ଦୁଆର ମୁହଁରେ ଦନ୍ତା ! ରିଂ ହେଲା ମୋବାଇଲ, ବଞ୍ଚିଗଲା ଜୀବନ

ଫୋନ୍‌ ସ୍ୱିଚ୍‌ ଅଫ୍‌ ଥିଲେ, ମୋ ଜୀବନ ଚାଲିଯାଇ ଥାଆନ୍ତା ।

ମୋବାଇଲ୍‌ ପାଇଁ ଜୀବନ ବଞ୍ଚିଗଲା

ମୋବାଇଲ୍‌ ପାଇଁ ମହିଳାଙ୍କ ଜୀବନ ବଞ୍ଚିଗଲା । ରାତି ଅଧରେ ଘର ଦୁଆରେ ଛିଡ଼ା ହୋଇଥିଲା ଦନ୍ତା । ଘନ ଅନ୍ଧକାରରେ ଶଦ୍ଦ ଶୁଣି କବାଟ ଖୋଲିବାକୁ ଯାଉଥିବା ବେଳେ ବାଜି ଉଠିଲା ମୋବାଇଲ । ପଡୋଶୀ ଘର କଲ୍‌ କରି ସବୁ କଥା କହିଦେଲେ । ନହେଲେ ହାତୀ କବଳରେ ପଡ଼ି ଜୀବନ ଯାଇଥାଆନ୍ତା । ବାଲେଶ୍ୱର ଜିଲ୍ଲା ଔପଦା ବ୍ଲକ ଗୁହାଳିଆ ଗ୍ରାମରେ ଘଟିଛି ଏପରି ଭୟଙ୍କର ଘଟଣା ।

ଔପଦା ବ୍ଲକ ଗୁହାଳିଆ ଗ୍ରାମରେ ହାତୀ ଉପଦ୍ରବ ଏବ ନିତିଦିନଆ କଥା ହୋଇଗଲାଣି । ଏହି ଗାଁରେ ନିଜ ଘରେ ଏକାକୀ ରୁହନ୍ତି ମହିଳା ପୁଷ୍ପଲତା ବାରିକ । ତାଙ୍କ ସ୍ୱାମୀ ନାଇଟ୍‌ ବସ୍ ହେଲପର୍‌ ହୋଇଥିବାରୁ ସବୁବେଳେ ବାହାରେ ରୁହନ୍ତି । ପିଲାମାନେ ବି ବାହାରେ ରୁହନ୍ତି । ଗତକାଲି ଘରେ ଏକା ଶୋଇଥିଲେ ପୁଷ୍ପଲତା । ରାତି ସାଢ଼େ ଗୋଟେ ସମୟରେ ହଠାତ୍‌ ଘର ଆଗରେ ଖଡ଼ଖାଡ଼୍‌ ଶବ୍ଦ ହେଲା । ଶବ୍ଦ ଶୁଣି ସେ ଘର ବାହାରକୁ ଯିବାପାଇଁ ଉଠିଥିଲେ ।

ଅଧିକ ପଢ଼ନ୍ତୁ: ଲୋକଙ୍କ ଆଖି ଆଗରେ ପୂଜାରୀଙ୍କୁ ଦଳି ମାରିଦେଲା ଦନ୍ତା ! ଦେଖନ୍ତୁ ଭିଡିଓ..

ଗୁହାଳିଆ ଗ୍ରାମ ନିକଟରେ ଅଧିକାଂଶ ସମୟରେ ହାତୀପଲ ବୁଲୁଥିବା ବେଳେ ଗତକାଲି ଗାଁ ଭିତରକୁ ଧାନ ଖାଇବାକୁ ପଶିଥିଲେ । ପୁଷ୍ପଲତାଙ୍କ ଘର ବାହାରେ ଧାନଖଳା ଥିବାରୁ ଗତକାଲି ହାତୀ ଧାନ ଖାଇବାକୁ ଆସିଥିଲା । ହେଲେ ମୋବାଇଲ୍ ପାଇଁ ତାଙ୍କ ଜୀବନ ବଞ୍ଚିଯାଇଛି । ପାଖରେ ଥିବା ଜଣେ ପଡ଼ୋଶୀ ତାଙ୍କୁ ଘରୁ ବାହାରିବା ପାଇଁ ବାରଣ କରିଥିଲେ । କାରଣ ଘର ସାମ୍ନାରେ ଛିଡ଼ା ହୋଇଥିଲେ ଗଜରାଜ ।

ଘରୁ ବାହାରିବା କ୍ଷଣି ମୃତ୍ୟୁ କୋଳକୁ ଯିବା ଏକପ୍ରକାର ନିଶ୍ଚିତ ଥିଲା । ଫଳରେ ଘର ଭିତରେ ରହି ସେ ନିଜ ଜୀବନ ବଞ୍ଚାଇ ପାରିଛନ୍ତି । ଏହାପରେ ଗାଁ ଲୋକେ ପହଞ୍ଚି ହାତୀ ଘଉଡ଼ାଇବା ପରେ ଘରୁ ବାହାରିଥିଲେ ପୁଷ୍ପଲତା ।

ତେବେ ଏନେଇ ପୁଷ୍ପଲତା ନିଜର ପ୍ରତିକ୍ରିୟା ରଖିଛନ୍ତି । ଗତକାଲି ଯଦି ଫୋନ୍‌ ସ୍ୱିଚ୍‌ ଅଫ୍‌ ଥାଆନ୍ତା, ତେବେ ମୋ ଜୀବନ ଚାଲିଯାଇ ଥାଆନ୍ତା । ସବୁବେଳେ ଫୋନ୍‌ ପାଖରେ ଥାଏ । ହେଲେ କେବେକେବେ ପାଖରେ ଟଙ୍କା ନଥିବାରୁ ରିଚାର୍ଜ କରିହୁଏନି । ହେଲେ ଏବେ ସବୁବେଳେ ଫୋନ୍‌ ରିଚାର୍ଜ କରି ରଖିବି ବୋଲି ସେ କହିଛନ୍ତି ।