• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ଖେଳକୁଦ ବୟସରେ ମେଡିକାଲ୍‌ ବେଡ୍‌ରେ ପଡ଼ି ଯନ୍ତ୍ରଣାରେ ଛଟପଟ ହେଉଛି ଏହି ୫ ବର୍ଷର କୁନି ଝିଅ । ଯନ୍ତ୍ରଣା ଏତେ ଯେ କାନ୍ଦି ପକାଉଛି । ତା କଷ୍ଟ ଦେଖିଲେ ଆପଣଙ୍କ ଆଖିରୁ ବି ଲୁହ ଝରି ଆସିବ । ଝିଅର ଉପଯୁକ୍ତ ଚିକିତ୍ସା ପାଇଁ ପାଖରେ ଟଙ୍କା ନଥିବାରୁ ବାପାମାଆ ଡାକ୍ତରଖାନା ଦୌଡ଼ି ଦୌଡ଼ି ନୟାନ୍ତ ହେଲେଣି ।

ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ୍ ଚକଲାପଦର ପଂଚାୟତ ଅନ୍ତର୍ଗତ ମୁଣ୍ଡୁକାଗୁଡ଼ା ଗ୍ରାମର ୫ ବର୍ଷର କୁନି ଝିଅ ନବିନା । ଗଣେଷପୂଜା ଦିନ ସକାଳୁ ଉଠି ପୂଜା ମଣ୍ତପକୁ ଯିବା ପାଇଁ ନିତ୍ୟକର୍ମ ସାରି ସଜବାଜ ହୋଇଥିଲା ନବିନା । ଜଳଖିଆ ଖାଇ ପୂଜା ପେଣ୍ତାଲକୁ ଯିବ ବୋଲି ମା’କୁ ଖାଇବାକୁ ମାଗିଥିଲା । ମାଆ କାଠଚୁଲିରେ ଚା’ ବସେଇ ବାହାରକୁ ଯାଇଥିବା ବେଳେ ହଠାତ ଘଟିଲା ଅଘଟଣ । ନିଆଁ ସଂସ୍ପର୍ଶରେ ଆସି ନବିନା ଜଳି ଯାଇଥିଲେ । ସଙ୍ଗେ ସଙ୍ଗେ ପରିବାର ଲୋକେ ନବିନାକୁ ପ୍ରଥମେ ଝରିଗାଁ ଡାକ୍ତର ଖାନା ଓ ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରିଥିଲେ । ସେଠାରେ ଦୀର୍ଘ ୮ ଦିନ ଚିକିତ୍ସା ପରେ ମଧ୍ୟ ନବିନାଙ୍କ ସ୍ୱାସ୍ଥ୍ୟବସ୍ଥାରେ କୌଣସି ସୁଧାର ଆସିଲାନି। ନବିନାଙ୍କ ଟିକିତ୍ସା ଲାଗି କୋରାପୁଟ ମେଡିକାଲ କଲେଜକୁ ନେବାକୁ ପରାମର୍ଶ ଦେଇଥିଲେ ଡାକ୍ତର ।

ନବିନାଙ୍କ ବାପା ଜଣେ ଦିନ ମଜୁରିଆ । ମୂଲ ମଜଦୁରି କଲେ ଘର ଚଳେ । ଆର୍ଥିକ ଅନାଟନରେ ଦିନ କାଟୁଥିବା ପରିବାର କୋରାପୁଟ ନେବା ବଦଳରେ ଛୁଟି ମାଗି ନବିନାଙ୍କୁ ଘରକୁ ନେଇ ଆସିଥିଲେ । ଘରେ ଆସି ନବିନାଙ୍କ ସ୍ୱାସ୍ଥ୍ୟବସ୍ଥା ଅତି ଗୁରୁତର ହେବାରୁ ପୁନର୍ବାର ପ୍ରଥମେ ଝିରିଗାଁ ଡାକ୍ତର ଖାନା ଓ ପରେ ଉମରକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଆଣି ଭର୍ତ୍ତି କରିଥିବା କହିଛନ୍ତି ନବିନାଙ୍କ ବାପାମାଆ ।

ଅର୍ଥାଭାବ କାରଣରୁ ନବିନା ୮ ଦିନ କାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା ହେଉଥିଲେ ମଧ୍ୟ ଉପଯୁକ୍ତ ଚିକିତ୍ସା ଅଭାବରୁ ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆସିଲାନି ବୋଲି ସ୍ଥାନୀୟ ଲୋକେ କହିଛନ୍ତି । ନବିନାଙ୍କୁ ସରକାରୀ ସହାୟତା ମିଳିଲେ ତାଙ୍କ ଜୀବନ ବଞ୍ଚି ଯାଆନ୍ତା ବୋଲି ସ୍ଥାନୀୟ ଲୋକେ ଗୁହାରି କରିଛନ୍ତି ।

ଅନ୍ୟପଟେ ନବିନାଙ୍କ ଶରୀର ୩୦% ରୁ ଅଧିକ ପୋଡ଼ି ଯାଇଥିବା କହି ଅଧିକ ଚିକିତ୍ସା ପାଇଁ କଟକ ଶିଶୁ ଭବନକୁ ନେବାକୁ ପରାମର୍ଶ ଦେଇଛନ୍ତି ଚିକିତ୍ସା କରୁଥିବା ଶିଶୁ ବିଶେଷଜ୍ଞ ଡାକ୍ତର ସନ୍ତୋଷ ପଣ୍ଡା ।

  • Reported by:
  • KARTIK MALLICK