Koraput
ପୋଖରୀ ତୁଠରେ ଲୋକଙ୍କର ଲମ୍ବା ଲାଇନ୍ । ସମସ୍ତେ ବୁଡ ପକାଇବା ପାଇଁ ହେଉଛନ୍ତି ବ୍ୟସ୍ତ । ଆପଣ ଭାବୁଥିବେ ଆମେ କ’ଣ କହୁଛୁ ? ଲୋକେ କାହିଁକି ଏମିତି ପୋଖରୀରେ ଗାଧୋଇବା ପାଇଁ ବ୍ୟସ୍ତ ହେଉଛନ୍ତି ? ତେବେ ମୂଳ କଥାଟା ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହେବେ । ଆମେ ବି ଯେତେବେଳେ ସେହି ଦୃଶ୍ୟ ଦେଖିଲୁ ସେତେବେଳେ ଆମ ମନରେ ବି ନାନା ପ୍ରଶ୍ନ ଉଙ୍କି ମାରୁଥିଲା । ଲୋକେ ଏମିତି ପୋଖରୀରେ ବୁଡ଼ ପକାଇବା ପାଇଁ କାହିଁକି ଏତେ ବ୍ୟଗ୍ର ।
ହେଲେ ସତ ଜାଣିବା ପରେ ଆମେ ବି ଆଶ୍ଚର୍ଯ୍ୟ ହୋଇଥିଲୁ । ଆଉ ଭାବିଥିଲୁ ସତରେ କଣ ଗ୍ରହଣ ସମୟରେ ସ୍ନାନ କଲେ ସବୁ ରୋଗ ଭଲ ହୋଇଯାଏ । ତେବେ ଏମିତି କିଛି ଦୃଶ୍ୟ ଦେଖିବାକୁ ମିଳିଥିଲା କୋରାପୁଟ୍ ନନ୍ଦପୁର ଟାଙ୍କେଲ ଗାଁ ପୋଖରୀ ଘାଟରେ । ଯେବେଯେବେ ଗ୍ରହଣ ପଡେ ଏଇ ପୋଖରୀ କୂଳରେ ଲୋକଙ୍କ ପ୍ରବଳ ଭିଡ ଜମେ । କାରଣ ଗ୍ରହଣ ବେଳେ ଚେରମୂଳି ବିଶାରଦ ତ୍ରିନାଥ ପୂଜାରୀ ଓ ଅନନ୍ତ ଖରା ମିଳିତ ହୋଇ ଲୋକଙ୍କୁ ବିଭିନ୍ନ ରୋଗ ପାଇଁ ଦିଅନ୍ତି ଔଷଧ । ଆଉ ତାଙ୍କ ଔଷଧ ଖାଇବାକୁ ହେଲେ ଏଇ ପୋଖରୀରେ ଦେବାକୁ ପଡିବ ବୁଡ । ସେଇଥିପାଇଁ ତ ଗ୍ରହଣ ଦିନ ଏଇ ପୋଖରୀ କୂଳରେ ଲାଗେ ଲୋକଙ୍କ ଭିଡ଼ି ।
ଗାଧୋଇବା ପରେ ଏକ ପତ୍ର ଠୋଲାରେ ଔଷଧ ନେଇ ଖାଇଥାନ୍ତି ଲୋକେ । କେବଳ ଖାଇଥାନ୍ତି ତାହା ନୁହେଁ ବରଂ ରୋଗରୁ ଏମାନେ ସମସ୍ତେ ଭଲ ହେବେ ବୋଲି ବିଶ୍ୱାସ ବି ରଖିଥାନ୍ତି । ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏମିତି ପଦ୍ଧତିରେ ଔଷଧ ଆଜି କି କାଲି ଦିଆଯାଉନି ବରଂ ବର୍ଷ ବର୍ଷ ଧରି ଦିଆଯାଉଛି । କେବଳ ସୂର୍ଯ୍ୟପରାଗ ଓ ଚନ୍ଦ୍ରଗ୍ରହଣ ତିଥିରେ ଲୋକଙ୍କର ଏଇଠି କରାଯାଉଛି ଚିକିତ୍ସା ।
ଆହୁରି ଆଶ୍ଚର୍ଯ୍ୟକର କଥା ହେଲା ବିନା ପାଉଣାରେ ସମସ୍ତ ପେଟରୋଗ, ଦୃଷ୍ଟିଦୋଷ, ମାନସିକ ରୋଗୀଙ୍କୁ ତିଥି ଓ ବେଳାର ସଦୁପଯୋଗ କରି ଚେରମୂଳି ସହାୟତାରେ କରାଯାଉଛି ଚିକିତ୍ସା । ଏଥର ମଧ୍ୟ ପରାଗ ଓ ଗ୍ରହଣ ସମୟରେ ଶହଶହ ଲୋକ ପୋଖରୀରେ ଗାଧୋଇବା ସହିତ ଚେରମୂଳି ଔଷଧ ଖାଇଛନ୍ତି । ଆଉ କହିଛନ୍ତି ଏଇଠୁ ଔଷଧ ଖାଇଲେ ଦୂର ହେଉଛି ରୋଗ ।
(ରିପୋର୍ଟ- ସୂର୍ଯ୍ୟନାରାୟଣ ପଣ୍ଡା)
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/Koraput_1668135128.jpg)