Expensive Salt
ଆପଣ ସର୍ବାଧିକ କେତେ ଟଙ୍କାରେ ଲୁଣ କିଣିଥିବେ, ୫୦ ଟଙ୍କା କି ୧୦୦ ଟଙ୍କା... କାରଣ ସବୁ ଦେଶରେ ଲୁଣ ଖୁବ ଶସ୍ତାରେ ମିଳିଥାଏ । ହେଲେ ଏମିତି ବି ଲୁଣ ଅଛି ଯାହାର କେଜି ପିଛା ଦାମ୍ ଶହେ କି ହଜାରେ ନୁହେଁ, ପୂରା ୩୫ ହଜାର ଟଙ୍କା । ଯେଉଁଥିପାଇଁ ଏହି ଲୁଣକୁ ଦୁନିଆର ସବୁଠୁ ଦାମୀ ଲୁଣ କୁହାଯାଏ ।
ଏହି ଦାମୀ ଲୁଣ ହେଲା କୋରିଆନ ବାମ୍ବୋ ସଲ୍ଟ ବା କୋରିଆର ବାଉଁଶ ଲୁଣ । ୨୫୦ ଗ୍ରାମ କୋରିଆନ ବାମ୍ବୋ ଲୁଣର ମୂଲ୍ୟ ୧୦୦ ଡଲାର ଯାହାକି ଭାରତୀୟ ମୁଦ୍ରାରେ ୮ ହଜାର ଟଙ୍କାରୁ ଅଧିକ । ଆଉ କେଜିଏ ଦାମ୍ ୪୦୦ ଡଲାର ବା ପ୍ରାୟ ୩୫ ହଜାର ୨୪୬ ଟଙ୍କା ।
ତେବେ ଏହି ଲୁଣ ଏତେ ମହଙ୍ଗା ହେବାର କାରଣ ଏହାର ଦୁର୍ଲଭତା ଏବଂ ଔଷଧୀୟ ଗୁଣ । କୋରିଆନ ବାମ୍ବୋ ସଲ୍ଟ ଖାଦ୍ୟ ପ୍ରସ୍ତୁତି ବ୍ୟତୀତ କୋରିଆର ପାରମ୍ପରିକ ଚିକିତ୍ସା ପଦ୍ଧତି ବା ଆୟୁର୍ବେଦିକ ଚିକିତ୍ସାରେ ବ୍ୟବହୃତ ହୋଇଥାଏ ।
କୋରିଆନ ବାମ୍ବୋ ଲୁଣ ପାରମ୍ପରିକ କୋରିଆନ ପଦ୍ଧତିରେ ପ୍ରସ୍ତୁତ କରାଯାଏ । ଏହି ଲୁଣର ଉତ୍ପାଦନ ଏକ ଜଟିଳ ପ୍ରକ୍ରିୟା ଓ ମାସ ମାସ ସମୟ ଲାଗିଥାଏ । ପ୍ରଥମେ କୋରିଆର ପଶ୍ଚିମ ଉପକୂଳରୁ ସମୁଦ୍ର ଲୁଣ ସଂଗ୍ରହ କରାଯାଏ । ଏହି ଲୁଣକୁ ଆଣି ଏକ ବାଉଁଶ ନଳୀରେ ଭର୍ତ୍ତି କରାଯାଏ । ନଳୀରେ ମାଟିରେ ସିଲ୍ କରି ଉଚ୍ଚ ତାପମାତ୍ରାରେ ପୋଡାଯାଏ ।
ଲୁଣ କଠିନ ହେବା ପରେ ଏହାକୁ ବାଉଁଶ ନଳୀରୁ ବାହାର କରି ଗୁଣ୍ଡ କରାଯାଇ ପୁଣିଥରେ ପୋଡାଯାଏ । ଏମିତି ୯ ଥର ଲୁଣକୁ ୧୦୦୦ ଡିଗ୍ରୀ ସେଲସିୟମ ତାପମାତ୍ରାରେ ପୋଡାଯାଇ କୋରିଆନ ବାମ୍ବୋ ଲୁଣ ପ୍ରସ୍ତୁତ କରାଯାଏ ।
ଲୁଣ ପୋଡିହେବା ପରେ ଏହା ଗାଢ଼ ଧୂସର କିମ୍ବା ବାଇଗଣୀ ରଙ୍ଗର ଦେଖାଯାଏ ଓ ଏକ ନିଆରା ସ୍ୱାଦ ଆସେ । ଏହି ଲୁଣିକୁ ପର୍ପଲ ବାମ୍ବୋ ସଲ୍ଟ ବି କୁହାଯାଏ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1757498490.jpg)