• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pramod Behera

ସାପକୁ କିଏ ବା ନ ଡରେ। ଏହା ଯେତିକି ଭୟଙ୍କର ସେତିକି ବିଷଧର ମଧ୍ୟ। ସେ କିନ୍ତୁ ସାପକୁ ଡରନ୍ତି ନାହିଁ। ଯେତେ ବଡ ହୋଇଥାଉ କି ଯେତେ ବିଷଧର ହୋଇଥାଉ। ସେଥିପାଇଁ ଯାହା ଘରେ ସାପ ପଶେ ସେ ମନେ ପଡନ୍ତି। ସେ ହେଲେ ମାଧବ କୁସପାରିଆ । ତାଙ୍କୁ ଯିଏ ଯେତେବେଳେ ଖୋଜେ ସେ ତୁରନ୍ତ ପହଞ୍ଚି ଯାଆନ୍ତି ଆଉ ଏହି ବିପଦରୁ ରକ୍ଷା କରନ୍ତି।

ଘର ହେଉ କି ବାଡ଼ି ବଗିଚା ଯେଉଁଠି ସାପଟିଏ ଦେଖାଯାଏ ମନ ଭିତରେ ଭୟ ଆଉ ଆତଙ୍କ ଖେଳିଯାଏ। ଏହି ବିପଦରୁ ରକ୍ଷା ପାଇଁ କିଏ ଭଗବାନଙ୍କୁ ଡାକିପକାଏ ତ ଆଉ କିଏ ସ୍ନେକ୍‌ ହେଲ୍ପ ଲାଇନ୍‌କୁ ଫୋନ୍‌କରେ। ହେଲେ ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ ପରି ଦୁର୍ଗମ ଅଞ୍ଚଳରେ ସ୍ନେକ୍‌ ହେଲ୍ପଲାଇନ ବିଭାଗ ନାହିଁ। ଲୋକେ ଏଭଳି ବିପଦରେ ପଡିଲେ ସାପକୁ ଜୀବନରେ ମାରିବାକୁ ବାଧ୍ୟ ହୁଅନ୍ତି ନ ହେଲେ ମାଧବଙ୍କୁ ମନେ ପକାନ୍ତି।

ମାଧବ କିନ୍ତୁ ପେଷାରେ ସାପ ଧରାଳି ନୁହେଁ। ସେ ଜଣେ ରାଜମିସ୍ତ୍ରୀ। କିନ୍ତୁ ସାପ ଧରିବା ତାଙ୍କର ନିଶା। ସେ ଖାଲି ସାପ ଧରନ୍ତି ନାହିଁ, ଏହାକୁ ନିରାପଦ ଜଙ୍ଗଲରେ ମଧ୍ୟ ଛାଡନ୍ତୁ। ତାଙ୍କର ଏହି ଦୁଃସାହିକ ନିଶା ଦୀର୍ଘ ୧୫ ବର୍ଷରୁ ଉର୍ଦ୍ଧ୍ୱ ହେବ ନିସ୍ୱାର୍ଥପର ଭାବେ ଲୋକଙ୍କୁ ସେବା ଯୋଗାଉଛି।

ସେ ଖାଲି ଛୋଟ ମୋଟ ସାପ ନୁହେଁ ନାଗ, ଢମଣା, ରଣା, ଚିତି, ଅଜଗର, ଅହିରାଜ ଆଦି ଭୟଙ୍କର ସାପ ଧରନ୍ତି ଆଉ ଜଙ୍ଗଲରେ ଛାଡନ୍ତି। ତାଙ୍କର ଏହି କାମ ପାଇଁ ସମସ୍ତଙ୍କର ସେ ଅତି ପ୍ରିୟ। ମାଧବ କିନ୍ତୁ ଏହି କାମ ବିନା ସୁରକ୍ଷା ଜିନିଷରେ କରନ୍ତି। ଏନେଇ ଅଞ୍ଚଳବାସୀଙ୍କ ଦାବି…. ପ୍ରଶାସନ ମାଧବଙ୍କୁ ସାପ ଧରିବା ପାଇଁ ଜୋତା, ଗ୍ଲୋବସ, ବାଡ଼ି, ଯନ୍ତ୍ରପାତି ଆଦି ପ୍ରଦାନ କରନ୍ତୁ ଆଉ ତାଙ୍କର ଏହି ଦୁଃସାହସିକ କାମ ପାଇଁ ସରକାର ତାଙ୍କୁ ପୁରସ୍କୃତ ବାବଦରେ ଆର୍ଥିକ ସାହାଯ୍ୟ ମଧ୍ୟ କରନ୍ତୁ।

ମାଧବ ଖାଲି ସାପ ଧରି ଜଙ୍ଗଲରେ ଛାଡନ୍ତି ନାହିଁ, ସେ ମଧ୍ୟ ସାପର ସୁରକ୍ଷା ନେଇ ଲୋକଙ୍କୁ ସଚେତନ କରନ୍ତି। ତେବେ ଅଞ୍ଚଳବାସୀଙ୍କ ଦାବି ଅନୁସାରେ ପ୍ରଶାସନ ଓ ସରକାରଙ୍କ କୃପାଦୃଷ୍ଟି ତାଙ୍କ ଉପରେ କେବେ ପଡିବ ତାହା ଦେଖିବା ବାକି ରହିଲା।

(ଚିତ୍ରକୋଣ୍ଡାରୁ ରତ୍ନାକର ପ୍ରଧାନଙ୍କ ରିପୋର୍ଟ)