RERA, Bhubaneswar
କାଗଜ ବାଘ ପାଲଟିଛି କି ଓଡ଼ିଶା ରେରା ? ଗୋଟିଏ ପରେ ଗୋଟିଏ ରାୟ ଦେଉଛି, ହେଲେ କାର୍ଯ୍ୟକାରିତା ଶୂନ । ରେରା ନିର୍ଦ୍ଦେଶକୁ ନା ବିଲ୍ଡର ମାନୁଛନ୍ତି, ନା ପ୍ରଶାସନ । ନିକଟରେ ସୂଚନା ଅଧିକାର ଆଇନ ବଳରେ ମିଳିଥିବା ତଥ୍ୟରୁ ଏହା ଜଳଜଳ ଦିଶୁଛି । ଭୁବନେଶ୍ୱର ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ଦିଆଯାଇଥିବା RTI ତଥ୍ୟ କହୁଛି, ରେରା ନିର୍ଦ୍ଦେଶକ୍ରମେ ବିଲ୍ଡରଙ୍କ ନିକଟରୁ ଜରିମାନା ଅସୁଲ ପାଇଁ ଖୋର୍ଦ୍ଧା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ଏଡିଏମ୍ଙ୍କ କାର୍ଯ୍ୟାଳୟକୁ ୫୩ଟି ମାମଲା ଆସିଛି । ହେଲେ କୌଣସି ଗୋଟିଏ ବି ମାମଲାରେ ଅସୁଲ ହୋଇନି ଟଙ୍କାଟିଏର ଜରିମାନା । ଏମିତିକି ଏହାକୁ ଆଧାର କରି ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର କରିଛନ୍ତି ରିୟଲ ଇଷ୍ଟେଟ୍ କର୍ମୀ ବିମଳେନ୍ଦୁ ପ୍ରଧାନ । ଏ ପ୍ରସଙ୍ଗରେ ଓରେରାଠାରୁ ଜବାବ ମାଗିଛନ୍ତି ହାଇକୋର୍ଟ । ରେରାର ଏଭଳି ଅବସ୍ଥା ଦେଖି ନ୍ୟାୟ ଲାଗି ଦ୍ୱାରସ୍ଥ ହେବାକୁ ଏବେ ଅନିଚ୍ଛା ପ୍ରକାଶ କଲେଣି ବାସଗୃହ କ୍ରେତା ।
ଅନ୍ୟପକ୍ଷରେ ଆଦେଶ କାର୍ଯ୍ୟକାରୀ ହେଉ ନ ଥିବା ଅଭିଯୋଗକୁ ଖଣ୍ଡନ କରିଛି ଓରେରା । ଏକ ପ୍ରେସ୍ ବିବୃତିରେ ଓରେରା କହିଛି, ୨୦୧୭-୧୮ରୁ ୨୦୨୨-୨୩ ମଧ୍ୟରେ ନିୟମ ଉଲ୍ଲଂଘନ ପାଇଁ ବିଭିନ୍ନ ରିଅଲ୍ ଇଷ୍ଟେଟ୍ ପ୍ରକଳ୍ପକୁ ୨୦ କୋଟି ୨୨ ଲକ୍ଷ ୧୭ ହଜର ୫ ଶହ ଟଙ୍କାର ଜରିମାନା ହୋଇଛି । ସେଥିମଧ୍ୟରୁ ୨୪୦ଟି ରିଅଲ୍ ଇଷ୍ଟେଟ୍ ପ୍ରକଳ୍ପଠାରୁ ପ୍ରାୟ ୧ କୋଟି ୩୮ ଲକ୍ଷ ଟଙ୍କା ଆଦାୟ ହୋଇସାରିଲାଣି ।
ଏସବୁ ଭିତରେ ଆପାର୍ଟମେଣ୍ଟ ପଞ୍ଜୀକରଣ ପ୍ରତିବନ୍ଧକକୁ ବର୍ଷେ ପୂରିଲାଣି । ତଥାପି ମଧ୍ୟ ଆସିପାରିଲାନି ଆପାର୍ଟମେଣ୍ଟ ମାଲିକାନାସ୍ୱତ୍ୱ ଆଇନ । ତୁଟୁନି ପଞ୍ଜୀକରଣ ସମସ୍ୟା ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1683816919.jpg)