• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ଦୀର୍ଘ ୬ ଦଶକର ଯାତ୍ରାରେ ଯବନିକା । ଇତିହାସ ପାଲଟିଲା ମୁମ୍ବାଇର ଅନ୍ୟତମ ଗର୍ବ କଳା-ହଳଦିଆ ପ୍ରିମିୟର ପଦ୍ମିନୀ ଟ୍ୟାକ୍ସି । ମୁମ୍ବାଇ ରାଜରାସ୍ତାରୁ ଉଭାନ ହେଲା ସମସ୍ତଙ୍କର ଅତି ପ୍ରିୟ କଳା-ହଳଦିଆ ଟ୍ୟାକ୍ସି । ଟ୍ୟାକ୍ସି ସେବା ଲାଗି ବ୍ୟବହାର ହେଉଥିବା ପ୍ରିମିୟର ପଦ୍ମିନୀ କାରର ଆୟୁଷ, ସରକାର ୨୦ ବର୍ଷ ଧାର୍ଯ୍ୟ କରିବା ପରେ ସବୁ ଦିନ ପାଇଁ ହଜିଯାଇଛି ଟ୍ୟାକ୍ସି । ଗତକାଲିଠାରୁ ସମସ୍ତ କଳା-ହଳଦିଆ ଟ୍ୟାକ୍ସିକୁ ବନ୍ଦ କରି ଦିଆଯାଇଛି ।

ଦୀର୍ଘ ୬୦ ବର୍ଷ ଧରି ଯାତ୍ରୀଙ୍କୁ ନେବା ଆଣିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲା ଟ୍ୟାକ୍ସି ସେବା । ତେବେ ଗତ ୨୦୦୧ରୁ ପ୍ରିମିୟର ପଦ୍ମିନୀ କାରର ଉତ୍ପାଦନ ବନ୍ଦ ସହ ଯନ୍ତ୍ରାଂଶ ନମିଳିବା ଓ ପୁରୁଣା କାରର ପଞ୍ଜୀକରଣ ଉପରେ ସରକାର ଅଙ୍କୁଶ ଲଗାଇବା ପରେ ଇତିହାସ ପୃଷ୍ଠାରେ ସ୍ଥାନ ପାଇଛି ମୁମ୍ବାଇର ଏହି ଐତିହ୍ୟ ।

ପ୍ରିମିୟର ପଦ୍ମିନୀ କାରକୁ ନେଇ ୧୯୬୪ରେ ମୁମ୍ବାଇ ଟ୍ୟାକ୍ସି ସେବା ଆରମ୍ଭ କରାଯାଇଥିଲା । ଏହାର ମଡେଲ ଥିଲା ଫିଆଟ ୧୧୦୦ ଡିଲାଇଟ । ପରେ ଏହା ପ୍ରିମିୟର ପ୍ରେସିଡେଣ୍ଟ ଏବଂ ୧୯୭୦ରେ ରାଣୀ ପଦ୍ମିନୀଙ୍କ ନାଁ ଅନୁସାରେ ଏହାକୁ ପ୍ରିମିୟର ପଦ୍ମିନୀରେ ନାମିତ କରା ଯାଇଥିଲା । ସେବେଠୁ ୨୦୦୧ରେ କାର ଉତ୍ପାଦନ ବନ୍ଦ ଯାଏଁ ଏହାର ନାଁରେ ଆଉ କୌଣସି ପରିବର୍ତ୍ତନ କରା ଯାଇ ନଥିଲା ।

ନବେ ଦଶକରେ ମୁମ୍ବାଇ ରାଜରାସ୍ତାରେ ପ୍ରିମିୟର ପଦ୍ମିନୀ ଟ୍ୟାକ୍ସି ଛାଇ ରହିଥିଲା । ତେବେ ୨୫ବର୍ଷରୁ ଅଧିକ ପୁରୁଣା କାର ଚାଲିପାରିବ ନାହିଁ ବୋଲି ୨୦୦୮ରେ ମହାରାଷ୍ଟ୍ର ସରକାର କଟକଣା ଲଗାଇଥିଲେ । ୨୦୧୩ରେ ଏହାକୁ ୨୦ ବର୍ଷକୁ କମାଇ ଦିଆଯାଇଥିଲା । ଏଣୁ ମୁମ୍ବାଇ ରାଜରାସ୍ତାରୁ ସବୁଦିନ ପାଇଁ ହଟି ଯାଇଛି ଏହି କାର ।

ଐତିହାସିକ ତଥା ଖାକି ହେରିଟେଜ ଫାଉଣ୍ଡେସନର ପ୍ରତିଷ୍ଠାତା ଭାରତ ଗୋଥସକର, ଅନ୍ୟପଟେ ପ୍ରିମିୟର ପଦ୍ମିନି ଟ୍ୟାକ୍ସିର କଳା-ହଳଦିଆ ରଙ୍ଗ ଦିଆଯିବା ପଛର ରହସ୍ୟ ଉନ୍ମୋଚନ କରିଛନ୍ତି । ସେତେବେଳେର ପ୍ରଧାନମନ୍ତ୍ରୀ ଜବାହରଲାଲ ନେହରୁ ଓ ସାଂସଦ ବିଥାଲ ବାଲକ୍ରିଷ୍ଣ ଗାନ୍ଧୀଙ୍କ ପରାମର୍ଶ ଅନୁଯାୟୀ ଏହି ରଙ୍ଗ ଦିଆଯାଇଥିଲା । ବାଲକ୍ରିଷ୍ଣଙ୍କ ଧାରଣା ଥିଲା ଯେ, ଉପର ଭାଗରେ ହଳଦିଆ ରଙ୍ଗ ଦିଆଯିବା ଦ୍ୱାରା ଦୂରରରୁ ଏହାକୁ ସହଜରେ ଚିହ୍ନଟ କରାଯାଇପାରିବ । ଅନ୍ୟପଟେ ତଳ ଭାଗରେ କଳା ରଙ୍ଗ ଦେବା ଦ୍ୱାରା ସ୍କ୍ରାଚ ହେଲେ ଜଣାପଡିବନି କି ଖରାପ ଦେଖାଯିବନି ।

ତେବେ କେବଳ ଯାତ୍ରୀ ନେବା ଆଣିବା ନୁହେଁ ମୁମ୍ବାଇର ଐତିହ୍ୟ ସହ ଯୋଡି ହୋଇ ରହିଛି କଳା-ହଳଦିଆ ଟ୍ୟାକ୍ସି । ବଲିଉଡ୍ ସହ ମଧ୍ୟ ରହିଛି ଏହାର ନିବିଡ଼ ସଂପର୍କ । ଟ୍ୟାକ୍ସି ନମ୍ବର ନ-ଦୋ-ଗ୍ୟାରା, ଖାଲି-ପିଲି, ଆ ଅବ ଲୌଟ ଚଲେ ଭଳି ଫିଲ୍ମରେ ସ୍ଥାନ ପାଇବା ସହ ଏହା ଇତିହାସର ଶିରୋମଣ୍ଡନ କରିଛି ।

ନବେ ଦଶକରେ ମୁମ୍ବାଇରେ ୬୩ ହଜାରରୁ ଅଧିକ କଳା-ହଳଦିଆ ଟ୍ୟାକ୍ସି ଥିବା ବେଳେ ବର୍ତ୍ତମାନ ୪୦ ହଜାରକୁ ଖସି ଆସିଥିଲା । ସ୍ମାରକ ସ୍ୱରୂପ ଗୋଟିଏ ଟ୍ୟାକ୍ସିକୁ ସଂରକ୍ଷିତ ରଖିବା ଲାଗି ପୂର୍ବରୁ ମୁମ୍ବାଇ ଟ୍ୟାକ୍ସିମେନ ୟୁନିୟନ ଆବେଦନ କରିଥିଲା । ତେବେ ତାହା ଅଗ୍ରାହ୍ୟ ହୋଇଯାଇଥିଲା ।