେ ଶ୍ରୀମନ୍ଦିର ଉପ-ମୁଖ୍ୟ ପ୍ରଶାସକ ତଥା ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ବିସ୍ତୃତ ସୂଚନା ଦେଇ କହିଛନ୍ତି- ପ୍ରଥମେ ରତ୍ନଭଣ୍ଡାର ଖୋଲିବା ପ୍ରକ୍ରିୟା ତଦାରଖ ପାଇଁ ଜଣେ ହାଇକୋର୍ଟ କିମ୍ବା ସୁପ୍ରିମକୋର୍ଟର ଅବସରପ୍ରାପ୍ତ ବିଚାରପତିଙ୍କ ଅଧ୍ୟକ୍ଷତାରେ ଏକ ହାଇଲେବଲ ଟିମ୍ ଗଠନ ହେବ । ଭିତର ରତ୍ନଭଣ୍ଡାର ଖୋଲିବାର ସମସ୍ତ ବ୍ୟବସ୍ଥା ଏହି ଟିମ୍ ତଦାରଖ କରିବ ।

ଆସନ୍ତା ରଥଯାତ୍ରା ଆଗରୁ ପ୍ରଥମେ ବୈଷୟିକ ଜ୍ଞାନକୌଶଳ ଏମିତିକି ଲେଜର ସ୍କାନିଂ ସାହାଯ୍ୟରେ ରତ୍ନଭଣ୍ଡାରର ସ୍ଥିତି ଯାଞ୍ଚ କରାଯିବ । ଯାଞ୍ଚ ବେଳେ ପରିଚାଳନା କମିଟି ମେମ୍ବର ଏବଂ ଏଏସଆଇ ସଦସ୍ୟଙ୍କ ସହ ବିଶେଷଜ୍ଞମାନେ ଉପସ୍ଥିତ ରହିବେ । ତେବେ ବର୍ତ୍ତମାନ ସମୟରେ କେବଳ ରତ୍ନଭଣ୍ଡାର ଯାଞ୍ଚ ପାଇଁ ସୁପାରିସ କରାଯାଇଛି, ଅଳଙ୍କାର ଗଣତି କିମ୍ବା ମଣତି ପାଇଁ କୌଣସି ପ୍ରକାର ନିଷ୍ପତ୍ତି ହୋଇନଥିବା ସ୍ପଷ୍ଟ କରିଛନ୍ତି ମ୍ୟାନେଜିଂ କମିଟି ମେମ୍ବର ଦୁର୍ଗା ଦାସମହାପାତ୍ର ।

ଦୀର୍ଘ ୪୫ବର୍ଷ ଧରି ଖୋଲାଯାଇନି ଶ୍ରୀଜୀଉଙ୍କ ରତ୍ନଭଣ୍ଡାର । ରତ୍ନଭଣ୍ଡାର ସ୍ଥିତି ଅତ୍ୟନ୍ତ ଦୁର୍ବଳ ବୋଲି ଖୋଦ୍ ଭଣ୍ଡାର ମେକାପ କହିବା ପରେ ଏହାର ମରାମତି ସହ ଠାକୁରଙ୍କ ଅଳଙ୍କାର ଗଣତି ପାଇଁ କୋଟି କୋଟି ଜଗନ୍ନାଥ ଭକ୍ତ, ସେବାୟତ ଓ ବିଭିନ୍ନ ଧାର୍ମିକ ସଂଗଠନମାନେ ଦାବି କରି ଆସୁଛନ୍ତି । ଏମିତିକି ଏ ସଂପର୍କିତ ମାମଲା ହାଇକୋର୍ଟଙ୍କ ବିଚାରାଧୀନ ବି ରହିଛି ।

ବହୁ ବାଦ-ବିବାଦ ପରେ ୨୦୧୮ ଏପ୍ରିଲ ୪ରେ ରତ୍ନଭଣ୍ଡାର ସ୍ଥିତି ଅନୁଧ୍ୟାନ ପାଇଁ ୧୭ଜଣିଆ କମିଟି ଯାଇଥିଲେ । ହେଲେ ଚାବି ନଥିବାରୁ ଭିତର ଭଣ୍ଡାରକୁ ନଯାଇ ବାହାରୁ ଅଧାପନ୍ତରିଆ ଯାଞ୍ଚ କରି ଫେରି ଆସିଥିଲେ । ଯାହାକୁ ନେଇ ସାରା ରାଜ୍ୟରେ ତମ୍ବିତୋଫାନ ହୋଇଥିଲା । ସେବେଠୁ ଆଉ ରତ୍ନଭଣ୍ଡାର ଖୋଲିବାକୁ ରାଜ୍ୟ ସରକାର ଆନ୍ତରିକତା ଦେଖାଇ ନାହାନ୍ତି ।

ଦୀର୍ଘ ୪୫ବର୍ଷ ତଳେ ଅର୍ଥାତ୍ ୧୯୭୮ ମସିହାରେ ଶେଷ ଥର ପାଇଁ ରତ୍ନଭଣ୍ଡାର ଖୋଲାଯାଇ ଅଳଙ୍କାର ତାଲିକା ହୋଇଥିଲା। ସେବେଠୁ ଆଉ ରତ୍ନଭଣ୍ଡାର ଖୋଲାନଯିବା ଓ ଖୋଲିବାକୁ ଟାଳଟୁଳ ନୀତି ଅବଲମ୍ବନ ଯୋଗୁଁ ମହାପ୍ରଭୁଙ୍କ ମହଣ ମହଣ ସ୍ୱର୍ଣ୍ଣ ଓ ରତ୍ନ ଅଳଙ୍କାର ସୁରକ୍ଷିତ ଥିବା ନେଇ ସନ୍ଦେହ ସୃଷ୍ଟି ହୋଇଛି। ତେଣୁ ଏଭଳି ସ୍ଥିତିରେ ରତ୍ନଭଣ୍ଡାର ଖୋଲିବାକୁ ଶ୍ରୀମନ୍ଦିର ପରିଚାଳନା କମିଟିର ସୁପାରିସକୁ ତୁରନ୍ତ ରାଜ୍ୟ ସରକାର ଗ୍ରହଣ କରିବା ଉଚିତ୍ ବୋଲି ମତ ପ୍ରକାଶ ପାଇଛି ।

ସେହିପରି ଏବେ ଶ୍ରୀମନ୍ଦିର ଚାରିଦ୍ୱାର ନଖୋଲିବାକୁ ବି ପରିଚାଳନା କମିଟିରେ ହୋଇଛି ସହମତି । ଯେହେତୁ ପରିକ୍ରମା ପ୍ରକଳ୍ପ କାମ ଚାଲୁ ରହିଛି, ତେଣୁ ପଶ୍ଚିମ, ଉତ୍ତର ଓ ଦକ୍ଷିଣ ଦ୍ୱାରରେ ଏବେ ଧାଡ଼ି ବ୍ୟବସ୍ଥା କରି ହେବ ନାହିଁ । ତେଣୁ ସାଂପ୍ରତିକ ବ୍ୟବସ୍ଥା ଅନୁସାରେ ସାଧାରଣ ଭକ୍ତ ସିଂହଦ୍ୱାର ଦେଇ ଓ ପୁରୀ ବାସିନ୍ଦା ପୂର୍ବ ଓ ପଶ୍ଚିମ ଦ୍ୱାରରେ ପ୍ରବେଶ କରିବେ । ଦର୍ଶନ ପରେ ସମସ୍ତେ ଉତ୍ତର ଦ୍ୱାରରେ ବାହାରିବେ । ପ୍ରକଳ୍ପ କାର୍ଯ୍ୟ ସମ୍ପୂର୍ଣ୍ଣ ହେଲେ ଚାରି ଦ୍ୱାର ଖୋଲିବା ନିଷ୍ପତ୍ତି ହେବ ବୋଲି କହିଛନ୍ତି ପୁରୀ ଜିଲ୍ଲାପାଳ ।

ଏଥିସହ ବୁଧବାର ହିଁ ବନକଲାଗି କରାଯିବାକୁ କମିଟିରେ ନିଷ୍ପତ୍ତି ହୋଇଛି । ସାଧାରଣ ସମୟରେ ମାସକୁ ୨ ଥର ବୁଧବାର ବନକଲାଗି ହୁଏ, ସେଦିନ ବେଶି ନୀତିକାନ୍ତି ରହିଲେ ଗୁରୁବାର କରାଯାଇପାରିବ । ହେଲେ ସେଥିପାଇଁ ନିଷ୍ପତ୍ତି ଶ୍ରୀମନ୍ଦିର ପ୍ରଶାସନ ହିଁ ନେବ ବୋଲି ସ୍ପଷ୍ଟ କରିଛନ୍ତି ଶ୍ରୀମନ୍ଦିର ଉପମୁଖ୍ୟ ପ୍ରଶାସକ।

  • Reported by:
  • MADHUSUDAN MISHRA