• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ଦିନେ ଗରିବଙ୍କ ଭୋକ ମେଣ୍ଟାଉଥିବା ମିଲେଟ୍ ଏବେ ଧନୀଙ୍କ ସଉକ୍ । ପିଜା, ମୋମୋଠୁ ଆରମ୍ଭ କରି ଦହିବରା ଏବଂ ସୁପ । ଏବେ ସବୁଠି ମାଣ୍ଡିଆର ରାଜ୍ । ମୂଲ୍ୟ ନଥିବାରୁ ୯୦ ଦଶକରେ ମାଣ୍ଡିଆ ଚାଷରୁ ମୁହଁ ମୋଡ଼ି ଦେଇଥିଲେ ଚାଷୀ, ହେଲେ ଏବେ ଏହା ସେମାନଙ୍କର ଅର୍ଥକାରୀ ଫସଲ । ଆମ ରାଜ୍ୟରେ ଅନେକ ଚାଷୀଙ୍କୁ ଉଦ୍ୟୋଗପତି ବି ବନାଇ ଦେଇଛି ମିଲେଟ ।

ନୂଆପଡ଼ାର ଚାଷୀ ହେମସାଗର । ଦିନେ ଗରିବ ଲୋକଙ୍କ ଖାଦ୍ୟ କହି ହସୁଥିବା ସୁଆ, କାଙ୍ଗୁ ଓ ମାଣ୍ଡିଆ ଖାଉଛନ୍ତି ଧନୀକ ବର୍ଗ । ଆଉ ଏହା ଚାଷୀଙ୍କ ପାଇଁ ହୋଇଛି ବରଦାନ । ଏସବୁ ଚାଷ କରି ଭଲ ଦି’ ପଇସା ପାଉଛି । ହେମସାଗରଙ୍କ ଏ ଯୁକ୍ତିର ଯଥାର୍ଥତା ବି ରହିଛି । କାରଣ ଏ ମାଣ୍ଡିଆ ତାଙ୍କୁ ଚାଷୀରୁ ଉଦ୍ୟୋଗପତି କରିଛି । କୋଟିପତି ବନାଇଛି ।

ହେମସାଗର କୁହନ୍ତି, ତାଙ୍କ ପରିବାରରେ ଜେଜେ ବାପାଙ୍କ ଅମଳରୁ ମାଣ୍ଡିଆ ଚାଷ ହୋଇଆସୁଥିଲା । ହେଲେ ଚାହିଦା ନ ଥିଲା, କିଲୋ ୪-୫ ଟଙ୍କାରେ ବିକ୍ରି ହେଉଥିଲା । କେବଳ ନିଜ ଖାଇବା ପାଇଁ ସେମାନେ ମାଣ୍ଡିଆ, ସୁଆଁ, ବାଜରା ଓ କାଙ୍ଗୁ ଭଳି ଲଘୁଶସ୍ୟ ବା ମିଲେଟ୍ ଚାଷ କରୁଥିଲେ । ସ୍ଥିତି ଏମିତି ହେଲା ଯେ ୧୯୯୫ ପରଠୁ ମାଣ୍ଡିଆ ଚାଷ ପୂରା ଛାଡ଼ି ଦେଇଥିଲେ ।

ହେଲେ, ସ୍ୱାସ୍ଥ୍ୟ ଉପାଦେୟତା ଓ ସରକାରଙ୍କ ପ୍ରୋତ୍ସାହନକୁ ଦେଖି ଧନୀଠୁ ଗରିବ ସଭିଏଁ ମିଲେଟ ଖାଇବା ଆରମ୍ଭ କରିବା ପରେ ପୁଣିଥରେ ମିଲେଟ୍ ଚାହିଦା ବଢ଼ିବା ଆରମ୍ଭ କରିଥିଲା । ଏହାକୁ ନଜରରେ ରଖି ୫୨ ବର୍ଷ ବୟସରେ ମିଲେଟ ଉତ୍ପାଦ ବିକ୍ରି ଲାଗି ୨୦୧୯ରେ ମା ସୁନାଦେଇ ପ୍ରଡ୍ୟୁସର୍ସ କମ୍ପାନି ଖୋଲିଥିଲେ ହେମସାଗର । ଏବେ ତାଙ୍କ କମ୍ପାନିକୁ ନୂଆପଡ଼ା ଓ କୋମନା ବ୍ଲକର ୧୨ଶହ ଚାଷୀ ମିଲେଟ୍ ଯୋଗାଉଛନ୍ତି । ଏମିତିକି ତାଙ୍କ କମ୍ପାନିର ବ୍ୟବସାୟ ଏବେ କୋଟିଏ ଟଙ୍କା ଟପିଗଲାଣି । ଆଗାମୀ ୪ ବର୍ଷରେ କମ୍ପାନିକୁ ୬ କୋଟି ଟଙ୍କାରେ ପହଞ୍ଚାଇବାକୁ ଲକ୍ଷ୍ୟ ବି ରଖିଛନ୍ତି ।

କେବଳ ହେମସାଗର ନୁହଁନ୍ତି, କୋରାପୁଟ ସମେତ ରାଜ୍ୟର ଅନେକ ଜିଲ୍ଲାର ଚାଷୀ ଏବେ ମିଲେଟ୍ ଚାଷ କରି ବେଶ ଭଲ ରୋଜଗାର କରୁଛନ୍ତି । ଏମିତିକି ସେମାନଙ୍କ ଉତ୍ପାଦ ବିଭିନ୍ନ ମଲ, ଫୁଡ୍ କୋର୍ଟରେ ବିକ୍ରି ହେବା ସହ ବିଦେଶକୁ ଯାଉଥିବାରୁ ବେଶ ଖୁସି ବି ଜାହିର କରିଛନ୍ତି ।

ଏବେ ସମସ୍ତଙ୍କ ମନରେ ପ୍ରଶ୍ନ ଆସୁଥିବ, ମାଣ୍ଡିଆରେ ଏମିତି କ’ଣ ତିଆରି ହେଉଛି ଯେ ତାହା ମଲ୍ ବା ଫୁଡ୍ କୋର୍ଟରେ ବିକ୍ରି ହେଉଛି । ଯୁବବର୍ଗ ଓ ନୂଆ ପିଢ଼ିଙ୍କ ଅତି ପସନ୍ଦର ପିଜା, ମୋମୋ, ଦହିବରା, ସୁପ, ଛାଛ୍ । ଏସବୁ କିଛି ମାଣ୍ଡିଆ, ଜଅ ଭଳି ମିଲେଟ୍‌ରେ ତିଆରି । ଖାଲି ସେତିକି ନୁହେଁ, ପୋଡ଼ପିଠା, କାକରା, ମଣ୍ଡା ପିଠା, ମୁଡୁକି, ପାମ୍ପଡ, ଏମିତିକି ମିଲେଟରେ ତିଆରି ହେଉଛି ଚା’ । ଆଉ ସ୍ୱାସ୍ଥ୍ୟ ସଚେତନ ଯୁବବର୍ଗ ବି ବେଶ୍ ଆଗ୍ରହର ସହ ଏହାର ମଜା ନେଉଛନ୍ତି ।

ଧୀରେ ଧୀରେ ଅସ୍ୱାସ୍ଥ୍ୟକର ଫାଷ୍ଟଫୁଡର ସ୍ଥାନ ନେଉଥିବା ମିଲେଟ୍ ଚାଷୀଙ୍କ ଲାଗି ଏକ ନୂଆ ସୁଯୋଗ ଆଣିଦେଇଛି ।

  • Reported by:
  • KAPILENDRA PRADHAN