ଏଇ ପ୍ଲାଷ୍ଟିକ୍ ମାଟିରେ ମିଶୁନି କି ପାଣିରେ ମିଳୋଉନି...

ସରକାରଙ୍କ କଟକଣା ପରେ ବି ବନ୍ଦ ହୋଇନି ପ୍ଲାଷ୍ଟିକ୍ ବ୍ୟାଗ୍ । ପ୍ଲାଷ୍ଟିକ୍ ବ୍ୟାଗ ଛାଡ଼ିବା, ସୁସ୍ଥ ପରିବେଶ ଗଢ଼ିବା ।

International Plastic Bag Free Day

ଆଜି ଇଣ୍ଟରନାସନାଲ ପ୍ଲାଷ୍ଟିକ ବ୍ୟାଗ୍ ଫ୍ରି ଡେ’ ବା ପ୍ଲାଷ୍ଟିକ ବ୍ୟାଗ ମୁକ୍ତ ଦିବସ । ଆଜିର ଦିନରେ କେତେ କଣ କାର୍ଯ୍ୟକ୍ରମ, କେତେ କଣ ଯୋଜନା । ହେଲେ ସତ ଏହା ଯେ, ପ୍ଲାଷ୍ଟିକ ବ୍ୟାଗ୍ ବିନା ମଣିଷ ବଂଚିବା କଷ୍ଟକର । ଏହା ଆମର ନିତିଦିନିଆ ଅଭ୍ୟାସ ପାଲଟିଗଲାଣି । ଆଉ ଏହା ବି ସତ ଯେ, ଏହି ପ୍ଲାଷ୍ଟିକ ବ୍ୟାଗ ହିଁ ନାନା ରୋଗର ସାଜିଛି କାରଣ । ପରିବେଶ ପ୍ରଦୂଷଣ ବି ବଢ଼ୁଛି । ବନ୍ଦ କରିବାକୁ ଆଇନ ଅଛି ହେଲେ ଦୃଢ ଭାବେ କାର୍ଯ୍ୟକାରୀ ହେଉନି ।

ଖାଦ୍ୟରେ ପଲିଥିନ ବ୍ୟାଗ । ଭୋଗ ଥାଳିରେ ପଲିଥିନ ବ୍ୟାଗ । ହାଣ୍ଡି ଶାଳରେ, ମନ୍ଦିରରେ ମଧ୍ୟ ପଲିଥିନ । ମାଟି, ପାଣି, ପବନ, ସବୁଠି ଭରି ରହିଛି । ଯେଉଁ ଆଡ଼କୁ ଅନାଇବେ ସବୁ ଆଡ଼େ ଖାଲି କୁଢ କୁଢ ପ୍ଲାଷ୍ଟିକ ବ୍ୟାଗ୍ । ଏହି ସିଙ୍ଗିଲ ୟୁଜଡ୍ ପ୍ଲାଷ୍ଟିକ ବ୍ୟାଗ୍ ମାଟିରେ ମିଶୁଚି ନା ପାଣିରେ ମିଳାଉଛି । ବର୍ଷ ବର୍ଷ ଧରି ମାଟିରେ ପଡ଼ି ରହିଲେ ବି ନଷ୍ଟ ହେଉନି ।

ଭୁବନେଶ୍ୱର ବରମୁଣ୍ଡା ବସଷ୍ଟାଣ୍ଡରେ ଚାରିଆଡେ ପୁଳା ପୁଳା ପ୍ଲାଷ୍ଟିକ୍ ବ୍ୟାଗ ପଡ଼ି ରହିଛି । ନାଳ ଓ ମାଟିରେ ବର୍ଷ ବର୍ଷ ଧରି ପଡ଼ି ରହି ବି ସେମିତି ରହିଛି । ସେହିଭଳି ସିଲଭରସିଟି କଟକରେ ବି ସମାନ ସ୍ଥିତି । ପଲିଥିନମୟ ସହର ।

ଦୋକାନରେ ଡାଲି, ଚାଉଳ କିଣିଲେ ପଲିଥିନ୍, ଖାଦ୍ୟ ପଦାର୍ଥ ବି ପ୍ୟାକ ହୋଇଛି ପଲିଥିନରେ । ନା ଦୋକାନୀ ବନ୍ଦ କରୁଛନ୍ତି ନା ଗ୍ରାହକ ଛାଡିପାରୁଛନ୍ତି । ନିତିଦିନିଆ ଅଭ୍ୟାସ ପାଲଟିଗଲାଣି ପଲିଥିନ୍ ଜରି । ଯେପରିକି ତା ବିନା ଚଳିବା ବି ମୁସ୍କିଲ ସମସ୍ତଙ୍କ ପାଇଁ । ଦୋକାନୀ କହିଛନ୍ତି, ମୂଳରୁ ଯଦି ଉତ୍ପାଦନ ନହେବ, ବଜାରକୁ ଆସିବ କେମିତି । 

ଏକକ ପ୍ଲାଷ୍ଟିକ ବ୍ୟାଗ୍ ବ୍ୟବହାର ଉପରେ ରାଜ୍ୟ ସରକାର କଟକଣା ଲଗାଇଛନ୍ତି । କଡ଼ା ଆଇନ ବି ଆଣିଛନ୍ତି । ବ୍ୟବସାୟୀ ହୁଅନ୍ତୁ କି ବ୍ୟବହାରକାରୀ, ଯାହା ହାତରେ ପଲିଥିନ ଥିବ ୫ ଶହରୁ ୫ ହଜାର ଯାଏଁ ଜୋରିମାନା ସହ ଜେଲ ଦଣ୍ଡର ବ୍ୟବସ୍ଥା ମଧ୍ୟ ରହିଛି । ପ୍ଲାଷ୍ଟିକ ବ୍ୟାଗ ବ୍ୟବହାର ବନ୍ଦ କରିବାକୁ ପ୍ରଶାସନ ପକ୍ଷରୁ ବାରମ୍ବାର ଚଢାଉ ହେଉଛି, ହେଲେ ଅବସ୍ଥା ଯଥା ପୂର୍ବଂ ତଥା ପରଂ ।

ସେପଟେ ରାଜ୍ୟ ସରକାର ଆଇନ ଆଣିବା ପରେ ପେପର ବ୍ୟାଗ ଶିଳ୍ପ ବହୁମାତ୍ରାରେ ଗଢି ଉଠିଥିଲା । ହେଲେ ନିୟମ କାର୍ଯ୍ୟକାରୀ ନ ହେବା ଏବଂ କାର୍ଯ୍ୟାନୁଷ୍ଠାନ ନ ହେବା ଫଳରେ ପେପର ବ୍ୟାଗ୍ ଶିଳ୍ପ ଧିରେ ଧିରେ ବନ୍ଦ ହେବାକୁ ଲାଗିଲାଣି । ସିଙ୍ଗିଲ ୟୁଜଡ ପଲିଥିନ୍ ବ୍ୟାଗ ପରିବେଶକୁ ଦୂଷିତ କରିବା ସହ କ୍ୟାନସର ଭଳି ରୋଗର କାରଣ ପାଲଟିଛି । ତେଣୁ ତୁରନ୍ତ ଏହାକୁ ବନ୍ଦ କରିବା ଉଚିତ ବୋଲି ମତ ରଖିଛନ୍ତି ପରିବେଶବିତ୍ ।

ଆଜି ଅନ୍ତର୍ଜାତୀୟ ପ୍ଲାଷ୍ଟିକ ବ୍ୟାଗ୍ ମୁକ୍ତ ଦିବସ । ପ୍ଲାଷ୍ଟିକ ବ୍ୟାଗ ଅଭ୍ୟାସ ଛାଡ଼ିବାକୁ ଆଉ ଏକ ପଣ କରିବାର ଦିନ । ହେଲେ ପୂର୍ବ ବର୍ଷ ଭଳି ଏହା କେବଳ ପଣ ଓ ଶପଥରେ ରହିନଯାଉ ।