• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଓଭର ସ୍ପିଡିଂ, ବେପରୁଆ ଡ୍ରାଇଭିଂ, ମଦ୍ୟପାନ କରି ଗାଡ଼ି ଚାଳନା। ରାଜ୍ୟରେ ସଡ଼କ ଦୁର୍ଘଟଣାଜନିତ ମୃତ୍ୟୁର ବଡ଼ କାରଣ। NCRB ଦ୍ବାରା ପ୍ରକାଶିତ ସଦ୍ୟତମ ରୋଡ୍ ଆକ୍ସିଡେଣ୍ଟସ୍ ଆଣ୍ଡ ସୁଇସାଇଡ୍ ଇନ୍ ଇଣ୍ଡିଆ ରିପୋର୍ଟରୁ ମିଳିଛି ଏମିତି ଚିନ୍ତାଜନକ ତଥ୍ୟ। ରିପୋର୍ଟ କହୁଛି, ୨୦୨୨ରେ କେବଳ ଓଭର ସ୍ପିଡିଂ ଯୋଗୁଁ ରାଜ୍ୟରେ ୩ ହଜାର ୬୬୬ ଜଣଙ୍କ ଜୀବନ ଯାଇଛି। ବେପରୁଆ ଗାଡ଼ି ଚାଳନା ୪୪୬ ଜଣଙ୍କ ଜୀବନ ନେଇଥିବା ବେଳେ ଏହାମଧ୍ୟରୁ ଗାଡ଼ି ଚାଳନା ବେଳେ ମୋବାଇଲ ଫୋନ୍ ବ୍ୟବହାର ୧୨୦ ଜଣଙ୍କ ମୃତ୍ୟୁର କାରଣ ପାଲଟିଛି । 

ସେହିପରି ଡ୍ରଗ୍ସ ଓ ମଦ୍ୟପାନ କରି ଗାଡ଼ି ଚାଳନା ଯୋଗୁଁ ୩୩୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ସଡ଼କ ଭିତ୍ତିଭୂମି ଅଭାବରୁ ୩୪ ଜଣ, ରାସ୍ତାକଡ଼ରେ ଗାଡ଼ି ପାର୍କିଂ ଯୋଗୁ ୧୩ ଜଣଙ୍କ ମୃତ୍ୟୁ ହୋଇଛି। ୭୩ଟି ମୃତ୍ୟୁର କାରଣ ଅସ୍ପଷ୍ଟ । ତେବେ ରାଜ୍ୟରେ ଏଭଳି ସଡ଼କ ଦୁର୍ଘଟଣାଜନିତ ମୃତ୍ୟୁ ପାଇଁ ପରିବହନ ବିଭାଗକୁ ଦାୟୀ କରିଛନ୍ତି ସଡ଼କ ସୁରକ୍ଷା ବିଶେଷଜ୍ଞ

ରାଜ୍ୟରେ ଦିନକୁ ଘଟୁଛି ହାରାହାରି ୩୨ଟି ସଡ଼କ ଦୁର୍ଘଟଣା। ଚାଲିଯାଉଛି ୧୫ ଜୀବନ। NCRB ରିପୋର୍ଟରୁ ଖୋଲିଯାଇଛି ରାଜ୍ୟରେ ସଡ଼କ ସୁରକ୍ଷାର ନଗ୍ନ ଚିତ୍ର। ରିପୋର୍ଟ କହୁଛି,୨୦୨୧ରେ ରାଜ୍ୟରେ ୧୦ ହଜାର ୯୮୩ଟି ସଡ଼କ ଦୁର୍ଘଟଣା ଘଟିଥିବା ବେଳେ ୨୦୨୨ରେ ଏ ସଂଖ୍ୟା ୬.୧୯ ପ୍ରତିଶତ ବଢ଼ି ୧୧ ହଜାର ୬୬୩ରେ ପହଞ୍ଚିଛି। ସଡ଼କ ଦୁର୍ଘଟଣାରେ ୨୦୨୧ରେ ୫ ହଜାର ୮୧ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୦୨୨ରେ ଏହା ୭.୬୫ ପ୍ରତିଶତ ବଢ଼ି ୫ ହଜାର ୪୭୦ରେ ପହଞ୍ଚିଗଲାଣି।

ରିପୋର୍ଟ ଦର୍ଶାଇଛି, ରାଜ୍ୟରେ ଦୁଇଚକିଆ ଦୁର୍ଘଟଣାରେ ସର୍ବାଧିକ ୨ ହଜାର ୩୮୪ ଜଣଙ୍କ ଜୀବନ ଯାଇଛି। ପରିବହନ ବିଭାଗ କହିଛି, ଯୁବଗୋଷ୍ଠୀଙ୍କ ବେପରୁଆ ଗାଡ଼ି ଚାଳନା ପାଇଁ ବଢ଼ୁଛି ଦୁର୍ଘଟଣା। ଅମାନିଆଙ୍କୁ ସାବାଡ଼ କରିବାକୁ ଖୁବ୍‌ଶୀଘ୍ର ରାଜ୍ୟର ସବୁ ଜାତୀୟ ରାଜପଥ ଓ ରାଜ୍ୟ ରାଜପଥରେ ଲାଗୁ ହେବ ଇଣ୍ଟେଲିଜେନ୍ସ ଏନଫୋର୍ସମେଣ୍ଟ ମ୍ୟାନେଜମେଣ୍ଟ ସିଷ୍ଟମ। ଏହାଛଡ଼ା ଜରିମାନା ଆଦାୟକୁ କଡ଼ାକଡ଼ି କରିବାକୁ ବି ନିଷ୍ପତ୍ତି ହୋଇଛି ।

 

  • Reported by:
  • KAPILENDRA PRADHAN