/odishatv-khabar/media/post_attachments/uploadimage/library/16_9/16_9_0/IMAGE_1750758095.jpg)
ହାରିବାର ଭୟ
ମାଧୁରୀ ସବୁକିଛିରେ ପରଫେକ୍ଟ ଥିଲା; ତା' ଚାକିରି, ତା' କାମ, ତା' ଲୁକ୍। କିନ୍ତୁ ଯେତେବେଳେ ତାକୁ ପଦୋନ୍ନତି ମିଳିଲା ନାହିଁ, ସେ ଦିନାକେତେ ଶୋଇ ପାରିଲା ନାହିଁ। ଟଙ୍କା ଯୋଗୁଁ ନୁହେଁ। ତା' ଅନୁସାରେ: "ଯଦି ମୁଁ ସର୍ବୋତ୍ତମ ନୁହେଁ, ତେବେ ମୁଁ କିଏ? ମୋର ମୂଲ୍ୟ ତାହେଲେ କ'ଣ?" ପରଫେକ୍ଟ ହେବା ସବୁବେଳେ ସଫାସୁତରା କି ସଜେଇ ରଖିବା ନୁହେଁ କି ବାହାରକୁ ଚଇନି ଚିକ୍କଣ ଦିଶିବା ବିଷୟରେ ନୁହେଁ। ବେଳେବେଳେ, ଯେକୌଣସି ମୂଲ୍ୟ ଦେଇ ବିଫଳତାକୁ ଏଡ଼ାଇବା ପାଇଁ ଏହା ଅତ୍ୟନ୍ତ ଆବଶ୍ୟକ ହୋଇଯାଏ । କାରଣ ବିଫଳତାର ଅର୍ଥ ଅସ୍ୱୀକୃତି, ନିରାଶା କିମ୍ବା ଆବେଗଗତ ଦୂରତାକୁ ବୁଝାଏ।
1.ବୟସ୍କମାନଙ୍କ ମଧ୍ୟରେ ପରଫେକ୍ସନିଜିମ୍ ଏବଂ ହାରିଯିବାର ଭୟ କିପରି ଦେଖାଯାଏ?
ଯଦି ଆପଣ ଜଣେ ପରଫେକ୍ସନିଷ୍ଟ ଏବଂ ଆପଣଙ୍କ ଇନର୍ ଚାଇଲ୍ଡ ଶୈଶବରେ ପାଇଥିବା କ୍ଷତକୁ ଏବେବି ଧରିରଖିଛି, ତେବେ ଆପଣ:
• ନିଜ ପାଇଁ ଅସମ୍ଭବ ଭାବରେ ଉଚ୍ଚ ମାନଦଣ୍ଡ ସ୍ଥିର କରିପାରନ୍ତି।
• ଯଦି କିଛି କାମ "ସମ୍ପୂର୍ଣ୍ଣ ଠିକ୍" ନହୁଏ, ତେବେ ହାରିଯିବା ପରି ଅନୁଭବ କରିପାରନ୍ତି।
• ଯଦି ଆପଣ ନିଶ୍ଚିତ ନ ହୁଅନ୍ତି ଯେ ଆପଣ ସଫଳ ହେବେ, ତେବେ ନୂଆ ଜିନିଷ ଚେଷ୍ଟା କରିବାରୁ ବିରତ ରୁହନ୍ତି।
• ଯେତେବେଳେ ଆପଣ ବିଶ୍ରାମ ନିଅନ୍ତି କିମ୍ବା କେବଳ ଖୁସି ପାଇଁ କାମ କରନ୍ତି ସେତେବେଳେ ଦୋଷୀ ଦୋଷୀ ଅନୁଭବ କରନ୍ତି।
• ଆପଣଙ୍କ ନିଷ୍ପତ୍ତି ଉପରେ ବାରମ୍ବାର ପୁନର୍ବିଚାର କରନ୍ତି।
• ଭାବନ୍ତି ଯେ ଆପଣ କେବଳ ଏବେ ପାଇଥିବା ସଫଳତା ଯୋଗୁଁ ହିଁ ଯୋଗ୍ୟ। ସଫଳତା ବିନା ସବୁ ଅସାର।
ଆପଣଙ୍କୁ ସମସ୍ତେ "ପ୍ରେରଣାଦାୟକ" କିମ୍ବା "ଶୃଙ୍ଖଳିତ" ମଣିଷ ଭାବରେ ଦେଖିପାରନ୍ତି, କିନ୍ତୁ ଭିତରେ ଭିତରେ ଆପଣ ଭଲ ପ୍ରଦର୍ଶନ କରି, ସଫଳତା ମାଧ୍ୟମରେ ନିଜର ମୂଲ୍ୟ ବଢ଼ାଇବାର ପିଛା କରି କ୍ଲାନ୍ତ ହୋଇପଡ଼ିଥା'ନ୍ତି।
2.ଏହା ମୂଳରେ ପିଲାଦିନର କେଉଁ ସବୁ ଘଟଣା ରହିଛି?
ଅନେକ ପରଫେକ୍ସନିଷ୍ଟ ଏମିତି ଜଣେ ପିଲା ଥିଲେ, ଯାହାଙ୍କୁ:
• କେବଳ ସଫଳତା ପାଇଁ ପ୍ରଶଂସା କରାଯାଉଥିଲା - ପ୍ରୟାସ କିମ୍ବା ଅଥେଣ୍ଟିକ୍ କାମ ପାଇଁ ନୁହେଁ।
• ଭୁଲ ପାଇଁ କଠୋର ସମାଲୋଚନାର ସମ୍ମୁଖୀନ ହେବାକୁ ପଡ଼ୁଥିଲା।
• କେବଳ ସେତେବେଳେ ହିଁ ଭଲପାଇବା ପାଉଥିଲେ, ଯେତେବେଳେ ସେମାନେ "ପରିବାରକୁ ଗର୍ବିତ କରାଉଥିଲେ"।
• ସେମାନଙ୍କୁ ନିରନ୍ତର "ଭଲ ପ୍ରଦର୍ଶନ କରିଥିବା" ଅନ୍ୟ ଲୋକଙ୍କ ସହିତ ତୁଳନା କରାଯାଉଥିଲା।
• ଛୋଟଛୋଟ ଅସଫଳତା ପାଇଁ ତାଙ୍କୁ ଦଣ୍ଡିତ କିମ୍ବା ଅଣଦେଖା କରାଯାଉଥିଲା।
• ସେ ଏମିତି ଏକ ଉଚ୍ଚ ଚାପପୂର୍ଣ୍ଣ ପରିବେଶରେ ବଢ଼ିଥିଲେ, ଯେଉଁଠାରେ ତାଙ୍କଠୁ ବହୁତ ବେଶୀ ଆଶା କରାଯାଉଥିଲା।
ଏସବୁ କଥା ପିଲାକୁ ଶିଖାଏ ଯେ:
• "ଯଦି ମୁଁ ବିଫଳ ହୁଏ, ତେବେ ମୁଁ ପାଉଥିବା ପ୍ରେମ ଓ ସମ୍ମାନ ହରାଇବି।"
• "ଭୁଲ୍ କରିବା ମୋତେ ଅଯୋଗ୍ୟ ପ୍ରମାଣିତ କରେ।"
• "ଏଭେରେଜ୍ ହେବାର ଅର୍ଥ ଅନ୍ୟମାନଙ୍କ ଆଗରେ ନିଜ ଅସ୍ତିତ୍ବ ହରାଇବା।"
ତେଣୁ ସେମାନେ ଏପରି ଏକ ଜୀବନ ତିଆରି କରନ୍ତି, ଯେଉଁଠାରେ ବିଫଳତା ପାଇଁ କୌଣସି ସ୍ଥାନ ନଥାଏ । ଥାଏ କେବଳ ସଫଳତା ପଛରେ ଛପି ରହିଥିବା କିଛି ନୀରବ ବ୍ୟଗ୍ରତା ଓ ଭୟ।
3. ଏହା କାହିଁକି ସାମର୍ଥ୍ୟ ନହୋଇ ଯନ୍ତ୍ରଣା ହୋଇ ରହେ?
ପରଫେକ୍ସନିଜିମ୍ ପଛରେ ପ୍ରାୟତଃ ନିମ୍ନଲିଖିତ କଥାସବୁ ଲୁଚି ରହିଥାଏ।
• "ଯଥେଷ୍ଟ ଭଲ" ନହେବା ପଛରେ ଥାଏ ଗଭୀର ଲଜ୍ଜାବୋଧ।
• "କେବଳ ନିଜେ ହୋଇ ନରହିବା" ପଛରେ ଥାଏ ପ୍ରତ୍ୟାଖ୍ୟାନ କିମ୍ବା ପରିତ୍ୟକ୍ତ ହେବାର ଭୟ।
• ପିଲାଦିନେ ଆବେଗଗତ ସୁରକ୍ଷାର ଅଭାବ ରହିଥାଏ। ବିଶେଷକରି ଯେତେବେଳେ ଆପଣ ଭୁଲ କରନ୍ତି।
• କିଛି ନକରି ପ୍ରେମ ଗ୍ରହଣ କରିବାରେ କଷ୍ଟ ହୁଏ।
ହଁ, ପରଫେକ୍ସନିଜିମ୍ ସଫଳତା ଆଣିପାରେ। କିନ୍ତୁ ଏହା କ୍ଳାନ୍ତି, ଚିନ୍ତା, ଚେଷ୍ଟା କରିବାର ଭୟ ଏବଂ କେବେବି ନିଜର ପ୍ରକୃତ ସ୍ୱଭାବକୁ ନ ଦେଖିବା ଦ୍ବାରା ସାଙ୍ଗରେ ଏକଲାପଣ ମଧ୍ୟ ଆଣିଆସିଥାଏ ।
୪. ପରଫେକ୍ସନିଜିମ୍ ର ଯନ୍ତ୍ରଣାରୁ ବଞ୍ଚିବେ କିପରି?
କ) ପରଫେକ୍ସନିଜିମ୍ କଥା କେଉଁଠାରୁ ଆସୁଛି ଲକ୍ଷ୍ୟ କରନ୍ତୁ।
ପଚାରନ୍ତୁ: ମୋତେ ପରଫେକ୍ଟ ହେବାକୁ ପଡ଼ିବ ବୋଲି କିଏ କହୁଛି? ବାପାମାଆ ? ଶିକ୍ଷକ? ସମାଜ? ଆତ୍ମ ସଚେତନତା ଆପଣଙ୍କୁ ପୁରୁଣା ଅଭ୍ୟାସରୁ ପୃଥକ କରିବାରେ ସାହାଯ୍ୟ କରେ।
ଖ) ଭୁଲଗୁଡ଼ିକୁ ପୁନର୍ବିଚାର କରନ୍ତୁ।
ଏହିପରି ଲେଖନ୍ତୁ:
• "ଭୁଲ ହୋଇଯିବା ଅପରାଧ ନୁହେଁ।"
• "ମୋର ମୂଲ୍ୟ କେବଳ ସଫଳତା ଦ୍ୱାରା ମାପ କରାଯାଇପାରିବ ନାହିଁ।"
ଗ) ଇନର୍ ଚାଇଲ୍ଡ ସହିତ ସମ୍ପର୍କ ଯୋଡ଼ନ୍ତୁ।
ଆପଣଙ୍କ ଶୈଶବ ବା ଯୁବକବସ୍ଥାର ଫଟୋ ସହିତ ବସନ୍ତୁ।
ତା' ସହିତ କଥା ହୁଅନ୍ତୁ। ତାକୁ କୁହନ୍ତୁ,
• "ତୁମକୁ ଆଉ ପ୍ରେମ ଅର୍ଜନ କରିବାକୁ ପଡ଼ିବ ନାହିଁ।"
• "ଆରାମ କରିବାକୁ, ଚେଷ୍ଟା କରିବାକୁ, ଅବ୍ୟବସ୍ଥିତ ହେବାକୁ ତୁମର ଅନୁମତି ଅଛି।"
ଘ) ଅସମ୍ପୂର୍ଣ୍ଣ କାର୍ଯ୍ୟ ସବୁ କରିବା ଅଭ୍ୟାସ କରନ୍ତୁ।
ଉଦ୍ଦେଶ୍ୟମୂଳକ ଭାବରେ ଅବ୍ୟବସ୍ଥିତ କାମ କିଛି କରନ୍ତୁ। ଯଥା; ଖରାପ ଭାବରେ ଆଙ୍କନ୍ତୁ, ଏଡିଟିଂ ବିନା ଲେଖନ୍ତୁ, ଫିଲ୍ଟର ବିନା ପୋଷ୍ଟ କରନ୍ତୁ। ଧୀରେ ଧୀରେ ସବୁକିଛିକୁ ନିୟନ୍ତ୍ରଣ କରିବା ଛାଡି ଦିଅନ୍ତୁ।
ଙ) ପରିଣାମ ନୁହେଁ, ପ୍ରୟାସକୁ ସେଲିବ୍ରେଟ୍ କରନ୍ତୁ।
ଲେଖିବାର ଏକ ଦୈନନ୍ଦିନ ଅଭ୍ୟାସ କରନ୍ତୁ। ଯେମିତି କି;
• ଆଜି ମୁଁ କ’ଣ ଚେଷ୍ଟା କଲି?
• ସଫଳ ହୋଇନଥିଲେ ବି ଆଜି ମୁଁ କ’ଣ ଏମିତି କରିଥିଲି, ଯାହା ମୋତେ ଗର୍ବିତ କରିଥିଲା?
ଏତଦବ୍ୟତୀତ ଆପଣଙ୍କ ଇନର୍ ଚାଇଲ୍ଡକୁ କୁହନ୍ତୁ,
• "ତୁମେ ତୁମର ରିପୋର୍ଟ କାର୍ଡ ଅପେକ୍ଷା ଅଧିକ ଯୋଗ୍ୟ।"
• "କମଜୋର ହେବା ଓ ତଥାପି ଭଲପାଇବା ପାଇବାରେ କିଛି ଅସୁବିଧା ନାହିଁ।"
• "ତୁମକୁ କେବଳ ପ୍ରଦର୍ଶନ କରିବାକୁ ନୁହେଁ, ଶିଖିବାକୁ ମଧ୍ୟ ଅନୁମତି ଅଛି।"
• "ବିରତି ନେବା ବା ଆରାମ କରିବାର ଅର୍ଥ ଆଦୌ ବିଫଳ ହେବା ନୁହେଁ।"
ପରଫେକ୍ସନିଜିମ୍ ସାମର୍ଥ୍ୟ ପରି ଦେଖାଯାଇପାରେ; କିନ୍ତୁ ପ୍ରାୟତଃ, ଏହା ଭିତରର ଭୟଭୀତ ପିଲାଟିଏ, ଯିଏ କେବଳ ଭଲପାଇବା ପାଇବା ପାଇଁ ନିର୍ଦ୍ଦୋଷ ହେବାକୁ ଚେଷ୍ଟା କରୁଥାଏ। ପରଫେକ୍ଟ ହେବାକୁ ଚେଷ୍ଟା କରୁଥାଏ। ଆପଣ ଯେତେବେଳେ "ମୁଁ କ'ଣ ଏବେ ବି ଯଥେଷ୍ଟ?" ପଚାରିବା ବନ୍ଦ କରି "ମୁଁ ସବୁବେଳେ ଯଥେଷ୍ଟ ଥିଲି ଓ ମୁଁ ପରଫେକ୍ଟ ନଥିଲି" କହିବା ଆରମ୍ଭ କରନ୍ତି ସେତେବେଳେ ଆପଣ ସୁସ୍ଥ ହେବା ଆରମ୍ଭ କରନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)