Advertisment

'ଜଳସେଚନର ସୁବିଧା ନାହିଁ ତ ଭୋଟ୍ ନାହିଁ'

ଜମିକୁ କେନାଲ ଜରିଆରେ ଜଳସେଚନର ସୁବିଧା କରିଥିବା କହୁଛନ୍ତି ସରକାର। ହେଲେ ବର୍ଷା ଅଭାବ ଓ ଜଳ ସେଚନର ଅବ୍ୟବସ୍ଥାରୁ ଶୁଖିଲା ପଡିଛି ହଜାର ହଜାର ହେକ୍ଟର ଚାଷ ଜମି। ପାଣି ନପାଇ ଜମି ଫାଟି ଆଁ କରିଛି।

ଅଦ୍ୟତନ ହୋଇଛି
Irrigation Claim

Irrigation Claim

Advertisment

ଜମିକୁ କେନାଲ ଜରିଆରେ ଜଳସେଚନର ସୁବିଧା କରିଥିବା କହୁଛନ୍ତି ସରକାର। ହେଲେ ବର୍ଷା ଅଭାବ ଓ ଜଳ ସେଚନର ଅବ୍ୟବସ୍ଥାରୁ ଶୁଖିଲା ପଡିଛି ହଜାର ହଜାର ହେକ୍ଟର ଚାଷ ଜମି। ପାଣି ନପାଇ ଜମି ଫାଟି ଆଁ କରିଛି। ଧାନ ଫସଲ ପୋଡି ନଷ୍ଟ ହେବାକୁ ବସିଲାଣି। ଏଭଳି ସ୍ଥିତିରେ ମରୁଡ଼ି ଘୋଷଣା ସହ କ୍ଷତି ପୂରଣ ଦାବି କରିଛନ୍ତି ଚାଷୀ। ଏପଟେ ଅମଳ ଫସଲ ମରିଯିବା ପରେ ନୟାଗଡ଼ ରଣପୁରର ଜଣେ ଚାଷୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି।

Advertisment

ଅମଳ ପାଖେଇଲାଣି, ହେଲେ ଶୁଖିଲା ପଡିଛି ବିଲ। ଜମିରେ ଧାନ ଗଛ ଚାଖଣ୍ଡେ କଅଁଳି ମରିବାକୁ ବସିଛି। ଯେଉଁ ସମୟରେ ଫସଲ ପାଣିରେ ବୁଡି ରହିବା କଥା, ସେଠି ମାଟି ଫାଟି ଆଁ କରିଛି। ଉଜୁଡା ଧାନ ଫସଲର ଏ ଚିତ୍ର ନୟାଗଡ଼ ରଣପୁର ଓସ୍ତାପଡାର। ବର୍ଷା ଅଭାବରୁ ବିଲରେ ପାଣି ହେଲାନି, ଜଳସେଚନ ବ୍ୟବସ୍ଥା ବି ସମୁଦ୍ରକୁ ଶଙ୍ଖେ, ତେଣୁ ମରିଗଲା ଫସଲ। ଆଉ ସେହି ଉଜୁଡା ଫସଲକୁ ଦେଖି ଓସ୍ତାପଡାର ଚାଷୀ ଗୋବିନ୍ଦ ସାହୁ ଜୀବନ ହାରିଦେଇଥିବା ଅଭିଯୋଗ ହୋଇଛି। ଦେଢ ଲକ୍ଷ ଟଙ୍କା ଧାର କରଜ କରି ଚାଷ କରିଥିବା କହିଛନ୍ତି ମୃତ ଗୋବିନ୍ଦଙ୍କ ପୁଅ ବିକ୍ରମ ସାହୁ। ଫସଲ ମରିଯିବାରୁ ଋଣ କେମିତି ଶୁଝିବେ ସେହି ଚିନ୍ତାରେ ବାପା ଆତ୍ମହତ୍ୟା କରିଥିବା କହିଛନ୍ତି ପୁଅ।

ଚାଷୀ ଆତ୍ମହତ୍ୟାକୁ ବିରୋଧ କରି ନୟାଗଡ଼ ଜିଲ୍ଲାର ଶତାଧିକ ଚାଷୀ ହାତରେ ମରିଯାଇଥିବା ଧାନ କେଣ୍ଡାକୁ ଧରି ରାଜରାସ୍ତାରେ ବସିଥିଲେ । ପରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଧସେଇ ପଶିବାକୁ ଉଦ୍ୟମ କରିଥିଲେ। ଫାଟକ ଆଗରେ ଶୋଇ ରହି ଜଣାଇଥିଲେ ପ୍ରତିବାଦ। ବର୍ଷା ଅଭାବରୁ ଜିଲ୍ଲାର ମୁଥାଗାଡିଆ ଏବଂ ଭାଟସାହି ପଞ୍ଚାୟତରେ ମରୁଡ଼ି ପରିସ୍ଥିତି ସୃଷ୍ଟି ହୋଇଛି। ତେଣୁ କ୍ଷେତକୁ ତୁରନ୍ତ ପାଣି ଯୋଗାଇବା ଦାବିରେ ଚାଷୀ ଅଡ଼ି ବସିଛନ୍ତି।

Advertisment

ସେହିପରି ସୋରଡ଼ାରେ ଚାରିଆଡେ ପୋଡା ଧାନ ଗଛ। ଚାଷ ଜମି ଫାଟି ଆଁ କରିଛି। ଆଗକୁ ବର୍ଷା ହେଲେ ବି ଆଉ ଫସଲ ହେବାର ନାହିଁ। ତେଣୁ ଜମିରେ ଚରିବାକୁ ଗୋରୁଙ୍କୁ ଛାଡିଦେଲେଣି ଚାଷୀ। ଗଞ୍ଜାମ ସୋରଡା ବ୍ଳକ୍ ବିଞ୍ଜିଗିରିର, ବାହାଡାପଦର, ଖଜୁରୀ ପଲ୍ଲୀ, ନୂଆ ଗାଁ ଓ ବଡଗଡ ଭଳି ଅନେକ ଗାଁକୁ ଘନେଇଛି ମରୁଡି ସ୍ଥିତି। ବଡ କଥା ହେଉଛି ଯେ, ଏହି ଗାଁଗୁଡିକରେ କେନାଲର ସୁବିଧା ନାହିଁ। ଲୋକେ ବର୍ଷା ଉପରେ ଆଶ୍ରା କରିଥାନ୍ତି। ତେବେ ଗାଁ ନିକଟରେ ରହିଥିବା ରୋଳା ନାଳରେ ଚେକଡ୍ୟାମ ନିର୍ମାଣ କରି କେନାଲ ସୁବିଧା କରାଗଲେ ୨୫ଶହ ଏକର ଚାଷ ଜମିକୁ ଜଳ ସେଚନ ସୁବିଧା ହୋଇପାରିବ ବୋଲି ଚାଷୀ କହିଛନ୍ତି। ଏନେଇ ବାରମ୍ବାର ପ୍ରଶାସନକୁ ଜଣାଇଥିଲେ ବି ସମସ୍ତେ ଯେଭଳି ନିରବ।

ଅମଳ ହେବା ସମୟରେ ବର୍ଷାର ଅଭାବ ଯୋଗୁଁ ଖଲିକୋଟ ଚାଷ ଜମିର ଅବସ୍ଥା କହିଲେ ନସରେ। ଜଳସେଚନର ବି ସେଭଳି କୌଣସି ସୁବିଧା ନଥିବାରୁ ଚାଷ ଜମିକୁ ପାଣି ମଡ଼ାଇପାରିଲେନି ଚାଷୀ। ଏବେ ହେକ୍ଟର ହେକ୍ଟର ଜମି ଶୁଖିଲା ପଡିଛି। ତେଣୁ ଗଞ୍ଜାମ ଜିଲ୍ଲା ଗଞ୍ଜାମ ବ୍ଳକର ୫ ଖଣ୍ଡ ପଞ୍ଚାୟତ ବାସିନ୍ଦା ଏଥର ନିଷ୍ପତ୍ତି ନେଇଛନ୍ତି, ଜଳସେଚନର ସୁବିଧା ନାହିଁ ତ ଭୋଟ୍ ନାହିଁ। ୩ ମାସ ଧରି ବର୍ଷା ନହେବାରୁ ଗଞ୍ଜାମ ବ୍ଳକର ସାନରାମଚନ୍ଦ୍ରପୁର, ଝାରେଡ଼ି ରାଧାଗୋବିନ୍ଦପୁର, ରାମଗଡ଼ ଓ ସୁବଳୟା ପଞ୍ଚାୟତରେ ମରୁଡି ଦେଖାଦେଇଛି।

Advertisment
Farmer
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ