• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ସ୍ତ୍ରୀ ରାଗିଥିବାରୁ ମନେଇବା ପାଇଁ ଛୁଟି ମାଗିଲେ କନେଷ୍ଟବଳ । ନୂଆ ନୂଆ ବିବାହ ହୋଇଥିବା ବେଳେ କାମ ଚକ୍କରରେ ସ୍ତ୍ରୀକୁ ସମୟ ଦେଇପାରୁ ନାହାନ୍ତି ପୋଲିସ୍‌ ବାବୁ । ଏଥିପାଇଁ ସ୍ତ୍ରୀ ରାଗରେ ଫଁ ଫଁ ହେଉଛି । ଫୋନ୍‌ କଲେ କଥା ନହୋଇ ମା’କୁ ଫୋନ୍‌ ଦେଇଦେଉଛି । ଏଭଳି ସ୍ଥିତିରେ ସ୍ତ୍ରୀର ମାନଭଞ୍ଜନ ପାଇଁ  ଛୁଟି ଆବେଦନ କରିଛନ୍ତି କନେଷ୍ଟବଳ । ଉତ୍ତର ପ୍ରଦେଶ ପୋଲିସରେ କାର୍ଯ୍ୟରତ କନେଷ୍ଟବଳ ଏପରି କାରଣ ଦର୍ଶାଇ ଛୁଟି ମାଗିବା ବର୍ତ୍ତମାନ ଚର୍ଚ୍ଚାର ବିଷୟ ହୋଇଛି । ଆଉ ସେ ଉପରିସ୍ଥ ଅଧିକାରୀଙ୍କୁ ଦେଇଥିବା ଛୁଟି ଦରଖାସ୍ତଟି ଭାଇରାଲ ହେଉଛି ।

ଉତ୍ତର ପ୍ରଦେଶ ପୋଲିସରେ କାର୍ଯ୍ୟରତ କନେଷ୍ଟବଳ ୨୦୧୬ରେ ପୋଲିସ ଫୋର୍ସରେ ଭର୍ତ୍ତି ହୋଇଥିବା ବେଳେ ଏବେ ମହାରାଜାଗଞ୍ଜ ଜିଲ୍ଲାରେ କାର୍ଯ୍ୟ କରୁଛନ୍ତି । ଗତ ମାସ ତଥା ଡିସେମ୍ବର ୨୨ରେ ତାଙ୍କର ବିବାହ ହୋଇଛି । ହେଲେ ବିବାହର ପରେ ତାଙ୍କୁ ତୂରନ୍ତ କାମରେ ଯୋଗ ଦେବାକୁ ପଡ଼ିଥିଲା । ସ୍ତ୍ରୀ ସହ କିଛି ସମୟ ବିତାଇବା ମଧ୍ୟ ସମ୍ଭବପର ହୋଇ ପାରି ନଥିଲା ।

leave application(ଦରଖାସ୍ତ ଭାଇରାଲ୍)

ନୂଆ ନୂଆ ବିବାହ ପରେ ସବୁ ସ୍ୱାମୀସ୍ତ୍ରୀ କିଛି ଏକାନ୍ତ ମୁହୂର୍ତ୍ତ ବିତାଇବା ପାଇଁ ଚାହାନ୍ତି । ତାଙ୍କ ସ୍ତ୍ରୀ ମଧ୍ୟ ସମାନ କଥା ଚାହୁଁଛନ୍ତି । ହେଲେ ବ୍ୟସ୍ତବହୁଳ ଜୀବନରେ ଛୁଟି ଗୋଟିଏ ପାଇବା ଭାରି କଷ୍ଟକର । କନେଷ୍ଟବଳ ନୂଆ ବିବାହ କରିଥିବା ବେଳେ ସ୍ତ୍ରୀ, ମା’ ଓ ପରିବାର ସହିତ ଗାଁରେ ରହୁଛି । ଛୁଟି ମିଳିପାରୁ ନଥିବାରୁ ସେ ଗାଁକୁ ଯାଇ ପାରୁନାହାନ୍ତି । ଏଥିପାଇଁ ସ୍ତ୍ରୀ ରାଗରେ କଥା ହେଉନାହିଁ । ଫୋନ୍‌ କରିବା ମାତ୍ରେ ନିଜେ କଥା ନହୋଇ ମା’କୁ ଦେଇଦେଉଛି । ପୁତୁରାର ଜନ୍ମଦିନରେ ଯିବି କହି ସ୍ତ୍ରୀକୁ କଥା ଦେଇ ଆସିଥିଲେ ପୋଲିସ୍‌ ବାବୁ । ଏଥିପାଇଁ ସେ ପାଞ୍ଚ ଦିନ ଛୁଟି ମାଗିଛନ୍ତି ।

ଅଧିକ ପଢ଼ନ୍ତୁ: ଘରେ ବସି ୱେବ୍‌ସିରିଜ୍ ଦେଖିବାକୁ ଲେଖିଲେ ଛୁଟି ଦରଖାସ୍ତ

ତେବେ କନେଷ୍ଟବଳଙ୍କ ଅକାଟ୍ୟ ଯୁକ୍ତି ସାମ୍ନାରେ ଏସପି ମଧ୍ୟ ମୁଣ୍ଡ ନୁଆଁଇଛନ୍ତି । ସେ ଅଧିକାରୀଙ୍କ ଦୁଃଖ କଥା ମର୍ମେ ମର୍ମେ ଅନୁଭବ କରିଛନ୍ତି । ପାଞ୍ଚ ଦିନ ପାଇଁ ତାଙ୍କୁ ଛୁଟିରେ ଯିବା ପାଇଁ ଅନୁମତି ପ୍ରଦାନ କରିଛନ୍ତି ।