• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ଜୀବନ ପାଇଁ ସଂଘର୍ଷ କରୁଛି ସମ୍ବଲପୁର ଜିଲ୍ଲା ରେଙ୍ଗାଲି ଅଞ୍ଚଳରେ ବୋରୱେଲରୁ ଉଦ୍ଧାର ଶିଶୁକନ୍ୟା । ବୁର୍ଲା ଭିମସାର SNCU ରେ ତାର ଚିକିତ୍ସା ଚାଲିଥିବା ବେଳେ ଶିଶୁଟି ଅଳ୍ପ ଓଜନ ଓ ସମୟ ପୂର୍ବରୁ ପ୍ରସବ କାରଣରୁ ଗୁରୁତର ସ୍ୱାସ୍ଥ୍ୟ ସମସ୍ୟା ସହ ଯୁଝୁଛି । ଶିଶୁଟିର ଅନ୍ତନଳୀରୁ ରକ୍ତସ୍ରାବ ହେଉଥିବା ମଧ୍ୟ ଜଣାପଡ଼ିଛି । ଏଭିତରେ ତାକୁ ଆବଶ୍ୟକ ପଡ଼ିଲେ କଟକକୁ ଏୟାରଲିଫ୍ଟ କରିବା କଥା ମଧ୍ୟ ଚିନ୍ତା କରାଯାଉଥିବା ସୂଚନା ମିଳିଛି ।

ଜୀବନ ସହ ସଂଘର୍ଷ କରୁଥିବା କଅଁଳା ଶିଶୁର କୁଆଁ କୁଆଁ କାନ୍ଦ । ଜୀବନ ସଂଘର୍ଷର ଯନ୍ତ୍ରଣାସିକ୍ତ ଆକୁଳ ଚିତ୍କାର । SNCU ବେଡ୍‌ର ନୀଳ ଆଲୋକ ତଳେ, ଆୟୁଷର ପଣତ ଅଣ୍ଡାଳୁଛି ନିଷ୍ପାପ ଜୀବନ । ଦିନକ ତଳେ ଯମ ମୁହଁରୁ ଫେରିଥିଲେ ବି ସରିନି ଯନ୍ତ୍ରଣା । ବୋରୱେଲରୁ ଉଦ୍ଧାର ପରେ, ତାକୁ କିଏ କହୁଛି ମୃତ୍ୟୁଞ୍ଜୟା, କିଏ କହୁଛି ଭାଗ୍ୟବତୀ । ହେଲେ ଶିଶୁଟି ଯଦି କଥା କହିପାରୁଥାନ୍ତା, ସମାଜକୁ ବିଦ୍ରୁପ କରି ନିଶ୍ଚୟ ପଚାରନ୍ତା ।

ଯିଏ ଜନ୍ମ ନେଉ ନେଉ ଅବାଞ୍ଛିତ, ଯିଏ ଜୀବନର ପ୍ରଥମ ଦିନରେ ହିଁ ଉପେକ୍ଷିତ, ସେ କଣ ସତରେ ଭାଗ୍ୟବତୀ ? ଯାହାକୁ ଦୁନିଆର ଆଲୋକ ଦେଖୁ ଦେଖୁ ଅନ୍ଧାରୀ ଗାତକୁ ଠେଲି ଦିଆଯାଏ, ଯାହାକୁ ୮ ଘଣ୍ଟା ଏକା ଏକା ମୃତ୍ୟୁ ଯନ୍ତ୍ରଣାରେ ଛଟପଟ ହେବାକୁ ପଡ଼େ, ସେଠାରୁ ଉଦ୍ଧାର ପରେ ବି ଯାହାର ଜୀବନ-ମରଣ ସୂତାଖିଅରେ ଝୁଲୁଥାଏ, ସେ କଣ ସତରେ ମୃତ୍ୟୁଞ୍ଜୟୀ ?

ଶିଶୁଟି ମୃତ୍ୟୁଞ୍ଜୟୀ କି ନାହିଁ, ତାହା ତ ସମୟ କହିବ ଓ ତାର ସଂଘର୍ଷ କହିବ । କାରଣ, ବୁର୍ଲା ଭିମସାର SNCUରେ ଚିକିତ୍ସାଧୀନ ଶିଶୁକନ୍ୟାଟିର ସ୍ୱାସ୍ଥ୍ୟାବସ୍ଥା ଏବେବି ଗମ୍ଭୀର ରହିଛି । ଡାକ୍ତରଙ୍କ କହିବା କଥା, ତାର ଶରୀର ସାରା କ୍ଷତ ଚିହ୍ନ ରହିଛି । ତାଠୁ ଆହୁରି ସଂଗୀନ ସମସ୍ୟା ହେଉଛି, ଶିଶୁଟିର ଅନ୍ତନଳୀରୁ ରକ୍ତସ୍ରାବ ହେଉଛି । ଗତକାଲି ଅଲଟ୍ରାସାଉଣ୍ଡରୁ ଏହି ଆଭ୍ୟନ୍ତରୀଣ ରକ୍ତସ୍ରାବ ଜଣାପଡ଼ିବା ପରେ, ଏହାକୁ ଶୀଘ୍ର ରୋକିବା ପାଇଁ ଚେଷ୍ଟା ଚାଲିଛି । ଏଥିପାଇଁ ଆହୁରି ୩ରୁ ୪ ଦିନ ଲାଗିପାରେ । ଶିଶୁଟି ପ୍ରିମାଚ୍ୟୋର୍ ଓ ଅଣ୍ଡରୱେଟ୍ । ତାର ଓଜନ ମାତ୍ର ୧୬ଶହ ଗ୍ରାମ୍ ଥିବା ବେଳେ, ମାତ୍ର ୩୪ ସପ୍ତାହରେ ଜନ୍ମ ହୋଇଥିବାରୁ ସ୍ୱାସ୍ଥ୍ୟାବସ୍ଥା ଜଟିଳ ରହିଛି ।

ମୃତ୍ୟୁ ସହ ସଂଘର୍ଷ କରୁଥିବା କୁନି ଝିଅଟି ପାଇଁ ଆଗାମୀ ୩ ଦିନ ଖୁବ୍ ଗୁରୁତ୍ୱପୂର୍ଣ୍ଣ । କଟକ ଶିଶୁଭବନ ସହ ଯୋଗାଯୋଗରେ ଅଛନ୍ତି ଭିମସାରର ୫ ଜଣିଆ ଡାକ୍ତରୀ ଟିମ୍ । ଆବଶ୍ୟକ ସ୍ଥଳେ ଶିଶୁଟିକୁ ଏୟାର ଆମ୍ବୁଲାନ୍ସରେ କଟକ ଅଣାଯାଇପାରେ । ତେଣୁ ତାର ସ୍ୱାସ୍ଥ୍ୟାବସ୍ଥା ଉପରେ ନଜର ରଖିଛି ସମ୍ବଲପୁର ଜିଲ୍ଲା ପ୍ରଶାସନ । ଅତିରିକ୍ତ ଜିଲ୍ଲାପାଳ ଭିମସାର କର୍ତ୍ତୃପକ୍ଷଙ୍କ ସହ ଲଗାତାର ଯୋଗାଯୋଗରେ ଥିବା ବେଳେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ମଧ୍ୟ ଜଣେ କର୍ମଚାରୀଙ୍କୁ ବୁର୍ଲା ହସ୍ପିଟାଲ ପଠାଇ ଶିଶୁ ଉପରେ ୨୪ ଘଣ୍ଟିଆ ଦୃଷ୍ଟି ରଖିଛନ୍ତି ।

ଏସବୁ ଭିତରେ ଶିଶୁଟିର ପରିଚୟ ଖୋଜିବା ପାଇଁ ଛାନଭିନ ଚଳାଇଛି ପୋଲିସ । ଜିଅନ୍ତା ଛୁଆଟିକୁ ବୋରୱେଲ ଭିତରେ କିଏ ମରିବା ପାଇଁ ଛାଡ଼ି ଦେଇ ଯାଇଥିଲା, ତାର ପତ୍ତା ଲଗାଇବାକୁ ଚେଷ୍ଟା କରୁଛି । ଆଖପାଖ ଅଞ୍ଚଳରେ ଥିବା ଗାଁ ଓ ଜନବସତିକୁ ଯାଇ ପଚରାଉଚରା କରାଯାଇଥିବା ସୂଚନା ମିଳିଛି ।

  • Reported by:
  • SANJAY JENA